ଭାରତୀୟ ‌ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା: ମାଇଁଗଭ ଆପ୍‌ରେ ଆରମ୍ଭ କଲେ ଅଲିମ୍ପିକ୍ସ କୁଇଜ୍

ଆଲିଙ୍ଗନ, ମଦ, ଅଟୋଗ୍ରାଫ ଓ ଉତ୍ସବ ପାଳନକୁ ନା, ଦର୍ଶକଙ୍କ ପାଇଁ କଠୋର ନିୟମାବଳି

ନୂଆଦିଲ୍ଲୀ: ‘ଅଲିମ୍ପିକ୍ସ’ ଦିବସ ଅବସରରେ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ଭାରତୀୟ ‌ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେହିଭଳି ଅତୀତରେ ଅଲିମ୍ପିକ୍ସ ଖେଳିଥିବା ସବୁ ଭାରତୀୟ ଖେଳାଳିଙ୍କୁ ସଲାମ କରିବା ସହ ସେମାନଙ୍କ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି। ପ୍ରଧା‌ନମନ୍ତ୍ରୀ ନିଜ ଟ୍ବିଟର ପୃଷ୍ଠାରେ ଲେଖିଥିଲେ ଯେ ଆଜିର ଅଲିମ୍ପିକ୍ସ ଦିବସ ଅବସରରେ ଏହି ମହାନ କ୍ରୀଡ଼ା ମହୋତ୍ସବରେ ଭାରତର ପ୍ରତିନିଧିତ୍ବ କରିଥିବା ସମସ୍ତ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଅବଦାନକୁ ମୁଁ ସଲାମ କରୁଛି। ଆମ ଦେଶ ସେମାନଙ୍କ ଅବଦାନ ଏବଂ ଅନ୍ୟ କ୍ରୀଡ଼ାବିତ୍‌ଙ୍କୁ ଦେଇଥିବା ଅନୁପ୍ରେରଣା ଲାଗି ଗର୍ବିତ। କିଛି ସପ୍ତାହ ଭିତରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ। ଦେଶର ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ନେଇ ଗଠିତ ଆମ ଦଳକୁ ହୃଦୟର ଗଭୀରତମ କୋଣରୁ ମୁଁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଅଲିମ୍ପିକ୍ସର ଅବଗଣନା ଭିତରେ ମାଇଁଗଭ୍ ଆପ୍‌ରେ ମୁଁ ମଜାଦାର ପ୍ରଶ୍ନମାଳା ପଚାରିବାକୁ ଯାଉଛି। ଏଥିରେ ଅଂଶଗ୍ରହଣ କରିବା ଲାଗି ସମସ୍ତଙ୍କୁ ଆହ୍ବାନ କରୁଛି। ବିଶେଷ କରି ମୋର ଯୁବ ବନ୍ଧୁମାନେ ଏହି କୁଇଜ୍‌ରେ ଅଧିକ ସଂଖ୍ୟାରେ ଅଂଶଗ୍ରହଣ କଲେ ଖୁସି ହେବି।

କ୍ରୀଡ଼ାପ୍ରେମୀ https://quiz.mygov.in/quiz/road-to-tokyo-2020/ ଲିଙ୍କରେ କ୍ଲିକ୍ କରି ଏଥିରେ ଅଂଶଗ୍ରହଣ କରିପାରିବେ। ପ୍ରଧାନମନ୍ତ୍ରୀ ଏହି ଅଭିଯାନ ଅନ୍ତର୍ଗତ ମୋଟ ୨୦ଟି ପ୍ରଶ୍ନ ପଚାରିବେ। ସୂଚନାଯୋଗ୍ୟ ଯେ ପ୍ୟାରିସରେ ୧୮୯୪ ମସିହା ଜୁନ୍ ୨୩ ତାରିଖରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି ସ୍ଥାପିତ ହେବା ଉପଲକ୍ଷେ ପ୍ରତିବର୍ଷ ଜୁନ୍ ୨୩ ତାରିଖକୁ ‘ଅଲିମ୍ପିକ୍ସ’ ଦିବସ ଭାବେ ପାଳନ କରାଯାଇଥାଏ।

କ୍ରୀଡ଼ାମନ୍ତ୍ରୀଙ୍କ ଶୁଭେଚ୍ଛା
ଅନ୍ତର୍ଜାତୀୟ ଅଲିମ୍ପିକ୍ସ ଦିବସ ଅବସରରେ ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟର ସମସ୍ତ କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ବେହେରା ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ ଅଲିମ୍ପିକ୍ସ କେବଳ ଏକ କ୍ରୀଡ଼ା ପ୍ରତିଯୋଗିତା ନୁହେଁ ଏହା ଦେଶ ଦେଶ ମଧ୍ୟରେ ବନ୍ଧୁତା ଓ ମୈତ୍ରୀ ଭାବ ସୃଷ୍ଟି କରିବାର ବଳିଷ୍ଠ ମାର୍ଗ। ଉନ୍ନତ ଖେଳ ପ୍ରଦର୍ଶନ ସହିତ ସମଗ୍ର ବିଶ୍ବରେ ନିଜର ତଥା ନିଜ ଦେଶର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଦକ୍ଷତା କେବଳ ଜଣେ କ୍ରୀଡ଼ାବିତ୍ ନିକଟରେ ସମ୍ଭବପର।

ଦର୍ଶକଙ୍କ ପାଇଁ କଠୋର ନିୟମାବଳି

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତି ସ୍ଥାନୀୟ ଦର୍ଶକଙ୍କ ପାଇଁ କଠୋର ନିୟମାବଳି ପ୍ରକାଶ କରିଛି। ତଦନୁଯାୟୀ ଷ୍ଟାଡିୟମ୍‌ରେ ଉପସ୍ଥିତ ରହିବାକୁ ଥିବା ମାତ୍ର ୧୦,୦୦୦ ଦର୍ଶକ ପରସ୍ପରକୁ ଆଲିଙ୍ଗନ କରି ଉତ୍ସବ ପାଳନ କରି ପାରିବେ ନାହିଁ। ସେହିଭଳି ଷ୍ଟାଡିୟମ୍ ଭିତରେ ମଦ୍ୟ ପାନ କରିବା ଉପରେ ସମିତି କଟକଣା ଲାଗୁ କରିଥିଲା ବେଳେ ଖେଳାଳିଙ୍କ ଅଟୋଗ୍ରାଫ୍ ନେବା ଉପରେ ମଧ୍ୟ ବାସନ୍ଦାଦେଶ ଜାରି କରିଛି। ଅଲିମ୍ପିକ୍ସକୁ ସୁସ୍ଥ ଓ ସୁରକ୍ଷିତ ରଖିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା ସମିତି ତରଫରୁ କୁହାଯାଇଛି। ସେହିଭଳି ଏବେକାର ୟୁରୋ କପ୍ ଫୁଟବଲ୍ ପ୍ରତିଯୋଗିତା ଭଳି ଉତ୍ସବ ପାଳନ ଓ ମଜା ଆଶା ନକରିବାକୁ ସମିତିର ମୁଖ୍ୟ ସେଇକୋ ହାସିମୋତୋ ଦର୍ଶକଙ୍କୁ ଚେତାଇ ଦେଇଛନ୍ତି। ପୁଣି ଦର୍ଶକଙ୍କୁ ଏକାଧିକ ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ଖେଳ ଚାଲିଥିଲା ବେଳେ ଏବଂ ଷ୍ଟାଡିୟମ୍‌କୁ ପ୍ରବେଶ କଲା ବେଳେ ଦର୍ଶକଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୁଳକ କରାଯାଇଛି। ସେମାନଙ୍କ ଶରୀର ତାପମାତ୍ରର ଯାଞ୍ଚ ବି ଏହି ଅବସରରେ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ଖେଳ ସରିବା ପରେ ସେମାନଙ୍କୁ ସିଧା ଘରକୁ ଫେରିବାକୁ ପଡ଼ିବ। ଉଦ୍‌ଘାଟନୀ ଦିବସ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର