ଫାଇନାଲ୍‌ରେ ପାନ୍ଥର୍ସ-ଲାୟନ୍ସ, ସ୍ବସ୍ତିକଙ୍କ ବିସ୍ଫୋରକ ଶତକ

ଭୁବନେଶ୍ବର: ଓଡ଼ିଶା ଟାଇଗର୍ସକୁ ପରାସ୍ତ କରି ଓଡ଼ିଶା ପାନ୍ଥର୍ସ ଚଳିତ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍ ଲିଗ୍‌ (ଓସିଏଲ୍‌)ର ଫାଇନାଲ୍‌ରେ ପ୍ରବେଶ କରିଛି। କଟକର ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ପାନ୍ଥର୍ସ ୫ ୱିକେଟ୍‌ରେ ଟାଇଗର୍ସକୁ ପରାସ୍ତ କରିଥିଲା। ଏହି ଦଳ ବୁଧବାର ଫାଇନାଲ୍‌ରେ ଲାୟନ୍ସକୁ ଭେଟିବ। ଟସ୍‌ ଜିତି ପାନ୍ଥର୍ସ ପ୍ରଥମେ ବୋଲିଂ କରିଥିଲା। ଜୟନ୍ତ ବେହେରା (୩/୨୩), ଶୁଭମ୍‌ ନାୟକ (୨/୧୭) ଓ ଆଲୋକ ସାହୁ (୧/୨୩)ଙ୍କ ଚମତ୍କାର ବୋଲିଂ ଯୋଗୁଁ ଟାଇଗର୍ସ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୧୭ ରନ୍‌ କରିପାରିଥିଲା। ଅଧିନାୟକ ଦେବାଶିଷ ସାମନ୍ତରାୟ (୩୧), ୱିକେଟ୍‌ରକ୍ଷକ ଦିବ୍ୟଶକ୍ତି ଚକ୍ରବର୍ତୀ (୨୯), ସଞ୍ଜୟ ଦାସ (୧୭*) ଏବଂ ଅମିନ ଖାନ୍‌ (୧୧) ଦୁଇ ଅଙ୍କ ଛୁଇଁଥିଲେ। ଜବାବରେ ଅଭିଷେକ ଯାଦବ (୫୦ ରନ୍‌, ୩୯ ବଲ୍‌, ୫ ଚୌକା, ୧ ଛକା)ଙ୍କ ଅପରାଜିତ ଅର୍ଧଶତକ ସାଙ୍ଗକୁ ଆଲୋକ ସାହୁ (ଅପରାଜିତ ୧୬), ବିନିତ ମହାନ୍ତି (୧୬) ଓ ରଞ୍ଜିତ ପାଇକରାୟ (୧୩)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ବଳରେ ବସନ୍ତ ମହାନ୍ତିଙ୍କ ନେତୃତ୍ବାଧୀନ ପାନ୍ଥର୍ସ ୧୯.୫ ଓଭରରେ ୫ ୱିକେଟ୍‌ ହରାଇ ୧୨୧ ରନ୍‌ କରିନେଇଥିଲା। ଶେଖର ମାଝୀ (୨/୨୧), ମିନାଲ ପରିଡ଼ା (୧/୧୭), ହର୍ଷିତ୍‌ ରାଠୋଡ଼ (୧/୯) ଓ ଦେବାଶିଷ ସାମନ୍ତରାୟ (୧/୧୭) ସଫଳ ବୋଲର ରହିଥିଲେ। ଅଭିଷେକ ଯାଦବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଦ୍ବିତୀୟ ସେମିଫାଇନାଲ୍‌ରେ ଓଡ଼ିଶା ଲାୟନ୍ସ ପ୍ରତିପକ୍ଷ ଓଡ଼ିଶା ପ୍ୟୁମାସକୁ ୭୫ ରନ୍‌ର ବଡ଼ ବ୍ୟବଧାନରେ ହରାଇ ଦେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଲାୟନ୍ସ ସ୍ବସ୍ତିକ ସାମଲଙ୍କ ବିସ୍ଫୋରକ ଶତକ (୧୧୦*, ୬୮ ବଲ୍‌, ୭ ଚୌକା, ୭ ଛକା) ଏବଂ ସୁଜିତ ଲେଙ୍କା (୩୭*, ୩୦ ବଲ, ୨‌ ଚୌକା, ୧ ଛକା)ଙ୍କ ପାଳି ବଳରେ ୨ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ଜିତେନ୍ଦ୍ର ଥାପ୍ପା (୪-୦-୫୩-୧) ଏବଂ ଟୁକୁନା ସାହୁ (୪-୦-୩୩-୧) ଗୋଟିଏ ଲେଖାଏଁ ଦଖଲ କରିଥିଲେ। ଶୁଭ୍ରଜ୍ୟୋତି ମିଶ୍ର (୪) ଏବଂ ରାକେଶ ପଟ୍ଟନନାୟକ (୧୬)ଙ୍କ ପରେ ସ୍ବସ୍ତିକ ଓ ସୁଜିତ ଅତୁଟ ତୃତୀୟ ୱିକେଟ୍ ପାଇଁ ୧୧୧ ରନ୍‌ ଯୋଡ଼ିଥିଲେ। ଜବାବରେ ଓଡ଼ିଶା ପ୍ୟୁମାସ ପାଳି ୬୧ ରନ୍‌ରେ ୯ ୱିକେଟ୍ ହରାଇ ଦେବା ପରେ ଆଉ ଆଗକୁ ବଢ଼ି ପାରିନଥିଲା। ଶିବାଶିଷ ସାହୁ (୪-୦-୨୬-୪), ବିକାଶ କୁମାର ରାଉତ (୪-୧-୧୬-୩), ନୌତମ ଭଞ୍ଜ (୧-୦-୩-୧), ଦୀପକ ରଂଜନ ବେହେରା (୩-୦-୧୧-୧), ଆଲୋକ କୁମାର ମଙ୍ଗରାଜ (୩.୨-୧୭-୧) ୱିକେଟ୍‌ ବାଣ୍ଟି ନେବାରୁ ପ୍ୟୁମାସ୍ ପାଳି ୧୮.୨ ଓଭରରେ ୯୭ ରନ୍‌ରେ ଶେଷ ହୋଇଯାଇଥିଲା। ସନ୍ଦୀପ ପଟ୍ଟନାୟକ (୨୬) ଏବଂ ଜିତେନ୍ଦ୍ର ଥାପ୍ପା (୨୧) କେବଳ ୨୦ ଟପି ପାରିଥିଲେ। ବିସ୍ଫୋରକ ଶତକ ହାସଲ କରିଥିବା ସ୍ବସ୍ତିକ ସାମଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ଓସିଏ ସଦସ୍ୟ ଧୀରେନ ପଲ୍ଲାଇ।

ସମ୍ବନ୍ଧିତ ଖବର