ନୂଆଦିଲ୍ଲୀ: ଅନିଶ୍ଚିତତା ଭିତରେ ଗତି କରୁଥିବା ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ସମେତ ମୋଟ ୧୧ ପ୍ରସଙ୍ଗ ଉପରେ ବିସିସିଆଇ (ଭାରତୀୟ କ୍ରିକେଟ୍ ବୋର୍ଡ)ର ଶୁକ୍ରବାର ଶୀର୍ଷ ପରିଷଦ ବୈଠକରେ ଆଲୋଚନା ପାଇଁ ଏଜେଣ୍ଡା ତିଆରି ହୋଇଥିଲା। ହେଲେ ଆଇପିଏଲ୍ ନେଇ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ। ବିଶେଷକରି ଅଷ୍ଟ୍ରେଲିଆରେ ଆୟୋଜିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାଗ୍ୟ ଆଇସିସି ନିର୍ଣ୍ଣୟ ନକରିବା ପର୍ଯ୍ୟନ୍ତ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ନିଷ୍ପତ୍ତି ନେଇପାରୁନି। ଫଳରେ ଆଇପିଏଲ୍ ଭାଗ୍ୟ ମଧ୍ୟ ଝୁଲି ରହିଛି। ପୁଣି ଭାରତରେ ସାଂପ୍ରତିକ କରୋନା ମହାମାରୀର ପ୍ରକୋପ ଯେଭଳି ବଢ଼ିବଢ଼ି ଚାଲିଛି ସେଥିରେ ଚଳିତ ବର୍ଷ ଆଇପିଏଲ୍ ହେବା ଆଶା କ୍ଷୀଣ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଇପିଏଲ୍ ଫ୍ରାଞ୍ଚାଇଜ୍ମାନେ ଏହାକୁ ଯେକୌଣସି ଉପାୟରେ ୟୁଏଇ (ୟୁନାଇଟେଡ୍ ଆରବ ଏମିରେଟ୍ସ)ରେ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୁଖ୍ୟତଃ ଚାର୍ଟର୍ଡ ବିମାନ ଏବଂ ହୋଟେଲ ଚୟନ ଉପରେ ଫ୍ରାଞ୍ଚାଇଜ୍ମାନେ ଗୁରୁତ୍ବ ଦେଇଛନ୍ତି। ଆବୁଧାବିରେ ଦଳ ଓ ଅଧିକାରୀମାନେ ସୁରକ୍ଷିତ ଭାବେ ରହିବା ନେଇ ହୋଟେଲ ବ୍ୟବସ୍ଥା ତଦାରଖ କରିବା ସାଙ୍ଗକୁ ଆଇପିଏଲ୍ ଆୟୋଜନ ପ୍ରସ୍ତୁତିକୁ ଜୋର୍ଦାର କରିସାରିଛୁ ବୋଲି ଜଣେ ଫ୍ରାଞ୍ଚାଇଜ୍ ମାଲିକ ସୂଚନା ଦେଇଛନ୍ତି। ଆବୁଧାବିରେ କିପରି ସେମାନେ ପ୍ରଶିକ୍ଷଣ ଓ ପ୍ରସ୍ତୁତି ସୁଚାରୁରୂପେ କରିପାରିବେ ତାହା ଉପରେ ନଜର ପକାଇଛନ୍ତି। ବିସିସିଆଇ ମଧ୍ୟ ୟୁଏଇରେ ପୂରା ଆଇପିଏଲ୍ କରିବା ସ୍ଥିତିରେ ରହିଛି। ଏଥିପାଇଁ ସେପ୍ଟେମ୍ବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଆନୁମାନିକ ବାଟ ବାହାର କରିଛି। ତଥାପି ୟୁଏଇକୁ ଆଇପିଏଲ୍ ନେବା ପାଇଁ ବିସିସିଆଇ ଭାରତ ସରକାଙ୍କ ଅନୁମୋଦନ ଲୋଡ଼ିଛି। ଖେଳାଳି ଏବଂ ଦଳୀୟ ଅଧିକାରୀମାନଙ୍କୁ ୟୁଏଇ ଯିବା ପାଇଁ ଆବଶ୍ୟକ ଭ୍ରମଣ ଅନୁମତି ଦେବାକୁ ସରକାରଙ୍କୁ କହିଛି।
ଭାରତରେ ସଂଗରୋଧ ସମୟ ବିତାଇବାକୁ ପ୍ରସ୍ତାବ
ଏବେ ଆମକୁ ଚତୁରତାର ସହ ଆଗୁଆ ଯୋଜନା କରିବାକୁ ପଡ଼ିବ। ଅବଶ୍ୟ ଆମକୁ ଏନେଇ ସଜାଗ କରାଯାଇସାରିଛି ଏବଂ ସେହି ଅନୁଯାୟୀ ଯୋଜନା ଚଳାଇଛୁ। ଆମେ ପ୍ରକୃତରେ ଆବୁଧାବିରେ ହୋଟେଲରେ ରହିବାକୁ ଇଛା କରିଛୁ। ହେଲେ କେଉଁ ପ୍ରକ୍ରିୟା ଦେଇ ଆମେ ଯିବୁ ଏବଂ କେଉଁ ବିମାନ ଆମପାଇଁ ସୁବିଧା ହେବ ତାହା ଉପରେ ନଜର ରଖିଛୁ। ପୁଣି ୟୁଏଇରେ ପହଞ୍ଚିବା ପରେ କ୍ବାରେଣ୍ଟାଇନ୍ ସମୟକୁ କିପରି ଉପଯୋଗ କରିବୁ ସେନେଇ ମଧ୍ୟ ଚିନ୍ତା କରୁଛୁ। ଯାହାହେଉ ଆମେ ଦେଶର ସ୍ବାସ୍ଥ୍ୟ ସଂପର୍କିତ ମାର୍ଗଦର୍ଶିକାକୁ ମାନିବାର ଆବଶ୍ୟକତା ରହିଛି ବୋଲି ସଂପୃକ୍ତ ଫ୍ରାଞ୍ଚାଇଜ୍ ଅଧିକାରୀ ଜଣକ କହିଛନ୍ତି।
ଅନ୍ୟପକ୍ଷରେ ପୂର୍ବତନ ବିଜେତା ଫ୍ରାଞ୍ଚାଇଜ୍ର ଜଣେ ଅଧିକାରୀ କହିଛନ୍ତି, ୟୁଏଇ ଯାତା ପୂର୍ବରୁ ଆମେ ଭାରତରେ ହିଁ ସଂଗରୋଧ ସମୟ ଅତିବାହିତ କରିବା ଚିନ୍ତା କରୁଛୁ। ସେଥିପାଇଁ ସମସ୍ତ ଖେଳାଳି ଓ ଅଧିକାରୀ ଭାରତରେ ହିଁ ଏକାଠି ହୋଇ ଜୈବ ସୁରକ୍ଷିତ ପରିବେଶରେ ସଂଗରୋଧରେ ରହି ଧାର୍ଯ୍ୟ ସମୟ ବିତାଇବୁ। ଏହାପରେ ଆମମାନଙ୍କ କୋଭିଡ୍-୧୯ ପରୀକ୍ଷା କରାଇ ୟୁଏଇ ଅଭିମୁଖେ ଯାତ୍ରା କରିବୁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଏହାର କାରଣ ମଧ୍ୟ ସେ ବଖାଣିଛନ୍ତି। ତାଙ୍କ କହିବା କଥା ହେଲା ଆମେ ସମସ୍ତେ ନିଜ ନିଜ ଘରେ ରହୁଛୁ। ଯଦି ଆମମାନଙ୍କ ମଧ୍ୟରୁ କାହାରି କରୋନା ଲକ୍ଷଣ ବାହାରେ ତାହାଲେ ଅନ୍ୟମାନଙ୍କୁ ସଂକ୍ରମିତ ହେବାର ଭୟ ରହିଛି। ତେଣୁ ୟୁଏଇ ଯିବା ପୂର୍ବରୁ ଦୁଇ ସପ୍ତାହ ପାଇଁ ସମସ୍ତେ ନିଜ ଦେଶରେ ଗୋଟିଏ ସ୍ଥାନରେ ସଂଗରୋଧରେ ରହି ଏବଂ ପରୀକ୍ଷା କରାଇବା ନିରାପଦ ହେବ ବୋଲି ସେ ମତ ରଖିଛନ୍ତି।
ସେହିପରି ୟୁଏଇକୁ ଯାତ୍ରା ନେଇ କ’ଣ ଯୋଜନା ରହିଛି ବୋଲି ପଚରାଯିବାରୁ ଅନ୍ୟ ଏକ ଫ୍ରାଞ୍ଚାଇଜ୍ର ଅଧିକାରୀ କହିଛନ୍ତି ଯେ ସାଧାରଣ ବିମାନ ଅପେକ୍ଷା ଚାର୍ଟର୍ଡ ବିମାନଗୁଡ଼ିକ ହିଁ ସୁରକ୍ଷିତ ବିକଳ୍ପ ରହିବ। ସେଥିପାଇଁ ଚାର୍ଟର୍ଡ ବିମାନ ଭଡ଼ାରେ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ବିମାନରେ ୩୫ରୁ ୪୦ ଜଣ ନିରାପଦରେ ଯାତ୍ରା କରିପାରିବେ। ପ୍ରତି ଦଳରେ ମଧ୍ୟ ୩୫ରୁ ୪୦ ସଦସ୍ୟ ରହିଥିବାରୁ ଚାର୍ଟର୍ଡ ବିମାନ ବ୍ୟବସ୍ଥା ହିଁ ଶ୍ରେଷ୍ଠ ବିକଳ୍ପ ହେବ ବୋଲି କୁହାଯାଇଛି। ଏନେଇ ସମସ୍ତ ଦଳ ମଧ୍ୟ ରାଜି। କାରଣ କେରୋନା ଯୋଗୁଁ ଅଗଷ୍ଟ ସୁଦ୍ଧ ନିୟମିତ ବିମାନ ଚଳାଚଳ ସମ୍ଭବ ହୋଇନପାରେ। ଏପରିସ୍ଥଳେ ଦଳଗୁଡ଼ିକ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୟୁଏଇରେ ପହଞ୍ଚିଯାଇଥିବା ଉପରେ ଗୁରୁତ୍ବ ଦେଉଛନ୍ତି। ଆମେ ମଧ୍ୟ ଆମର ଖେଳାଳିମାନଙ୍କ ପାଇଁ ପ୍ରଥମ ଶ୍ରେଣୀରେ ଯାତ୍ରା ଚାହୁଁଛୁ। ଯେଉଁଥିରେ କି ସାମାଜିକ ଦୂରତା ବଜାୟ ରଖାଯାଇପାରିବ ବୋଲି ସେ କହିଛନ୍ତି।
ଅନ୍ୟ ଜଣେ ଫ୍ରାଞ୍ଚାଇଜ୍ କିନ୍ତୁ ଦେଶରେ ସଂଗରୋଧ ସମୟ କଟାଇବା ପ୍ରସ୍ତାବକୁ ଗ୍ରହଣ କରିପାରିନାହାନ୍ତି। ତାଙ୍କ କହିବା କଥା, ଦେଶରେ ସବୁ ଖେଳାଳିଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ କରିବା ଆଦୌ ସମ୍ଭବ ହେବନି। ବରଂ ଆମେ ନିଜ ନିଜ ଘରୋଇ ସହରରୁ ସିଧାସଳଖ ୟୁଏଇ ଅଭିମୁଖେ ଯାତ୍ରା କରିବା ଠିକ୍ ହେବ। ପୁଣି ଫ୍ରାଞ୍ଚାଇଜ୍ ମାଲିକମାନେ ମଧ୍ୟ ୮ରୁ ୧୦ ଟାର୍ଟର୍ଡ ବିମାନ ବ୍ୟୟ ବହନ କରିବା ସମ୍ଭବ ବୋଲି ତୁମେ ମଧ୍ୟ ଭାବିବା ଉଚିତ ନୁହେଁ। ହଁ, ଏହା ଠିକ୍ ଯେ ଯଦି ସେତେବେଳକୁ ସାଧାରଣ ବିମାନ ସେବ ଆରମ୍ଭ ହୋଇନଥିବା ତାହାଣେ ଭିନ୍ନ ଚିନ୍ତା କରାଯାଇପାରିବ ବୋଲି ସେ କହିଛନ୍ତି। ପୁଣି ବିଦେଶୀ ଖେଳାଳିମାନେ କିଭଳି ନିଜ ନିଜ ଦଳମାନଙ୍କ ସହ ଯୋଗଦେବେ ତାହା ମଧ୍ୟ ଚିନ୍ତାର ବିଷୟ। ଯଦି ବିଦେଶୀ ଖେଳାଳିଙ୍କ ମଧ୍ୟରୁ କେହି ଆଗୁଆ ଭାରତ ଆସିଯାଆନ୍ତି, ତାହାଲେ ୧୪ ଦିନିଆ ସଂଗରୋଧରେ ରହିବା ବାଧ୍ୟତା। ଏହାପରେ ହିଁ ସେମାନେ ୟୁଏଇ ଯାଇପାରିବେ ଏବଂ ପୁର୍ନବାର ସେଠାରେ ସଂଗରୋଧ ବ୍ୟବସ୍ଥା ମଧ୍ୟରେ ରହିବାକୁ ପଡ଼ିବ। ତେଣୁ ଯଦି ଫ୍ରାଞ୍ଚାଇଜ୍ମାନେ ସେମାନଙ୍କ ଯୋଜନା ପରିବର୍ତନ କରନ୍ତି, ତାହାଲେ ବିଦେଶୀ ଖେଳାଳିମାନେ ନିଜ ନିଜ ଦେଶରୁ ସିଧାସଳଖ ୟୁଏଇ ଯାତ୍ରା କରିପାରନ୍ତେ ବୋଲି କେତେକଙ୍କ ମତ। ତେଣୁ ଏଭଳି ସ୍ଥିତିରେ ଚାର୍ଟର୍ଡ ବିମାନ ଭଡ଼ା କରିବାର ଆବଶ୍ୟକତା ଦର୍ଶାଇଛନ୍ତି ଅଧିକାରୀ ଜଣକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/IPL.png)