ଅହମଦାବାଦ: ଆଇପିଏଲ୍ରେ ପୂର୍ବରୁ ଆମେ ଦୁଇ ଭାଇ ଦୁଇ ଦଳରେ ରହି ପରସ୍ପର ମୁକାବିଲାରେ ଅବତୀର୍ଣ୍ଣ ହେବା ଦେଖିଛେ। ହେଲେ ରବିବାର ଏହି ଧନି କ୍ରିକେଟ୍ ଲିଗ୍ରେ ପ୍ରଥମ ଥର ଦୁଇ ଭାଇ ଦୁଇ ଭିନ୍ନ ଦଳର ନେତୃତ୍ବ ନେଇ ମୁହାଁମୁହିଁ ହୋଇଥିଲେ। ସ୍ଥାନୀୟ ମୋଟେରା ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ଆଇପିଏଲ୍ର ୫୧ତମ ମ୍ୟାଚ୍ରେ ଭାଣ୍ଡ୍ୟା (କୃନାଲ ଓ ହାର୍ଦ୍ଦିକ) ଭ୍ରାତାଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିଥିଲା। ସାନ ଭାଇ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସର ଅଧିନାୟକ ରହିଥିଲା ବେଳେ କେଏଲ୍ ରାହୁଲ ଚଳିତ ଆଇପିଏଲ୍ରୁ ବାଦ୍ ପଡ଼ିବାରୁ କୃନାଲଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ନେତୃତ୍ବ ଭାର ମିଳିଥିଲା। ଉଭୟ ନିଜ ନିଜ ଦଳର ନେତୃତ୍ବ ନେଇ ରବିବାର ଲଢ଼େଇକୁ ଓହ୍ଲାଇଥିଲେ।
ଟସ୍ ବେଳେ ମଧ୍ୟ ଦୁଇ ଭାଇ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଦୁଇ ଭାଇ ପରସ୍ପର ବିପକ୍ଷରେ ଲଢୁଥିଲେ ମଧ୍ୟ ଉଭୟଙ୍କ କାନ୍ଧରେ ନେତୃତ୍ବ ଭାର ରହିଥିବାରୁ ପାଣ୍ଡ୍ୟା ପରିବାର ଲୋକମାନେ ବହୁତ ଖୁସି ହୋଇଥିଲେ। ଅବଶ୍ୟ ଶେଷରେ ବଡ଼ ଭାଇଙ୍କୁ ବିପକ୍ଷରେ ସାନ ଭାଇ ଜିତାପଟ ମାରିଥିଲେ। ‘ବହୁଦିନର ସ୍ବପ୍ନ ସତ ହେଲା, ଆମେ ନିଜ ନିଜ ଦଳର ନେୃତ୍ବତ୍ବ ନେଇ ଲଢ଼େଇକୁ ଓହ୍ଲାଇଛୁ’ ବୋଲି ବଡ଼ ଭାଇ ୩୨ ବର୍ଷୀୟ କୃନାଲ କହିଛନ୍ତି। ‘ଆଜି ଆମ ପରିବାର ପାଇଁ ଭାବପ୍ରବଣର ଦିନ ଥିଲା, ଆମ ବାପା ଗର୍ବ ଅନୁଭବ କରୁଛନ୍ତି’ ବୋଲି ୨୯ ବର୍ଷୀୟ ହାର୍ଦ୍ଦିକ କହିଛନ୍ତି।
ଭାଇ-ଭାଇ ଭାବରେ ଇର୍ଫାନ ପଠାନ ଓ ୟୁସୁଫ ପଠାନ, ମାଇକେଲ ହସି ଓ ଡେଭିଡ ହସି, ଟମ କରନ୍ ଓ ସାମ କରନ୍, ସନ୍ ମାର୍ସ ଓ ମିଚେଲ ମାର୍ସ, ଆବି ମର୍କେଲ ଓ ମର୍ନି ମର୍କେଲ, ଦୀପକ ଚହର ଓ ରାହୁଲ ଚହର, ବ୍ରେଣ୍ଡନ ମ୍ୟାକ୍ଲମ ଓ ନାଥନ ମ୍ୟାକ୍ଲମ, ଡ୍ବେନ ବ୍ରାଭୋ ଓ ଡାରେନ ବ୍ରାଭୋ ଏବଂ ଡୁଆନ୍ ଜାନସେନ ଓ ମାର୍କୋ ଜନସନ ଆଇପିଏଲ୍ ଖେଳିଛନ୍ତି। ହେଲେ ପ୍ରଥମ ଥର ପାଇଁ ହାର୍ଦିକ୍ ଓ କୃନାଲଙ୍କୁ ଭିନ୍ନ ଦଳରେ ନେତୃତ୍ବ ନେଇ ମୁହାଁମୁହିଁ ହେବାର ଦେଖାଯାଇଥିଲା।