ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଆଜିଠୁ: ଟ୍ବେଣ୍ଟି-୨୦ ସଫଳତା ଦିନିକିଆକୁ ଲମ୍ବାଇବା‌ ଲକ୍ଷ୍ୟ

ଲଣ୍ଡନ: ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଉପରେ ନଜର ପକାଇଛି। ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବା ଏହି ଶୃଙ୍ଖଳାରେ ନିର୍ଭୀକ କ୍ରିକେଟ୍ ଖେଳିବା ଲକ୍ଷ୍ୟରେ ରହିଛି ରୋହିତ ସେନା। ତେବେ ଟ୍ବେଣ୍ଟି-୨୦ ସଫଳତା ଧାରାକୁ ଏକଦିବସୀୟକୁ ଲମ୍ବାଇବାକୁ ହେଲେ ବିଶ୍ବବିଜେତା ଇଂଲଣ୍ଡର ଦୁର୍ବଳତା ବୁଝି ସେହି ଅନୁସାରେ ଖେଳିବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଆଗକୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଥିଲେ ମଧ୍ୟ ଭାରତ ପାଇଁ ଏହି ୫୦ ଓଭରିଆ ଶୃଙ୍ଖଳାର ଢେର ଗୁରୁତ୍ବ ରହିବ ବୋଲି ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରି ଦେଇଛନ୍ତି।

ପାଣ୍ଡ୍ୟାଙ୍କ ଉପରେ ରହିବ ନଜର
‘‘ଧଳା ବଲ୍‌ର ସମସ୍ତ କ୍ରିକେଟ୍ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ଦିନିକିଆରେ ଟ୍ବେଣ୍ଟି-୨୦ ତୁଳନାରେ କମ ବିପଦପୂର୍ଣ୍ଣ ସଟ୍ ଖେଳିବାକୁ ହୋଇଥାଏ। ତଥାପି ଆମର ଏକମାତ୍ର ଲକ୍ଷ୍ୟ ହେଉଛି ବିଜୟ। ଆମେ ଏହି ପ୍ରକ୍ରିୟା ଓ ଲକ୍ଷ୍ୟକୁ କୌଣସି ପରିସ୍ଥିତିରେ ପରିତ୍ୟାଗ କରିବୁ ନାହିଁ।’’ ବୋଲି ରବିବାରର ତୃତୀୟ ଟ୍ବେଣ୍ଟି-୨୦ ପରେ କହିଥିଲେ ସେ। ତେବେ ମାତ୍ର ଗୋଟିଏ ଫର୍ମାଟ୍ ଖେଳୁଥିବା ଶିଖର ଧାୱନଙ୍କ ଭଳି ଖେଳାଳିଙ୍କ ପାଇଁ ଏହି ଶୃଙ୍ଖଳା ଅଧିକ ଆହ୍ବାନ ନେଇ ଆସିବ। ୱେଷ୍ଟଇଣ୍ଡିଜ୍ ଗସ୍ତରେ ସେ ଭାରତର ନେତୃତ୍ବ ନେବାକୁ ଯାଉଥିବାରୁ ତାଙ୍କୁ ମଧ୍ୟ ତିନିଟି ଯାକ ମ୍ୟାଚ୍‌ରେ ସୁଯୋଗ ମିଳିବାର ସମ୍ଭାବନା ଅଧିକ। ଆଇପିଏଲ୍‌ରେ ଭଲ କରିଥିବାରୁ ଦୀର୍ଘ ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ତାଙ୍କ ପାଇଁ ଅସୁବିଧା ହେବନି ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଫର୍ମ ପାଇଁ ଯୁଝୁଥିବା ବିରାଟ କୋହଲିଙ୍କ ପାଇଁ କିନ୍ତୁ ଏହି ଶୃଙ୍ଖଳା ଅଗ୍ନିପରୀକ୍ଷା ସଦୃଶ ହେବ। କୋହଲିଙ୍କ ଭଳି ହାର୍ଦିକ ପାଣ୍ଡ୍ୟାଙ୍କ ଦିନିକିଆ ପ୍ରତ୍ୟାବର୍ତ୍ତନ ଉପରେ ମଧ୍ୟ ସମସ୍ତଙ୍କ ତୀକ୍ଷ୍ଣ ନଜର ରହିବ। ଇଂଲଣ୍ଡ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ରେ ଶତକ ଜମାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ନିଜ ସ୍ଥାନ ପାଇଁ ଶ୍ରେୟସ୍ ଆୟରଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେବ। ସେପଟେ ଇଅନ ମୋର୍ଗାନଙ୍କ ଅବସର‌ ପରେ ଇଂଲଣ୍ଡ ଦିନିକିଆ ଅଧିନାୟକ ଭାବେ ଜୋସ୍ ବଟଲରଙ୍କର ଏହା ପ୍ରଥମ ଶୃଙ୍ଖଳା ହେବ। ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଥିବାରୁ ଏହାର ପ୍ରତିଶୋଧ ଦିନିକିଆରେ ନେବା ଆଶାରେ ନିଶ୍ଚିତ ଭାବେ ରହିଥିବେ ସେ। ବେନ୍ ‌ଷ୍ଟୋକ୍ସ, ଜୋ ରୁଟ୍ ଓ ଜନି ବେୟାରଷ୍ଟୋଙ୍କ ଭଳି ଖେଳାଳି ଫେରୁଥିବାରୁ ଇଂଲଣ୍ଡର ଆତ୍ମବିଶ୍ବାସ ବି ଉଚ୍ଚରେ ଥିବ। ଅତୀତ ପରିସଂଖ୍ୟାନକୁ ବିଚାରକୁ ନେଲେ ଜଣାପଡ଼େ ଯେ ଭାରତ ଓ ଇଂଲଣ୍ଡ ପରସ୍ପର ବିପକ୍ଷରେ ୧୦୩ ଦିନିକିଆ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୫୫ ଏବଂ ଇଂଲଣ୍ଡ ୪୩ ମ୍ୟାଚ୍ ଜିତିଛି। ଦୁଇଟି ମ୍ୟାଚ୍ ଟାଇ ରହିଥିଲା ବେଳେ ତିନିଟିର ଫଳାଫଳ ମିଳିନି। ଦି ଓଭାଲ ପିଚ୍‌ ଉଭୟ ବ୍ୟାଟର୍ ଏବଂ ବୋଲରକୁ ସମାନ ଭାବେ ସହାୟତା କରିବ।

କୋହଲି ଖେଳି ନପାରନ୍ତି
ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଥିବା ବିରାଟ କୋହଲି ମଙ୍ଗଳବାରର ପ୍ରଥମ ଦିନିକିଆ ଖେଳି ନପାରନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ କୋହଲି ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କ ଊରୁସନ୍ଧି (ଜଙ୍ଘ ଓ ପେଟର ଯୋଡ଼ସ୍ଥଳ)ରେ ଆଘାତ ଲାଗିଛି। କୋହଲିଙ୍କ ଆଘାତକୁ ନେଇ ଦଳୀୟ ଅଧିକାରୀମା‌ନେ କୌଣସି ସୂଚନା ଦେଇ ନାହାନ୍ତି। ତେବେ ପ୍ରଥମ ଦିନିକିଆରେ ତାଙ୍କୁ ବିଶ୍ରାମ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। କୋହଲି ମଧ୍ୟ ଏହି କାରଣରୁ ରବିବାର ଭାରତୀୟ ଦଳ ସହ ନଟିଂହାରୁ ଲଣ୍ଡନ ଯାଇନଥିଲେ। ଡାକ୍ତରଙ୍କୁ ଦେଖା କରିବା ଏହାର ମୁଖ୍ୟ କାରଣ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ମ୍ୟାଚ୍‌ର ଠିକ୍ ପୂର୍ବରୁ ନିଆଯିବ ବୋଲି କହିଛନ୍ତି ସେ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି/ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ୟୁଝବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରାଳ, ପ୍ରସିଦ୍ଧ କୃଷ୍ଣା, ଶାର୍ଦୁଳ ଠାକୁର/ମହମ୍ମଦ ସାମି।

ସମ୍ଭାବ୍ୟ ଇଂଲଣ୍ଡ: ଜୋସ୍ ବଟଲର (ଅଧିନାୟକ), ଜନି ବେୟାରଷ୍ଟୋ, ହାରି ବ୍ରୁକ୍, ମୋଇନ ଅଲ୍ଲୀ, ସାମ୍ କରନ୍, ଲିୟାମ ଲିଭିଂଷ୍ଟୋନ, କ୍ରେଗ୍ ଓଭରଟନ୍, ଜାସନ ରୟ, ବେନ୍ ‌ଷ୍ଟୋକ୍ସ, ରେଶେ ଟପ୍‌ଲି, ଡେଭିଡ୍ ୱିଲି/ଜୋ ରୁଟ୍।

ସମ୍ବନ୍ଧିତ ଖବର