ଓଡ଼ିଶା-କର୍ଣ୍ଣାଟକ ଦ୍ବିପାକ୍ଷିକ ମହିଳା ଦୃଷ୍ଟିହୀନ କ୍ରିକେଟ୍ ପାଇଁ ୧୬ ଜଣିଆ ଓଡ଼ିଶା ଦଳ

ଭୁବନେଶ୍ବର: ବେଙ୍ଗାଲୁରୁଠାରେ ଚଳିତ ମାସ ୧୩ ଓ ୧୪ ତାରିଖ ଦୁଇଦିନ ଧରି କର୍ଣ୍ଣାଟକ ବିପକ୍ଷରେ ଖେଳାଯିବାକୁ ଥିବା ତିନି ଟିକିଆ ଟ୍ବେଣ୍ଟି-୨୦ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଶୃଙ୍ଖଳା ଲାଗି କ୍ୟାଭି (କ୍ରିକେଟ୍ ଆସୋସିଏସନ୍ ଫର୍ ଦ ଭିଜୁଆଲି ଏମ୍ପାୟାର୍ଡ) ରବିବାର ୧୬ ଜଣିଆ ଓଡ଼ିଶା ଦଳ ଘୋଷଣା କରିଛି। ହାଇଟେକ୍ ମେଡିକାଲ କଲେଜ ପଡ଼ିଆରେ ଗତ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା‌ ପ୍ରଶିକ୍ଷଣ ଶିବିରରୁ ଏହି ଖେଳାଳିମାନେ ମନୋନୀତ ହୋଇଛନ୍ତି। ପ୍ରଶିକ୍ଷଣ ଶିବିର ସହ ଏହି ଦ୍ବିପାକ୍ଷିକ ଶୃଙ୍ଖଳାର ସମସ୍ତ ଖର୍ଚ୍ଚ ହାଇଟେକ୍ ମେଡିକାଲ କଲେଜ୍ ଓ ହସ୍ପିଟାଲ ବହନ କରିଛି। ସେହିଭଳି ଭିୟୁ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏସ୍ ଭୀମରାଓ ଓଡ଼ିଶା ଦଳକୁ ଜୋତା ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରିଛନ୍ତି। ଏଥିଲାଗି ଶ୍ରୀ ରାଓଙ୍କ ସହ ଦୃଷ୍ଟିହୀନ କ୍ରିକେଟ୍‌କୁ ନିୟମିତ ସମର୍ଥନ ଓ ସହଯୋଗ ଦେଇ ଆସୁଥିବା ହାଇଟେକ୍‌ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କୁ କ୍ୟାଭି ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି। ଓଡ଼ିଶା ଦଳ ଆସନ୍ତା ୧୧ ତାରିଖରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ ବୋଲି କ୍ୟାଭି ସଭାପତି ମହମ୍ମଦ ଜାଫର ଇକବାଲ ଜଣାଇଛନ୍ତି।

ଓଡ଼ିଶା ଦଳ: ଲିନା ସ୍ବାଇଁ (ଅଧିନାୟିକା), ବାସନ୍ତୀ ହାଂସଦା (ଉପଅଧିନାୟିକା), ମାମିନା ନାୟକ, ଜମୁନାରାଣୀ ଟୁଡୁ, ଚିତ୍ତ ମରାଣ୍ଡି, କୌଶଲ୍ୟା ପ୍ରଧାନ, ସୁଲୋଚନା ସିଂହ, ରଚନା ଜେନା, ପତନି ସିଂହ, ପାର୍ବତୀ ଟୁଡୁ, ଝିଲି ବିରୁଆ, ଫୁଲ ‌ସୋରେନ୍, ବିଣାପାଣୀ ସାହୁ। ଦେବାଶିଷ ଜେନା (ପ୍ରଶିକ୍ଷକ), ଗୀତା ପଣ୍ଡା (ପ୍ରବନ୍ଧକ), ମହମ୍ମଦ ଜାଫର ଇକବାଲ (ମାର୍ଗଦର୍ଶକ)।

ସମ୍ବନ୍ଧିତ ଖବର