ବିଶ୍ବକପ୍ ଦଳରେ ଏକା ଦୀପଗ୍ରେସ୍: ୪ ବର୍ଷ ପରେ କେହି ନଥିବେ!

‘‘ପୋଜିସନ ୱାଇଜ୍‌ ଖେଳାଳି ସୃଷ୍ଟି କରିବାକୁ ହେବ’’

ଦେବାଶିଷ ସୁନ୍ଦରାୟ

ଭୁବନେଶ୍ବର: ‘‘ହକି କେବଳ ଏକ ଖେଳ ନୁହେଁ। ଏହା ହେଉଛି ଜୀବନ ଜିଇଁବାର ଏକ ଶୈଳୀ।’ ଏହି ସ୍ଲୋଗାନର ଢେର ମହତ୍ବ ଓଡ଼ିଶା କ୍ରୀଡ଼ା ପାଇଁ ରହିଛି। ଓଡ଼ିଶା ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ ସହ ଏହାର ଭାବାବେଗ ସଂପର୍କ ରହିଥିଲେ ବି ଆଜିକାଲି ସବୁ ଓଡ଼ିଆ ଏହି ସ୍ଲୋଗାନ ସହ ନିଜକୁ ଯୋଡ଼ିପାରୁଛନ୍ତି। ହକି ସଂପ୍ରତି ଓଡ଼ିଶାର ଘରେ ଘରେ ପହଞ୍ଚିପାରିଛି। ସମୟାନୁକ୍ରମେ ହକି ମଧ୍ୟ ସୁନ୍ଦରଗଡ଼ରୁ ବାହାରି ସାରା ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ହୃଦୟରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି। ରାଜ୍ୟରେ ହକି ପ୍ରତି କ୍ରମାଗତ ଭାବେ ବଢ଼ି ଚାଲିଥିବା ଭଲପାଇବା ପଛରେ ଓଡ଼ିଶା ହକି ଖେଳାଳିଙ୍କ ଅପୂର୍ବ ସଫଳତା ଧାରା ତଥା ବଳିଷ୍ଠ ପ୍ରଦର୍ଶନର ବିଶେଷ ଭୂମିକା ଓ ଯୋଗଦାନ ରହିଛି।
ଓଡ଼ିଶା ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯେତେ ସଫଳ ହୋଇଛନ୍ତି, ରାଜ୍ୟରେ ହକିର କ୍ରେଜ୍ ସେତେ ବଢ଼ିଛି। ହକି ଇଣ୍ଡିଆ ଲିଗ୍, ହକି ବିଶ୍ବକପ୍, ଏଫ୍‌ଆଇଏଚ୍ ‌ପ୍ରୋ ଲିଗ୍‌ଠାରୁ ଆରମ୍ଭ କରି ଅନେକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଏଠାରେ ଆୟୋଜିତ ହୋଇଛି। ହକିର ଭିତ୍ତିଭୂମି ବିଶ୍ବସ୍ତରୀୟ ହୋଇଥିବାର ଦାବି ମଧ୍ୟ ହୋଇଆସୁଛି। ବିଶେଷ କରି କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସ ବିଶ୍ବର କୋଣ ଅନୁକୋଣରେ ଥିବା ହକିପ୍ରେମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ବେଳେ ରାଉରକେଲାରେ ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମ୍ ନିର୍ମାଣ ହେଉଥିବାର ଚର୍ଚ୍ଚା ହେଉଛି।

ଭୁବନେଶ୍ବର ଏବଂ ରାଉରକେଲାରେ ୨୦୨୩ ହକି ବିଶ୍ବକପ୍ ଆୟୋଜନ ହେବା ପରେ ଓଡ଼ିଶା ହକି ଇତିହାସରେ ଆଉ ଏକ ସୁନେଲି ଫର୍ଦ୍ଦ ଯୋଡ଼ିହେବ। ନିକଟରେ ଓଡ଼ିଶା ମହିଳା ହକି ଦଳ ମଧ୍ୟ ଜାତୀୟ ହକି ପ୍ରତିଯୋଗିତାରେ ପ୍ରଥମ ଥର ବିଜେତା ହେବାର ଗୌରବ ଅର୍ଜନ କରିଛି। ତେବେ ଭାରତୀୟ ପୁରୁଷ ଦଳ ହେଉ କି ମହିଳା, ଉଭୟରେ ଓଡ଼ିଆଙ୍କ ପ୍ରତିନିଧିତ୍ବ କ୍ରମଶଃ କମି କମି ଯାଉଥିବା ଲକ୍ଷ୍ୟ କରାଯାଉଛି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ନିକଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ମହିଳା ହକି ବିଶ୍ବକପ୍‌ ପାଇଁ ଘୋଷିତ ଭାରତୀୟ ଦଳ। ଦୁଇଟି ଯାକ ଦଳରେ କେବଳ ଜଣେ ଲେଖାଏଁ ଓଡ଼ିଆ ତାରକା ଅଛନ୍ତି। ଅମିତ ରୋହିଦାସ ଭାରତୀୟ ପୁରୁଷ ରାଜ୍ୟଗୋଷ୍ଠୀ ଦଳରେ ଥିଲା ବେଳେ ଦୀପଗ୍ରେସ୍ ଏକ୍କା ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଭାରତୀୟ ମହିଳା ବିଶ୍ବକପ୍ ଦଳରେ ସ୍ଥାନ ପାଇଛନ୍ତି। ଯାହା ରାଜ୍ୟରେ ହକି ବିକାଶର ଯୋଜନା ତଥା ରଣନୀତିରେ ରହିଥିବା ସମ୍ଭାବ୍ୟ ତ୍ରୁଟିକୁ ଦର୍ଶାଉଛି। ୨୦୨୩ ପୁରୁଷ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇନଥିବାରୁ ଏହାକୁ ଅନୁଶୀଳନ କରିବାର ସମୟ ଏବେ ଆସିନାହିଁ। ତେବେ ମହିଳା ବିଶ୍ବକପ୍ ଦଳରେ ଦୀପଗ୍ରେସ୍ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇବା ପରେ, ଏଭଳି କାହିଁକି ଏବଂ କେମିତି ହେଲା? ତାର ତର୍ଜମା ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି।

ମହିଳା ବିଶ୍ବକପ୍‌ ହକି କଥା ଯଦି ବିଚାରକୁ ନିଆଯାଏ, ତାହେଲେ ଏପର୍ଯ୍ୟନ୍ତ ମୋଟ ୧୪ଟି ବିଶ୍ବକପ୍ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ମାତ୍ର ୭ଟି ବିଶ୍ବକପ୍ ଖେଳିଛି। ଆଉ ମହିଳା ବିଶ୍ବକପ୍‌ରେ ଓଡ଼ିଶାର ପ୍ରତିନିଧିତ୍ବ ୧୯୯୮ ମସିହାରୁ ଆରମ୍ଭ ହୋଇଛି। ଯଦିଓ ୧୯୯୩ରେ ଗ୍ଲୋରିଆ ଡୁଙ୍ଗଡୁଙ୍ଗ ପ୍ରଥମ ଓଡ଼ିଆ ମହିଳା ଭାବେ ଭାରତୀୟ ଦଳରୁ ଅନ୍ତର୍ଜାତୀୟ ହକି ଖେଳିଥିଲେ। ୧୯୯୮ ମସିହାରେ ଜ୍ୟୋତି ସୁନିତା କୁଲୁ ପ୍ରଥମ ଓଡ଼ିଆ ଭାବେ ବିଶ୍ବକପ୍ ଖେଳିଥିଲେ। ଏହା ପରେ ୨୦୦୬ ବିଶ୍ବକପ୍‌ରେ ଜ୍ୟୋତି ଭାରତୀୟ ଦଳର ଅଧିନାୟିକା ନିଯୁକ୍ତ ହୋଇଥିଲେ। ଏହି ଦଳରେ ବିନିତା ଟପ୍ପୋ ଏବଂ ସୁଭଦ୍ରା ପ୍ରଧାନ ମଧ୍ୟ ସ୍ଥାନ ପାଇଥିଲେ। ୨୦୧୦ରେ ମୁକ୍ତାପ୍ରଭା ବାର୍ଲା ଏବଂ ସୁଭଦ୍ରା ପ୍ରଧାନ ଏହି ଧାରାକୁ ଆଗେଇ ନେଇଥିଲେ। ସୁଭଦ୍ରା ୨୦୧୦ରେ ଭାରତୀୟ ଦଳର ଅଧିନାୟିକା ଥିଲେ। ୨୦୧୮ରେ ଭାରତୀୟ ବିଶ୍ବକପ୍ ଦଳରେ ସର୍ବାଧିକ ୪ ଜଣ ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ସୁନିତା ଲାକ୍ରା ଏବଂ ଲିଲିମା ମିଞ୍ଜ୍ ସ୍ଥାନ ପାଇଥିଲେ। ୨୦୨୨ ବେଳକୁ କେବଳ ଦୀପଗ୍ରେସ୍ ଏକମାତ୍ର ଓଡ଼ିଆ ଭାବେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଯାହା ଓଡ଼ିଶା ହକି ପାଇଁ ଆଦୌ ଶୁଭସଙ୍କେତ ନୁହେଁ।

ତୃଣମୂଳ ସ୍ତରରେ ମହିଳା ହକିକୁ ଅଣଦେଖା‌ କରିବା ଭାରତୀୟ ବିଶ୍ବକପ୍ ଦଳରେ ଓଡ଼ିଆଙ୍କ ପ୍ରତିନିଧିତ୍ବ ହଠାତ୍ କମିବାର ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ସେହିଭଳି ବିଗିନର୍ସଙ୍କ ପାଇଁ କୌଣସି ଉଚ୍ଚସ୍ତରୀୟ ପ୍ରତିଯୋଗିତା ଆୟୋଜନ ନହେବା ଏହାର ଅନ୍ୟ ଏକ କାରଣ ହୋଇପାରେ ବୋଲି ସେମାନେ କୁହନ୍ତି। ମହିଳା ହକିରେ ଓଡ଼ିଶାରୁ ଆଜମିନା କୁଜୁର, ମାରିଆନା କୁଜୁର, ଜୀବନ କିଶୋରୀ ଟପ୍ପୋ, ନିକିତା ଟପ୍ପୋ, ମାଧୁରୀ କିଣ୍ଡୋ, ରଶ୍ମିତା ମିଞ୍ଜ୍, ଜ୍ୟୋତି ଛତ୍ରୀଙ୍କ ଭଳି ଉଦୀୟମାନ ଖେଳାଳି ରହିଛନ୍ତି। ତେବେ ବରିଷ୍ଠ ଦଳରେ ଏମାନେ କ୍ବଚିତ ସ୍ଥାନ ପାଉଛନ୍ତି।

‘‘ପୋଜିସନ ୱାଇଜ୍‌ ଖେଳାଳି ସୃଷ୍ଟି କରିବାକୁ ହେବ’’
ରାଜ୍ୟରେ ହକି ଭିତ୍ତିଭୂମି ସୃଷ୍ଟି ସହ ମହିଳା ହକିର ତୃଣମୂଳ ବିକାଶ ଉପରେ ଧ୍ୟାନ ଦେବାକୁ ମଧ୍ୟ ହକିପ୍ରେମୀ ରାଜ୍ୟସରକାରଙ୍କୁ ଆହ୍ବାନ କରିଛନ୍ତି। ଜଣେ ହକି ବିଶେଷଜ୍ଞ ନିଜ ନାମ ଗୋପନ ରଖି କହିଛନ୍ତି ଯେ ତୃଣମୂଳ ସ୍ତରରେ ଆମ ପ୍ରଶିକ୍ଷଣ ବ୍ୟବସ୍ଥାରେ ଆହୁରି ଉନ୍ନତି ହେବା ଦରକାର। ସରକାର ମଧ୍ୟ ଉଦୀୟମାନ ଖେଳାଳିଙ୍କୁ ଅନ୍ତର୍ଜାତୀୟ ହକି ପାଇଁ ଯେଉଁ ଉପକରଣ ଦରକାର ତାହା ଯୋଗାଇ ଦେଇପାରୁନାହାନ୍ତି। ଭାଷାଗତ ସମସ୍ୟା ମଧ୍ୟ ଏହି କ୍ଷେତ୍ରରେ ଆଉ ଏକ ପ୍ରତିବନ୍ଧକ। ବରିଷ୍ଠ ସ୍ତରରେ ବିଦେଶୀ ପ୍ରଶିକ୍ଷକ ‌ଦେଉଥିବା ପ୍ରଶିକ୍ଷଣକୁ ଆମ ଖେଳାଳି ବୁଝି ପାରୁନାହାନ୍ତି କିମ୍ବା ନିଜ ସମସ୍ୟାକୁ ଠିକ୍ ଭାବେ ପରିପ୍ରକାଶ କରି ପାରୁନାହାନ୍ତି। ଏହି ଧାରା ବଜାୟ ରହିଲେ ଆଗାମୀ ବିଶ୍ବକପ୍‌ ଦଳରେ ଓଡ଼ିଶାର ପ୍ରତିନିଧିତ୍ବ ଆଉ ରହିବ ନାହିଁ। ଏଣୁ ନେଡ଼ି ଗୁଡ଼ କହୁଣୀକୁ ବହିବା ପୂର୍ବରୁ ଆମକୁ ଠୋଶ୍‌ ପଦକ୍ଷେପ ନେବାକୁ ହେବ। ଦୀପଗ୍ରେସ୍‌ଙ୍କ ବୟସ ଏବେ ୨୮। ଆଗାମୀ ବିଶ୍ବକପ୍‌କୁ ସେ ୩୨ ବର୍ଷର ହୋଇଥିବେ। ଏଣୁ ସେତେବେଳକୁ ଆମକୁ କିଛି ପ୍ରତିଭାଶାଳୀ ଖେଳାଳି ସୃଷ୍ଟି କରିବାକୁ ହେବ।

ବିଜୁ ପଟ୍ଟନାୟକ ପୁରସ୍କାରପ୍ରାପ୍ତ ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀ କହିଛନ୍ତି ଯେ ଏଥର ଭାରତୀୟ ପ୍ରଶିକ୍ଷଣ ଶିବିରରେ ଆମର ଚାରିଜଣ ଖେଳାଳି ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ରଶ୍ମିତା ମିଞ୍ଜ୍ ଓ ମାରିଆନା କୁଜୁର ଥିଲେ। ଦୀପଗ୍ରେସ୍ ବିଶ୍ବକପ୍ ଦଳରେ ଅଛନ୍ତି। ମୋ ମତରେ ମାରିଆନା ଭାରତୀୟ ଦଳରେ ସ୍ଥାନ ପାଇବାର ହକ୍‌ଦାର ଥିଲେ। କୌଣସି ନା କୌଣସି କାରଣରୁ ତାଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଲା ଆମ ପିଲା ପ୍ରଶିକ୍ଷଣ ଶିବିରରେ ରହୁଛନ୍ତି ହେଲେ ଦଳରେ ସୁଯୋଗ ପାଉନାହାନ୍ତି। ଏଣୁ ନିଜ ପ୍ରତିଭାର ସଠିକ୍ ପରିପ୍ରକାଶ ସେମାନେ କରିପାରୁନାହାନ୍ତି। ତା’ଛଡ଼ା ଗତ କିଛି ବର୍ଷ ହେବ ଭଲ ଖେଳାଳି ଆସିବା ନିୟମିତ ଭାବେ କମିଚାଲିଛି। ଆଗକୁ ଆମକୁ ପୋଜିସନ୍ ୱାଇଜ୍ ଖେଳାଳି ସୃଷ୍ଟି ଉପରେ ଧ୍ୟାନ ଦେବାକୁ ହେବ। ଏବେକାର ଯୋଜନାରେ ଖେଳାଳିମାନେ ନିୟମିତ ମ୍ୟାଚ୍ ଖେଳିବାକୁ ପାଉନାହାନ୍ତି। ଏହାର ପ୍ରଭାବ ସେମାନଙ୍କ ପ୍ରଦର୍ଶନ ଉପରେ ପଡ଼ୁଛି। ଏଣୁ ଓଡ଼ିଶାରେ ହକି ପାଇଁ ଗଠିତ ହୋଇଥିବା ଅସ୍ଥାୟୀ ସମିତିକୁ ମହିଳା ହକି ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଁ ଅନୁରୋଧ କରୁଛି।

ସମ୍ବନ୍ଧିତ ଖବର