ଦୁବାଇ: ସୁପର ସଣ୍ଡେରେ ହେବ ସୁପର ମୁକାବିଲା। ଫଟାଫଟ୍ କ୍ରିକେଟ୍କୁ ମିଳିବ ନୂଆ ବିଶ୍ବବିଜେତା। ଆଉ ମାତ୍ର କିଛି ଘଣ୍ଟା ପରେ ହିଁ ଆରମ୍ଭ ହୋଇଯିବ ଏହି ମହା ଟ୍ରଫି ଟକ୍କର। ମେଗା ଫାଇନାଲ୍ରେ ମୁହାଁମୁହିଁ ହେବେ ଦୁଇ ପଡ଼ୋଶୀ ତଥା ଟ୍ରାନ୍ସ-ତାସମାନ୍ ରାଷ୍ଟ୍ର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଅଧିକାଂଶ କ୍ରିକେଟ୍ ପଣ୍ଡିତଙ୍କ ଆକଳନକୁ ଭୁଲ ପ୍ରମାଣିତ କରି ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏଣୁ ଦୁଇଟି ଯାକ ଦଳ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ତୋଳି ଧରିବାକୁ ଆପ୍ରାଣ ଉଦ୍ୟମ କରିବେ। ଯିଏ ଜିତୁ ନା କାହିଁକି ଟ୍ବେଣ୍ଟି-୨୦ କ୍ରିକେଟ୍କୁ କିନ୍ତୁ ମିଳିଯିବ ନୂଆ ବିଶ୍ବବିଜେତା। ମାତ୍ର କିଛି ବର୍ଷ ଭିତରେ ଲୋକପ୍ରିୟତାର ଶିଖର ଛୁଇଁଥିବା କ୍ରିକେଟ୍ର ଏହି ଛୋଟିଆ ଫର୍ମାଟ୍ର ଜାଜ୍ଜ୍ବଲ୍ୟମାନ ଇତିହାସରେ ଯୋଡ଼ି ହୋଇଯିବ ନୂଆ ଅଧ୍ୟାୟ।
ପ୍ରତୀକ୍ଷିତ ଲଢ଼େଇ
ସୁପର-୧୨ ପର୍ଯ୍ୟୟରେ ଉଭୟ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ୮ ପଏଣ୍ଟ୍ ଲେଖାଏଁ ପାଇ ସେମିଫାଇନାଲ୍କୁ ଯାଇଥିଲେ। ଅଷ୍ଟ୍ରେଲିଆ କେବଳ ଇଂଲଣ୍ଡଠାରୁ ହାରିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଉତ୍ସାହୀ ପାକିସ୍ତାନଠାରୁ ପରାଜିତ ହୋଇଥିଲା। ଗ୍ରୁପ୍-୧ରେ ଦକ୍ଷିଣ ଆଫ୍ରିକା ସହ ସମାନ ୮ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ନେଟ୍ ରନ୍ ରେଟ୍ ବଳରେ ଅଷ୍ଟ୍ରେଲିଆ ସେମିଫାଇନାଲ୍ ଟିକେଟ ପାଇଯାଇଥିଲା। ପ୍ରଥମ ଥର ଫାଇନାଲ୍ ଖେଳିବାକୁ ଯାଉଥିବା ନ୍ୟୁଜିଲାଣ୍ଡ ଫେବରିଟ୍ ଭାରତକୁ ହରାଇବା ପରେ ଗ୍ରୁପ୍-୨ରେ ପାକିସ୍ତାନ ପଛକୁ ଦ୍ବିତୀୟ ସ୍ଥାନରେ ରହି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ସେମିଫାଇନାଲ୍ରେ କିନ୍ତୁ ଉଭୟ ଦଳ ଚମତ୍କାର ପ୍ରଦର୍ଶନ କରିବା ସହ ସମସ୍ତଙ୍କ ପସନ୍ଦର ଦଳ ଇଂଲଣ୍ଡ ଓ ପାକିସ୍ତାନକୁ ହରାଇ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିନେଇଥିଲେ। ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲ୍କୁ ଯିବାରେ ପ୍ରଥମ ଦଳ ହୋଇଥିଲା। ସେପଟେ ସୁପର-୧୨ରେ ଅପରାଜେୟ ଥିବା ପାକିସ୍ତାନକୁ ମାଥ୍ୟୁ ୱେଦ୍ଙ୍କ ହ୍ୟାଟ୍ରିକ୍ ଛକା ବଳରେ ବିଦାୟର ରାସ୍ତା ଦେଖାଇ ଅଷ୍ଟ୍ରେଲିଆ ଦ୍ବିତୀୟ ଥର ଫାଇନାଲ୍କୁ ଯାଇଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ନ୍ୟୁଜିଲାଣ୍ଡ ଅପରାଜେୟ ରହିଛି। ଉଭୟ ଦଳ ମାତ୍ର ଥରେ ଭେଟଭେଟି ହୋଇଛନ୍ତି। ଆଉ ଏଥିରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ୨୦୧୬ରେ ଭାରତରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଉଭୟ ଦଳ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍କୁ ନ୍ୟୁଜିଲାଣ୍ଡ ୮ ରନ୍ରେ ଜିତି ନେଇଥିଲା। ଏଣୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ୫ ବର୍ଷ ପରେ ପୁଣି ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ସାମ୍ନାସାମ୍ନି ହେବେ। ଟ୍ବେଣ୍ଟି-୨୦ କ୍ରିକେଟ୍ର ଫଳାଫଳ କଥା ପଡ଼ିଲେ କିନ୍ତୁ ଅଷ୍ଟ୍ରେଲିଆ ଆଗରେ ରହିବ। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଆଜି ପର୍ଯ୍ୟନ୍ତ ୧୪ ଟ୍ବେଣ୍ଟି-୨୦ ଖେଳିଛନ୍ତି। ସେଥିମଧ୍ୟରୁ ଅଷ୍ଟ୍ରେଲିଆ ୯ଟି ଏବଂ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ର ଫଳାଫଳ ମିଳିନି। ଚଳିତ ବିଶ୍ବକପ୍ର ପ୍ରଦର୍ଶନକୁ ଦେଖିଲେ ରବିବାର ଫାଇନାଲ୍ ଅଷ୍ଟ୍ରେଲିଆ ବ୍ୟାଟିଂ ବନାମ ନ୍ୟୁଜିଲାଣ୍ଡ ବୋଲିଂ ହେବ। ଅଷ୍ଟ୍ରେଲିଆ ପ୍ରଶଂସକଙ୍କ ନଜରରେ ଓପନର ଡେଭିଡ୍ ୱାର୍ଣ୍ଣର ଏବଂ ନ୍ୟୁଜିଲାଣ୍ଡ ପ୍ରଶଂସକଙ୍କ ଆଖି ଅଭିଜ୍ଞ ଦ୍ରୁତ ବୋଲର ଟିମ୍ ସାଉଦିଙ୍କ ଉପରେ ରହିବ।
ନ୍ୟୁଜିଲାଣ୍ଡକୁ କନ୍ୱେ ଝଟ୍କା
ରବିବାରର ପ୍ରତୀକ୍ଷିତ ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବହୁତ ବଡ଼ ଝଟ୍କା ଲାଗିଛି। ଚମତ୍କାର ଫର୍ମରେ ଥିବା ଯୁବ ତାରକା ଡେଭନ୍ କନ୍ୱେଙ୍କ ହାତ ଭାଙ୍ଗି ଯାଇଥିବାରୁ ଆସନ୍ତାକାଲିର ନିର୍ଣ୍ଣାୟକ ଲଢ଼େଇରେ ସେ ସାମିଲ ରହିବେ ନାହିଁ। ତାଙ୍କ ସ୍ଥାନ ଟିମ୍ ସେଫର୍ଟ ନେବେ। ଅନ୍ୟପକ୍ଷରେ ମିଚେଲ ମାର୍ସ ଓ ମାର୍କସ ଷ୍ଟୋଇନିସ୍ ଷଷ୍ଠ ବୋଲରର ବିକଳ୍ପ ପ୍ରଦାନ କରୁଥିବାରୁ ଅଷ୍ଟ୍ରେଲିଆ ତା’ର ଚୂଡ଼ାନ୍ତ ଏକାଦଶରେ ଅଦଳ ବଦଳ କରିବା ସମ୍ଭାବନା ପ୍ରାୟ ନାହିଁ। ରବିବାରର ଫାଇନାଲ୍ ଏକ ନୂଆ ପିଚ୍ରେ ଖେଳାଯିବାର ସମ୍ଭାବନା ଅଧିକ। ଯାହା ଉଭୟ ଦଳର ଖେଳାଳିଙ୍କୁ ଦ୍ବନ୍ଦ୍ବରେ ପକାଇଛି।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, କେନ୍ ୱିଲିୟମସନ୍ (ଅଧିନାୟକ), ଟିମ୍ ସେଫର୍ଟ, ଗ୍ଲେନ୍ ଫିଲିପ୍ସ, ଜେମ୍ସ ନୀସାମ, ମିଚେଲ ସାଣ୍ଟନର, ଟିମ୍ ସାଉଦି, ଆଦାମ ମିଲନେ, ଟ୍ରେଣ୍ଟ ବୋଲ୍ଟ, ଈଶ୍ ସୋଢ଼ି।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଡେଭିଡ୍ ୱାର୍ଣ୍ଣର, ଆରୋନ ଫିଞ୍ଚ୍ (ଅଧିନାୟକ), ମିଚେଲ ମାର୍ସ, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ଷ୍ଟୋଇନିସ୍, ମାଥ୍ୟୁ ୱେଦ୍, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍।