ହକି କିଂବଦନ୍ତିଙ୍କ ଗାଁକୁ ଅଣଦେଖା, ଅଧାରେ ଅଟକିଛି ଦିଲୀପ ତିର୍କିଙ୍କ ସ୍ବପ୍ନର ପ୍ରକଳ୍ପ

ସିନ୍ଥେଟିକ୍‌ ଟର୍ଫ ଓ ପ୍ରଶିକ୍ଷଣ ପାଇଁ ସାଢ଼େ ୬ କୋଟିର ଅଟକଳ ହୋଇଥିଲା, ସଉନାମରା ପଞ୍ଚାୟତବାସୀଙ୍କ ରାସ୍ତାରୋକ ଚେତାବନୀ
ସୁନ୍ଦରଗଡ଼: ସଉନମରା। କେବେ ଅଖ୍ୟାତ ପଲ୍ଲୀ ଥିବା ସୁନ୍ଦରଗଡ଼ ଜିଲ୍ଲାର ଏହି ଆଦିବାସୀ ଗାଁ ମାଟିର ମହକ ଏବେ ଚାରିଆଡ଼େ। ଏଇଠି ଜନ୍ମ ନେଇଛନ୍ତି ଭାରତର କିଂବଦନ୍ତି ହକି ତାରକା ପଦ୍ମଶ୍ରୀ ଦିଲୀପ ତିର୍କି। ଏ ମାଟି କେବଳ ଏକା ଦିଲୀପଙ୍କୁ ନୁହେଁ, ହକିର ଜାତୀୟସ୍ତରର ଅନେକ ଚର୍ଚ୍ଚିତ ପ୍ରତିଭାଙ୍କୁ ଜନ୍ମ ଦେଇଛି। ଭାରତୀୟ ମହିଳା ହକିର ଅଧିନାୟିକା ସୁଭଦ୍ରା ପ୍ରଧାନଙ୍କଠାରୁ ନେଇ ଉଜ୍ବଳ ହକି ତାରକା ଅମିତ ରୋହିଦାସ, ଦୀପସାନ ତିର୍କିଙ୍କ ଯାଏ। ଏପରି ସୁପୁତ୍ର-ସୁପୁତ୍ରୀଙ୍କ ଗୌରବ ବହନ କରିଥିବା ଗାଁ କିନ୍ତୁ ଆଜି ବି ଶ୍ରୀହୀନ। ଦିଲୀପ, ସୁଭଦ୍ରା, ଅମିତ, ଦୀପସନଙ୍କୁ ନେଇ ଜିଲ୍ଲା ଓ ରାଜ୍ୟ ପାଇଁ ଏକ ଗୌରବର ସ୍ମାରକୀ ହେବାକୁ ଅପେକ୍ଷା ରଖୁଥିବା ଗାଁ’ଟି ବାସ୍ତବରେ ବହୁ କ୍ଷେତ୍ରରେ ଉପେକ୍ଷିତ। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଦର୍ଶ ପଞ୍ଚାୟତ ରୂପେ ପୁରସ୍କୃତ ସଉନାମରା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଅଣଦେଖା ମଧ୍ୟରେ ମୁହଁମାଡ଼ି ପଡ଼ିଥିବା ବେଳେ ଏବେ ଶେଷକୁ ପଞ୍ଚାୟତ ଲୋକେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଗାଁ ଲୋକେ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ ଗାଁର ମୌଳିକ ସୁବିଧା ସବୁ ପୂରଣ କରିବାକୁ ଅନୁରୋଧ କରିଛନ୍ତି।

ବାଲିଶଙ୍କରା ବ୍ଲକ୍‌ ଟାଙ୍ଗରବାହାଲ, କେଲୋଖଣ୍ଡି, ବୁଡ଼ାବାହାଲ ଓ ସଉନାମରାକୁ ନେଇ ଗଠିତ ସଉନାମରା ପଞ୍ଚାୟତ ବର୍ଷ ବର୍ଷ ଧରି ନାହିଁ ନାହିଁରେ ଚାଲିଛି। ପଞ୍ଚାୟତ ଲୋକଙ୍କ ଅଭିଯୋଗ ଅନୁସାରେ, ୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ଓ ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ସ୍ବପ୍ନର ପ୍ରକଳ୍ପ ହକି ସିନ୍ଥେଟିକ୍‌ ଟର୍ଫ ୩ ବର୍ଷ ହେଲା ଅଧାରେ ଅଟକି ରହିଛି। ଏକ ଉଚ୍ଚମାନର ହକି ସିନ୍ଥେଟିକ୍‌ ଟର୍ଫ ତିଆରି କରି ସଉନାମରା ଗାଁ ସମେତ ବାଲିଶଙ୍କରା ବ୍ଲକ୍‌ର ଅନ୍ୟସବୁ ଗାଁ ପିଲାଙ୍କୁ ସିଧା ଧୂଳିମାଟିର ପଡ଼ିଆରୁ ଟର୍ଫରେ ଖେଳିବାର ସୁଯୋଗ ଓ ପ୍ରଶିକ୍ଷଣ ଦେଇ ଆଉ ଜଣେ ଜଣେ ଦିଲୀପ ତିର୍କି ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏଥିପାଇଁ ସାଢ଼େ ୬ କୋଟିର ଏକ ଅଟକଳ ତିଆରି ହୋଇଥିଲା। ଏହା ପରେ ପରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ଇଡକୋ, ଏନ୍‌ଟିପିସି, ସାଂସଦ ପାଣ୍ଠିରୁ ପର୍ଯ୍ୟାପ୍ତ ଅନୁଦାନ ପହଞ୍ଚିଥିଲ‌ା। କିନ୍ତୁ ପ୍ରାଶାସନିକ ଅବହେଳା ଓ ସରକାରଙ୍କ ଉଦାସୀନତା ଯୋଗୁଁ ପର୍ଯ୍ୟାପ୍ତ ପାଣ୍ଠି ଥିବା ସତ୍ତ୍ବେ ୩ ବର୍ଷ ହେଲା କାମ ଆଗେଇ ପାରୁନାହିଁ। ଗୌରବର ସ୍ମାରକୀ ହେବାକୁ ଥିବା ଏହି ହକି ସିନ୍ଥେଟିକ୍‌ ଟର୍ଫ ନିର୍ମାଣ ପ୍ରତି ଏ ପ୍ରକାର ଅଣଦେଖା ଯେ କ୍ରୀଡ଼ା ତାରକାଙ୍କୁ ଅସମ୍ମାନ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି।

