ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ରଙ୍କ ନାମ ସୁପାରିସ କରିଛନ୍ତି ଓଡ଼ିଶା ସରକାର

ଭୁବନେଶ୍ବର: ହକି ଖେଳାଳିଙ୍କୁ ଉପେକ୍ଷା ହୋଇନି। ରାଜନୀତି ବି କରାଯାଇନି। କାରଣ କେବଳ ଦୌଡ଼ରାଣୀ ଦୂତି ଚାନ୍ଦ ନୁହନ୍ତି, ରାଜ୍ୟ ସରକାର ଓଡ଼ିଶାର ଅଭିଜ୍ଞ ଅନ୍ତର୍ଜାତୀୟ ରକ୍ଷଣଭାଗ ‌ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ନାଁ ମଧ୍ୟ ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୁପାରିସ ପତ୍ର ପଠାଇବାର ଶେଷ ତାରିଖ ଜୁନ୍ ୩ ଥିଲା ବେଳେ ଏହାର ବହୁ ପୂର୍ବରୁ ଅର୍ଥାତ୍ ମେ’ ୨୧ ତାରିଖରେ କ୍ରୀଡ଼ା ବିଭାଗ ଉପସଚିବ ରଞ୍ଜିତ ପରିଡ଼ା କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟର ଅନୁସଚିବ ବରିନ୍ଦର ସିଂହଙ୍କ ନିକଟକୁ ଏହି ସୁପାରିସ ପତ୍ର ପଠାଇଛନ୍ତି। ଯାହାର ନକଲ ‘ସମ୍ବାଦ’ର ହସ୍ତଗତ ହୋଇଛି। ଏଥିରେ ୨୦୨୦ କ୍ୟାଲେଣ୍ଡର ବର୍ଷ ଲାଗି ଦୂତିଙ୍କ ସହ ବୀରେନ୍ଦ୍ରଙ୍କ ନାଁ ମଧ୍ୟ ସୁପାରିସ କରାଯାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ମେ’ ୪ ତାରିଖରେ ପଠାଇଥିବା ପତ୍ରର ଉତ୍ତର ରଖି କ୍ରୀଡ଼ା ସଚିବ ତଥା କମିସନରଙ୍କ ସୁପାରିସ ଥାଇ ସଂପୃକ୍ତ ଇ-ମେଲ୍ ଅବେଦନ ପତ୍ର ପଠାଯାଉଥିବା ଏଥିରେ ଉଲ୍ଲେଖ ରହିଛି। ଦୂତି ଓ ବୀରେନ୍ଦ୍ର ନିଜ ନିଜ ଖେଳରେ ଅନ୍ତର୍ଜାତୀୟ ସ୍ତରୀୟ ଉତ୍କର୍ଷ ଲାଭ କରିଥିବାରୁ ସେମାନଙ୍କୁ ଅର୍ଜୁନ ପୁରସ୍କାର-୨୦୨୦ ଚୟନ ଲାଗି ବିଚାରକୁ ନେବାକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ ଯେ ଓଡ଼ିଶା ସରକାର କେବଳ ଦୂତିଙ୍କ ନାଁ ସୁପାରିସ କରିଥିବା ଖବର କେତେକ ଗଣମାଧ୍ୟମ ପ୍ରକାଶ କରିବା ପରେ ହକି ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ଏବେ କିନ୍ତୁ ସଂଶୟ ଦୂର ହୋଇଛି। ସେପଟେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ମଧ୍ୟ ବିଭିନ୍ନ ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ଆବେଦନର ଶେଷ ତାରିଖ ଚଳିତ ମାସ ୨୨ ତାରିଖକୁ ବଢ଼ାଇ ଦେଇଛି। ସେହିଭଳି ନିଜ ଆବଦେନ ନିଜେ ପଠାଇବା ଲାଗି ମଧ୍ୟ କ୍ରୀଡ଼ାବିତଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଫଳରେ ଚଳିତବର୍ଷ ଖେଳାଳିମାନେ ନିଜ ପ୍ରଦର୍ଶନ ଓ ସଫଳତର ପ୍ରମାଣ ଦେଖାଇ, ନିଜେ ହିଁ ନିଜ ଆବେଦନ ପତ୍ର ପଠାଇବାର ପଥ ପରିଷ୍କାର ହୋଇଛି। ଦୌଡ଼କୁଦର ଜାତୀୟ ସଂଘ ଏଏଫ୍‌ଆଇ ଦୂତି ଚାନ୍ଦଙ୍କ ନାମ ଅର୍ଜୁନ ପୁରସ୍କାର ଲାଗି ପଠାଇଛି। କିନ୍ତୁ ହକି ଇଣ୍ଡିଆ କୌଣସି ଓଡ଼ିଆ ଖେଳାଳିଙ୍କ ନାଁ ଏଥିଲାଗି ବିଚାରକୁ ନେଇନି। ଓଡ଼ିଶା, ଭାରତୀୟ ହକିର ମୁଖ୍ୟ ପ୍ରାୟୋଜକ ଥିଲା ବେଳେ ୨୦୦ରୁ ଅଧିକ ଅନ୍ତର୍ଜାତୟ ମ୍ୟାଚ୍ ଖେଳିଥିବା ଦୀପଗ୍ରେସ୍ ଏକ୍କା କିମ୍ବା‌ ଭାରତର ଏକାଧିକ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ବୀରେନ୍ଦ୍ରଙ୍କ ନାଁ ହକି ଇଣ୍ଡିଆ କାହିଁକି ସୁପା‌ରିସ କଲାନି ବୋଲି ଓଡ଼ିଶା ହକି ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ତେବେ ତାଙ୍କ ନାମକୁ ସୁପାରିସ କରିଥିବାରୁ ବୀରେନ୍ଦ୍ର ଗୁରୁବାର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର