କଟକ: ହକି ଖେଳ ପାଇଁ ସରକାର ହାତ ଖୋଲା କରିଦେଇଛନ୍ତି। ଦୁଇ ଦୁଇ ଥର ହକି ବିଶ୍ବକପ୍ ଆୟୋଜନ କରି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ହକି ଖେଳକୁ ଓଡ଼ିଶା ସରକାର ପ୍ରୋତ୍ସାହିତ କରୁଛନ୍ତି। ହକି ଆଉ ହକି..ରେ ଏବେ ପୂରା ରାଜ୍ୟ ଉତ୍ସବମୁଖର ଥିବା ବେଳେ ହକି ଖେଳି ଭୁଲ୍ କରିଦେଲେ କି? ଏଭଳି ମନସ୍ତାପ ଭିତରେ ଗୁମୁରି କାନ୍ଦୁଛନ୍ତି କଟକର ଜଣେ ଜାତୀୟସ୍ତରର ହକି ଖେଳାଳି ଯଯାତି ତ୍ରିପାଠୀ। କଟକ ହଜାରୀ ଗଳିରେ ରହୁଥିବା ଯଯାତି ହକି ଖେଳୁଥିବାରୁ ବିଭାଗୀୟ ଆକ୍ରୋଶର ଶିକାର ହୋଇଛନ୍ତି। ହକି ଖେଳ ଛାଡ଼ିଦେବାକୁ ତାଙ୍କ ଉପରେ ବିଭାଗୀୟ ଅଧିକାରୀ ପରୋକ୍ଷରେ ଚାପ ପକାଇଛନ୍ତି। ଭୁବନେଶ୍ବର ଜିପିଓରେ କାମ କରୁଥିବା ଯଯାତିଙ୍କର ରାୟଗଡ଼ା ବଦଳି କରାଯାଇଛି। ସେ ଯେମିତି ହକି ଅଭ୍ୟାସ ନ କରିପାରିବେ ସେଥିପାଇଁ ଏଭଳି ଷଡ଼୍ଯନ୍ତ୍ର କରାଯାଇଛି। ଯଯାତି ଦୀର୍ଘ ୯ ମାସ ହେବ ବିନା ଦରମାରେ ଚଳୁଛନ୍ତି। ଦରମା ନ ପାଇ ବଡକଷ୍ଟରେ ଜୀବନ ବିତାଊଛନ୍ତି। ନିଜ ହକ୍ ପାଇଁ କୋର୍ଟ କଚେରୀରେ ଚକ୍କର ବି କାଟୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଜିଦ୍ ଆଗରେ ଯଯାତି ହାରିଯାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକୁ ଡାକ ବିଭାଗର ଅଧିକାରୀ ଖାତିର କରୁନାହାନ୍ତି। ରାଜ୍ୟରେ ହକି ଖେଳାଳିଙ୍କ ଏ ପ୍ରକାର ଦୁର୍ଦ୍ଦଶାକୁ କଷ୍ଟଦାୟକ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଯଯାତିଙ୍କୁ ବିଭାଗୀୟ ଅଧିକାରୀମାନେ ରାୟଗଡ଼ାକୁ ବଦଳି କରିବା ଓ ରାୟଗଡ଼ାରେ ହକି ଅଭ୍ୟାସ ପାଇଁ ଆଷ୍ଟ୍ରୋ ଟର୍ଫ ପଡିଆନଥିବାରୁ ଅମଙ୍ଗ ଯଯାତିଙ୍କ ଦରମା ବନ୍ଦ ରଖାଯାଇଛି।
କଟକ ତେଲେଙ୍ଗାବଜାର, ହଜାରିଗଳିର ରବିଶଙ୍କର ତ୍ରିପାଠୀଙ୍କ ପୁଅ ଯଯାତି ପିଲା ଦିନରୁ ହକି ପ୍ରତି ଆଗ୍ରହୀ ଥିଲେ। ବାପା ରବି ଶଙ୍କର ହକି ଖେଳାଳି ଥିବାରୁ ଯଯାତି ଏଥିପ୍ରତି ରୁଚି ରଖିଥିଲେ। ସ୍କୁଲ ସମୟରୁ ହକି ଖେଳ ଆରମ୍ଭ କରିଥିଲେ। ଗତ ୨୦୦୫ରୁ ହିଁ ସେ ଜାତୀୟ ହକି ଅଭିଯାନ ଆରମ୍ଭ କରିଥିଲେ। ସେହିବର୍ଷ ଇମ୍ଫାଲରେ ଅନୁଷ୍ଠିତ ସବ୍ଜୁନିଅର୍ ନ୍ୟାସ୍ନାଲ୍ ଖେଳିଥିଲେ। ସେହିଭଳି ରାଉରକେଲା ସେଲ୍ ହକି ଏକାଡେମୀରେ ଯୋଗଦେଇ ବହୁ ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେଇଥିଲେ। ଗତ ୨୦୦୬ରେ ସନିଅର ନ୍ୟାସ୍ନାଲ ଖେଳିବାର ସୁଯୋଗ ମଧ୍ୟ ପାଇଥିଲେ। ୧୯ ବର୍ଷରୁ କମ ଜାତୀୟ ହକି ଚାମ୍ପିଅନସିପ୍ରେ ଯଯାତି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସେହି ପ୍ରତିଯୋଗିତରେ ଅଲମ୍ପିଆନ୍ ବୀରେନ୍ଦ୍ର ଲାକ୍ରା ବେଷ୍ଟ୍ ଫରୱାର୍ଡ ହୋଇଥିବା ବେଳେ ଯଯାତି ବେଷ୍ଟ୍ ଗୋଲ୍କିପର ହୋଇଥିଲେ। ଜୁନିଅର ଇଣ୍ଡିଆ କ୍ୟାମ୍ପରେ ଯୋଗଦେଇଥିଲେ। ଓଡ଼ିଶା ଟିମ୍ ସହିତ ଅନ୍ୟ ଏକାଡେମୀ ଓ ଟିମ୍ରୁ ସେ ବହୁ ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେଇଥିଲେ। ୨୦୧୫ରେ ସନିଅର ଇଣ୍ଡିଆ ଖେଳିଥିଲେ। ସିନିଅର ନ୍ୟାସନାଲ ସହିତ ୨୦୨୧ ପର୍ଯ୍ୟନ୍ତ ବହୁ ମ୍ୟାଚ୍ରେ ଭାଗ ନେଇ ସଫଳତା ହାସଲ କରିଥିଲେ। ତେବେ ଜାତୀୟସ୍ତରର ଖେଳାଳି ହୋଇଥିବାରୁ କ୍ରୀଡ଼ା କୋଟାରେ ତାଙ୍କୁ ଚାକିରି ମିଳିଥିଲା। ସେ ଗତ ୨୦୧୦ରେ ଡାକ ବିଭାଗରେ ପୋଷ୍ଟାଲ୍ ଆସିଣ୍ଟାଣ୍ଟ୍ ଭାବେ ଯୋଗଦେଇଥିଲେ।
ଭୁବନେଶ୍ବର ଜିପିଓରେ କାମ କରିବା ବେଳେ ସେ ବହୁ ମ୍ୟାଚ୍ ଖେଳିଥିଲେ। ମାତ୍ର ପରେ ତାଙ୍କର ପଦୋନ୍ନତି ହୋଇଥିଲା। ଜିପିଓର ଦୁଇ ବରିଷ୍ଠ ଅଧିକାରୀ ତାଙ୍କୁ ହକି ଖେଳ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। ଖେଳ ବନ୍ଦ କରି କାମ ଠିକ୍ଠାକ୍ କରିବାକୁ କହିଥିଲେ। ଗତ ୨୦୨୨ ମେ ୨୦ ତାରିଖରେ ହଠାତ୍ ଯଯାତିଙ୍କୁ ରାୟଗଡା ମୁଖ୍ୟ ଡାକଘରକୁ ବଦଳି କରାଯାଇଥିଲା। ତେବେ ଭୁବନେଶ୍ବର ଓ ରାଉରକେଲାରେ ଅଭ୍ୟାସ ସୁବିଧା ଥିବାରୁ ସେ ଏହି ଦୁଇଟି ସ୍ଥାନରେ କାମ କରିବାକୁ ନିବେଦନ କରିଥିଲେ। ମାତ୍ର ବିଭାଗୀୟ ଅଧିକାରୀ ଚାକିରି କର ନ ହେଲେ ଖେଳ ଛାଡ଼ି ଦିଅ ବୋଲି କହିଥିଲେ। ଏପରିକି ତାଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ରିଲିଭ୍ ମଧ୍ୟ କରିଦେଇଥିଲେ। ପୂର୍ବରୁ କିଛି ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅଗ୍ରୀମ ନେଇଥିବା ଟଙ୍କା କାଟିଦେଲେ। ମାତ୍ର ଯଯାତି ରାୟଗଡାରେ ଯୋଗନଦେଇ କୋର୍ଟରେ ଆଶ୍ରୟ ନେଇଥିଲେ। କୋର୍ଟ ଯଯାତିଙ୍କୁ ଭୁବନେଶ୍ବର ଓ ଏହାର ଆଖପାଖରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବିଭାଗୀୟ ଅଧିକାରୀ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିଲେ। ଯଯାତିଙ୍କ କହିବା କଥା, ସେ ହକି ଖେଳିବା କଣ ତାଙ୍କର ଅପରାଧ ଥିଲା କି? ରାଜ୍ୟରେ ଏବେ ହକିର ଉତ୍ସବ ଚାଲିଥିବା ବେଳେ ସେ ଏବେ ପରିବାର ଚଳାଇବାକୁ ସଂଘର୍ଷ କରୁଛନ୍ତି। ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଯଯାତି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି।