କଡ଼ା ସର୍ତ୍ତରେ ହେବ ଖେଳାଳିଙ୍କ ଅଭ୍ୟାସ: ଲକ୍‌ଡାଉନ୍‌ ପରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସାଇ ପ୍ରସ୍ତୁତ

ନୂଆଦିଲ୍ଲୀ: ଦୁଇ ଗଜ ଦୂର‌ରେ ରହି ସାମାଜିକ ଦୂରତା ମାନିବା, ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ୍‌, ପ୍ରଶିକ୍ଷଣ ସ୍ଥାନରେ ଏସି ବ୍ୟବହାର, ହ୍ୟାଣ୍ଡ୍‌ସେକ୍‌ ନ କରିବା ଏବଂ କୋଭିଡ-୧୯ ସଂକ୍ରମଣ ପାଇଁ ବାଧ୍ୟତାମୂଳକ ପରୀକ୍ଷା ସହ ୧୪ ଦିନ ସଂଗରୋଧ ରହିବା ପରେ ନାଜାଲ ସ୍ବାବ୍‌ ପରୀକ୍ଷା କରାଯିବ। ସନ୍ତରଣାଗାର, ଜିମ୍‌ ବ୍ୟବହାର ଉପରେ ବାରଣ, କରୋନା ଭୂତାଣୁର ପ୍ରକୋପ ନ କମିବା ପର୍ଯ୍ୟନ୍ତ ଶିବିରରେ ରହିବା। ଲକ୍‌ଡାଉନ୍‌ ପରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ଏହି ସବୁ ସର୍ତ୍ତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଖେଳାଳି, ପ୍ରଶିକ୍ଷକ ଏବଂ ସହଯୋଗୀ ଅଧିକାରୀଙ୍କ ପାଇଁ ରଖିଛି। ସଚିବ ରୋହିତ ଭରଦ୍ୱାଜଙ୍କ ନେତୃତ୍ୱରେ ୬ ଜଣିଆ ସମିତି ଗଠନ ହୋଇଛି। ଏହି ଉଚ୍ଚ କ୍ଷମତା ସମ୍ପନ୍ନ ସମିତି ସାଇ ତାଲିମ କେନ୍ଦ୍ର ଏବଂ ଜାତୀୟ ଉତ୍କର୍ଷତା କେନ୍ଦ୍ର (ଏନ୍‌ସିଓଇଏସ୍‌) ‌ପୁନଃ ଖୋଲିବା ପାଇଁ ଏକ ବିସ୍ତୃତ ମାନଦଣ୍ଡ ବା ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡର୍ସ’ (ଏସ୍‌ଓପି) ସ୍ଥିର କରିଛି।

ଭାରତୀୟ କ୍ରୀଡ଼ାକୁ ପୁନଃ ଆରମ୍ଭ କରିବାକୁ ହେଲେ ପ୍ରସ୍ତୁତି ହୋଇଥିବା ଏହି ଏସ୍‌ଓପି ନିର୍ଦ୍ଦେଶାବଳୀକୁ ସମସ୍ତ ତାଲିମ କେନ୍ଦ୍ରଗୁଡ଼ିକ ପାଳନ କରିବା ଉଚିତ। ଏହାକୁ ଧ୍ୟାନରେ ରଖି ଏକ ସଂରକ୍ଷିତ ପରିବେଶରେ ତାଲିମ ଆରମ୍ଭ କରିବା ପାଇଁ ସ୍ଥାୟୀ ଆଥଲେଟ୍, ପ୍ରଶିକ୍ଷକ, ସହଯୋଗୀ କର୍ମଚାରୀ, ପ୍ରଶାସନିକ ଅଧିକାରୀଙ୍କ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। କ୍ରୀଡ଼ାକୁ ନେଇ ବିଭିନ୍ନ ବର୍ଗ ପ୍ରସ୍ତୁତି ହୋଇଛି। ପ୍ରତ୍ୟେକ ବର୍ଗ ପାଇଁ ସତର୍କତା ଅଲଗା ଅଲଗା ରହିଛି।

ବର୍ଗ ଏ’ (ଅଣସଂଯୋଗ କ୍ରୀଡ଼ା): ତୀରନ୍ଦାଜି, ବନ୍ଧୁକଚାଳନା, ସାଇକେଲ ଚାଳନା, ଅସୀଚାଳନା, ଆଥଲେଟିକ୍ସ, ଭାରୋତ୍ତୋଳନ, ଲନ୍ ଟେନିସ୍, ବ୍ୟାଡମିଣ୍ଟନ୍ ଓ ଟେବୁଲ୍ ଟେନିସ୍।
ତାଲିମ ଏବଂ ଯନ୍ତ୍ରପାତି କାର୍ଯ୍ୟକଳାପ ପାଇଁ ସତର୍କତା: ପ୍ରଶିକ୍ଷଣ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ଶୃଙ୍ଖଳା ରହିବ। ବ୍ୟକ୍ତିଗତ କିମ୍ବା ଯୁଗଳରେ ଆଥଲେଟ୍ସ ଏବଂ କର୍ମଚାରୀଙ୍କ ମଧ୍ୟରେ ୧.୫ରୁ ୨ ମିଟର ଦୂରତା ରହିବ ଏବଂ ପ୍ରଶିକ୍ଷଣ ସରିବା କ୍ଷଣି ଫେରିବା। ବ୍ୟକ୍ତିଗତ ଉପକରଣ ଯେପରିକି ଧନୁ, ବନ୍ଧୁକ, ଖଣ୍ଡା, ଜାଭେଲିନ୍, ଡିସ୍‌କସ୍‌, ରାକେଟ୍ ଇତ୍ୟାଦି କାହା ସହ ଭାଗ କରିବନି। ଅଂଶୀଦାର ତାଲିମ ଉପକରଣ ଯେପରିକି ତୀର, ସଟଲ କକ୍, ବଲ୍, ଟାର୍ଗେଟ୍, ଅଲିମ୍ପିକ୍ ବାର୍ / ଓଜନ ଇତ୍ୟାଦି ପ୍ରତ୍ୟେକ ବ୍ୟବହାର ପରେ ଭଲ ଭାବେ ସଫା ହେବା ଆବଶ୍ୟକ। ଏସବୁ ଜିନିଷ‌ କେବେ ବି ଦେହରେ ଲଗାଇବନି, ଏଥିରେ ଝାଳ ଲାଗିବାକୁ ଦେବନି, ମୁହଁ ଲଗାଇବାନି। ବ୍ୟକ୍ତିଗତ ଉପକରଣ ଗୁଡ଼ିକ ବ୍ୟବହାର ପରେ ଏହାକୁ ଭଲ ଭାବେ ସଫା କରି ସାଥୀରେ ନେବ। ସର୍ବଦା ମାସ୍କ, ଗ୍ଲୋବ୍‌ସ ବ୍ୟବହାର କରିବା ବାଧ୍ୟତାମୂଳକ।

ବର୍ଗ ବି’ (ସ୍ବଳ୍ପ ସଂଯୋଗ କ୍ରୀଡ଼ା): ଫୁଟ୍‌ବଲ୍‌, ହକି, ଭଲିବଲ୍, ବାସ୍କେଟବଲ୍ ଏବଂ ହ୍ୟାଣ୍ଡବଲ୍।
ସତର୍କତା: ଆଥଲେଟ୍ ଏବଂ କର୍ମଚାରୀଙ୍କୁ ନେଇ ଛୋଟ ଗ୍ରୁପ୍‌ (ସର୍ବାଧିକ ୮-୧୦ ଜଣ)ରେ ପ୍ରଶିକ୍ଷଣ ଅନୁଷ୍ଠିତ ହେବ। ୧.୫ରୁ ୨ ମିଟର ଦୂରତା ନିୟମ ବଜାୟ ରହିବ। ପ୍ରଶିକ୍ଷଣ ବେଳେ ଶାରୀରିକ ସମ୍ପର୍କ ଯେପରି ନରହିବ ତା ଉପରେ ଗୁରୁତ୍ବ ଦେବ। ଟ୍ୟାକ୍ଲିଂ, ଶରୀର-ଅବରୋଧ ଇତ୍ୟାଦିଠୁ ଦୂରେଇ ରହିବ। ପିଚକୁ ତିନି/ଚାରିଟି ଅଞ୍ଚଳରେ ବିଭକ୍ତ କରାଯିବ, ପ୍ରତ୍ୟେକ ସ୍ଥାନରେ ସର୍ବାଧିକ ତିନି ଜଣ ଖେଳାଳି ରହିବେ। ମୁଖ୍ୟ ପ୍ରଶିକ୍ଷକ ଏବଂ ଜଣେ ସହକାରୀ ପ୍ରଶିକ୍ଷକ ନିରାପଦ ଦୂରତା/ଭିଡିଓ ଟାୱାରରୁ ତଦାରଖ କରିବେ। ଏହି ଦୁଇ ଜଣଙ୍କ ବଲ୍ ଏବଂ କୋନ୍‌ ଉଠାଇବାକୁ କର୍ମଚାରୀ ରହିବେ। ଏମାନେ ପରେ ଜୀବାଣୁନାଶକ ଲାଗି ସଫାସୁତୁରା ହେବେ। ବ୍ୟାୟାମ ଓ ଅଧିବେଶନ ଦିନକୁ ଏକ ଘଣ୍ଟାରୁ ଅଧିକ ହେବନି।ଏହି ସମୟରେ ଖେଳାଳିମାନେ ପରସ୍ପରଠାରୁ ୧୦ ମିଟର ଦୂରତାରେ ରହିବେ। କୌଣସି ପ୍ରକ‌ାର ପ୍ରତିଯୋଗିତାମୂଳକ ଖେଳ ଖେଳାଯିବନି। ବ୍ୟକ୍ତିଗତ ଉପକରଣ ଯେପରିକି ହକି ଷ୍ଟିକ୍, ଗ୍ଲୋବସ୍, ମାସ୍କ, ପାଟି ଗାର୍ଡ, ହେଲମେଟ, ସିନ୍ ଗାର୍ଡ, ରିଷ୍ଟ୍‌ ବ୍ୟାଣ୍ଡ, ହେଡ୍ ବ୍ୟାଣ୍ଡ, ଜୋତା ଇତ୍ୟାଦି ଅଂଶୀଦାର ନକରି ବ୍ୟବହାର କରାଯିବ। ପ୍ରଶିକ୍ଷଣ ସରିବା ମାତ୍ରେ ଖେଳାଳିମାନେ ପଡ଼ିଆ ଛାଡ଼ିବେ।

ବର୍ଗ ସି’ (ପୂର୍ଣ୍ଣ ସଂଯୋଗ କ୍ରୀଡ଼ା): ମୁଷ୍ଟିଯୁଦ୍ଧ, କୁସ୍ତି, ଜୁଡୋ, ଉଷୁ, କରାଟେ ଓ ଟାଏକୋଣ୍ଡୋ।
ସତର୍କତା: ଶାରୀରିକ ସଂସ୍ପର୍ଶର ବିକଳ୍ପ ବ୍ୟବହାର କରି କିଛି ଆଥ୍‌ଲେଟ୍‌କୁ ନେଇ ପୃଥକ ପୃଥକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ନିଜସ୍ବ ବ୍ୟକ୍ତିଗତ ଯନ୍ତ୍ରପାତି ଯେପରିକି ଗ୍ଲୋବସ୍, ମାସ୍କ, ପାଟି ଗାର୍ଡ, ହେଲମେଟ, ରିଷ୍ଟ୍‌ ବ୍ୟାଣ୍ଡ, ହେଡ୍ ବ୍ୟାଣ୍ଡ, ତାଲିମ ପୋଷାକ, ଜୋତା ଇତ୍ୟାଦି ବ୍ୟବହାର କାରାଯିବ। ଏହାକୁ କାହା ସହିତ ଭାଗ କରିବନି। ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନ ପୂର୍ବରୁ ଓ ପରେ ନିରନ୍ତର ହାତ ସଫା କରିବା ଜରୁରୀ। ଆଥଲେଟ୍ ଏବଂ କର୍ମଚାରୀଙ୍କ ମଧ୍ୟରେ ୧.୫ରୁ ୨ ମିଟର ଦୂରତା ନିୟମ ବଜାୟ ରହିବ। ପ୍ରଶିକ୍ଷଣ ସମାପ୍ତ ହେବା ମାତ୍ରେ ଆଥଲେଟ୍‌ମାନେ ତୁରନ୍ତ ସ୍ଥାନ ଛାଡ଼ିବେ।

ବର୍ଗ ଡି’ (ଜଳ କ୍ରୀଡ଼ା): କାନୋଇଂ, ସେଲିଂ, ରୋଇଂ ଇତ୍ୟାଦି।
ସତର୍କତା: ପହଁରିବାର ଅନୁମତି ଦିଆଯିବ ନାହିଁ। ସମ୍ପୂର୍ଣ୍ଣ ଶୃଙ୍ଖଳିତ ସହ ଏକକ ଓ ଯୁଗଳ ବିଭାଗରେ ପ୍ରଶିକ୍ଷଣ ଆରମ୍ଭ କରିହେବ। ଖେଳାଳି ଓ କର୍ମଚାରୀଙ୍କ ମଧ୍ୟରେ ୧.୫ରୁ ୨ ମିଟର ଦୂରତା ଏବଂ ପ୍ରଶିକ୍ଷଣ ସମାପ୍ତ ହେବା ମାତ୍ରେ ସ୍ଥାନ ଛାଡ଼ିବା ବାଧ୍ୟତାମୂଳକ।

ପରିସର ଏବଂ କଭରେଜ୍
ଏହି ଏସ୍‌ଓପି ଆଥ୍‌ଲେଟ୍‌ମାନେ ତାଲିମ ନେଉଥିବା ସମସ୍ତ ସାଇ ଓ ଅଣ ସାଇ ତାଲିମ କେନ୍ଦ୍ର ପାଇଁ ପ୍ରଯୁଜ୍ୟ। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ପର୍ଯ୍ୟାୟକ୍ରମେ ତାଲିମ ଆରମ୍ଭ ହେବ। ସମସ୍ତ ଆଥଲେଟ୍, ବୈଷୟିକ ଓ ଅଣ-ବୈଷୟିକ ସହ କର୍ମଚାରୀ, ସାଇ ପ୍ରଶାସନିକ କର୍ମଚାରୀ, ଛାତ୍ରାବାସ ଏବଂ ଅନ୍ୟନ୍ୟ ସହ କର୍ମଚାରୀ ଓ କେନ୍ଦ୍ର ପରିଦର୍ଶନକାରୀ ଏଥିରେ ଅନ୍ତର୍ଭୁକ୍ତ।
ଯତ୍ନର ସହ ମୂଲ୍ୟାଙ୍କନ ପରେ ସିଦ୍ଧାନ୍ତ ନିଆଗଲା ଯେ ପ୍ରଶିକ୍ଷଣ ପୁନଃ ଆରମ୍ଭ କରିବାକୁ ଚାହୁଁଥିବା ଆଥଲେଟ୍ସ/କର୍ମଚାରୀମାନେ ନିଶ୍ଚିତ ଭାବରେ ପ୍ରାଥମିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବେ। ସମସ୍ତଙ୍କର କୋଭିଡ୍-୧୯ ପରୀକ୍ଷା କରାଯିବ। ସଂକ୍ରମିତ ଥିଲେ ସଂଗରୋଧରେ ରହିବେ। ସୁସ୍ଥ ହେବା ପରେ ସାଇ କେନ୍ଦ୍ର ଡାକ୍ତର-ଇନ୍-ଚାର୍ଜଙ୍କଠୁ ସୁସ୍ଥତା ପ୍ରମାଣପତ୍ର ଆଣିବା ନିହାତି ଜରୁରୀ। ବେଙ୍ଗାଲୁରୁର ପ୍ରକାଶ ପାଦୁକୋନ-ରାହୁଲ ଦ୍ରାବିଡ ସେଣ୍ଟର ଫର୍‌ ସ୍ପୋର୍ଟସ ଏକ୍ସଲେନ୍ସ ଏବଂ ହାଇଦ୍ରାବାଦର ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମି ପରି ଅଣ ସାଇ ତାଲିମ କେନ୍ଦ୍ରରେ ଆଥଲେଟ୍/ କର୍ମଚାରୀଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ହେବ।

ତାଲିମ ପୁନଃ ଆରମ୍ଭ ପୂର୍ବରୁ ପଦକ୍ଷେପ
ପ୍ରତ୍ୟେକ ତାଲିମ କେନ୍ଦ୍ରରେ ଏକ “କୋଭିଡ୍-୧୯ ଟାସ୍କ ଫୋର୍ସ” ଗଠନ। ଟାସ୍କ ଫୋର୍ସ ପ୍ରତ୍ୟେକ ଏନ୍‌ଏସ୍‌ଏଫ୍‌ର ମୁଖ୍ୟ ପ୍ରଶିକ୍ଷକଙ୍କୁ ଏହାର ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରିବ। ଆଥ୍‌ଲେଟ୍‌ମାନଙ୍କ ଗୋଷ୍ଠୀ ଗତିବିଧି ଉପରେ ନଜର ରଖିବା ସହିତ ଏସ୍‌ଓପିରେ ବର୍ଣ୍ଣିତ ନିୟାମାବଳୀଗୁଡ଼ିକ ଠିକ୍‌ ଭାବେ ପାଳନ ହେଉଛି କି ନାହିଁ ଏହାର ତଦାରଖ ସେଣ୍ଟର ଇନ୍‌ ଚାର୍ଜ କରିବେ। କେନ୍ଦ୍ରର ସମସ୍ତ ଆଥଲେଟ୍ ଏବଂ କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ବ୍ୟବହାର ବାଧ୍ୟତାମୂଳକ କରାଯିବ। ଟାସ୍କ ଫୋର୍ସ କେନ୍ଦ୍ରର ସମସ୍ତ ଆଥଲେଟ୍ ଏବଂ କର୍ମଚାରୀଙ୍କ ମଧ୍ୟରେ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରୁଛନ୍ତି କି ନାହିଁ ନିଶ୍ଚିତ କରିବେ। ଟାସ୍କ ଫୋର୍ସ ପ୍ରଶିକ୍ଷକ ଓ ସହଯୋଗୀ କର୍ମଚାରୀ ସହ ନିବିଡ଼ ଭାବରେ କାର୍ଯ୍ୟ କରିବେ। ଏଥିସହ ଏହି ପ୍ରଶ୍ନର ସମାଧାନ ପାଇଁ ନିର୍ଦ୍ଦେଶାବଳୀ ବ୍ୟାଖ୍ୟା କରିବେ: କ) ଘରୁ କେଉଁ ପ୍ରଶିକ୍ଷଣ ପ୍ରଭାବଶାଳୀ ଭାବରେ କରାଯାଇପାରିବ? ଖ) ସଂଖ୍ୟାକୁ କମ୍ କରିବା ଏବଂ ଯୋଗାଯୋଗ ହ୍ରାସ କରିବା ପାଇଁ ତାଲିମ କିପରି ଦିଆ ଯାଇପାରିବ? ଗ) ପ୍ରଶିକ୍ଷଣ ବେଳେ କିପରି ସାମାଜିକ ଦୂରତା ବଜାୟ ରଖା ଯାଇପାରିବ? ଘ) ତାଲିମ ସମୟ କିପରି କମ୍‌ ଲୋକ ରହି ଭଲରେ କରିହେବ?

ତାଲିମ ପାଇଁ ସତର୍କତା
ତାଲିମ ସତର୍କତାଗୁଡ଼ିକର ସମ୍ପୂର୍ଣ୍ଣ ଅନୁକରଣ ନିଶ୍ଚିତ କରିବା। ସମ୍ପୃକ୍ତ ଆଥଲେଟ୍‌ମାନଙ୍କଠାରୁ “ଲିଖିତ କାର୍ଯ୍ୟ” ସୁରକ୍ଷିତ କରିବା ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ର ଦାୟିତ୍ବ। ପ୍ରଶିକ୍ଷଣ କାର୍ଯ୍ୟକଳାପ ସତର୍କତା ସହ ସମ୍ପୂର୍ଣ୍ଣ ଅନୁପାଳନ ହେବ। ଆଥଲେଟ୍ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରତିରକ୍ଷା ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ଏନ୍‌ଏସ୍‌ଏଫ୍‌ ଏକ ସ୍ୱଚ୍ଛତା ଅଧିକାରୀଙ୍କୁ ମନୋନୀତ କରିବ।

ଏଥିମଧ୍ୟରେ ଅନ୍ତର୍ଭୁକ୍ତ
ତାଲିମ ପରିସର ମଧ୍ୟକୁ ପ୍ରବେଶ ପୂର୍ବରୁ ଖେଳାଳି ଏବଂ କର୍ମଚାରୀ ସଂକ୍ରମଣମୁକ୍ତ ବୋଲି ଲିଖିତ ଭାବେ ଟାସ୍କ ଫୋର୍ସ ଅଧିକାରୀମାନଙ୍କୁ ପ୍ରଦାନ କରାଯିବ। ଖେଳାଳିଙ୍କ ସମସ୍ତ ବ୍ୟକ୍ତିଗତ ଉପକରଣ ବିଶୋଧନ ହେବ। ନୂଆ/ଫେରୁଥିବା ଆଥଲେଟ୍‌ (ବିଶେଷକରି ଅଲିମ୍ପିକ୍ ଶିବିର ଆଥଲେଟ୍)ଙ୍କ ପାଇଁ ପାଟି ଲାଳ କିମ୍ବା ନାସାଲ୍ ସ୍ବାବ ପରୀକ୍ଷା କରାଯିବ। ପଡ଼ିଆରେ ଖେଳାଳି ଓ ସହ କର୍ମଚାରୀମାନଙ୍କୁ ଖେଳ ଉପକରଣ କେବଳ ପିପିଇ କିଟ୍‌ ପିନ୍ଧିଥିବା ପଡ଼ିଆ କର୍ମଚାରୀ ପ୍ରଦାନ କରିବେ। ପ୍ରଶିକ୍ଷକ, କର୍ମଚାରୀ ‌ଓ ଖେଳାଳିଙ୍କ ମଧ୍ୟରେ ସର୍ବନିମ୍ନ ଦୂରତା ୧.୫ ରୁ ୨ ମିଟର ରହିବ। ଶାରୀରିକ ସମ୍ପର୍କ ଥିବା ବ୍ୟାୟାମ କରାଯିବ ନାହିଁ। ଆବଶ୍ୟକ ନହେଲେ ସମସ୍ତ ଫିଜିଓଥେରାପି /ମସାଜକୁ ବନ୍ଦ ରଖାଯିବ। ଶୌଚାଳୟ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ନାକ ସଫା କରିବା ନିଷେଧ। ସନ୍ତରଣଗାର ବ୍ୟବହାର ମଧ୍ୟ ବନ୍ଦ ରହିବ। ଏସି ବ୍ୟବହାର ଉପରେ ବାରଣ ରହିବ। ଘର ଝରକା ଖୋଲା ରହିବ। ପ୍ରଶିକ୍ଷଣ ସମୟରେ ଦର୍ଶକଙ୍କୁ ଅନୁମତି ମିଳିବନି।

ସମ୍ବନ୍ଧିତ ଖବର