ମନ ଜିତୁଛି ଫୁଟ୍‌ବଲର୍‌ଙ୍କ ଜୈବିକ କୃଷି

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଧିନାୟକ ତଥା ରକ୍ଷଣଭାଗ ଖେଳାଳି ଗୌରମାଙ୍ଗି ସିଂହ ତାଲାବନ୍ଦ ବେଳେ ଏକ ନୂଆ ନିଶାର ପ୍ରେମରେ ପଡ଼ି ଯାଇଛନ୍ତି। ନିଜ ଭିଟାମାଟି ସହ ଜଡ଼ିତ ହେବା ଲାଗି ଚାଷବାସରେ ମନ ବଳାଇଛନ୍ତି ସେ। ମଣିପୁର କ୍ରୀଡ଼ା ତାରକା ଗୌରମାଙ୍ଗି ସଂପ୍ରତି ମଣିପୁରର ଇମ୍ପାଲରେ ଥିବା ନିଜ ପୈତୃକ ଜମିରେ ଜୈବିକ କୃଷି କରି ସମସ୍ତଙ୍କ ମନ ଜିତି ନେଇଛନ୍ତି। କୌଣସି ରସାୟନିକ ସାର କିମ୍ବା କିଟନାଶକ ବ୍ୟବହାର ନ କରି ପନିପରିବା ଓ ଫଳମୂଳ ଚାଷ କରୁଛନ୍ତି। ଖାଲି ସମୟକୁ ସକାରାତ୍ମକ ବାଟରେ କଟାଇବାର କଳା ଗୌରମାଙ୍ଗି ଶିଖି ଯାଇଛନ୍ତି। ସଂପ୍ରତି ସେ ମାତ୍ର ଅଧଏକର ଜମିରେ ଚାଷ କରୁଛନ୍ତି। ଗତ ଦୁଇ ବର୍ଷ ହେବ ଏହି ଜମି ସିଂହ ପରିବାରର ରୋଷେଇ ଘର ଉଦ୍ୟାନ ଭାବେ କାର୍ଯ୍ୟ କରୁଥିଲା। ଏବେ କିନ୍ତୁ ଗୌରମାଙ୍ଗି ନିଜ ଭାଇମାନଙ୍କ ସହ ମିଶି ଏହାର ପରିସୀମାକୁ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏଥିରେ ସେମାନେ କଞ୍ଚାଲଙ୍କା, ଅଦା, ମକା, କଲରା, କଖାରୁ ଓ ଲାଉ ଆଦି ପନିପରିବା ଚାଷ କରୁଛନ୍ତି। ଗୌରମାଙ୍ଗି ସଂପ୍ରତି ହିରୋ ଦ୍ବିତୀୟ ଡିଭିଜନ୍ ଲିଗ୍ ଦଳ ଏଫ୍‌ସି ବେଙ୍ଗାଲୁରୁ ୟୁନାଇଟେଡ୍‌ର ପ୍ରଶିକ୍ଷକ ଅଛନ୍ତି। ତାଲାବନ୍ଦ ପାଇଁ ସଂପ୍ରତି ଘରେ ସମୟ କଟାଉଛନ୍ତି। ଏଥିଲାଗି ମିଳିଥିବା ଖାଲି ସମୟର ସୁବିନିଯୋଗ କରି ସେ କିନ୍ତୁ ବହୁତ ଖୁସି ଅଛନ୍ତି। । ନିଜ ଜମିରେ ନିଜେ କାମ କରିବାକୁ ବେଶ୍ ଉପଭୋଗ କରୁଛନ୍ତି।

ଏହା ତାଙ୍କୁ ଆତ୍ମସନ୍ତୋଷ ଦେଇଛି। ତେବେ କୃଷି କାର୍ଯ୍ୟଲାଗି ସେ କେବଳ ଜୈବିକ ଖତ ବ୍ୟବହାର କରୁଥିବା ଗୌରମାଙ୍ଗି ସ୍ପଷ୍ଟ କରି ଦେଇଛନ୍ତି। ଏହା ଦ୍ବାରା ସେ ମଧ୍ୟ ଶରୀରିକ ଓ ମାନସିକ ଭାବେ ସୁସ୍ଥ ରହି ପାରୁଛନ୍ତି। ତା’ ଛଡ଼ା ନିଜ ପରିବାର ପାଇଁ ସତେଜ ପନିପରିବା ଯୋଗାଡ଼ କରି ପାରୁଛନ୍ତି। ଆଗାମୀ ସମୟରେ ଗୌରମାଙ୍ଗି ନିଜ ନୂଆ ନିଶାକୁ ଆହୁରି ବ୍ୟାପ୍ତ କରିବାକୁ ଆଗ୍ରହୀ ଅଛନ୍ତି। ସୂଚନାଯୋଗ୍ୟ ଯେ ଗୌରମାଙ୍ଗି ନିଜ ଚାଷ ଜମିରୁ ପନିପରିବା ତୋଳୁଥିବାର ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବା ପରେ ସଂପ୍ରତି ତାଙ୍କ ଲୋକପ୍ରିୟତା ପୂର୍ବାପେକ୍ଷା ବଢ଼ି ଯାଇଛି। କେବଳ ସେ ନୁହନ୍ତି, ତାଙ୍କର ଆଉ କେତେକ ବନ୍ଧୁ ମଧ୍ୟ ସଂପ୍ରତି ଚାଷବାସ ଉପରେ ଧ୍ୟାନ ଦେଉଥିବା ଜଣାପଡ଼ିଛି। ଗୌରମାଙ୍ଗି ହେଉଛନ୍ତି ଭାରତୀୟ ଫୁଟବଲର ଅନ୍ୟତମ ସଫଳ ତାରକା। ଜାତୀୟ ଫୁଟବଲ୍ ଲିଗ୍, ଫେଡେରେସନ୍ କପ୍, ଆଇ-ଲିଗ୍ ଭଳି ସମ୍ମାନଜନକ ଟ୍ରଫି ସେ ଜିତିଛନ୍ତି। ୨୦୧୦ ମସିହ‌ାରେ ଗୌରମାଙ୍ଗି ସର୍ବଭାରତୀୟ ଫୁଟବଲ୍ ମହାସଂଘର ବର୍ଷର ଶ୍ରେଷ୍ଠ ଫୁଟବଲର୍‌ ପୁରସ୍କାର ଜିତିଥିଲେ। ଦୋହାରେ ଆୟୋଜିତ ୨୦୧୧ ଏଏଫ୍‌ସି ଏସିଆନ୍ କପ୍ ଖେଳିଥିବା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ବାହାରିନ ବିପକ୍ଷ ଉଦଘାଟନୀ ମୁକାବିଲାରେ ହିଁ ଗୌରମାଙ୍ଗି ଗୋଲ୍ ଦେଇଥିଲେ। ତାଲାବନ୍ଦ ଭଳି ଅସମୟ ଓ ଅସ୍ବାଭାବିକ ପରିସ୍ଥିତିରେ ସକାରାତ୍ମକ ଚିନ୍ତା କରିବାକୁ ସବୁ ଭାରତୀୟଙ୍କୁ ସେ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର