ଆଜିଠୁ ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ମହିଳା ଟେଷ୍ଟ୍‌

ବ୍ରିଷ୍ଟଲ୍‌: ଭାରତୀୟ କ୍ରିକେଟର ବହୁ ପ୍ରତୀକ୍ଷିତ ମହିଳା ଟେଷ୍ଟ୍ ମ୍ୟାଚ୍ ବୁଧବାରଠାରୁ ଖେଳାଯିବ। ବ୍ରିଷ୍ଟଲ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳିବ ମିତାଲି ରାଜଙ୍କ ଦଳ। ଦୀର୍ଘ ୭ ବର୍ଷ ପରେ ଭାରତୀୟ ଦଳ ଏକ ଟେଷ୍ଟ୍ ମ୍ୟାଚ୍‌ ଖେଳିବାକୁ ଯାଉଛି। କୋଭିଡ୍‌ ପରିସ୍ଥିତି କାରଣରୁ ଠିକଣା ପ୍ରସ୍ତୁତି କରିବା ସମ୍ଭବ ହୋଇନଥିଲେ ମଧ୍ୟ ଇଂଲଣ୍ଡରେ ଅନୁକୂଳ ପ୍ରଦର୍ଶନ ଓ ସକାରାତ୍ମକ ମନୋଭାବ କାରଣରୁ ମିତାଲି ରାଜଙ୍କ ଦଳ ଆତ୍ମବିଶ୍ବାସରେ ରହିଛି। ଭାରତୀୟ ଦଳ ଶେଷ ଥର ପାଇଁ ୨୦୧୪ ମସିହାରେ ମହୀଶୂରରେ ଦକ୍ଷିଣ ଆଫ୍ରିକା‌ ବିପକ୍ଷରେ ଖେଳି ଟେଷ୍ଟ୍ ମ୍ୟାଚ୍‌ ବିଜୟ ପାଇଥିଲା। ତେବେ ଲାଲ୍‌ ବଲ୍‌ କ୍ରିକେଟ୍ ଖେଳିବାରେ ଭାରତୀୟ ଖେଳାଳି ଅଭ୍ୟସ୍ତ ନଥିବାରୁ ଏହା ଚିନ୍ତାର କାରଣ ରହିଛି। କାରଣ ଭାରତୀୟ ଘରୋଇ କ୍ରିକେଟ୍‌ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ର ଖସଡ଼ା ନାହିଁ। ଅଧିନାୟିକା ମିତାଲି ରାଜଙ୍କ ସହିତ ଉପ ଅଧିନାୟିକା ହର୍ମନପ୍ରୀତ୍ କୌର, ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ ପ୍ରମୁଖ ମଧ୍ୟ ଲାଲ୍ ବଲ୍‌ କ୍ରିକେଟ୍‌ ଲମ୍ବା ସମୟ ଧରି ଖେଳିନାହାନ୍ତି। ଦଳରେ ସାମିଲ ଥିବା ନବାଗତମାନେ ତ ଲମ୍ବା ଫର୍ମାଟ୍ କ୍ରିକେଟ୍‌ଠାରୁ ଢ଼େର ଦୂରରେ ରହିଛନ୍ତି। ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଲାଗି ଭାରତୀୟ ପୁରୁଷ ଦଳ ଯେଭଳି ସାଉଥାମ୍ପଟନ୍‌ରେ ଅନ୍ତଃଦଳ ଅଭ୍ୟାସ କରୁଛନ୍ତି, ମହିଳା ଦଳ ସେଭଳି ବ୍ରିଷ୍ଟଲରେ ନେଟ୍ସ ଅଭ୍ୟାସ କରି ନିଜକୁ ପ୍ରସ୍ତୁତ କରିଛନ୍ତି। ଖେଳାଳିମାନେ ଭଲ ତାଲିମ ନେଇଛନ୍ତି ଏବଂ ଶାଣିତ ରହିଛନ୍ତି। କିନ୍ତୁ ଦିନିକିଆ ହେଉ କି ୪ ଦିନିଆ ଅଭ୍ୟାସ ମ୍ୟାଚ୍‌ର ବିକଳ୍ପ ନାହିଁ ବୋଲି ବିସିସିଆଇ ପ୍ରକାଶ କରିଛି।

ଏହା ଏକ ୪ ଦିନିଆ ମ୍ୟାଚ୍‌ ହୋଇଥିବାରୁ ଘଣ୍ଟା ଘଣ୍ଟା ଧରି ପଡ଼ିଆରେ କ୍ଷେତ୍ରରକ୍ଷଣ କରିବା ଓ ଲମ୍ବା ସ୍ପେଲ ବୋଲିଂ କରିବାକୁ ପଡ଼ିବ। ନେଟ୍ସରେ ବି ଆମେ ସେଭଳି ଚାପ ନେଇ ଖେଳିଥିଲୁ ବୋଲି ହର୍ମନପ୍ରୀତ୍ କୌର ପ୍ରକାଶ କରିଛନ୍ତି। ଅଜିଙ୍କ୍ୟ ରାହାଣେଙ୍କଠାରୁ ପରାମର୍ଶ ପାଇବା ପରେ ଭାରତୀୟ ମହିଳା ଦଳ ମଧ୍ୟ ଏହି ଟେଷ୍ଟ୍ ଲାଗି ମାନସିକ ଭାବେ ପ୍ରସ୍ତୁତ ବୋଲି ହର୍ମନପ୍ରୀତ୍ କହିଛନ୍ତି। ସ୍ମୃତି ମନ୍ଧାନାଙ୍କ ସହ ୧୭ ବ‌ର୍ଷୀୟ ସେଫାଳି ବର୍ମା ପାଳି ଆରମ୍ଭ କରିବା ସମ୍ଭାବନା ରହିଛି। ବିନା ବ୍ୟାଗେଜ୍‌ରେ ସେଫାଳି ପଡ଼ିଆକୁ ଓହ୍ଲାଇ ପାରନ୍ତି ଏବଂ ବଡ଼ ପ୍ରଭାବ ପକାଇ ପାରନ୍ତି ବୋଲି ସମସ୍ତଙ୍କ ବିଶ୍ବାସ ବି ରହିଛି। ଆହ୍ବାନଭରା ପରିସ୍ଥିତିରେ କିନ୍ତୁ ମିତାଲି ରାଜ, ହର୍ମନପ୍ରୀତ୍ କୌର ଏବଂ ପୁନମ ରାଉତଙ୍କୁ ପ୍ରଭାବ ଛାଡ଼ିବାକୁ ହେବ। ଇଂଲଣ୍ଡ ଡ୍ୟୁକ୍ସ ବଲ୍ ବଦଳରେ କୁକାବୁରାରେ ଖେଳିବାକୁ ପସନ୍ଦ କରିଥିବାରୁ ବ୍ୟାଟିଂ ଭଲ ହେବ ବୋଲି ବିଶ୍ବାସ କରାଯାଉଛି। ଘରୋଇ ଦଳ ଚଳିତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଆସେସ୍‌ ଖେଳିବା ପୂର୍ବରୁ କୁକାବୁରାରେ ନିଜକୁ ପ୍ରସ୍ତୁତି କରିବାକୁ ମଧ୍ୟ ଯୋଜନା କରିଛି। ଭାରତ କିନ୍ତୁ ଇଂଲଣ୍ଡ ମାଟିରେ ୮ ଟେଷ୍ଟ୍ ଖେଳି ଆଦୌ ହାରିନଥିବାରୁ ମିତାଲି ରାଜଙ୍କ ଦଳ ପାଇଁ ଏହା ଆତ୍ମବିଶ୍ବାସ ଯୋଗାଇବ। ସେ ମଧ୍ୟରୁ ଭାରତ ୨ଟି ଜିତିଥିଲା। ୨୦୧୪ ମସିହା ଅଗଷ୍ଟରେ ଦୁଇ ଦେଶ ଶେଷ ଥର ପାଇଁ ମୁକାବିଲା କରିଥିବା ବେଳେ ସେହି ଦଳରୁ ୬ ଜଣ ଏବେ ଇଂଲଣ୍ଡ ଦଳରେ ରହିଛନ୍ତି। ୱର୍ମସଲିରେ ଅନୁଷ୍ଠିତ ଶେଷ ଟେଷ୍ଟକୁ ମଧ୍ୟ ଭାରତ ୬ ୱିକେଟରେ ଜିତିଥିଲା।

ଇଂଲଣ୍ଡ ଏହି ଟେଷ୍ଟ୍‌ ଲାଗି ଦାବିଦାର ଥିଲେ ମଧ୍ୟ ୨୦୧୪ ମସିହାରେ ଖେଳିଥିବା ତଥା ନବନିଯୁକ୍ତ ଉପ ଅଧିନାୟକ ସିଭର୍‌ କହିଛନ୍ତି ଭାରତ ଢେର ଉନ୍ନତ କରିଛି। ଭାରତ ଏବେ ଭୟଶୂନ୍ୟ କ୍ରିକେଟ୍ ଖେଳୁଛି, କ୍ରମେ ଦଳ ଉନ୍ନତି ବି କରିଛି। ଯୁବ ପ୍ରତିଭାମାନେ ଭୟ କରୁନାହାନ୍ତି। ପୂର୍ବାପେକ୍ଷା ସେମାନେ ଅଧିକ ଆକ୍ରମଣାତ୍ମକ ଖେଳୁଛନ୍ତି ବୋଲି ସିଭର୍ ପ୍ରକାଶ କରିଛନ୍ତି। ମିତାଲି ରାଜ ଏବଂ ଝୁଲନ ଗୋସ୍ବାମୀଙ୍କ ଭଳି ଅଭିଜ୍ଞ ଖେଳାଳି ଥିବା ଦଳକୁ ହରାଇବା ନିଶ୍ଚିତ ଭାବେ କଷ୍ଟକର। ଆମେ କିନ୍ତୁ ଆମ ପରିବେଶରେ ଦକ୍ଷତା ଦେଖେଇ ସବୁକିଛି ଠିକଠାକ୍ କରିବା ଆଶା ରଖିଛୁ ବୋଲି କହିଥିଲେ ସିଭର। ଗତଥର ଆମେ ଆମେ ଦକ୍ଷତା ମୁତାବକ ଖେଳିପାରିନଥିଲୁ ବୋଲି ସିଭର ସ୍ବୀକାର କରିଥିଲେ।
ଭାରତୀୟ ଦଳ: ମିତାଲି ରାଜ (ଅଧିନାୟିକା), ସ୍ମୃତି ମନ୍ଧାନା, ହର୍ମନପ୍ରୀତ୍ କୌର୍ (ଉପ ଅଧିନାୟିକା), ପୁନମ ରାଉତ, ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଜେମିମା ରଡ୍ରିଗ୍ବେଜ, ସେଫଳି ବର୍ମା, ସ୍ନେହ ରଣା, ତାନିଆ ଭାଟିଆ (ୱି‌କେଟରକ୍ଷିକା), ଇନ୍ଦ୍ରାଣୀ ରୟ, ଝୁଲନ ଗୋସ୍ବାମୀ, ଶିଖା ପାଣ୍ଡେ, ପୂଜା ବସ୍ତ୍ରାକର, ଅରୁନ୍ଧତି ରେଡ୍ଡୀ, ପୁନମ ୟାଦବ, ଏକତା ବିସ୍ତ, ରାଧା ୟାଦବ।

ଇଂଲଣ୍ଡ ଦଳ: ହିଥର ନାଇଟ୍‌ (ଅଧିନାୟିକା), ଏମିଲି ଆର୍ଲୋଟ୍‌, ଟମି ବିଉମଣ୍ଟ୍‌, କା‌ଥେରିନ୍‌ ବ୍ରଣ୍ଟ୍‌, କାଟେ କ୍ରସ୍‌, ଫ୍ରେୟା ଡାଭିସ୍‌, ସୋଫିଆ ଡଙ୍କଲେ, ସୋଫି ଏସଲଷ୍ଟୋନ୍‌, ଜର୍ଜିଆ ଏଲୱିସ୍‌, ତାସ୍‌ ଫାରାଣ୍ଟ୍‌, ସାରା ଗ୍ଲେନ୍‌, ଆମି ଜୋନ୍ସ, ନାଟ୍ ସିଭର୍ (ଉପ ଅଧିନାୟିକା), ଆନ୍ୟା ସ୍ରବସୋଲ୍‌, ମାଡି ଭିଲିୟର୍ସ, ଫ୍ରାନ୍‌ ୱିଲସନ୍‌, ଲରେନ୍‌ ୱିନ‌ଫିଲ୍ଡ-ହିଲ୍‌।

ସମ୍ବନ୍ଧିତ ଖବର