ହାଇଦ୍ରାବାଦ: ପ୍ରଥମ ପାଳିରେ ଭାରତ ୧୯୦ ରନ୍ ଅଗୁଆ ରହିଥିଲେ ମଧ୍ୟ ଓଲି ପୋପ୍ଙ୍କ ଲଢ଼ୁଆ ଶତକ (୧୪୮* ରନ୍) ଇଂଲଣ୍ଡକୁ ଗଭୀର ବିପଦରୁ ବାହାର କରିଛି। ପ୍ରଥମ ଟେଷ୍ଟର ତୃତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ୬ ୱିକେଟ୍ରେ ୩୧୬ ରନ୍ ସଂଗ୍ରହ କରି ନେଇଛି। ଫଳରେ ହାତରେ ଦ୍ବିତୀୟ ପାଳିର ୪ ୱିକେଟ୍ ଥାଇ ଭ୍ରମଣକାରୀ ବେନ୍ ଷ୍ଟୋକ୍ସଙ୍କ ଦଳ ୧୨୬ ରନ୍ ଅଗୁଆ ରହିଛି।
ଶନିବାର ସକାଳେ ଭାରତ ୪୨୧/୭ରୁ ଖେଳିବା ପରେ କୌଣସି ୱିକେଟ୍ ନହରାଇ ୧୫ ରନ୍ ଯୋଡ଼ିଥିଲା। କିନ୍ତୁ ହଠାତ୍ କୌଣସି ରନ୍ ନଯୋଡ଼ି ଶେଷ ୩ ୱିକେଟ୍ ହରାଇ ଦେଇଥିଲା। ରବୀନ୍ଦ୍ର ଜାଡ଼େଜା (୮୭, ୧୮୦ ବଲ୍) ଓ ଯଶପ୍ରୀତ୍ ବୁମରାଙ୍କୁ ଜୋ ରୁଟ୍ ଲଗାତାର ବଲ୍ରେ ଆଉଟ୍ କରିଦେବାର ପରବର୍ତ୍ତୀ ଓଭରରେ ଅକ୍ଷର ପଟେଲ (୪୪, ୧୦୦ ବଲ୍)ଙ୍କୁ ରେହାନ୍ ଅହମଦ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ଫଳରେ ଭାରତର ପ୍ରଥମ ପାଳି ୪୩୬ ରନ୍ରେ ସୀମିତ ରହିଯାଇଥିଲା। ଜୋ ରୁଟ୍ ସର୍ବାଧିକ ୪ ୱିକେଟ୍ ନେଇ ନିୟମିତ ବୋଲରଙ୍କୁ ପଛରେ ପକାଇ ଦେଇଥିଲେ। ଜବାବରେ ଇଂଲଣ୍ଡ କିନ୍ତୁ ବାଜବଲ୍ ଷ୍ଟାଇଲ୍ କ୍ରିକେଟ୍ ଜାରି ରଖି ଓଭର ପିଛା ପ୍ରାୟ ୬ ରନ୍ ହାରରେ ରନ୍ ସଂଗ୍ରହ କରିଥିଲା। ଦଶମ ଓଭରରେ ଜ୍ୟାକ୍ କ୍ରଲିଙ୍କୁ ସ୍ଲିପ୍ରେ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍ କରାଇ ଅଶ୍ବିନ୍ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଭାରତୀୟ ସ୍ପିନର୍ ପ୍ରଭାବହୀନ ରହିବାରୁ ବୁମରାଙ୍କୁ ଅକ୍ରମଣରେ ଲଗାଇ ରୋହିତ ସଫଳ ହୋଇଥିଲେ। ବେନ୍ ଡକେଟ୍ (୪୭) ଓ ଜୋ ରୁଟ୍ (୨)ଙ୍କୁ ବୁମରା ନିଜ ଲଗାତାର ଓଭରରେ ଆଉଟ୍ କରି ଏହି ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ। ରନ୍ ହାର ହ୍ରାସ ପାଇଥିଲା। କିନ୍ତୁ ୨୬ ବର୍ଷୀୟ ଓଲି ପୋପ୍ ଗୋଟିଏ ପଟୁ ଆକ୍ରମଣାତ୍ମକ କ୍ରିକେଟ୍ ଖେଳି ପଞ୍ଚମ ଟେଷ୍ଟ୍ ଶତକ ପୂର୍ଣ୍ଣ କରିବା ସହ ଇଂଲଣ୍ଡକୁ ଅଗୁଆ କରାଇଛନ୍ତି। ତୃତୀୟ ଦିନ ଶେଷ ସୁଦ୍ଧା ପୋପ୍ ୨୦୮ ବଲ୍ ଖେଳି ୧୭ ଚୌକା ସହାୟତାରେ ୧୪୮* ରନ୍ କରିଛନ୍ତି। ବେନ୍ ଡକେଟଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୧୨୩ ରନ୍ ଯୋଡ଼ିବା ଭାରତକୁ ଅଡୁଆରେ ପକାଇଛି। ଅପରାହ୍ଣରେ ରବୀନ୍ଦ୍ର ଜାଡ଼େଜା, ଆର୍ ଅଶ୍ବିନ, ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ବାହାର କରି ଭାରତକୁ ପ୍ରତ୍ୟାବର୍ତନ କରାଇଛନ୍ତି।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୨୪୬ (ବେନ୍ ଷ୍ଟୋକ୍ସ-୭୦, ଆର୍ ଆଶ୍ବିନ-୩/୬୮, ରବୀନ୍ଦ୍ର ଜାଡ଼େଜା-୩/୮୮, ଯଶପ୍ରୀତ୍ ବୁମରା-୨/୨୮, ଅକ୍ଷର ପଟେଲ୍-୨/୩୩)। ଭାରତ ପ୍ରଥମ ପାଳି: ୧୨୧ ଓଭରରେ ୪୩୬ (ରବୀନ୍ଦ୍ର ଜାଡ଼େଜା-୮୭, କେଏଲ୍ ରାହୁଲ-୮୬, ଯଶସ୍ବୀ ଜୟସ୍ବାଲ-୮୦, ଅକ୍ଷର ପଟେଲ୍-୪୪, ଶ୍ରୀକର ଭରତ-୪୧, ଜୋ ରୁଟ୍-୪/୭୯, ରେହାନ ଅହମଦ-୨/୧୦୫, ଟମ୍ ହାର୍ଟଲେ-୨/୧୩୧, ଜ୍ୟାକ୍ ଲିଚ୍-୧/୬୩)। ଇଂଲଣ୍ଡ ଦ୍ବିତୀୟ ପାଳି: ୭୭ ଓଭରରେ ୩୧୬/୬ (ଓଲି ପୋପ୍-୧୪୮*, ବେନ୍ ଡକେଟ୍-୪୭, ବେନ୍ ଫୋକ୍ସ-୩୪, ରେହାନ୍ ଅହମଦ-୧୬*, ଯଶପ୍ରୀତ୍ ବୁମରା-୨/୨୯, ଆର୍ ଅଶ୍ବିନ-୨/୯୩, ଅକ୍ଷର ପଟେଲ୍-୧/୬୯, ରବୀନ୍ଦ୍ର ଜାଡ଼େଜା-୧/୧୦୧)।