ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଓଡ଼ିଶା ଦଳ: ଧୂପରଙ୍କୁ ନେତୃତ୍ବ, ୪ ନୂଆ ମୁହଁ

ଦଳକୁ ଫେରିଲେ ଜୟନ୍ତ, ଅଭିଷେକ, ପ୍ରୟାସ, ଅନୁରାଗ

କଟକ: ଆସନ୍ତା ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏଥର ରାଜେଶ ଧୂପରଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ଅଧିନରେ ମୋଟ ୨୧ ଜଣିଆ ଓଡ଼ିଶା ଦଳର ଘୋଷଣା ହୋଇଛି। ନିକଟରେ ଶେଷ ହୋଇଥିବା କଳାହାଣ୍ତି କପ୍‌ ଟ୍ବେଣ୍ଟି-୨୦ ପର୍ଯ୍ୟାୟ ଏବ˚ ଅଭ୍ୟାସ ଶିବିର ଟ୍ରାଏଲ୍ସର ପ୍ରଦର୍ଶନକୁ ଆଧାର କରି ଏହି ଦଳ ଚୟନ କରାଯାଇଥିବା ମୁଖ୍ୟ ବରିଷ୍ଠ ଚୟନକର୍ତ୍ତା ପ୍ରଭଞ୍ଜନ ମଲ୍ଲିକ ଓ ଓସିଏ ସିଇଓ ସୁବ୍ରତ ବେହେରା ସୂଚନା ଦେଇଛନ୍ତି।

ଦଳରେ ଏଥର ୪ ଜଣ ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି। ହ˚କ˚ ଜାତୀୟ ଦଳର ପୂର୍ବତନ ଅଧିନାୟକ ଅ˚ଶୁମାନ ରଥଙ୍କୁ ଦଳର ଦ୍ବିତୀୟ ଵିକେଟ୍‌ ରକ୍ଷକ ତଥା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ସ୍ଥାନ ଦିଆଯାଇଛି। ସେ ଭାରତରେ ତାଙ୍କର କ୍ରିକେଟ ଯାତ୍ରାକୁ ଓଡ଼ିଶା ପକ୍ଷରୁ ଖେଳି ଆରମ୍ଭ କରିବେ। ତାଙ୍କ ବ୍ୟତୀତ ଦ୍ରୁତ ବୋଲର ବି ଶିବ, ସ୍ପିନର ହର୍ଷିତ ରାଥୋଡ଼, ବିକାଶ ରାଉତ ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ଦଳରେ ସୁଯୋଗ ପାଇଛନ୍ତି। ବାମହାତୀ ସ୍ପିନର ଜୟନ୍ତ ବେହେରା ଦୀର୍ଘ ୩ ବର୍ଷ ପରେ ଦଳକୁ ଫେରିଛନ୍ତି। ଶେଷଥର ପାଇଁ ୨୦୧୮ ଜାନୁଆରିରେ ଝାଡ଼ଖଣ୍ତ ବିପକ୍ଷରେ ସେ ନିଜର ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଥିଲେ। ତାଙ୍କ ବ୍ୟତୀତ ଅଭିଷେକ ରାଉତ, ପ୍ରୟାସ ସି˚ହ ଠାକୁର ଓ ଅନୁରାଗ ଷଡ଼ଙ୍ଗୀ ମଧ୍ୟ ଏଥର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୧୭ରେ ଓଡ଼ିଶା ଛାଡ଼ି ରେଳବାଇ ପକ୍ଷରୁ ଖେଳିବାକୁ ଚାଲିଯାଇଥିବା ଅଭିଷେକ ଯାଦବ ଏଥର ପୁଣି ଥରେ ରାଜ୍ୟ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ଯଦିଓ ସେ ୨୦୧୯ରେ ଓଡ଼ିଶାକୁ ଫେରିଥିଲେ। ହେଲେ ସେବେଠୁ ସେ ବିଜୟ ହଜାରେ ଟ୍ରଫି ଦଳରେ ସ୍ଥାନ ପାଇଆସୁଥିଲେ। ଏବେ ୪ ବର୍ଷ ପରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଖେଳିବେ। ଓଡ଼ିଶା ଦଳ ଆସନ୍ତା ୧୯ ତାରିଖରେ ରାୟପୁର ଗସ୍ତ କରିବ। ସେଠାରେ ଛତିଶଗଡ଼ ବିପକ୍ଷରେ ଦଳ ୪ଟି ଅଭ୍ୟାସ ମ୍ୟାଚ୍‌ ଖେଳିବା ପରେ ୨୭ ତାରିଖରୁ ଲକ୍ଷ୍ନୌ ଯିବ। ଏଲିଟ୍‌ ଗ୍ରୁପ୍‌ ‘ଏ’ରେ ନଭେମ୍ବର ୪ ତାରିଖରେ ଗୋଆ, ୫ ତାରିଖରେ ତାମିଲନାଡ଼ୁ, ୬ ତାରିଖରେ ମହାରାଷ୍ଟ୍ର, ୮ ତାରିଖରେ ପଞ୍ଜାବ ଓ ୯ ତାରିଖରେ ପଣ୍ତିଚେରୀ ବିପକ୍ଷରେ ଓଡ଼ିଶା ମ୍ୟାଚ୍‌ ଖେଳିବ।

ଓଡ଼ିଶା ଦଳ: ରାଜେଶ ଧୂପର (ଅଧିନାୟକ), ଅ˚ଶୁମାନ ରଥ, ଗୌରବ ଚୌଧୁରୀ, ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ରାଜେଶ ମହାନ୍ତି, ତାରିଣୀ ସ’, ବି ଶିବ, ଆଶିଷ ରାଏ, ଦେବବ୍ରତ ପ୍ରଧାନ, ଶୁଭ୍ରା˚ଶୁ ସେନାପତି, ଅଭିଷେକ ଯାଦବ, ପ୍ରତୀକ ଦାସ, ଗୋବିନ୍ଦ ପୋଦ୍ଦାର, ସର୍ବେଶ୍ବର ମହାନ୍ତି, ପ୍ରୟାସ ସି˚ହ ଠାକୁର, ପପୁ ରାଏ, ହର୍ଷିତ ରାଥୋଡ଼, ବିକାଶ ରାଉତ, ଜୟନ୍ତ ବେହେରା, ଅଭିଷେକ ରାଉତ।

ସମ୍ବନ୍ଧିତ ଖବର