ଭୁବନେଶ୍ବର: ଖେଳାଳି ଓ ବିଶ୍ବସ୍ତରୀୟ କ୍ରୀଡ଼ା ବିଜ୍ଞାନ ପେସାଦାରଙ୍କ ମଧ୍ୟରେ ଥିବା ବଡ଼ ବ୍ୟବଧାନକୁ ହ୍ରାସ କରିବା ଏବଂ ସମନ୍ବୟ ରଖି ବିଭିନ୍ନ ଶାରୀରିକ ସମସ୍ୟା ତଥା ଫିଟ୍‌ନେସ୍‌ ବଜାୟ ରଖିବା ଲକ୍ଷ୍ୟ ନେଇ ପ୍ରସ୍ତୁତ ମୋବାଇଲ୍ ଆପ୍‌ ‘ମିଟ୍‌ ଇୟୋର୍ ଏକ୍ସପର୍ଟ’ (Meeturexpert/ME) ରବିବାର ଉନ୍ମୋଚିତ ହୋଇଛି। ଭାରତୀୟ କ୍ରୀଡ଼ା ଦୁନିଆ ପାଇଁ ଏହି ଅଭିନବ ପ୍ରୟାସଟି ଆରମ୍ଭ ହୋଇଛି ଓଡ଼ିଶାରୁ। ଭାରତୀୟ ହକି ଦଳର ପୂର୍ବତନ ଅଫିସିଆଲ୍ ତଥା ଖ୍ୟାତନାମା ଫିଜିଓ ମୁକ୍ତି ପ୍ରସାଦ ଦାଶଙ୍କ ମାନସପୁତ୍ର ଏହି ଆପ୍‌ ସବୁସ୍ତରର ଖେଳାଳିଙ୍କ ମଧ୍ୟରେ ଉପ‌ଯୋଗୀ ସାବ୍ୟସ୍ତ ହେବ ଏବଂ ନୂଆ ଜୀବନରେଖା ଭଳି କାମ କରିବ ବୋଲି ରବିବାରର ଉନ୍ମୋଚନ ଉତ୍ସବରେ ବକ୍ତାମାନେ ଆଶା ପ୍ରକଟ କରିଛନ୍ତି। 

Advertisment

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାକୁ ଉନ୍ମୋଚନ କରିବା ସହ ଶୁଭକାମନା ଜଣାଇଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍ ସେଣ୍ଟର୍ ଅଡିଟୋରିୟମ୍‌ରେ ଅନୁଷ୍ଠିତ ଏକ ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଶିଷ୍ଟ କ୍ରୀଡ଼ା ଅସ୍ଥିଶଲ୍ୟ ବିଶେଷଜ୍ଞ ରଂଜିତ ପାଣିଗ୍ରାହୀ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ହକି ପ୍ରଶିକ୍ଷକ ଅଜୟ କୁମାର ବଂଶଲ, ଓଡ଼ିଶା ହକି ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଇଏଏସ୍‌ ଦୀପଙ୍କର ମହାପାତ୍ର, ପ୍ରଥମ ଓଡ଼ିଆ ଅର୍ଜୁନ ପୁରସ୍କାର ବିଜୟିନୀ ସାଇକ୍ଲିଷ୍ଟ୍‌ ମିନତି ମହାପାତ୍ର, ଅଲିମ୍ପିଆନ୍ ଧାବିକା ଶ୍ରାବଣୀ ନନ୍ଦ ପ୍ରମୁଖ ଏହି ଆପ୍‌ର ଆବଶ୍ୟକତା ଅପରିହାର୍ଯ୍ୟ ଥିଲା ବୋଲି ମତ ବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି  ପରିଚୟ ପ୍ରଦାନ କରିଥିଲେ। ଆଥ୍‌ଲାଇନ୍‌ ଏଜୁଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡକ୍ଟର ମୁକ୍ତି ପ୍ରସାଦ ଦାଶ ଆପ୍‌ରେ ଉପଲବ୍‌ଧ ୧୬ଟି ବିଭାଗ ଜଣେ‌ ଖେଳାଳି ପାଇଁ ଅତ୍ୟନ୍ତ ଉପକାରିତା ଆଣିଦେବ ବୋଲି ମତ ରଖିଥିଲେ। ଦ୍ବିତୀୟ ଅଧିବେଶନରେ ଅନୁଷ୍ଠିତ ଆଲୋଚନାଚକ୍ରରେ କ୍ରୀଡ଼ା ମନସ୍ତତ୍ତ୍ବବିତ୍‌ ଯୋଗମାୟା ପଣ୍ଡା, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ସମ୍ପାଦକ ସୁରେଶ ସ୍ବାଇଁ ଅନ୍ୟମାନଙ୍କ ସହ ସାମିଲ ହୋଇ ତୃଣମୂଳସ୍ତରରେ ଏହି ଆପ୍‌ର ଚାହିଦା ରହିବ ବୋଲି ମତ ରଖିଥିଲେ। ଏହି ଅବସରରେ କ୍ରୀଡ଼ାକ୍ଷେତ୍ରରେ ଅବଦାନ ରଖିଥିବା ନବକୁମାର ମିଶ୍ର, ଆର୍‌ଏନ୍ ରାଉତରାୟ, ରଶ୍ମିରଂଜନ ପରିଡ଼ା, ନିପେନ ଦାସ, ଦିଲୀପ ମୋଟୱାନୀ, ଯୋଗମାୟା ପଣ୍ଡା ଓ ସୁରେଶ ସ୍ବାଇଁ ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା।

ଏହି ଆପ୍‌ରେ କ୍ରୀଡ଼‌ା ବିଜ୍ଞାନୀଙ୍କ ସହ କ୍ରୀଡ଼ା ଚିକିତ୍ସକ, ଡାଏଟିସିଆନ୍‌, ଫିଜିଓଥେରାପିଷ୍ଟ୍‌, ସ୍ପୋର୍ଟସ ସାଇନ୍ସ ଏକ୍ସପର୍ଟ, ଫିଟନେସ୍‌ ଟ୍ରେନର ଓ ଷ୍ଟ୍ରେଙ୍ଗ୍‌ଥ ଆଣ୍ଡ୍‌ କଣ୍ଡିସନିଂ କୋଚ୍‌, ଭିଡିଓ ଆନାଲିଷ୍ଟ୍‌, ସ୍ପୋର୍ଟସ ମେଜେଜ୍‌ ଏକ୍ସପର୍ଟ, ସାଇକୋଲୋଜିଷ୍ଟ୍, ବାୟୋମେକାନିକ୍‌ ସ୍ପେଶାଲିଷ୍ଟ୍‌, ସ୍ପୋର୍ଟସ ଯୋଗା ପ୍ରଫେସ୍‌ନାଲ୍ସ, ଏକ୍ସର୍‌ସାଇଜ୍ ଫିଜିଓଲଜିଷ୍ଟ୍‌, ସ୍ପୋର୍ଟସ ଡାଏଗ୍ନୋଷ୍ଟିକ୍ସ ଏକ୍ସପର୍ଟ ଆଦି ୧୬ଟି ବର୍ଗର ଉପକାରିତା ମିଳିବ।