ଜାତୀୟ ଦୌଡ଼କୁଦ ଉଦ୍‌ଯାପିତ: ଓଡ଼ିଶାକୁ ୯ ସ୍ବର୍ଣ୍ଣ ସହ ୧୩ ପଦକ

କଟକ: ଆସାମର ଗୌହାଟୀଠାରେ ଚାଲିଥିବା ୩୭ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଏହି ପ୍ରତିଯୋଗିତାର ଶେଷ ଦିନରେ ଓଡ଼ିଶା ୩ ସ୍ବର୍ଣ୍ଣ ପଦକ ହାସଲ କରିଛି। ଫଳରେ ଓଡ଼ିଶାକୁ ୯ ସ୍ବର୍ଣ୍ଣ ସହ ମୋଟ ୧୩ ପଦକ ମିଳିଛି। ସେଥିରେ ୩ ‌‌ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମଧ୍ୟ ସାମିଲ ରହିଛି।

ଜାଭେଲିନ୍‌ରେ ଓଡ଼ିଶାର ଧନମତି ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ୨୦ ବର୍ଷ ବାଳକ ବର୍ଗ ୧୦୦ ମିଟର ଦୌଡ଼ରେ ଲାଲୁ ପ୍ରସାଦ ଭୋଇ, ୧୮ ବର୍ଷରୁ କମ୍‌ ବାଳକ ବର୍ଗର ୧୦୦ ମିଟର ଦୌଡ଼ରେ ଦଣ୍ଡପତି ମୂର୍ତ୍ତି ଜୟରାମ, ୧୬ ବର୍ଷରୁ କମ୍‌ ବାଳକ ସଟ୍‌ପୁଟରେ ଓଁକାର ପ୍ରସାଦ ନନ୍ଦ, ୧୪ ବର୍ଷରୁ କମ୍‌ ବାଳିକା ଜାଭେଲିନରେ ତେଜସ୍ବିନୀ ଧଳ, ୧୮ ବର୍ଷରୁ କମ୍‌ ବାଳିକା ବର୍ଗର ୮୦୦ ମିଟର ଦୌଡ଼ରେ ଲକ୍ଷ୍ମୀପ୍ରିୟା କିଷାନ, ୧୪ ବର୍ଷରୁ କମ୍‌ ବାଳକ ୬୦୦ ମିଟର ଦୌଡ଼ରେ ଅନି ସାଲବାମ, ବାଳିକା ୨୦ ବର୍ଷରୁ କମ୍‌ ୩୦୦୦ ମିଟର (ଷ୍ଟିପଲଚେଜ୍‌)ରେ ସୁସ୍ମିତା ଟିଗା, ଓ ୨୦ ବର୍ଷରୁ କମ୍ ବାଳକ ୪୦୦ ମିଟର ରିଲେରେ ଓଡ଼ିଶା ଦଳ (ଭୀମ ସରଦାର, ଅଭିଷେକ ଦଳବେହେରା, ଲାଲୁପ୍ରସାଦ ଭୋଇ ଓ ଆରିୟାନ) ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିଭଳି ଟ୍ରିପଲ ଜମ୍ପ୍‌ରେ ମେରିମୁକ୍ତା ସୋରେଙ୍ଗ, ୧୬ ବର୍ଷରୁ କମ୍‌ ବାଳକ ବର୍ଗ ହାମର ଥ୍ରୋ’ରେ ଓମ୍‌ ପ୍ରକାଶ ନନ୍ଦ, ୧୮ ବର୍ଷରୁ କମ୍‌ ବାଳିକା ବର୍ଗ ୧୦୦ ମିଟର ବାଧା ଦୌଡ଼ରେ ସବିତା ଟପୋ ରୌପ୍ୟ ପଦକ ହାସଲ କରିଥିଲେ। ୧୮ ବର୍ଷରୁ କମ୍‌ ବାଳକ ରିଲେରେ ଓଡ଼ିଶାର ମହେନ୍ଦ୍ର ଶାନ୍ତା, ପଙ୍କଜ ମଣ୍ଡଳ, ଡି ଜୟରାମ, ବାପି ହାଂସଦା କାଂସ୍ୟ ପଦକ ହାସଲ କରିଛନ୍ତି।

ମଙ୍ଗଳବାର ଅନ୍ତିମ ଦିନରେ ୮୦୦ ମିଟର ଦୌଡ଼ରେ ଲକ୍ଷ୍ମୀପ୍ରିୟା କିଷାନ (୨ ମିନିଟ୍‌ ୧୫.୦୮ ସେକେଣ୍ଡ), ୬୦୦ ମିଟର ଦୌଡ଼ରେ ଅନି ସଲବାମ (୧ ମିନିଟ୍‌ ୨୪.୦୧ ସେକେଣ୍ଡ) ଏବଂ ୩୦୦୦ ମିଟର ଷ୍ଟିପଲ୍‌ଚେଜ୍‌ରେ ସୁସ୍ମିତା ଟିଗା (୧୧ ମିନିଟ୍ ୨.୩୧ ସେକେଣ୍ଡ) ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ। ସଭାପତି ଶ୍ରୀନିବାସ ପଟ୍ଟନାୟକ, ସଂପାଦକ ଆଶୀର୍ବାଦ ବେହେରା ଦଳକୁ କୃତଜ୍ଞତା ଜଣାଇବା ସହିତ ସହଯୋଗ ପାଇଁ ରାଜ୍ୟ କ୍ରୀଡା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର