ଅଲିମ୍ପିକ୍ସ ପଦାର୍ପଣ ଓ ପଦକ ବିଜୟ ମୋ ପାଇଁ ଯୁଗଳ ଖୁସି ଆଣିଛି

ରାଉରକେଲା (ଦେବବ୍ରତ ଗଡ଼ତିଆ): ଟୋକିଓରେ ଇତିହାସ ରଚିଥିବା ଭାରତୀୟ ପୁରୁଷ ଦଳର ଭରସାଯୋଗ୍ୟ ଡିଫେଣ୍ଡର୍‌ ଅମିତ ରୋହିଦାସଙ୍କୁ ନେଇ ଏବେ ଢେର ଚର୍ଚ୍ଚା। ସମଗ୍ର ପ୍ରତିଯୋଗିତାରେ ଚିତ୍ତାକର୍ଷକ ରକ୍ଷଣଭାବ ଯୋଗୁଁ ଅନେକ ମହାନ ଖେଳାଳିଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲେ ସୁନ୍ଦରଗଡ଼ ଜିଲ୍ଲା ସଉନାମୁରାର ଏହି ଅନ୍ତର୍ଜାତୀୟ ହକି ଖେଳାଳି। ଟୋକିଓରେ ଥାଇ ହ୍ବାଟ୍‌ସଆପ୍‌ ଭିଡିଓ କଲ୍‌ ମାଧ୍ୟମରେ ‘ସମ୍ବାଦ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ନିଜର ଅଲିମ୍ପିକ୍ସ ଯାତ୍ରା, ଅଭିଜ୍ଞତା, ଅନୁଭୂତି ବିଷୟରେ ବିସ୍ତୃତ ଭାବେ ବଖାଣିଛନ୍ତି।
ସମ୍ବାଦ: ଐତିହାସିକ ସଫଳତା ପାଇଁ ଶୁଭେଚ୍ଛା।
ଅମିତ: ଧନ୍ୟବାଦ, ଆପଣମାନେ ମଧ୍ୟ ଭାରତରେ ଥାଇ ଆମକୁ ଲଗାତାର ସମର୍ଥନ ଜଣାଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ।
ସମ୍ବାଦ: ବିଜୟ ଉତ୍ସବ ଆରମ୍ଭ ହେଲାଣି?
ଅମିତ: ଉତ୍ସବ ଆରମ୍ଭ କରିଦେଲୁଣି। ଏହା ଢେର ଦିନ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୪୧ ବର୍ଷ ପରେ ଏଭଳି ସଫଳତା ହାସଲ କରିଥିବାରୁ ଉତ୍ସବ ପାଳନ ହେବା ସ୍ବାଭାବିକ।
ସମ୍ବାଦ: କେମିତି ଥିଲା ବିଜୟ ମୂହୁର୍ତ୍ତ?
ଅମିତ: ଯେତେବେଳେ ହକି ଷ୍ଟିକ୍‌ ଧରିଥିଲି, ସେତେବେଳେ ଅଲିମ୍ପିକ୍‌ ବିଷୟରେ ଏତେଟା ଜ୍ଞାନ ନଥିଲା। ମାତ୍ର ପରବର୍ତ୍ତୀ ସମୟରେ ବାପା ହିଁ ଅଲିମ୍ପିକ୍ସକୁ ଲକ୍ଷ୍ୟ ରଖି ଖେଳିବାକୁ ପରାମର୍ଶ ଦେଉଥିଲେ। କୋଚ୍‌ମାନଙ୍କର ବି ବହୁମାତ୍ରାରେ ଅବଦାନ ରହିଛି। ଅଲିମ୍ପିକ୍ସ ଖେଳିବାର ସ୍ବପ୍ନ ପୂରଣ ହେବା ସହ ପଦକ ହାସଲ କରିବା ଦ୍ବୈତ ଖୁସି ଆଣିଦେଇଛି। ପ୍ରକୃତରେ କେତେ ପରିମାଣରେ ଖୁସି ଅଛି, ତାହା ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ।
ସମ୍ବାଦ: ସେମିଫାଇନାଲ ପରାସ୍ତ କଷ୍ଟ ଦେଇଥିଲା କି?
ଅମିତ: ହଁ, ନିଶ୍ଚିତ ଭାବରେ। ଆମେ ଶତ ପ୍ରତିଶତ ଆଶା ରଖିଥିଲୁ ଫାଇନାଲ ପ୍ରବେଶ କରିବୁ। କିନ୍ତୁ ସେଦିନ ଫଳ ଆମ ସପକ୍ଷରେ ଗଲାନି। ତେବେ କାଂସ୍ୟ ପଦକ ପାଇ ବେଶ୍‌ ଖୁସି ଓ ଗର୍ବିତ ମଧ୍ୟ।
ସମ୍ବାଦ: ଏଥର ଦଳରେ କ’ଣ ଖାସ୍‌ ଥିଲା?
ଅମିତ: ଦେଖନ୍ତୁ, ଦଳ ଅଭିଜ୍ଞ ଓ ଯୁବ ତାରକାଙ୍କୁ ନେଇ ଗଠିତ ହୋଇଥିଲା। ସମସ୍ତ ବିଭାଗରେ ଆମେ ପାରଙ୍ଗମ ଥିଲୁ। ଖେଳାଳିମାନଙ୍କ ମଧ୍ୟରେ ଉତ୍ତମ ତାଳମେଳ ହିଁ ଏହି ସଫଳତା ହାସଲ କରିବାର ଅନ୍ୟତମ ପ୍ରମୁଖ କାରଣ। ସମ୍ମିଳିତ ପ୍ରୟାସ ଓ ନୂଆ କିଛି କରିବାର ଯୋଶ୍‌ ଭର୍‌ପୁର ରହିଥିଲା।
ସମ୍ବାଦ: ଅଲିମ୍ପିକ୍‌ ପ୍ରସ୍ତୁତି କେମିତି ଥିଲା?
ଅମିତ: ପ୍ରକୃତରେ ଗତ ଦୁଇ ବର୍ଷ ହେଲା ଅଲିମ୍ପିକ୍‌ ପାଇଁ ନିଜକୁ ସମର୍ପି ଦେଇଥିଲୁ। କରୋନା ମହାମାରୀ ସମୟରେ ଲକ୍‌ଡାଉନ୍‌, ସଟଡାଉନ୍‌ ସମୟରେ ଆମେ ପ୍ରସ୍ତୁତି ଜାରି ରଖିଥିଲୁ। ଏମିତିକି ଗୋଟିଏ ଦିନ ନାହିଁ, ଯେଉଁଦିନ ଅଭ୍ୟାସରେ ଢିଲାପଣ ଆସିଥିବ। ପରିଶ୍ରମର ଫଳ ପାଇଲୁ।
ସମ୍ବାଦ: ଅସଂଖ୍ୟ ସମର୍ଥକଙ୍କୁ କି ବାର୍ତ୍ତା ଦେବେ?
ଅମିତ: ଅଲିମ୍ପିକ୍‌ ଆରମ୍ଭରୁ ଆଜି ପର୍ଯ୍ୟନ୍ତ; ଦଳକୁ ଯେଭଳି ସମର୍ଥନ ମିଳିଥିଲା, ତାହା ଅକଳ୍ପନୀୟ। ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ଆମକୁ ସମର୍ଥନର ସୁଅ ଛୁଟିଥିଲା। ସରକାର, ପୂର୍ବତନ କ୍ରୀଡ଼ାବିତ୍‌, ହକି ପ୍ରେମୀ, ଗଣମାଧ୍ୟମ ପ୍ରତିନିଧି, ଜନସାଧାରଣ; ସମସ୍ତ ବର୍ଗର ବ୍ୟକ୍ତିବିଶେଷ ଆମ ଉପରେ ଯେଉଁ ଭରସା ରଖିଥିଲେ, ତା’କୁ ସାକାର କରିବାରେ ସଫଳ ହୋଇଥିବାରୁ ନିଜକୁ ଧନ୍ୟ ମନେ କରୁଛି।
ସମ୍ବାଦ: ସୁନ୍ଦରଗଡ଼ବାସୀଙ୍କ ପାଇଁ ପଦେ?
ଅମିତ: ମୋ’ ଜନ୍ମ ମାଟିରୁ ଯେଉଁ ଭଲପାଇବା ମିଳିଛି, ତାହା ଅବର୍ଣ୍ଣନୀୟ। ଯେଉଁଭଳି ଭାବେ ଆକୁଣ୍ଠ ଭଲପାଇବା ଦେଇଛନ୍ତି, ସେ ଋଣ କେବେ ଶୁଝିପାରିବି ନାହିଁ। ଆଗାମୀ ଦିନରେ ମଧ୍ୟ ଏଭଳି ସମସ୍ତଙ୍କୁ ଗୌରବାନ୍ବିତ କରିବାକୁ ପ୍ରୟାସ ଜାରି ରଖିବି।

ସମ୍ବନ୍ଧିତ ଖବର