ବାରିପଦା: ରାଜ୍ୟରେ ଆରମ୍ଭ ହୋଇଛି ଫିଟ୍‌ ଇଣ୍ଡିଆ ଅଭିଯାନରେ ସାମିଲ ସମ୍ଭାବନାପୂର୍ଣ୍ଣ କ୍ରୀଡ଼ା ଟାର୍ଗେଟ୍‌ ବଲ୍‌। ଉତ୍ତରପ୍ରଦେଶର ସିକନ୍ଦରାବାଦ ବୁଲନ୍ଦସହର ବୈଦିକ ଇଣ୍ଟରନେସନାଲ ସ୍କୁଲ୍‌ରେ ଚଳିତ ମାସ ୨୦ରୁ ୨୩ ପର୍ଯ୍ୟନ୍ତ ‌ଅନୁଷ୍ଠିତ ହେଉଥିବା ଅଷ୍ଟମ ଜାତୀୟ ବରିଷ୍ଠ ଟାର୍ଗେଟ୍‌ ବଲ୍‌୍‌ ପ୍ରତିଯୋଗିତାରେ ପ୍ରଥମଥର ଅଂଶଗ୍ରହଣ କରିବ ଓଡ଼ିଶା ଦଳ। ମାତ୍ର ୧୫ ଦିନର ପ୍ରସ୍ତୁତିରେ ଗଠନ ହୋଇଛି ଏହି ଦଳ। ପ୍ରତିଯୋଗିତା ଲାଗି ଓଡ଼ିଶାରୁ ଏକ ୭ ଜଣିଆ ଦଳ ସୋମବାର ରାତିରେ ସିକନ୍ଦରାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଉଲ୍ଲେଖନୀୟ ବିଷୟ ଏହାଯେ ଏହି ଦଳରେ ସ୍ଥାନ ପାଇଥିବା ସମସ୍ତ ୭ ଜଣ ସଦସ୍ୟ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର। ଯାହାକି ଜାତୀୟ ସ୍ତରରେ ଓଡ଼ିଶା ପାଇଁ ମୟୂରଭଞ୍ଜ ଗୌରବ ଆଣିଥିବା କହିଲେ ଅତ୍ୟୁକ୍ତି ହେବ ନାହଁ। ଏହି କ୍ରୀଡ଼ା ନିମନ୍ତେ ରାଜ୍ୟରେ ବିଦ୍ଧିବଦ୍ଧ ଭାବେ କୌଣସି ଭିତ୍ତିଭୂମି ନାହିଁ। ତଥାପି ଭାରତୀୟ ଟାର୍ଗେଟ୍‌ ବଲ୍‌ ସଂଘ ଅନୁବନ୍ଧନରେ ପ୍ରାଥମିକ ଭାବେ ଟାର୍ଗେଟ୍‌ ବଲ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ଗଠନ ହୋଇଛି। ଆଉ ଏହି ସଂଘ ସହାୟତାରେ ଓଡ଼ିଶାର ପ୍ରଥମ ଦଳ ଭାବେ ଜାତୀୟସ୍ତରରେ ଖେଳିବାକୁ ଉତ୍ତରପ୍ରଦେଶ ଯାଇଛି। ଓଡ଼ିଶା ଦଳରେ ଥିବା ଖେଳାଳିମାନେ ହେଲେ ବିକାଶ ରଞ୍ଜନ ଦାସ, ସୌଭାଗ୍ୟ ରଞ୍ଜନ ସାହୁ, ଏମ. ବାଲକ୍ରିଷ୍ଣ, ମହେଶ ମହାନ୍ତ, ହରିଶ ଚନ୍ଦ୍ର ହାତୀ, ଦେବବ୍ରତ ସ ଏବଂ ପ୍ରତ୍ୟୁଷ କୁମାର ସିଂ। ଦୁର୍ଗାଚରଣ ମହାନ୍ତ ଦଳର ପ୍ରଶିକ୍ଷକ ଅଛନ୍ତି।

Advertisment

ଖେଳାଳିମାନେ ନିଜ ଖର୍ଚ୍ଚରେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଗତ ମାସ ଶେଷ ଭାଗରେ ଜଗବନ୍ଧୁ ସରକାରୀ ଉଚ୍ଚବିଦ୍ୟାଳୟ, ବାଲିଯୋଡ଼ା ମୟୂରଭଞ୍ଜର ଗଣିତ ଶିକ୍ଷକ ତଥା କ୍ରୀଡ଼ା ପ୍ରଶିକ୍ଷକ ଦୀପକ ରାମଙ୍କ ନିକଟକୁ ଭୁବନେଶ୍ବରରୁ ଜିଲ୍ଲାରେ ଏହି କ୍ରୀଡ଼ାକୁ ଆରମ୍ଭ କରିବାକୁ ସୂଚନା ଆସିଥିଲା। ଏପରିକି ଟାର୍ଗେଟ୍‌ ବଲ୍‌୍‌ କ୍ରୀଡ଼‌ାରେ ଆସନ୍ତା ମାସରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ନିମନ୍ତେ ମଧ୍ୟ ଖେଳାଳି ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ସେହି ଅନୁସାରେ ଦୀପକ ରାମ ଖେଳାଳି ଖୋଜି ସେମାନଙ୍କୁ ପ୍ରସ୍ତୁତ କରିବାକୁ ଲାଗିପଡ଼ିଥିଲେ। ନିଜର କିଛି ପୁରୁଣା ଛାତ୍ରଙ୍କ ସହିତ ବାରିପଦା ମଧୁବନସ୍ଥିତ ଚର୍ଚ୍ଚ ପଡ଼ିଆରେ ଆରମ୍ଭ ହୋଇଥିଲା ଟାର୍ଗେଟ୍‌ ବଲ୍‌୍‌ । ସେଠାରେ ଖେଳାଳିଙ୍କ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଶାରିରୀକ ଗଠନ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା। ତେବେ ଏହି ଖେଳର ଟେକ୍‌ନିକ ୟୁଟ୍ୟୁବ୍‌ରୁ ଦେଖି ଶିଖିଥିଲେ ଖେଳାଳି। ତେବେ ମାତ୍ର ୧୫ ଦିନ ମଧ୍ୟରେ ମୟୂରଭଞ୍ଜରୁ ପ୍ରସ୍ତୁତ ହୋଇଥିବା ଏହି ଦଳର ସମସ୍ତ ୭ ସଦସ୍ୟ ଯେ ଓଡ଼ିଶା ଦଳକୁ ଜାତୀୟସ୍ତରରେ ପ୍ରତିନିଧିତ୍ବ କରିବେ, ତାହା ଦେଖି ଖୁସି ଲାଗୁଥିବା ପ୍ରକାଶ କରିଛନ୍ତି ଶ୍ରୀ ରାମ।

ଚଳିତ ମାସ ୨୦ରୁ ହେବାକୁ ଥିବା ଜାତୀୟ ଚାମ୍ପିଅନ୍‌ସିପ୍‌ରେ ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜୁରାଟ, ଉତ୍ତରପ୍ରଦେଶ, ହରିୟାଣା, ଓଡ଼ିଶା ସମେତ ୧୭ଟି ରାଜ୍ୟ ଅଂଶଗ୍ରହଣ କରୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଇଣ୍ଡିଆ ଅଭିଯାନରେ ସାମିଲ ହେବା ପରେ ଏହି କ୍ରୀଡ଼ାର ବହୁଳ ପ୍ରସାର ଘଟୁଛି। ଖୁବ୍‌ କମ୍‌ ସମୟ‌ ମଧ୍ୟରେ ଏହି କ୍ରୀଡ଼ା ଅଲମ୍ପିକ୍‌ରେ ସାମିଲ ହେବାର ଆଶା ରହିଛି। ଜାତୀୟସ୍ତରରେ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ଅନ୍ୟ କ୍ରୀଡ଼ାବିତ୍‌ଙ୍କ ପରି ସରକାରୀ ନିଯୁକ୍ତି ଆଦି କ୍ଷେତ୍ରରେ ସମସ୍ତ ସୁଯୋଗ ମିଳିବ ବୋଲି ଜଣାପଡ଼ିଛି। ପ୍ରୋତ୍ସାହନ ପାଇଲେ ଏହି କ୍ରୀଡ଼ା ଯେ ରାଜ୍ୟରେ ନାମ କମାଇବ, ଏଥିରେ ସନ୍ଦେହ ନାହିଁ ବୋଲି ଖେଳାଳିମାନେ ପ୍ରକାଶ କରିଛନ୍ତି।

ଟା‌ର୍ଗେଟ୍ ବଲ୍ କଣ?
ଟାର୍ଗେଟ୍‌ ବଲ୍‌ ଖେଳରେ ପ୍ରତି ଟିମ୍‌ରେ ୬ ଜଣ ଖେଳାଳି ରହିଥା’ନ୍ତି। ବାସ୍କେଟ୍‌ବଲ୍‌ରେ ଗୋଟିଏ ଗୋଲ୍ ପୋଷ୍ଟ ଥିବା ବେଳେ ଟାର୍ଗେଟ୍‌ ବଲ୍‌ରେ ଦୁଇଟି ପୋଷ୍ଟ ଥାଏ। ଏହି ଖେଳର ଅବଧି ହେଉଛି ୪୦ ମିନିଟ୍‌। ୨୦ ମିନିଟ୍‌ରେ ଥରେ ବିରତି ହୋଇଥାଏ। ଖେଳରେ ଡ୍ରିବ୍‌ଲିଙ୍ଗ୍‌, କିପିଂ, ପାସିଙ୍ଗ୍‌, ନେଟ୍‌କୁ ଥ୍ରୋ ଆଦି ବୈଷୟିକ ଦକ୍ଷତାର ବେଶ୍ ଗୁରୁତ୍ବ ରହିଥାଏ। ଉଲ୍ଲେଖଯୋଗ୍ୟ, ୨୦୧୨ରେ ଉତ୍ତରପ୍ରଦେଶର ମଥୁରା ସହରରୁ ଜନ୍ମ ନେଇଥିଲା ଏହି‌ ଖେଳ। ଏହାକୁ ଆରମ୍ଭ କରିଥିବା ଡ. ସୋନୁ ଶର୍ମା ଅଧୁନା ଭାରତୀୟ ଟାର୍ଗେଟ୍‌ ବଲ୍‌ ଆସୋସିଏସନ୍‌ (ବିଟିଏ)ର ସେକ୍ରେଟାରୀ ଜେନେରାଲ୍‌ ସହ ସିଇଓ ଅଛନ୍ତି। ବିଟିଏ ସହିତ ଅନୁବନ୍ଧିତ ଟାର୍ଗେଟ୍‌ ବଲ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶାର ସାଧାରଣ ସମ୍ପାଦିକ ଭାବେ ରାଗିଣୀ ମିତ୍ର କାର୍ଯ୍ୟ କରୁଛନ୍ତି। ୨୦୧୪ରେ ଭୁଟାନ୍‌ରେ ଏହି ଖେଳର ଅନ୍ତର୍ଜାତୀୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା।