ଦୁବାଇ: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ପାଇଁ ଏଠାରେ ଡେରା ପକାଇଥିବା ସମସ୍ତ ୮ଟିଯାକ ଫ୍ରଞ୍ଚାଇଜ୍ ମଧ୍ୟରୁ ଗତ ସପ୍ତାହରେ ପହଞ୍ଚିଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସର ସବୁ ଖେଳାଳି କୋଭିଡ୍-୧୯ ନିୟମ ଅନ୍ତର୍ଗତ ୬ ଦିନିଆ ବାଧ୍ୟତାମୂଳକ ସଂଗରୋଧ ସମୟ କଟାଇ ସାରିଛନ୍ତି। ଏହି ଅବଧି ମଧ୍ୟରେ ସମସ୍ତଙ୍କର ତିନି ଥର କରୋନା ପରୀକ୍ଷା ଶେଷ ହୋଇଥିଲା ବେଳେ ରିପୋର୍ଟ ମଧ୍ୟ ନେଗେଟିଭ୍ ରହିଛି। ଫଳରେ ଏହି ଦୁଇ ଦଳ ବୁଧବାର ରାତିରୁ ଏଠାରେ ସେମାନଙ୍କ ପ୍ରଥମ ନେଟ୍ ସେସନ୍ ଆରମ୍ଭ କରିଛନ୍ତି। ଦୁବାଇରେ ଏବେ ପ୍ରବଳ ଗରମ ଅନୁଭୁତ ହେଉଥିବାରୁ ଏହାକୁ ଏଡ଼ାଇବା ପାଇଁ ଦଳ ସଂଧ୍ୟାରୁ ହିଁ ଅଭ୍ୟାସ କରିବାକୁ ସ୍ଥିର କରିଛନ୍ତି। ଉଭୟ ପଞ୍ଜାବ ଓ ରାଜସ୍ଥାନ ଦଳ ଦୁବାଇରେ ଅବସ୍ଥାନ କରୁଥିଲା ବେଳେ ଆବୁଧାବିରେ ରହୁଥିବା କୋଲ୍କାତା ନାଇଟ୍ ରାଇଡର୍ସ ମଧ୍ୟ ଏମାନଙ୍କ ସହ ପ୍ରଥମ ଦଫାରେ ଗୁରୁବାର ପହଞ୍ଚିଥିଲା। ଏହି ତିନି ଦଳ ପହଞ୍ଚିବା ପରେ ବିସିସିଆଇ ଏସ୍ଓପି ମୁତାବକ ୬ ଦିନିଆ ସଂଗରୋଧ ସମୟ ମଧ୍ୟରେ ପ୍ରଥମ, ତୃତୀୟ ଓ ଷଷ୍ଠ ଦିବସରେ ଖେଳାଳିମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ସମସ୍ତ ଖେଳାଳି ଏହି ତିନିଟିଯାକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ଏହି ୬ ଦିନ ମଧ୍ୟରେ କୌଣସି ଖେଳାଳିଙ୍କୁ ସେମାନଙ୍କ ହୋଟେଲ ରୁମ୍ ବାହାରକୁ ବାହାରିବାର ଅନୁମତି ଦିଆଯାଇନଥିଲା। ଅନ୍ୟପକ୍ଷରେ ଦ୍ବିତୀୟ ଦଫାରେ ଶୁକ୍ରବାର ୟୁଏଇରେ ପହଞ୍ଚିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ୬ ଦିନିଆ ସଂଗରୋଧ ସମୟ ଆସନ୍ତାକାଲି (ଗୁରୁବାର) ଶେଷ ହେବ। ଏହାପରେ ସେମାନଙ୍କ ରିପୋର୍ଟ ଭିତ୍ତିରେ ଅଭ୍ୟାସ ପାଇଁ ସୁଯୋଗ ମିଳିବ। ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଗୁରୁବାରଠୁ ତିନି ସପ୍ତାହ ବ୍ୟାପୀ ଅଭ୍ୟାସ ଆରମ୍ଭ କରିବାର ଅନୁମତି ପାଇସାରିଛି ବୋଲି ବୁଧବାର ସ୍ପଷ୍ଟ ହୋଇଛି।
ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍ରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦,୦୦୦ରୁ ଅଧିକ କୋଭିଡ ପରୀକ୍ଷା ପରିଚାଳନା କରିବାକୁ ଯୋଜନା କରିଛି। ଏଥିଲାଗି ଭିପିଏସ୍ ହେଲ୍ଥକେୟାରକୁ ଅଫିସିଆଲ୍ କୋଭିଡ-୧୯ ପରୀକ୍ଷା ଏଜେନ୍ସି ଭାବେ ନିଯୁକ୍ତ କରିଛି। ୩ ମାସ ମଧ୍ୟରେ ଏତିକି ସଂଖ୍ୟକ ପରୀକ୍ଷା ହେବ। ଏଥିରେ ସମସ୍ତ ଖେଳାଳି, ଫ୍ରାଞ୍ଚାଇଜ୍ଗୁଡ଼ିକର ସପୋର୍ଟ ଷ୍ଟାଫ୍, ବିସିସିଆଇ ଅଫିସିଆଲ୍ ଏବଂ ଆଇପିଏଲ୍ ଅଂଶୀଦାର ଅନ୍ତର୍ଭୁକ୍ତ ଅଛନ୍ତି। ସମସ୍ତ ଖେଳାଳି ଓ ଷ୍ଟାଫ୍ଙ୍କର ପ୍ରଥମ, ତୃତୀୟ ଓ ଷଷ୍ଠ ଦିନରେ କୋଭିଡ ପରୀକ୍ଷା କରାଯିବ। ନେଗେଟିଭ୍ ରହିଲେ ଜୈବ-ପରିବେଶକୁ ପ୍ରବେଶ କରିବେ। ଏହାପରେ ପ୍ରତିଯୋଗିତା ଶେଷ ପର୍ଯ୍ୟନ୍ତ ପ୍ରତି ୫ ଦିନରେ ଥରେ ପରୀକ୍ଷା କରାଯିବ।
ପଞ୍ଜାବ ଭାଗ୍ୟକୁ ନେଇ କୁମ୍ବଲେଙ୍କ ଭରସାରେ ରାହୁଲ
ନୂଆଦିଲ୍ଲୀ: ଚଳିତ ବର୍ଷର ଆଇପିଏଲ୍ ପାଇଁ ଅବଗଣନା ଆରମ୍ଭ ହୋଇଯାଇଥିଲା ବେଳେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପୁଣି ଥରେ ଗୌଣ ବିବେଚନା କରାଯାଉଛି। ଏହି ଦଳ ସହ ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଏପର୍ଯ୍ୟନ୍ତ ଥରେ ହେଲେ ବି ପ୍ରତିଯୋଗିତାରେ ବିଜେତା ହୋଇପାରିନାହାନ୍ତି। ତଥାପି ଯୁବ ଅଧିନାୟକ କେଏଲ୍ ରାହୁଲଙ୍କ ନେତୃତ୍ବରେ ପଞ୍ଜାବ ଭଲ ପ୍ରଦର୍ଶନ କରିବ ବୋଲି ଦଳ ପକ୍ଷରୁ ଆଶା କରାଯାଇଛି। ପୂର୍ବରୁ ବାଙ୍ଗାଲୋର ଓ ହାଇଦ୍ରାବାଦ ପାଇଁ ଖେଳିସାରିଥିବା ରାହୁଲ ପଞ୍ଜାବ ସହ ଯୋଗଦେବା ପରଠୁ ଦଳ ଭିତରେ ଏଥର ଆଶା ସଞ୍ଚାର ହୋଇଛି। ୨୦୧୮ ସଂସ୍କରଣରେ ୫୪.୯୧ ହାରରେ ୬୫୯ ରନ୍ ଓ ୨୦୧୯ରେ ୧୪ ମ୍ୟାଚ୍ରୁ ୫୯୩ ରନ୍ ସଂଗ୍ରହ କରି ପଞ୍ଜାବ ପାଇଁ ଏକ ବଡ଼ ସମ୍ବଳ ହୋଇପାରିଛନ୍ତି। ତାଙ୍କର ଏଭଳି ପ୍ରଦର୍ଶନକୁ ନଜରରେ ରଖି ଫ୍ରାଞ୍ଚାଇଜ ତାଙ୍କ ନେତୃତ୍ବ ଉପରେ ଆସ୍ଥା ରଖିଛି ଏବଂ ଏଥିସହିତ ଅନିଲ କୁମ୍ବଲେଙ୍କୁ କ୍ରିକେଟ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯିବା ପରଠୁ ରାହୁଲଙ୍କ ପାଇଁ ଏହି ଗୁରୁଦାୟିତ୍ବ ଆହୁରି ସହଜ ହୋଇଯାଇଛି। ଆଇପିଏଲ୍ ପକ୍ଷରୁ ଟ୍ବିଟରରେ ଜାରି କରାଯାଇଥିବା ଏକ ଭିଡିଓରେ କୁମ୍ବଲେଙ୍କ ସହ ତାଙ୍କର ସମୀକରଣ ବିଷୟରେ କହିଥିଲା ବେଳେ ଏହା କିପରି ମ୍ୟାଚଗୁଡ଼ିକରେ ତାଙ୍କୁ ସହାୟତା କରିବ ସେ ବିଷୟରେ ବର୍ଣ୍ଣନା କରିଥିଲେ। ଗୋଟିଏ ରାଜ୍ୟରୁ ଆମେ ଉଭୟେ ଆସିଥିବାରୁ ପଡ଼ିଆ ଭିତରେ ଓ ବାହାରେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ଯାହାକି ରାହୁଲ ଦଳର ନେତୃତ୍ବ ନେବାବେଳେ ଅଧିକ ଆରାମଦାୟକ ଅନୁଭବ କରିପାରିବେ। ଅଧିକାଂଶ ସମୟରେ କୁମ୍ବଲେ ରଣନୀତି ପ୍ରସ୍ତୁତ କରିପାରିବେ ଏବଂ ସେହି ଅନୁସାରେ ଦଳକୁ ଆଗେଇ ନେବାକୁ ସହଜ ହେବ ବୋଲି ରାହୁଲ କହିଥିଲେ। ଶେଷଥର ପାଇଁ ପଞ୍ଜାବ ୨୦୧୪ ସଂସ୍କରଣରେ ଉପବିଜେତା ହୋଇଥିଲା। ହେଲେ ଏହାପରଠୁ ଯେଉଁ ଧାରା ଚାଲିଆସିଛି ତାହାକୁ ଭାଙ୍ଗିବା ପାଇଁ ବର୍ତ୍ତମାନର ଦଳ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କୁହାଯାଇଛି। କାରଣ ସଂଯୋଗବଶତଃ ୨୦୧୪ ସଂସ୍କରଣର ପ୍ରଥମାର୍ଧ ସେତେବେଳେ ୟୁଏଇରେ ଖେଳାଯାଇଥିଲା। ଚଳିତ ବର୍ଷ ପୁଣି ଥରେ ୟୁଏଇକୁ ପ୍ରତିଯୋଗିତା ଯାଇଥିବାରୁ ଫଳାଫଳରେ ପରିବର୍ତ୍ତନ ଆସିବା ନେଇ ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/ipl-2020.jpg)