କେନ୍ଦୁଝର: ଆସନ୍ତା ଦଶକ ହେବ ଓଡ଼ିଶାର। କେବଳ କ୍ରୀଡ଼ା ନୁହେଁ, ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଶିଖର ଛୁଇଁବ ଓଡ଼ିଶା। କ୍ରୀଡ଼ା ରାଜଧାନୀ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିବ ବୋଲି ବୁଧବାର କେନ୍ଦୁଝର ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆୟୋଜିତ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ଏହି ପ୍ରତିଯୋଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟ, ରେଭେନ୍ସା, ସମ୍ବଲପୁର, ମାଣିକେଶ୍ୱରୀ, ବ୍ରହ୍ମପୁର, ରମାଦେବୀ ସମେତ ସମସ୍ତ ବିଶ୍ବବିଦ୍ୟାଳୟରୁ ହଜାରରୁ ଅଧିକ ପୁରୁଷ ଓ ୭୦୦ରୁ ଅଧିକ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।
ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍ଘାଟିତ
କ୍ରୀଡ଼ା ଓ ଯୁବସେବା ପାଇଁ ୧୩୧୯ କୋଟି ବ୍ୟୟବରାଦ, ନିର୍ମାଣ ଚାଲିଛି ୧୩ଟି ଇନ୍ଡୋର୍ ସୁଇମିଂ ପୁଲ୍
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଓଡ଼ିଶା ଆଜି କ୍ରୀଡ଼ାକ୍ଷେତ୍ରରେ ଆଗଧାଡ଼ିର ରାଜ୍ୟ। ଏଠାରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଅଛି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରଶିକ୍ଷକ ଅଛନ୍ତି। ରାଜ୍ୟର କ୍ରୀଡ଼ାବିତ୍ମାନେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଗୌରବ ଆଣୁଛନ୍ତି। ପ୍ରତ୍ୟେକ ବ୍ଲକ୍ରେ ଭଲିବଲ୍, କ୍ରିକେଟ୍, ଫୁଟ୍ବଲ୍ ଓ ଆଥଲେଟିକ୍ସ ସମେତ ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା କରାଯାଉଛି। ଏଥିପାଇଁ ୫ ବର୍ଷରେ ୪୧୨୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ର ବିକାଶ ପାଇଁ ୮୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପୋର୍ଟ୍ସ ହବ୍ ରୂପେ ବିକାଶ କରାଯିବା। ସନ୍ତରଣ ପାଇଁ ୧୩ଟି ଇନ୍ଡୋର ସୁଇମିଂ ପୁଲ୍ ନିର୍ମାଣ କରାଯାଉଛି। କ୍ରୀଡ଼ା ଓ ଯୁବଶକ୍ତିର ବିକାଶ ପାଇଁ ଅର୍ଥ ପ୍ରତିବନ୍ଧକ ନୁହେଁ। ବଜେଟ୍ରେ ଏଥିପାଇଁ ୧୩୧୯ କୋଟି ୭୯ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଛି। ନିକଟରେ ବିଶ୍ୱବିଦ୍ୟାଳୟ ବିଲ୍ ପାରିତ ହୋଇଛି। ବିଶ୍ୱବିଦ୍ୟାଳୟ ଏଣିକି ନିଜେ ତା’ର ଅଧ୍ୟାପକ, କର୍ମଚାରୀ ନିଯୁକ୍ତି ଦେଇପାରିବ। ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଏକ ପ୍ରଥାରେ ପରିଣତ ହୋଇଥିଲା। ବର୍ତ୍ତମାନର ସରକାର ଏହାର ଅନ୍ତ ଘଟାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଗୋଷ୍ଠୀସ୍ତରୀୟ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଓ ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଚିହ୍ନଟ ପାଇଁ ସିଏମ୍ ଟ୍ରଫିର ଶୁଭାରମ୍ଭ କରାଯାଇଛି। ଫୁଟ୍ବଲ୍, ଆଥ୍ଲେଟିକ୍, ହକି ଓ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଏହି ଟ୍ରଫି ଜରିଆରେ ଲକ୍ଷାଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। କେବଳ କ୍ରିକେଟ୍ ନୁହେଁ; ହକି, ଫୁଟ୍ବଲ୍, କବାଡ଼ି, ଖୋଖୋ ପରି ଖେଳରୁ ଖେଳାଳିମାନେ ଭଲ ଉପାର୍ଜନ କରୁଛନ୍ତି। ସମୃଦ୍ଧ ଓଡ଼ିଶା ଗଠନ ତଥା ରାଜ୍ୟର ୧୩ ଲକ୍ଷ ଯୁବକଙ୍କୁ ରୋଜଗାର ଦେବା ପାଇଁ ଅନେକ କମ୍ପାନି ରାଜ୍ୟ ସରକାରଙ୍କ ସହିତ ୧୭ ଲକ୍ଷ କୋଟି ନିବେଶ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ବିଶାଲ ସିଂହ ଓ ଧରଣୀଧର ବିଶ୍ୱବିଦ୍ୟାଳୟର ଓଏସ୍ଡି ପ୍ରଫେସର ପ୍ରତାପ କୁମାର ମହାନ୍ତି, କୁଳସଚିବ ଡ.ଶଶିକାନ୍ତ ଜେନା ଉପସ୍ଥିତ ଥିଲେ।