ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ପାଇଁ ସ୍ଥଗିତ ରହିଥିବା ଏସୀୟ ପାରା କ୍ରୀଡ଼ା ଆସନ୍ତାବର୍ଷ ଅକ୍ଟୋବରରେ ହାଙ୍ଗ୍‌ଝୁଠାରେ ଆୟୋଜିତ ହେବ। ଏନେଇ ଆୟୋଜକ ଚୀନ୍‌ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଏହି ସମ୍ମାନଜନକ ପ୍ରତିଯୋଗିତା ଚଳିତ ବର୍ଷ ଅକ୍ଟୋବର ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାର ଥିଲା। ହେଲେ ଚୀନ୍‌ରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇବାରୁ ଗତ ମେ’ ମାସରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ପ୍ରତିଯୋଗିତାର ଏହି ଚତୁର୍ଥ ସଂସ୍କରଣ ୨୦୨୩ ଅକ୍ଟୋବର ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଏସୀୟ ପାରାଲିମ୍ପିକ୍ସ କମିଟି (ଏପିସି) ଏବଂ ହାଙ୍ଗ୍‌ଝୁ ପାରା କ୍ରୀଡ଼ା ଆୟୋଜକ ମିଳିତ ବିବୃତ୍ତିରେ କହିଛନ୍ତି। ୨୦୧୦ (ଗୁଆଙ୍ଗ୍‌ଝୁ) ପରେ ଦ୍ବିତୀୟ ଥର ପାଇଁ ଚୀନ୍‌ ଏସୀୟ ପାରା କ୍ରୀଡ଼ାର ଆୟୋଜନ କରିବ।