ଚେନ୍ନାଇ: ସାରା ବିଶ୍ବକୁ କବଳିତ କରିଥିବା ସାଂପ୍ରତିକ କୋଭିଡ୍-୧୯ ମହାମାରୀ ଟଳିବା ତଥା ନିୟଂତ୍ରଣକୁ ଆସିବା ପରେ ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ ବିଶ୍ବକପ୍ ସମ୍ଭବତଃ ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା ହେବ। ଫିଫାର ଏହି ପ୍ରତିଯୋଗିତା ଆସନ୍ତାବର୍ଷ ଫେବ୍ରୁଆରି ୧୭ ତାରିଖରୁ ଆରମ୍ଭ ହେବାର ସୂଚୀ ପ୍ରସ୍ତୁତ ହୋଇଛି। ସେଥିପାଇଁ ଆହୁରି ୮ ମାସ ସମୟ ରହିଥିଲେ ମଧ୍ୟ କରୋନା କଟକଣା ମାର୍ଗଦର୍ଶିକା ଅନୁଯାୟୀ ସେତେବେଳେ ଷ୍ଟାଡିୟମ୍କୁ ଦର୍ଶକ ବା ପ୍ରଶଂସକଙ୍କୁ ପ୍ରବେଶ ଅନୁମତି ମିଳିବା ନେଇ ସନ୍ଦେହ ଜାରି ରହିଛି। ହେଲେ ସ୍ଥାନୀୟ ଆୟୋଜନ କମିଟି (ଏଲ୍ଓସି)ର ଟୁର୍ନାମେଣ୍ଟ ଡାଇରେକ୍ଟର ରୋମା ଖାନ୍ନା ସେଭଳି ଭୟକୁ ଏଡାଇ ଯାଇଛନ୍ତି। ସେହି ବିଶ୍ବକପ୍ରେ ପ୍ରଶଂସକମାନେ ଷ୍ଟାଡିୟମ୍ରେ ପ୍ରବେଶ କରିପାରିବେ ବୋଲି ଖାନ୍ନା ଆଶା ବ୍ୟକ୍ତ କରିଛନ୍ତି। କୋଭିଡ୍-୧୯ ପରେ ସେହି ବିଶ୍ବକପ୍ ହିଁ ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା ହେବ। ଭାରତ ମଧ୍ୟ ସେତେବେଳକୁ ଏଭଳି ବୃହତ୍ ସୁଯୋଗର ଆହ୍ବାନକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି। ତେଣୁ ଷ୍ଟାଡିୟମ୍କୁ ପ୍ରଶଂସକମାନେ ଆସିବା ସମ୍ଭବ ହୋଇପାରିବ ବୋଲି ଖାନ୍ନା ନିଶ୍ଚିତ ଥିବା କହିଛନ୍ତି। ଅବଶ୍ୟ ନିରାପଦ ପରିବେଶ ଏବଂ ସାମାଜିକ ଦୂରତା ବଜାୟ ରଖାଯିବା ଉପରେ ଗୁରୁତ୍ବ ଦିଆଯିବ। ଆମେ ମଧ୍ୟ ସମସ୍ତ ପ୍ରକାର ବିଶୋଧକ ବ୍ୟବହାର କରିବା ସାଙ୍ଗକୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବୁ ବୋଲି ଖାନ୍ନା କହିଛନ୍ତି।
ଅନ୍ୟ ପକ୍ଷରେ ୟୁରୋପରେ ନୂଆ ଫୁଟ୍ବଲ ଋତୁରେ ମ୍ୟାଚ୍ଗୁଡ଼ିକ ଉପଭୋଗ କରିବା ନିମନ୍ତେ ଷ୍ଟାଡିୟମ୍କୁ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବାର ଆଶା ରହିଛି। ସେହିଦୃଷ୍ଟିରୁ ଦର୍ଶକଙ୍କୁ କିଭଳି ଷ୍ଟାଡିୟମ୍କୁ ଆଣିହେବ ସେଥିପାଇଁ ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ର ସ୍ଥାନୀୟ ଆୟୋଜନ କମିଟି ପ୍ରମୁଖ ୟୁରୋପୀୟ ଏବଂ ଏସୀୟ ଲିଗ୍ଗୁଡ଼ିକର ବ୍ଲୁପ୍ରିଣ୍ଟକୁ ଅନୁସରଣ କରିବ ବୋଲି ଖାନ୍ନା କହିଛନ୍ତି। କେବଳ ୟୁରୋପ କାହିଁକି ଏସିଆରେ ମଧ୍ୟ ଥରେ ସବୁ ଲିଗ୍ ପୁନଃଆରମ୍ଭ ହୋଇଗଲେ ଏଲ୍ଓସି ଏବଂ ଫିଫା ମିଳିତ ଭାବେ ଅତି ନିକଟରୁ ପ୍ରତ୍ୟେକକୁ ପରିଚାଳନା କରିବେ। ଆମେ ମଧ୍ୟ ଏକ ନିରାପଦ ପରିବେଶ ତିଆରି କରିବାକୁ ଶ୍ରେଷ୍ଠ ପ୍ରୟାସ ନିଶ୍ଚିତ କରିବୁ ଏବଂ ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ସମସ୍ୟାର ସମାଧାନ ବାଟ ବାହାର କରିବୁ ବୋଲି କହିଛନ୍ତି ଖାନ୍ନା। ଏଲ୍ଓସି ଏବଂ ଫିଫା ମିଳିତ ଭାବେ କରୋନା ଯୋଦ୍ଧା (ଆଗଧାଡ଼ିର ଶ୍ରମିକ ଓ ବର୍ତି ଯାଇଥିବା ଲୋକ)ଙ୍କ ଉତ୍ସାହକୁ ପାଳନ କରିବା ପାଇଁ ଯୋଜନା ରଖିଛନ୍ତି। ଏନେଇ ବିଭିନ୍ନ ଯୋଜନା ମଧ୍ୟ ଅଗଷ୍ଟରୁ ଆରମ୍ଭ କରାଯାଇପାରେ। ବିଶ୍ବକପ୍ ପ୍ରଚାର ପାଇଁ ଆମ ପାଖରେ ଏକାଧିକ ଯୋଜନା ରହିଛି, ହେଲେ କରୋନା ଯୋଗୁଁ ସେସବୁ ସ୍ଥଗିତ ରଖିଛୁ। ତେବେ ଆୟୋଜକ ସହରରେ ଶୀଘ୍ର ସେସବୁ ଆରମ୍ଭ କରିବାର ଯୋଜନା ରହିଛି ବୋଲି ଖାନ୍ନା କହିଛନ୍ତି।
୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଭାରତରେ ହିଁ ଆୟୋଜିତ ହେବ। ଦେଶର ୫ ସହର ଅହମ୍ମଦାବାଦ, ଭୁବନେଶ୍ବର, ଗୁଆହାଟୀ, କୋଲ୍କାତା ଏବଂ ନଭି ମୁମ୍ବାଇରେ ଏହି ବିଶ୍ବକପ୍ର ମ୍ୟାଚ୍ଗୁଡ଼ିକ ଖେଳାଯିବ। ଦଳଗୁଡ଼ିକ ସେମାନଙ୍କ ନିଜ ନିଜ ସ୍ଥାନରୁ ଭ୍ରମଣ କରିବା ବ୍ୟତୀତ ଏହି ବିଶ୍ବକପ୍ ଭାରତକୁ ଅସଂଖ୍ୟ ବିଦେଶୀ ପ୍ରତିନିଧି ଆସିବାର ମଧ୍ୟ ଦେଖିବ। ଦେଶ ଦେଶ ମଧ୍ୟରେ ବିମାନ ଯାତ୍ରା ଉପରେ କଟକଣା ଜାରି ରହିଥିଲେ ମଧ୍ୟ ଏହାକୁ ସେତେବେଳେ ନୀତିଗତ ଭାବେ ପରିଚାଳନା କରାଯାଇପାରିବ ବୋଲି ଖାନ୍ନ କହିଛନ୍ତି। ଏହି ବିଶ୍ବକପ୍ରେ ୧୬ ଦଳ ଭାଗ ନେଉଥିବାରୁ ସେମାନଙ୍କ ପାଇଁ ହୋଟେଲ ରୁମ୍, ଯାତାୟାତ, ମେଡିକାଲ, ଷ୍ଟାଡିୟମ୍ ଏବଂ ପ୍ରସ୍ତୁତି ସୁବିଧାର ଆବଶ୍ୟକତାକୁ ପୂରଣ କରାଯିବା ଦିଗରେ ପଦକ୍ଷେପ ନିଆଯିବ। ବିଶ୍ବକପ୍କୁ କେବଳ ଗୋଟିଏ ସହରରେ ଆୟୋଜନ କରିବା ସମ୍ଭବ ନଥିଲା। ତେଣୁ ଆମେ ଏହାକୁ ୫ ଭେନ୍ୟୁକୁ ବିସ୍ତାରିତ କରିଛୁ। ହେଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ସହ ଏକାଠି ଆମେ ଏହାର ଶ୍ରେଷ୍ଠ ସମାଧାନ ଦିଗରେ କାର୍ଯ୍ୟ କରିବୁ ବୋଲି ସକାରାତ୍ମକ ମନୋଭାବ ଓ ବିଶ୍ବାସ ରଖିଛୁ। ଦେଶରେ ମହିଳା ଫୁଟ୍ବଲ୍ର ଖ୍ୟାତି ଓ ସାମର୍ଥ୍ୟକୁ ଦେଖାଇଦେବାକୁ ବିଶ୍ବକପ୍ ଆମ ପାଇଁ ସୁଯୋଗ ଆଣିଛି। ଆଉ ଆମେ ତାକୁ ହରାଇବାକୁ ଦେବୁନି। ବରଂ ସଫଳତାର ସହ ଆୟୋଜନ କରିବୁ ବୋଲି ଦୃଢ଼ତାର ସହ କହିଛନ୍ତି ଖାନ୍ନା।
ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ଦେଶବ୍ୟାପୀ ହୋଇଥିବା ଲକଡାଉନ୍ ଶେଷ ହେବା ପରେ ୧୭ ବର୍ଷରୁ କମ୍ ଭାରତୀୟ ମହିଳା ଦଳ ପିଚ୍କୁ ଫେରିବା ଲାଗି ବ୍ୟଗ୍ର ଅଛନ୍ତି ବୋଲି ଏହାର ମୁଖ୍ୟ ପ୍ରଶିକ୍ଷକ ଥୋମାସ ଡେନର୍ବି କହିଛନ୍ତି। ‘‘ମୁଁ ଭାବୁଛି ବାଳିକାମାନେ ପିଚ୍କୁ ଫେରିବା ପାଇଁ ଆତୁର ଅଛନ୍ତି। ଫୁଟବଲ୍ ହେଉଛି ସେମାନଙ୍କର ଜୀବନ। ସେମାନେ କେବଳ ଖେଳ ଖେଳିବାକୁ ଚାହୁଁଛନ୍ତି ବୋଲି ଭାରତୀୟ ମହିଳା ଫୁଟ୍ବଲ୍ ଦଳର ଫେସ୍ବୁକ୍ ପୃଷ୍ଠାରେ ଡେନର୍ବି କହିଛନ୍ତି। ସେମାନେ ଏବେ ଏଭଳି ଏକ ପର୍ଯ୍ୟାୟରେ ଅଛନ୍ତି ଯେଉଁଠାରେ ସେମାନେ ଉଚ୍ଚସ୍ତରକୁ ଉଠିବା ଲାଗି ଚେଷ୍ଟା କରିପାରିବେ। ଫିଟ୍ନେସ୍ ରହିବା ଲାଗି ସେମାନଙ୍କ ପାଇଁ ଅନେକ ପ୍ରଶିକ୍ଷଣ ସାରଣୀ ରହିଛି। ହେଲେ ଏଥିଲାଗି ପିଚ୍ ପ୍ରଦର୍ଶନ ଆବଶ୍ୟକ। ସେମାନେ ଫୁଟ୍ବଲ୍ ସହିତ ପିଚ୍କୁ ଫେରିବା ଲାଗି ଚାହୁଁଛନ୍ତି’’ ବୋଲି ଡେନର୍ବି କହିଛନ୍ତି। ବିଶ୍ବକପ୍ ପ୍ରସ୍ତୁତ ଲାଗି ଭାରତୀୟ ସାମ୍ଭାବ୍ୟ ଦଳ ଗୋଆରେ ଅନୁଷ୍ଠିତ ଶିବିରରେ ଅଭ୍ୟାସ କରୁଥିଲେ। ହେଲେ ଫେବ୍ରୁଆରିରେ ସେମାନେ ନିଜ ନିଜ ଘରକୁ ଫେରିଥିଲେ। ଏମାନେ ନିଜର ନିଜର ଶ୍ରେଷ୍ଠତ୍ବ ଦେଖାଇବା ସହ ଉପରକୁ ଉଠିବା ଲାଗି ଏହା ଏକ ସୁବର୍ଣ୍ଣ ସୁଯୋଗ। କେତେ ଲୋକ ଏଭଳି ସୁଯୋଗ ପାଆନ୍ତି ବୋଲି ଡେନର୍ବି ମତ ଦେଇଛନ୍ତି। ଚୂଡ଼ାନ୍ତ ଦଳରେ ୨୩ ଜଣ ଖେଳାଳି ରହିବେ। ସୂଚନାଯୋଗ୍ୟ ଯେ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଭାରତରେ ଚଳିତ ବର୍ଷ ହେବାର ଥିଲା। ହେଲେ କରୋନା ଲାଗି ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ବର୍ଷ ଫେବ୍ରୁଆରି ୧୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଭାରତର ପାଞ୍ଚଟି ସ୍ଥାନରେ ଏହା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ବି ରହିଛି।