ମାଞ୍ଚେଷ୍ଟର୍: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୨-୧ରେ ଆଗୁଆ ହେବା ପରେ ବୁଧବାରଠାରୁ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍ର ଗୁରୁତ୍ବ ଭ୍ରମଣକାରୀ ଭାରତୀୟ କ୍ରିକେଟ୍ ଦଳ ପାଇଁ ପୂର୍ବାପେକ୍ଷା ଢେର ବଢ଼ିଛି। ଶୃଙ୍ଖଳା ବଞ୍ଚାଇବା ଲାଗି ଏହି ଟେଷ୍ଟ୍କୁ ଜିତିବା କିମ୍ବା ଅମୀମାଂସିତ ରଖିବା ଗିଲ୍ ବାହିନୀ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇଯାଇଛି। କର ବା ମର ସ୍ଥିତିରେ ଥିବା ଟିମ୍ ଇଣ୍ଡିଆ ପାଇଁ ନୀତୀଶ କୁମାର ରେଡ୍ଡୀ, ଆକାଶ ଦୀପ ଏବଂ ଅର୍ଶଦୀପ ସିଂହଙ୍କ ଭଳି ଖେଳାଳି ଆହତ ହେବା ମୁଣ୍ଡ ବ୍ୟଥାର କାରଣ ହୋଇଛି। ନୀତୀଶ ପୂରା ଶୃଙ୍ଖଳାରୁ ଏବଂ ଅର୍ଶଦୀପ ଚତୁର୍ଥ ଟେଷ୍ଟ୍ରୁ ବାଦ୍ ପଡ଼ିବା ଦଳ ପାଇଁ ଦୁଇଟି ବଡ଼ ଝଟ୍କା ହୋଇଛି। ପୁଣି ଆକାଶ ଦୀପଙ୍କୁ ନେଇ ସଂଶୟ ଜାରି ରହିଥିବାରୁ ଦଳର ବୋଲିଂ ବାହିନୀ ପୂର୍ବାପେକ୍ଷା ଦୁର୍ବଳ ହେବାର ଆଶଙ୍କା ଘନୀଭୂତ ହୋଇଛି। ଅର୍ଶଦୀପ ଗୋଟିଏ ହେଲେ ବି ମ୍ୟାଚ୍ ଖେଳି ନଥିଲେ ମଧ୍ୟ ଆକାଶ ଦୀପ ଫିଟ୍ ନଥିଲେ ସେ ହିଁ ତାଙ୍କ ସ୍ଥାନ ନେବା ଏକ ପ୍ରକାର ନିଶ୍ଚିତ ଥିଲା। ତେବେ ଏହି ବିକଳ୍ପ ଏବେ ଭାରତ ହାତରୁ ଖସି ଯାଇଛି।
ଲର୍ଡସ ଟେଷ୍ଟ୍ରେ ନୀତୀଶ ଲଢ଼ୁଆ ଖେଳ ଖେଳିଥିଲେ। ଏଣୁ ମାଞ୍ଚେଷ୍ଟର୍ରେ ତାଙ୍କ ସ୍ଥାନ କିଏ ନେବ? ସେ ଚିନ୍ତା ଦଳୀୟ ପରିଚାଳକଙ୍କୁ ଘାରିଛି। ତା’ ସହିତ ଉପଅଧିନାୟକ ଋଷଭ ପନ୍ତ ଏହି ମ୍ୟାଚ୍ରେ ୱିକେଟ୍ ରକ୍ଷଣ କରିବା ନେଇ ବି ଦ୍ବନ୍ଦ୍ବ ରହିଛି। ପନ୍ତ ଯଦି ୱିକେଟ୍ ରକ୍ଷଣ ନକରନ୍ତି, ତାହେଲେ ତାଙ୍କ ସହ ସଂରକ୍ଷିତ ୱିକେଟ୍ ରକ୍ଷକ ଧ୍ରୁବ ଜୁରେଲଙ୍କୁ ଖେଳାଇବାକୁ ଗିଲ୍ ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକପ୍ରକାର ବାଧ୍ୟ ହେବେ। ଭାରତୀୟ ଦଳ ଆଘାତ ଜନିତ ସମସ୍ୟାରେ ଜର୍ଜରିତ ଥିଲା ବେଳେ ମାଞ୍ଚେଷ୍ଟର୍ ପିଚ୍ ଆଉ ଏକ ବଡ଼ ଅଡ଼ୁଆ ଭାବେ ଉଭା ହୋଇଛି। ସୂଚନା ଅନୁସାରେ ଓଲ୍ଡ ଟ୍ରାଫୋର୍ଡରେ ଭାରତୀୟ କ୍ରିକେଟ୍ ଦଳକୁ ସବୁଜ ପିଚ୍ ଅପେକ୍ଷା କରି ରହିଛି। ଗତ କିଛି ଦିନ ଧରି ମାଞ୍ଚେଷ୍ଟର୍ରେ ବର୍ଷା ଲାଗି ରହିଥିବାରୁ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମ୍ର ଆଉଟ୍ ଫିଲ୍ଡ ମଧ୍ୟ ଓଦାଳିଆ ରହିଛି। ସୋମବାର ଠିକ୍ଠାକ୍ ଖରା ହେବା ଅବଶ୍ୟ ଏହି କ୍ଷେତ୍ରରେ ଏକ ଉତ୍ସାହଜନ ଖବର ହୋଇଛି। ମଙ୍ଗଳବାର ଯଦି ବର୍ଷା ଫେରେ ତାହେଲେ ସେଠାରେ ବ୍ୟାଟିଂ କରିବା ଅନଭିଜ୍ଞ ଭାରତୀୟ ଦଳ ପାଇଁ ନିଶ୍ଚିତ ଭାବେ କାଠିକର ପାଠ ହେବ। ଏହି ଷ୍ଟାଡିୟମ୍ର ପୂର୍ବ ରେକର୍ଡ ମଧ୍ୟ ଭାରତ ବିପକ୍ଷରେ ରହିଛି। ଭାରତ ଏଠାରେ ୯ ଟେଷ୍ଟ୍ ଖେଳି ୪ଟି ହାରିଥିଲା ବେଳେ ୫ଟିକୁ ଅମୀମାଂସିତ ରଖିଛି। ଗତ ସପ୍ତାହରେ ଲର୍ଡସ ଟେଷ୍ଟ୍କୁ ମାତ୍ର ୨୨ ରନ୍ରେ ହାରିଥିବା ଭାରତ ଅବଶ୍ୟ ଏହି ମ୍ୟାଚ୍ ପୂର୍ବରୁ ୮ ଦିନର ବିଶ୍ରାମ ପାଇଛି। ଏଣୁ ପାଗ, ପରିବେଶ ଅନୁସାରେ ଦଳ ପ୍ରସ୍ତୁତି କରିପାରିଥିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।
୪ ଦିନ ୫୦% ବର୍ଷା ଆଶଙ୍କା
ମାଞ୍ଚେଷ୍ଟରର ପାଣିପାଗ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁସାରେ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍ର ପାଞ୍ଚ ଦିନ ଭିତରୁ ଅନ୍ୟୂନ ୪ଦିନ ୫୦% ପ୍ରତିଶତରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି। ପୂର୍ବାନୁମାନ ଅନୁସାରେ ପ୍ରଥମ ଦିନ ଆକାଶ ସଂପୂର୍ଣ୍ଣ ମେଘାଚ୍ଛନ୍ନ ରହିବ। ଦ୍ବିତୀୟ ଅଧିବେଶନରେ ବର୍ଷା ଆଶଙ୍କା ଅଧିକ। ତାପମାତ୍ର ୧୪ରୁ ୧୯ ଡିଗ୍ରି ମଧ୍ୟରେ ଏବଂ ବର୍ଷା ହେବାର ସମ୍ଭାବନା ୫୯% ରହିବ। ଯାହା ଭାରତୀୟ ଖେଳାଳିଙ୍କ ପାଇଁ ଖେଳିବା କଷ୍ଟକର କରିଦେବ। ଦ୍ବିତୀୟ ଦିନ ମଧ୍ୟ ଅନୁରୂପ ଭାବେ ଆକାଶରେ କଳା ବାଦଲ ଦେଖିବାକୁ ମିଳିବ। ବିଶେଷ କରି ଖେଳ ଆରମ୍ଭର ପ୍ରଥମ ଘଣ୍ଟାକ ଭିତରେ ଝିପି ଝିପି ବର୍ଷା ହୋଇପାରେ। ତାପମାତ୍ର ୧୩ରୁ ୨୦ ଡିଗ୍ରି ଭିତରେ ରହିବ, ଦ୍ବିତୀୟ ଦିନରେ ବର୍ଷା ସମ୍ଭାବନା ହେଉଛି ୫୫%। ତୃତୀୟ ଦିନରେ କିନ୍ତୁ ପାଗ ତୁଳନାତ୍ମକ ଭାବେ ଭଲ ରହିବ। ତାପମାତ୍ରା ୧୩ ରୁ ୨୧ ଡିଗ୍ରି ଭିତରେ ରହିବ। ବର୍ଷା ହେବା ସମ୍ଭାବନା କେବଳ ୨୮%। ଚତୁର୍ଥ ଦିନରେ କିନ୍ତୁ ବର୍ଷା ଫେରିବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଦିନ ବର୍ଷା ସମ୍ଭାବନା ହେଉଛି ୫୮%। ସେହିଭଳି ପଞ୍ଚମ ତଥା ଶେଷ ଦିନରେ ଖରା-ଛାଇ ଲୁଚକାଳି ଖେଳିବେ। ବର୍ଷା ସମ୍ଭାବନା ହେଉଛି ୫୮%।
ଜାଡ଼େଜା କିମ୍ବା ୱାସିଂଟନଙ୍କ ବଦଳରେ କୁଲଦୀପ
ଓଲ୍ଡ ଟ୍ରାଫୋର୍ଡରେ ଜୀବନ୍ତ ପିଚ୍ ସହ ମାଞ୍ଚେଷ୍ଟର୍ ପାଗ ଭଲ ରହୁନଥିବାରୁ ଆଣ୍ଡରସନ୍-ତେନ୍ଦୁଲକର ଶୃଙ୍ଖଳାରେ ଭାରତ ପ୍ରଥମ ଥର ପାଇଁ ବାମହାତୀ କଚଟି ସ୍ପିନର କୁଲଦୀପ ଯାଦବଙ୍କୁ ଏଠାରେ ଖେଳାଇପାରେ। ଏହା ହେଲେ କୁଲଦୀପ ଦୁଇ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଓ ୱାସିଂଟନ୍ ସୁନ୍ଦରଙ୍କ ମଧ୍ୟରୁ ଜଣକ ସ୍ଥାନ ନେଇ ପାରନ୍ତି ବୋଲି ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଷ୍ଟିଭ୍ ହାର୍ମିସନ୍ ପୂର୍ବାନୁମାନ ଲଗାଇଛନ୍ତି। ସେ କହିଛନ୍ତି, ଓଲ୍ଡ ଟ୍ରାଫୋର୍ଡ ପିଚ୍ କୁଲଦୀପଙ୍କୁ ତାଙ୍କ ମନ ମୁତାବକ ବାଉନ୍ସ ପ୍ରଦାନ କରି ନପାରେ, ହେଲେ ତାଙ୍କୁ ସ୍ପିନ୍ ମିଳିବ। ଏଠାରେ ଖେଳାଯାଇଥିବା ଗତ ତିନିଟି ଟେଷ୍ଟ୍ ପଞ୍ଚମ ଦିନ ପର୍ଯ୍ୟନ୍ତ ଲମ୍ବିତ ହୋଇଥିବାରୁ, କୁଲଦୀପ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ପାରନ୍ତି। କୁଲଦୀପ ଏକ ଭଲ ବିକଳ୍ପ ହୋଇପାରିବେ। ତେବେ ଜାଡ଼େଜା କିମ୍ବା ୱାସିଂଟନଙ୍କୁ ବାଦ୍ ଦେବା ଭାରତ ପାଇଁ ସେତେଟା ସହଜ ହେବନି।
କମ୍ବୋଜ କରିପାରନ୍ତି ପଦାର୍ପଣ
ଅର୍ଶଦୀପ ସିଂହ ବାଦ୍ ପଡ଼ିବା ପରେ ହରିୟାଣା ଦ୍ରୁତ ବୋଲର ଅଂଶୁଲ କମ୍ବୋଜଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଭାବେ ଉଭା ହୋଇଛି। ମାଞ୍ଚେଷ୍ଟର୍ରେ ସେ ଟେଷ୍ଟ୍ ଜୀବନ ଆରମ୍ଭ କରିବାର ସମ୍ଭାବନା ବଢ଼ି ବଢ଼ି ଚାଲିଛି। ୨୪ବର୍ଷୀୟ କମ୍ବୋଜ ରବିବାର ମାଞ୍ଚେଷ୍ଟର୍ ୟୁନାଇଟେଡ୍ ଫୁଟବଲ୍ ଦଳର ଖେଳପଡ଼ିଆ ପରିଦର୍ଶନରେ ଯାଇଥିବା ଭାରତୀୟ ଦଳ ସହ ସାମିଲ ଥିଲେ। ସେ ମଧ୍ୟ ସୋମବାର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମର୍କେଲଙ୍କ ତତ୍ତ୍ବାବଧାନରେ ଢେର ସମୟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। କମ୍ବୋଜଙ୍କ ସହ ଅଭିଜ୍ଞ ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଅଭ୍ୟାସ କରିଥିଲେ। ଆକାଶ ଦୀପ ମଧ୍ୟ ଅଭ୍ୟାସ ଅଧିବେଶନରୁ ଦୂରେଇ ରହିଥିଲେ। ଅନ୍ୟପକ୍ଷରେ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିବା ଅଲରାଉଣ୍ଡର୍ ଖୁବ୍ଶୀଘ୍ର ସ୍ବଦେଶ ଫେରି ଆସିବେ ବୋଲି ବିସିସିଆଇ ସୂଚନା ଦେଇଛି।