ଆଜିଠୁ ଗଡ଼ିବ ନୂଆ ବଲ୍‌ ‘ଅଲ୍‌ ରିହଲା’: ବଲ୍‌ରେ ଲାଗିଛି ସସ୍‌ପେନସନ୍‌ ସିଷ୍ଟମ୍‌

ବ୍ୟବହାର ହୋଇଛି ମୋସନ୍‌ ସେନସର‌୍‌ରେ ତଥ୍ୟ ସ˚ଗ୍ରହକାରୀ ‘ବଲ୍‌ ସ˚ଯୋଗ ଜ୍ଞାନକୌଶଳ’

ଦୋହା: ଫିଫା ବିଶ୍ବକପ୍‌ରେ ଏଥର ବ୍ୟବହାର ହେବାକୁ ଥିବା ବଲ୍‌ର ନାମ ରହିଛି ଅଲ୍‌ ରିହଲା। ଆରବିକ୍‌ ଭାଷାରେ ଏହାର ଅର୍ଥ ହେଉଛି ‘ଦ ଜର୍ଣ୍ଣି’। ବହୁ ରାଷ୍ଟ୍ରୀୟ କମ୍ପାନି ଆଦିଦାସ୍‌ ପକ୍ଷରୁ ଏହି ବଲ୍‌ର ପ୍ରସ୍ତୁତ କରାଯାଇଥିଲା ବେଳେ ବିଶ୍ବକପ୍‌କୁ ନଜରରେ ରଖି ବଲ୍‌ରେ ଅନେକ କିଛି ନୂତନତ୍ବ ସଂଯୁକ୍ତ ହୋଇଛି। ପ୍ରଥମ କରି ବଲ୍‌କୁ ଅତ୍ୟାଧୁନିକ ‘ବଲ୍‌ ସ˚ଯୋଗ ଜ୍ଞାନକୌଶଳ’ରେ ପ୍ରସ୍ତୁତ କରାଯାଇଛି। ଯାହାଦ୍ବାରା ଭାର‌୍‌ ସିଷ୍ଟମ୍‌କୁ ଅତି ନିଖୁଣ ଭାବେ ପରଖାଯାଇପାରିବ ଏବ˚ ରେଫରିଙ୍କ ନିକଟକୁ ସଠିକ୍‌ ତଥ୍ୟ ପହଞ୍ଚିପାରିବ। ଏହାଫଳରେ ମ୍ୟାଚ୍‌ ପରିଚାଳନା ଅଧିକାରୀଙ୍କୁ ସଠିକ୍‌ ଓ ଶୀଘ୍ର ନିଷ୍ପତ୍ତି ନେବାରେ ଏହା ସହାୟକ ହେବ।

ଗତ ମାର୍ଚ୍ଚ ମାସରେ କମ୍ପାନି ପକ୍ଷରୁ ଏହି ବଲ୍‌କୁ ଉନ୍ମୋଚନ କରାଯାଇଥିଲା। ବଲ୍‌ର ଉପର ଅ˚ଶରେ ପ୍ରଥମ କରି ପାଣିରେ ମିଶ୍ରିତ ରଙ୍ଗ ଓ ଅଠାକୁ ବ୍ୟବହାର କରାଯାଇଛି। ଆରବୀୟ ସ˚ସ୍କୃତି, କଳା ଓ ଜାତୀୟ ପତାକାର ରଙ୍ଗକୁ ବଲ୍‌ ଉପରେ ଚିତ୍ରିତ କରାଯାଇଛି। ଅନ୍ୟପକ୍ଷରେ ବଲ୍‌ରେ ବ୍ୟବହାର ହୋଇଥିବା ଜ୍ଞାନକୌଶଳ ଯୋଗୁଁ ମ୍ୟାଚ୍‌ ଚାଲିଥିବା ସମୟରେ ବି ସମାନ ସମୟରେ ଭିଡିଓ ତଥ୍ୟକୁ ରେଫରି ଦେଖିପାରିବେ। କେଉଁ ଖେଳାଳି କେଉଁ ସ୍ଥାନରେ ଥିଲେ ତାହାର ତଥ୍ୟ ସହିତ ନିୟମାବଳୀକୁ ସମୀକରଣ କରାଇ ବଲ୍‌ର ସ˚ଯୋଗ କରିବା କୌଶଳ ମାଧ୍ୟମରେ ଫିଫା ଅଧିକାରୀଙ୍କୁ ସ୍ବୟ˚ଚାଳିତ ଅଫ୍‌ସାଇଡ୍‌ ଏବ˚ ମ୍ୟାଚ୍‌ ରେଫରିଙ୍କ ଭିଡିଓ ସହାୟତା ସୂଚନା କ୍ଷେତ୍ରରେ ତୁରନ୍ତ ନିଷ୍ପତ୍ତି ନେବାରେ ଏହା କାରିଗରି ସାବ୍ୟସ୍ତ ହେବ।

ବଲ୍‌ର ମଝି ଭାଗରେ ଆଦିଦାସ୍‌ ସସ୍‌ପେନ୍‌ସନ୍‌ ସିଷ୍ଟମ୍‌ ଲଗାଯାଇଛି। ଏଥିରେ ୫୦୦ ହର୍ଜର ଇଣ୍ଟେରିଆଲ୍‌ ମେଜରମେଣ୍ଟ ୟୁନିଟ୍‌ (ଆଇଏମ୍‌ୟୁ) ମୋସନ୍‌ ସେନସର‌୍‌ ରହିଛି। ଯାହାଦ୍ବାରା ପ୍ରତ୍ୟେକ ସେକେଣ୍ଡର ତଥ୍ୟକୁ ଏହା ସ˚ଗ୍ରହ କରିବ। ଉକ୍ତ ସେନ୍‌ସର ଏକ ରିଚାର୍ଜ ହୋଇପାରୁଥିବା ବ୍ୟାଟେରି ଦ୍ବାରା ପରିଚାଳିତ ହେବ। ଏହି ସମୟରେ ବ୍ୟବହାର ହେଉଥିବା ଜ୍ଞାନକୌଶଳ ବଲ୍‌ ଭିତର ଅ˚ଶରେ ବ୍ୟବହାର କରାଯାଇଥିବାରୁ ତାହା ଖେଳାଳିଙ୍କ ନଜରକୁ ଆସିବନି। ତେଣୁ ଖେଳ ଓ ଖେଳାଳିଙ୍କ ପ୍ରଦର୍ଶନରେ ଏହି ବଲ୍‌ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏହି ନୂଆଧରଣର ଜ୍ଞାନକୌଶଳକୁ ଫିଫା ଓ ସେନସର‌୍‌ ନେଟଵର୍କର ସ˚ସ୍ଥା ‘କାଇନେକ୍ସନ୍‌’ ସହିତ ମିଶିକରି ଆଦିଦାସ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ସେନସର‌୍‌ ଦ୍ବାରା ମ୍ୟାଚ୍‌ର ଲାଇଭ୍‌ ତଥ୍ୟକୁ ରେଫରିଙ୍କ ପାଖକୁ ନିର୍ଭୁଲ୍‌ ଭାବେ ସ୍ବତଃ ଚାଲିଯିବ ଓ ଖେଳାଳି ବଲ୍‌କୁ ଛୁଇଁବା ମାତ୍ରେ ସେକେଣ୍ଡକୁ ୫୦୦ ପ୍ରକାରର ତଥ୍ୟ ଅଧିକାରୀଙ୍କ ପାଖରେ ଉପଲବ୍ଧ ହୋଇସାରିଥିବ। ଯାହାଦ୍ବାରା ଅଫ୍‌ ସାଇଡ୍‌ ଭଳି ପରିସ୍ଥିତିକୁ ନିର୍ଣ୍ଣୟ କରିବାରେ ରେଫରିଙ୍କୁ ସୁବିଧା ହେବ। ଏହାଫଳରେ ଭାର‌୍‌ ନିଷ୍ପତ୍ତି ପ୍ରକ୍ରିୟାର ମାନବୃଦ୍ଧି ହୋଇପାରିବ। ଏହି ଜ୍ଞାନକୌଶଳକୁ କମ୍ପାନି ପକ୍ଷରୁ ଏକାଧିକ ପେସାଦାର ପ୍ରତିଯୋଗିତା ଓ ତୃଣମୂଳସ୍ତରୀୟ କାର୍ଯ୍ୟକ୍ରମରେ ପରୀକ୍ଷା କରାଯାଇଛି। ଫିଫା ଆରବ କପ୍‌, ଫିଫା କ୍ଲବ୍‌ ବିଶ୍ବକପ୍‌ ଇତ୍ୟାଦିରେ ପରୀକ୍ଷା ସମୟରେ ଖେଳାଳିଙ୍କ ପ୍ରଦର୍ଶନରେ କୌଣସି ପ୍ରଭାବ ପକାଇନଥିବା ଦେଖାଯାଇଛି। ତେଣୁ ବିଭିନ୍ନ ପରୀକ୍ଷାରେ ଏହା ପାସ୍‌ ହେବା ପରେ ବିଶ୍ବକପ୍‌ରେ ବ୍ୟବହାର ପାଇଁ ସବୁଜ ସଙ୍କେତ ଦିଆଯାଇଛି।

କାତାର ପାଇଁ ଇକ୍ବେଡ଼ର ଆହ୍ବାନ

ଦୋହା: ଚଳିତ ଫିଫା ବିଶ୍ବକପ୍‌ର ଆୟୋଜନ କ୍ଷେତ୍ରରେ ଅନେକ ବିବାଦ ସାମିଲ ଥିଲେ ବି ଶୀତକାଳୀନ ବଶ୍ବକପ୍‌ରେ ଏହି ଦେଶ ନୂଆ କୀର୍ତ୍ତିମାନ ସହିତ ଅଭିଯ‌ାନ ଆରମ୍ଭ କରିବ। ଉଦ୍‌ଘାଟନୀ ମୁକାବିଲାରେ ଗ୍ରୁପ୍‌ ଏ’ରେ ଘରୋଇ ଦଳର ସାମ୍ନା ଦକ୍ଷିଣ ଆମେରିକୀୟ ଦଳ ଇକ୍ବେଡ଼ର ସହିତ ହେବ। ୬୦ହଜାର କ୍ଷମତା ବିଶିଷ୍ଟ ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ତେବେ ପଦାର୍ପଣ ମ୍ୟାଚ୍‌ରେ କାତାର ବିଜୟରୁ ଅଭିଯାନ ଆରମ୍ଭ କରି ୨୦୦୨ ପରେ ପ୍ରଥମ ବିପର୍ଯ୍ୟୟ କରିବାକୁ ଚାହିଁବ। ପୂର୍ବରୁ ସେନେ‌ଗଲ୍‌ ତାହାର ପଦାର୍ପଣ ମ୍ୟାଚ୍‌ରେ ଫ୍ରାନ୍ସକୁ ହରାଇ ବିଶ୍ବକପ୍‌ରେ ପାଦ ଥାପିଥିଲା। ଫେଲିକ୍ସ ସାଞ୍ଚେଜ୍‌ଙ୍କ ଦଳ ପ୍ରଥମ ମ୍ୟାଚ୍‌ ପୂର୍ବରୁ ୪ ୱାର୍ମ ଅପ୍‌ ମ୍ୟାଚ୍‌ ଖେଳିସାରିଛି। ଗତ ସପ୍ତାହଗୁଡ଼ିକ ମଧ୍ୟରେ ଗୁଏତମାଲା, ହଣ୍ଡୁରାସ୍‌, ପାନାମା ଓ ଅଲ୍‌ବାନିଆକୁ ଦଳ ହରାଇ ଏହି ମହାକୁମ୍ଭ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାଇସାରିଛି। ଅନ୍ୟପକ୍ଷରେ ଉଦ୍‌ଘାଟନୀ ମ୍ୟାଚ୍‌ରୁ ଭଲ ଆରମ୍ଭ କରି ଦ୍ବିତୀୟ ପଦାର୍ପଣକାରୀ ଆୟୋଜକ ଦେଶ ଭାବେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେବା ଭଳି ପରିସ୍ଥିତିକୁ ଏଡ଼ାଇବାକୁ ଚେଷ୍ଟା କରିବ। ୨୦୧୦ରେ ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ ଆୟୋଜକ ହୋଇଥିଲା ବେଳେ ଗୋଲ୍‌ ବ୍ୟବଧାନ ଯୋଗୁଁ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦା ହୋଇଥିଲା। ତଥାପି କାତାର ପାଇଁ ଏହି ଗ୍ରୁପ୍‌ କଷ୍ଟସାଧ୍ୟ ସାବ୍ୟସ୍ତ ହୋଇପାରେ। କାତାର ଗ୍ରୁପ୍‌ ଏ’ରେ ଇକ୍ବେଡ଼ର ପରେ ଆଫ୍ରିକା ବିଜେତା ସେନେଗଲ୍‌ ଓ ୨୦୧୦ ବିଶ୍ବକପ୍‌ ଫାଇନାଲିଷ୍ଟ ନେଦରଲାଣ୍ଡ୍ସ ମଧ୍ୟ ଘରୋଇ ଦଳକୁ ହରାଇବାକୁ ଉଦ୍ୟମ କରିବେ।

ଅନ୍ୟପକ୍ଷରେ ଇକ୍ବେଡ଼ର ଏକାଧିକ ବିବାଦ ମଧ୍ୟ ଦେଇ ବିଶ୍ବକପ୍‌ ଯୋଗ୍ୟତା ହାତେଇଛି। ଜଣେ ଅଯୋଗ୍ୟ ଖେଳାଳିଙ୍କୁ ନେଇ ଇକ୍ବେଡ଼ର ଖେଳିଥିବା ବାବଦରେ ଚିଲି ଓ ପେରୁ ଫିଫା ନିକଟରେ ଅଭିଯୋଗ କରିବା ସହିତ ମାମଲା ଆନ୍ତର୍ଜାତିକ କୋର୍ଟକୁ ଯାଇଥିଲା। ତେବେ କୋର୍ଟଙ୍କ ନି‌ଷ୍ପତ୍ତି ପରେ ଇକ୍ବେଡ଼ରକୁ ଚଳିତ ବିଶ୍ବକପ୍‌ରେ ଖେଳିବାକୁ ଅନୁମତି ମିଳିଛି। ହେଲେ ବିବାଦୀୟ ଖେଳାଳି ବାଏରନ୍‌ କାଷ୍ଟିଲୋଙ୍କୁ ଶେଷ ସମୟରେ ଇକ୍ବେଡ଼ର ତାହାର ଦଳରୁ ବାହାର କରିଦେଇଛି। ଇକ୍ବେଡ଼ର ତାହାର ଚତୁର୍ଥ ବିଶ୍ବକପ୍‌ ଖେଳିବାକୁ ଯାଉଥିବା ବେଳେ ମାତ୍ର ଥରେ ଗ୍ରୁପ୍‌ ପର୍ଯ୍ୟାୟ ପାର୍‌ କରିଥିଲା। ୨୦୦୬ରେ ପ୍ରିକ୍ବାର୍ଟରଫାଇନାଲ୍‌ରୁ ଏହି ଦଳ ହାରିଯାଇଥିଲା।

ସମ୍ବନ୍ଧିତ ଖବର