ଜାତୀୟ ମୁଷ୍ଟିଯୁଦ୍ଧ ଉଦ୍‌ଘାଟିତ

ପୁରୀ,୨୭ା୨ (ଇମିସ): ପୁରୀ ବକ୍ସିଂ ଏକାଡେମି ଆନୁକୂଲ୍ୟରେ ଜାତୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଶରଧାବାଲିଠାରେ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରତିଯୋଗିତାରେ ୧୫ଟି ରାଜ୍ୟର ୧୩୨ ପ୍ରତିଯୋଗୀ ଓ ୫୪ ଅଫିସିଆଲ୍‌ ଯୋଗ ଦେଇଛନ୍ତି। ଆଜି ପ୍ରଥମ ଦିନରେ କନିଷ୍ଠ ଓ ଉପକନିଷ୍ଠ ବିଭାଗରେ ୪୪ ଏବଂ ବରିଷ୍ଠ ବିଭାଗରେ ୪୨ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବା ସହ ଜାଗା-ଆଖଡ଼ା ଓ କୁସ୍ତି-ମୁଷ୍ଟିଯୁଦ୍ଧର କ୍ଷେତ୍ର ପୁରୀରେ ଏକ ଜାତୀୟ ପ୍ରତିଯୋଗିତା ଆଗାମୀ ଅଲମ୍ପିକ୍ସର ପ୍ରାକ୍‌ ପ୍ରସ୍ତୁତି ବୋଲି କହିଥିଲେ। ଅର୍ଜୁନ ପୁରସ୍କାର ବିଜେତା ସିରା ଜୟରାମ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବ୍ରଜଭୂଷଣ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା, ଭୁବନେଶ୍ବର କର୍ପୋରେଟର ଅମରେଶ ଜେନା ପ୍ରମୁଖ ମୁଷ୍ଟିଯୁଦ୍ଧର ଇତିହାସ ସଂପର୍କରେ ବକ୍ତବ୍ୟ ରଖିଥିଲେ।

ଏକାଡେମିର ସଭାପତି ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ଭଗବାନ ପ୍ରତିହାରୀ, କଣ୍ଡୁରି ସୁଆର, ଏକାଡେମି ସଂପାଦକ ସଂଜୟ କୁମାର ଅଗ୍ରୱାଲ୍‌, ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକ ରବିଶଙ୍କର ପ୍ରତିହାରୀ, ରବିନାରାୟଣ ଦାଶ, ଅଭିମନ୍ୟୁ ଜେନା, ପ୍ରଶାନ୍ତ ମହାନ୍ତି, ବିଶ୍ବନାଥ ରାଉତ, କେଦାର ମହାନ୍ତି, ଶଶିକାନ୍ତ ଜେନା, ହରିହର କର, ଅଂଶୁମାନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ୟାମପ୍ରକାଶ ସେନାପତି ଓ ବଦ୍ରି ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରବିବାର ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର