ଅଲିମ୍ପିକ୍ସ ସର୍ବଦା ମୋ ମନରେ ଅଛି: ନୀରଜ

ନୂଆଦିଲ୍ଲୀ: ଭାରତର ୨୨ ବର୍ଷୀୟ ଜାଭ୍‌ଲିନ୍‌ ଫିଙ୍ଗ‌‌ାଳି ନୀରଜ ଚୋପ୍ରା ଯୁବ ବୟସରେ ବହୁ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ୨୦୧୬ରେ ୧୮ ବର୍ଷ ବୟସରେ ସେ ଦକ୍ଷିଣ ଏସୀୟ କ୍ରୀଡ଼‌ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାର ଗୋଟିଏ ମାସ ପରେ ଆଇଏଏଏଫ୍‌ ୨୦ ବର୍ଷରୁ କମ୍‌ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗରେ ସେ ପ୍ରଥମ ଖେଳାଳି ଭ‌ାବେ ୮୬.୪୮ ‌ମିଟର ଜାଭଲିନ୍‌ ଫିଙ୍ଗିବାର କୀର୍ତ୍ତିମାନ ରଚିଥିଲେ। ଏଥିସହ ସେ ପ୍ରଥମ ଭାରତୀୟ ଭାବେ ଟ୍ରାକ୍‌ ଓ ଫିଲ୍ଡ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକର ଅଧିକାରୀ ହୋଇଛନ୍ତି। ଏହା ସତ୍ତ୍ବେ ସେ ୨୦୧୬ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୨୦୧୮ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସ୍ବର୍ଣ୍ଣ ପଦକ ଜିତି ପୁଣି ଥରେ ପ୍ରଥମ ଭାରତୀୟ ହେବାର ସୁନାମ ଅର୍ଜନ କରିଥିଲେ। ସେହି ବର୍ଷ ଜାକର୍ତ୍ତାରେ ଆୟୋଜିତ ଏସୀୟ କ୍ରୀଡ଼ାରେ ୮୮.୦୬ ମିଟର ଜାଭଲିନ୍‌ ଫିଙ୍ଗି ନିଜ ନାମରେ ଥିବା ପୂର୍ବ ଜାତୀୟ କୀର୍ତ୍ତିମାନକୁ ଭାଙ୍ଗିଥିଲେ। ହେଲେ ୨୦୧୯ ତାଙ୍କ ପାଇଁ ଭଲ ନଥିଲା। କହୁଣୀ ଟାଣି ହେବା ଯୋଗୁଁ ସେ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା‌ରେ ଭାଗ ନେଇପାରିନଥିଲେ। ଅସ୍ତ୍ରୋପଚା‌ର ପରେ ‌ନିଜର ପ୍ରଥମ ପ୍ରତିଯୋଗିତାରେ ସେ ଟୋକିଓ ଅଲିମ୍ପିକ୍ସ ଟିକେଟ୍‌ କରାୟତ୍ତ କରି ନେଇଥିଲେ। ଏହାପରେ ସେ ତୁର୍କିରେ ରହି ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଥିଲେ। ଲକ୍‌ଡାଉନ୍‌ ଯୋଗୁଁ ସେଠାରୁ ସେ ସ୍ବଦେଶ ଫେରି ପାତିଆଲା ସ୍ଥିତ ଏନ୍‌ଏସ୍‌ଏରେ ଅଭ୍ୟାସ କରୁଛନ୍ତି। ତାଙ୍କ ନାମ ଚଳିତ ବର୍ଷ ସମ୍ମାନ ଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମହାସଂଘ ପକ୍ଷରୁ ସୁପାରିସ କରାଯାଇଛି। କରୋନା ଯୋଗୁଁ ଅଲିମ୍ପିକ୍ସ ଆସନ୍ତା ବର୍ଷକୁ ଘୁଞ୍ଚିଥିଲା ବେଳେ ଲକ୍‌ଡାଉନ୍‌ରେ ସେ କିଭଳି ପ୍ରସ୍ତୁତ ହେଉଛନ୍ତି ତାହା ଉପରେ ‌ଏକ ସାକ୍ଷାତକାରରେ ନୀରଜ ନିଜ ମତ ରଖିଛନ୍ତି।

ଲକ୍‌ଡାଉନ୍‌ରେ ଆପଣ କିଭଳି ଜୀବନ ବିତାଉଥିଲେ କୁହନ୍ତି। ଯେପରିକି ତୁର୍କିରେ ଥିଲେ, ଏହାପରେ ସ୍ବଦେଶ ଫେରି ଏନ୍‌ଆଇଏସ୍‌ ପାତିଆଲାରେ ୧୪ ଦିନ କ୍ବାରାଣ୍ଟାଇନ୍‌ରେ ରହିଲେ। ଏହି ଯାତ୍ରା କିପରି ଥିଲା?
ନୀରଜ: ମୁଁ ତୁର୍କିରେ ରୋହିତ ଯାଦବ ଓ ଆମ ପ୍ରଶିକ୍ଷକ କ୍ଲାଉସ ବାର୍ତୋନିଜଙ୍କ ପାଖରେ ଅଭ୍ୟାସ କରୁଥିଲି। ଆମ ପାଇଁ ଏହି ଅଭିଜ୍ଞତା ସେତେଟା କଠିନ ନଥିଲା। ଆମେ ଜାଣିଥିଲୁ ସ୍ଥିତି ବହୁତ ଖରାପ। ସରକାର ମାର୍ଚ ୧୮ରେ ସବୁ ବିମାନକୁ ବାତିଲ କରିବା ନେଇଜାଣିଲୁ। ସେତେବେଳେ ଆମ ପାଖରେ କୌଣସି ବିକଳ୍ପ ନଥିଲା। ଆମେ ଲଗାତାର ଭା‌ବରେ ମହାସଂଘ ସହ ସମ୍ପର୍କ କରିଚାଲିଥିଲୁ ଏବଂ ଭାରତ ଫେରି ଆସିବାକୁ ସେମାନେ ଉପଦେଶ ଦେଲେ। ଅନ୍ୟ ଦେଶ ଅପେକ୍ଷା ଭାରତର ସ୍ଥିତି ଭଲ ଥିବାରୁ ଆମେ ଫେରିବାକୁ ନିଷ୍ପତ୍ତି ନେଇଥିଲୁ।

୨୦୧୮ରେ ଭଲ ପ୍ରଦର୍ଶନ କରିଥିଲେ। ୨୦୧୯ରେ ଆପଣ ଆହତ ହୋଇ ଖେଳଠୁ ସମ୍ପୂର୍ଣ୍ଣ ଦୂରେଇ ରହିଲେ। ସୁସ୍ଥ ହୋଇ ଫେରିବା ପରେ ପରେ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରି ନେଇଥିଲେ। ୨୦୧୮ ପ୍ରଦର୍ଶନକୁ ଦୋହରାଇ ପାରିବେ କି? ଅଲିମ୍ପିକ୍ସ ସ୍ଥଗିତ ରହିବା ଜଣେ ଆଥ୍‌ଲେଟ୍‌ ଉପରେ କିଛି ପ୍ରଭାବ ପକାଇବ କି?

ନୀରଜ: ୨୦୧୮ ଋତୁରେ ମୋ ପ୍ରଦର୍ଶନ ଭଲ ଥିଲା। କିନ୍ତୁ କହୁଣୀ ଅସ୍ତ୍ରେପଚାର ଓ ଥଇଥାନ ‌ପାଇଁ ପୂରା ୨୦୧୯ ଋତୁ ଖେଳି ପାରି ନଥିଲି। ବେଲାରିରେ ଥିବା ଇନ୍‌ସପାୟାର ଇନ୍‌‌ଷ୍ଟୁଚ୍ୟୁଟ୍‌ ଅଫ୍‌ ସ୍ପୋର୍ଟ ଏବଂ ପାତିଆଲାସ୍ଥିତ ଏନ୍‌ଏସ୍‌ଆଇରେ ସଫଳତା ସହ ମୋ ଥଇଥାନ ହୋଇଥିଲା। ଏସବୁ ମୋତେ ଫେରିବା ଲାଗି ଶକ୍ତି ଯୋଗାଇଥିଲା ଏବଂ ମୁଁ ଗତ ଜାନୁଆରିରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ମୋର ପ୍ରତ୍ୟାବର୍ତ୍ତନର ପ୍ରଥମ ପ୍ରତିଯୋଗିତାରେ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରି ନେଇଥିଲି। ଏଥିପାଇଁ ଅଲିମ୍ପିକ୍ସ ସ୍ଥଗିତ କୌଣସି ପ୍ରଭାବ ପକାଇବ ନାହିଁ। ହଁ, ମୁଁ ଖୁସି ଯେ ଫେରିବାର ପ୍ରଥମ ପ୍ରତିଯୋଗିତାରେ ମୁଁ ଯୋଗ୍ୟତା ଅର୍ଜନ କରି ନେଇଥିଲି। ଅଲିମ୍ପିକ୍ସ ସ୍ଥଗିତ ହେବା ଦ୍ବାରା ମୋର ଥିବା କିଛି ତ୍ରୁଟି ଏହି ସମୟ ମଧ୍ୟରେ ସୁଧାରି ନେବି। ଏହି ଅଧିକ ସମୟରେ ମୋର ବୈଷୟିକ କୌଶଳକୁ ମଧ୍ୟ ବଢ଼ାଇ ଦେବି। ଏଥିପାଇଁ ମୁଁ ଏହାକୁ ସକାରାତ୍ମକ ଭାବେ ଦେଖୁଛି।

ଅଲିମ୍ପିକ୍ସ ସ୍ଥଗିତ ଆପଣଙ୍କ ପଦକ ବିଜୟ ଆଶା ଉପରେ ପ୍ରଭାବ ପକାଇବ କି?
ନୀରଜ: ମୁଁ ଏକଥା ଚିନ୍ତା କରିନି। ଏହା ଦ୍ବାରା କିଛି ପ୍ରଭାବ ପଡ଼ିବ ବୋଲି ମୁଁ ଭାବୁନାହିଁ। ବିଶ୍ବ ଦୌଡ଼କୁଦରେ ଦକ୍ଷ ଲୋକ ରହିଛନ୍ତି, ସେମାନେ ସ୍ଥିତି ପରଖି ଠିକ୍‌ ନିଷ୍ପତ୍ତି ନେବେ। ମୋ କାମ ହେଲା ଜାଭ୍‌ଲିନ୍‌ ଫିଙ୍ଗିବା। ମୋ ସମର୍ଥ୍ୟ ଅନୁଯାୟୀ ପ୍ରତିଯୋଗିତାରେ ଶ୍ରେ‌ଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବା। ଅଲିମ୍ପିକ୍ସ ସ୍ଥଗିତ କୌଣସି ପ୍ରଭାବ ପକାଇବ ନାହିଁ ଭୋଲି ଭାବୁଛି। ହଁ, ମୁଁ ବହୁତ ଖୁସି ପ୍ରଥମ ପ୍ରତିଯୋଗିତାରେ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିଛି। ମୋର ଏବେ ଶାରୀରିକ ଶକ୍ତି ରହିଛି ଯେ ୮୫ ମିଟର ମାର୍କକୁ ଛୁଇଁ ପାରିବି।

ଆପଣଙ୍କୁ ଏବେ ୨୨ ବର୍ଷ, ଭାରତର ଅଲିମ୍ପିକ୍ସ ପଦକ ଆଶାୟୀଙ୍କ ମଧ୍ୟରେ ରହିଛନ୍ତି। ଏହା କିପରି ଲାଗୁଛି?
ନୀରଜ: ଅଲିମ୍ପିକ୍ସ ହେଉଛି ସବୁ କ୍ରୀଡ଼ାବିତ୍‌ଙ୍କ ପାଇଁ ଏକ ବଡ଼ ମଞ୍ଚ। ତେଣୁ ମୁଁ ଏହା ଉପରେ ନଜର ରଖିଛି। ଗତ ଥର ମୁଁ କନିଷ୍ଠ ବିଶ୍ବ ପ୍ରତିଯୋଗିତା ଉପରେ ଲକ୍ଷ୍ୟ ରଖିଥିଲି। ସମୟ କମ୍‌ ଥିବାରୁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲି। ଅଲିମ୍ପିକ୍ସ ମୋର ବହୁଦିନର ଲକ୍ଷ୍ୟ। ଏବେ ମୁଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ଏବଂ ବିଶ୍ବାସ ରଖିଛି ଶୀଘ୍ର ଏହି କରୋନା ମହାମାରୀରୁ ନିସ୍ତାର ମିଳିଯିବ। ମୋ ମୁଣ୍ଡରେ ସବୁବେଳେ ଅଲିମ୍ପିକ୍ସ ରହିଛି। ଭାରତ ପକ୍ଷରୁ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ଏବଂ ଭଲ ପ୍ରଦର୍ଶନ ଆଶା ରଖିଛି। ଲୋକମାନେ ମୋ ପ୍ରଦର୍ଶନକୁ ଅନେଇ ରହିଛନ୍ତି। ଯାହା ଭଲ କରିବାକୁ ମୋତେ ଉତ୍ସାହ ଦେଉଛି। ବ୍ୟକ୍ତିଗତ ଭାବେ ମାଇଲ ଖୁଣ୍ଟ କିମ୍ବା ପଦକ ବିଷୟରେ ଚିନ୍ତା କରେନି। କିନ୍ତୁ ପ୍ରତ୍ୟେକ ପ୍ରତିଯୋଗିତରରେ ଶ୍ରେଷ୍ଠ ଦେବାକୁ ଚାହିଁଥାଏ। ମୋ ନିୟନ୍ତ୍ରଣରେ ଯାହା ହେବ ତାହା କରିଥାଏ। ମୋର କାମ ଜାଭଲିନ୍‌ ‌ଫିଙ୍ଗିବା। ଏହା ଉପରେ ହିଁ ବେଶୀ ନଜର ରଖିଥାଏ।

ଇନ୍‌ଡୋର ଅଭ୍ୟାସ ବାଦ୍‌ ଲକ୍‌ଡାଉନ୍‌ ବେଳେ ଆପଣ କେଉଁଥିରେ ବ୍ୟସ୍ତ ରହୁଥିଲେ?
ନୀରଜ: କ୍ବାରେଣ୍ଟାଇନ୍‌‌ ସମୟରେ ମୁଁ ସାଧାରଣ ଅଭ୍ୟାସ କରୁଥିଲି। ଏହା ବାଦ୍‌ ମୁଁ ଅବିଭାବକ ଓ ସାଙ୍ଗମାନଙ୍କ ସହ କଥା ହୋଇ ସମୟ କାଟୁଥିଲି। ସବୁ ବେଳେ ଏହା କରୁ ନଥିଲି। ଗୀତ ଶୁଣିବା ଓ ଚଳଚ୍ଚିତ୍ର ମଧ୍ୟ ଦେଖୁଥିଲି।

ସମ୍ବନ୍ଧିତ ଖବର