ଭୁବନେଶ୍ବର: ପ୍ରଥମ ହକି ଇଣ୍ଡିଆ ଜୋନାଲ୍ ଚାମ୍ପିଅନସିପ୍ର ସଫଳତା ପରେ ହକି ଇଣ୍ଡିଆ ଏବେ ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। ତୃଣମୂଳସ୍ତରରେ ହକିକୁ ପ୍ରଚାର ଓ ପ୍ରସାରିତ କରିବା ଲକ୍ଷ୍ୟରେ ‘ହକି ଇଣ୍ଡିଆ କା ଅଭିଯାନ ହର ଘର ହୋ ହକି କି ପେହେଚାନ୍’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଦେଶର ପ୍ରତି ଜିଲ୍ଲାରେ ହକିର ନିୟମିତ ପ୍ରଶିକ୍ଷଣ ଏବଂ ଅନ୍ତଃଜିଲ୍ଲା ପ୍ରତିଯୋଗିତା କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ରଖାଯାଇଛି। ପ୍ରତି ରାଜ୍ୟ ସଂଘକୁ ହକି ଇଣ୍ଡିଆ ଏଭଳି ଅନୁରୋଧ କରିବା ସହ ପ୍ରତିଭା ଅନ୍ବେଷଣ ଓ ହକିର ବିକାଶ ପାଇଁ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଛି। ଏହି କାର୍ଯ୍ୟକ୍ରମ ଫଳରେ ପ୍ରତି ରାଜ୍ୟ ଓ ଜିଲ୍ଲା ସଂଘରେ ପ୍ରଶିକ୍ଷଣ ଓ ପ୍ରତିଯୋଗିତା ବଢ଼ିବ।
ଏହା ଦ୍ବାରା କେବଳ ହକି ବିକଶିତ ହେବ ତା ନୁହେଁ ସମ୍ପୃକ୍ତ ରାଜ୍ୟରେ ଯୁବ ବର୍ଗଙ୍କ ମଧ୍ୟରେ ହକି ସଂସ୍କୃତି ଗଢ଼ି ଉଠିବ। ଏହା ଖେଳାଳିଙ୍କୁ ପରିଚୟ ଦେବ ଏବଂ ହକି ବିକାଶ ଆଗକୁ ଚାଲିପାରିବ’ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ପ୍ରକାଶ କରିଛନ୍ତି। ଏହି ଖେଳର ଜାତୀୟ ସଂଘ ସୂଚନା ଅନୁସାରେ ବର୍ଷସାରା ଜିଲ୍ଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଚାଲିବ। ଜାତୀୟ ପ୍ରତିଯୋଗିତା ଭଳି ଜିଲ୍ଲା ଓ ରାଜ୍ୟସ୍ତରରେ ମଧ୍ୟ ୬ଟି ବର୍ଗରେ (ସିନିୟର୍, ଜୁନିୟର, ସବ୍ଜୁନିୟର ଉଭୟ ପୁରୁଷ ଓ ମହିଳା) ପ୍ରତିଯୋଗିତା ହେବ। ଜିଲ୍ଲା ପ୍ରଦର୍ଶନ ଭିତ୍ତିରେ ରାଜ୍ୟ ଦଳ ଗଠିତ ହେବ। ପ୍ରତି ସହର, କଲୋନି, ବ୍ଲକ୍ ଓ ଗାଁରେ ହକିକୁ ଅଧିକ ପ୍ରସାରିତ କରିବା ଲାଗି ନିୟମିତ ବ୍ୟବଧାନରେ ପ୍ରତିଯୋଗିତା ଓ ପ୍ରଶିକ୍ଷଣ କରାଯିବ ବୋଲି ମଧ୍ୟ ସମ୍ପାଦକ ଭୋଳାନାଥ ସିଂହ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ପ୍ରଥମ ହକି ଇଣ୍ଡିଆ ଜୋନାଲ୍ ପ୍ରତିଯୋଗିତା ପରେ ସଂଘ ପକ୍ଷରୁ ୪ ଜଣ ଅଫିସିଆଲଙ୍କୁ ଏହି ୪ ଜୋନ୍ (ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ) ପଠାଯାଇଥିଲା ଏବଂ ପ୍ରତି ରାଜ୍ୟ/ଜିଲ୍ଲା ସଂଘ ଯେଭଳି ଏହି ନୂଆ ଅଭିଯାନରେ ସାମିଲ ହେବେ ପରାମର୍ଶ ଦିଆଯାଇଥିଲା।