କେବଳ ଉନ୍ନତମାନର ହକି ପଡ଼ିଆ ନୁହେଁ, ସାଧାରଣ ଯାତାୟତ, ପାନୀୟ ଜଳ, ସ୍ବଚ୍ଛ ଭାରତ ସବୁ ଏଠି ଆଣ୍ଠେଇ ପଡ଼ିଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ଗାଁ ଲୋକେ। ବିଶେଷ କରି ବାଇସମାଇଲ ପୂର୍ତ୍ତ ରାସ୍ତାଠାରୁ ଟାଙ୍ଗରବାହାଲ ପ୍ରଧାନମନ୍ତ୍ରୀ ସଡ଼କ ଗତ ୨୦୧୮ ଅକ୍ଟୋବର ୩‌ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ତାହା ଅଧପନ୍ତରିଆ ହୋଇ ରହିଛି। ଫଳରେ ଗାଁ ଲୋକଙ୍କ ସୁଗମ ଯାତାୟତର ସ୍ବପ୍ନ ପୂରା ହୋଇପାରିନାହିଁ। ୨୦୦୮ରେ ଆରମ୍ଭ ହୋଇଥିବା ପାଇପ ଜଳଯୋଗାଣ ପ୍ରକଳ୍ପ ୧୨ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନଥିବା ବେଳେ ଲୋକେ ଘ‌ରେ ବସି ବିଶୁଦ୍ଧ ପାନୀୟ ଜଳ ପାଇବା‌ରୁ ବଞ୍ଚିତ ହୋଇଛନ୍ତି। ସେହିପରି ପଞ୍ଚାୟତରେ ସ୍ବଚ୍ଛ ଭାରତ ମିସନର ପାଇଖାନା ଏଯାଏ ସବୁ ପରିବାରକୁ ଯୋଗାଇ ଦିଆଯାଇ ନଥିବା ଓ ଲୋକେ ପଡ଼ିଆକୁ ‌ଶୌଚ ପାଇଁ ଯିବାକୁ ବାଧ୍ୟ ହେଉଥିବା ବେଳେ ପ୍ରଶାସନ ଗାଁ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ପ୍ରକଳ୍ପ’ ଫଳକ ଲଗାଇ ଏକ ପ୍ରକାର ଭଣ୍ଡାମୀ କରିଛି ବୋଲି ଅଭି‌ଯୋଗ କରିଛନ୍ତି। ୧୫ ଦିନ ମଧ୍ୟରେ ଏସବୁ ସମସ୍ୟା ଦୂର କରିବାରେ ପ୍ରଶାସନ ପଦକ୍ଷେପ ଗ୍ରହଣ ନକଲେ ରାଜରାସ୍ତାକୁ ଓହ୍ଲାଇବା ସହ କରମଡିହିରୁ ଛତିଶଗଡ଼ ରାଜ୍ୟ ରାଜପଥକୁ ଅବରୋଧ କରିବେ ବୋଲି ସଉନାମରା ସରପଞ୍ଚ ସୁମିତ୍ରା ବାର୍ଲା, ପୂର୍ବତନ ସପରଞ୍ଚ ଚୁଲୁ ବାର୍ଲା, ରବିଚନ୍ଦ୍ର ପଟେଲ, ସମିତିସଭ୍ୟ ରତନ ମହାକୁଳ, ରୀନାକାନ୍ତି ସୋରେଙ୍ଗ, ବାସନ୍ତୀ ଛତ୍ରିଆ, ‌ଦେବେନ୍ଦ୍ର ନାଗ, ଅର୍ଜୁନ ମାଝୀ, ପ୍ରଦୀପ ବାର୍ଲା, ଖ୍ରୀଷ୍ଟୋଫର ଟେଟେ, କିଶୋର ସୋରେଙ୍ଗ, ସେଲିନା ସୋରେଙ୍ଗ, ରଜନୀ ପ୍ରଧାନ, ପୁଷ୍ପିତା ତିର୍କି, ପ୍ରଦୀପ ତାଣ୍ଡିଆ, ସୁକାନ୍ତି ଓରାମ, ପାର୍ବତୀ ଏକ୍କା, ମାଳତୀ ପ୍ରଧାନ ପ୍ରମୁଖ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ପଦ୍ମଶ୍ରୀ ଦିଲୀପଙ୍କୁ ଓଡ଼ିଶାର ଗୌରବ ଭାବେ ଉପସ୍ଥାପିତ କରୁଥିବା ରାଜ୍ୟ ସରକାର ସଉନାମରାକୁ ସମ୍ମାନ ଜଣାଇବା ପରିବର୍ତ୍ତେ ଏପରି ଉପେକ୍ଷା କରିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ଓ କ୍ରୀଡ଼ାପ୍ରେମୀ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର