କରୋନା ସଙ୍କଟ ସତ୍ତ୍ବେ ଜାତୀୟ ପ୍ରଶିକ୍ଷଣ ଶିବିର ଜାରି ରହିବ

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। ଏହା ସତ୍ତ୍ବେ ବିଭିନ୍ନ ଖେଳର ଜାତୀୟ ଶିବିର ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଜାରି ରହିବ। କାରଣ ଖେଳାଳିଙ୍କ ଅଲିମ୍ପିକ୍ସ ପ୍ରସ୍ତୁତିରେ ଆମେ ବ୍ୟାଘାତ ସୃଷ୍ଟି କରିପାରିବୁନି। ଏହି କାରଣରୁ ସେମାନଙ୍କୁ ଆମେ କ୍ଷତିରେ ରଖି ପାରିବୁନି। ସୋମବାର ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ। ପାତିଆଲାସ୍ଥିତ ଜାତୀୟ କ୍ରୀଡ଼ା ସଂସ୍ଥାନ ବା ଏନ୍‌ଆଇଏସ୍‌ରେ ଆୟୋଜିତ ପ୍ରଶିକ୍ଷଣ ଶିବିରରୁ ତିନି ଜଣ ମୁଷ୍ଟିଯୋଦ୍ଧା ଓ ଜଣେ ଡାକ୍ତର କରୋନା ପଜିଟିଭ୍ ଆସିବା ପରେ ଅନ୍ୟ ଖେଳର ଜାତୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ରିଜିଜୁ ଏସବୁ ଆଶଙ୍କାକୁ ଏଡ଼ାଇ ଯାଇଛନ୍ତି।

ଯେଉଁଠାରେ ଖେଳାଳିମାନେ ଶିବିରରେ ଯୋଗଦେବାକୁ ସକ୍ଷମ ହେଉଛନ୍ତି, ସେଠାରେ ପ୍ରଶିକ୍ଷଣ ଶିବିର ଜାରି ରହିବ। ହେଲେ କରୋନା ପ୍ରକୋପକୁ ଆଖି ଆଗରେ ରଖି ଶିବିର ଆୟୋଜନ ବେଳେ ନିର୍ଦ୍ଧାରିତ ସାଧାରଣ ପରିଚାଳନା ପ୍ରକ୍ରିୟା ବା ଏସ୍‌ଓପିକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ସେ କିନ୍ତୁ ସ୍ପଷ୍ଟ କରି ଦେଇଛନ୍ତି। କରୋନା ଆତଙ୍କ ସତ୍ତ୍ବେ ମୁଷ୍ଟିଯୋଦ୍ଧାଙ୍କ ପ୍ରଶିକ୍ଷଣ ଶିବିର ପର୍ଯ୍ୟାୟକ୍ରମେ ଆରମ୍ଭ ‌ହୋଇଛି। ତେବେ ପ୍ରଶିକ୍ଷାର୍ଥୀଙ୍କ ସଂଗରୋଧ ଅବଧିକୁ ବଢ଼ାଇ ଦିଆଯାଇଥିବା ରିଜିଜୁ ସୂଚନା ଦେଇଛନ୍ତି। ବନ୍ଧୁକଚାଳନା ରେଞ୍ଜ୍‌କୁ ଖୋଲି ଦିଆଯାଇଛି। ବନ୍ଧୁକଚାଳକମାନେ ସେମାନଙ୍କ ଇଚ୍ଛା ଅନୁସାରେ ସେଠାରେ ଅଭ୍ୟାସ କରି ପାରିବେ। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ଖେଳାଳିମାନେ ଖୁବ୍‌ ଶୀଘ୍ର ସେମାନଙ୍କ ଅଭ୍ୟାସ ଆରମ୍ଭ କରିବେ ବୋଲି ସେ ଘୋଷଣା କରିଛନ୍ତି। ଉଚ୍ଚତମ ନ୍ୟାୟାଳୟ ୫୦ରୁ ଅଧିକ ଜାତୀୟ କ୍ରୀଡ଼ା ମହାସଂଘର ପଞ୍ଜୀକରଣକୁ ରଦ୍ଦ କରି ଦେଇଥିଲା ବେଳେ ଆଇନ ତା ବାଟରେ ଯିବ। ତେବେ ଆସନ୍ତା ମାସେ କିମ୍ବା ଦୁଇ ମାସ ଭିତରେ ସରକାର ସଂପୃକ୍ତ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ପୁନଃ ସ୍ବୀକୃତି ପ୍ରଦାନ କରିବେ ବୋଲି ରିଜିଜୁ କହିଛନ୍ତି।

ସମ୍ବନ୍ଧିତ ଖବର