ଦୁବାଇ: ଚଳିତ ଆଇପିଏଲ୍ରେ ସଫଳତମ ଦଳ ଚେନ୍ନାଇ ସୁପର୍ କିଙ୍ଗ୍ସ ଖରାପ ପ୍ରଦର୍ଶନ କରି ପ୍ରଥମ ଥର ବିନା ପ୍ଲେ ଅଫ୍ ଖେଳି ବିଦାୟ ନେଇଛି। ଅନ୍ତର୍ଜାତୀୟ ଅବସର ବର୍ଷରେ ମହେନ୍ଦ୍ର ସିଂହ ଧୋନି ମଧ୍ୟ ସିଏସ୍କେ ପାଇଁ ବ୍ୟକ୍ତିଗତ ଭାବେ ବିଶେଷ ପ୍ରଭାବୀ ଖେଳିପାରିନଥିଲେ। କିନ୍ତୁ ଭାରତୀୟ କ୍ରିକେଟ୍ରେ ଏହି ମହାନ ଖେଳାଳିଙ୍କ ପିଛାରେ ଏଥର ବହୁ ଯୁବ ଖେଳାଳି ପଡ଼ିରହିଥିଲେ। ତାଙ୍କ ଅଜସ୍ର ଅଭିଜ୍ଞତା ଓ ଅଗାଧ କ୍ରିକେଟ୍ ଜ୍ଞାନରୁ କିଛି ସଂଗ୍ରହ କରିବା ଲାଗି ଏକ ପ୍ରକାର ପ୍ରତିଦ୍ବନ୍ଦ୍ବିତା ଲାଗି ରହୁଥିଲା। ଏହି ଅବସରରେ ତାଙ୍କ ପରିଧାନର ସିଏସ୍କେ ଜର୍ସିକୁ ମଧ୍ୟ ସଂଗ୍ରହ କରିବା ଲାଗି ବହୁ ଖେଳାଳି ଲାଗି ପଡ଼ିଥିଲେ।
ଏ ସମ୍ପର୍କିତ ରହସ୍ୟ ଉପରୁ ମାହି ସୋମବାର ପରଦା ହଟାଇଛନ୍ତି। ମାତ୍ର ୬ ମାସ ମଧ୍ୟରେ ଖେଳାଯିବାକୁ ଥିବା ୨୦୨୧ ମସିହାର ଆଇପିଏଲ୍ରେ ଧୋନି ଖେଳିବେ ବୋଲି ଆଭାସ ଦେଇଥିଲେ। ଚଳିତ ବର୍ଷ ସେ ନିଜ ଶେଷ ଆଇପିଏଲ୍ ଖେଳିବା କଳ୍ପନାଜଳ୍ପନାର ମଧ୍ୟ ଅନ୍ତ ଘଟାଇଥିଲେ। ଆଇପିଏଲ୍ ଅବସର ସମ୍ପର୍କରେ ଧୋନି କେବଳ ଏତିକି କହିଥିଲେ ‘ନିଶ୍ଚିତ ନୁହେଁ’। ଏହାକୁ ନେଇ କ୍ରିକେଟ୍ ଦୁନିଆ ସୋମବାର ବେଶ ଚଳଚଞ୍ଚଳ ହୋଇରହିଥିଲା। ତେବେ ବିଭିନ୍ନ ଦଳର ଖେଳାଳିମାନେ ତାଙ୍କ ଜର୍ସି ସଂଗ୍ରହ ସମ୍ପର୍କରେ ଧୋନି କହିଥିଲେ ‘ସମ୍ଭବତଃ ସେମାନେ ଭାବି ନେଇଥିଲେ ମୁଁ ଅବସର ନେଉଛି। କିନ୍ତୁ ଏହା ନିଶ୍ଚିତ ନୁହେଁ’। ଭାଷ୍ୟକାର ହର୍ଷ ଭୋଗଲେ ମଧ୍ୟ ମଜାରେ କହିଥିଲେ ‘ସମ୍ଭବତଃ ଆହୁରି ବହୁ ଜର୍ସି ବଳକା ଅଛି, ଆପଣଙ୍କଠାରୁ ସମସ୍ତେ ଏହା ନେବାକୁ ବ୍ୟାକୁଳ ଅଛନ୍ତି’। ମୁଁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିବାରୁ ଏବେ ଅଇପିଏଲ୍ ବି ଛାଡ଼ିଦେବି ବୋଲି ସେମାନେ ଭାବିଥିବେ ବୋଲି ଧୋନି ମଧ୍ୟ ପ୍ରକାଶ କରିଥିଲେ। ‘ଏବେ ଆମେ ସିଏସ୍କେର ଆଭ୍ୟନ୍ତରୀଣ ଗ୍ରୁପ୍ରେ କିଛି ପରିବର୍ତନ କରିବା ସହ ପରବର୍ତୀ ୧୦ ବର୍ଷ ପାଇଁ ନଜର ପକାଇଛୁ’ ବୋଲି ମଧ୍ୟ ଧୋନି ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/dhoni1.jpg)