ନୀରଜଙ୍କ ନାମରେ ନାମିତ ହେବ ଆର୍ମିର ପୁଣେ ଷ୍ଟାଡିୟମ୍‌

ପୁଣେ: ଟୋକିଓ ଅଲିମ୍ପିକ୍ସରେ ଜାଭଲିନ୍‌ ସ୍ବର୍ଣ୍ଣ ପଦକ ଜିତି ଭାରତୀୟ କ୍ରୀଡ଼ାରେ ନୂଆ ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କ ନାମରେ ପୁଣେ ଆର୍ମି ପ୍ରତିଷ୍ଠାନର ଏକ ଷ୍ଟାଡିୟମ୍‌ ନାମକରଣ କରାଯିବ। ଅଗଷ୍ଟ ୨୩ ତାରିଖରେ ଏଥିଲାଗି ଏକ ଆନୁଷ୍ଠାନିକ ନାମକରଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉତ୍ସବରେ କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଆର୍ମି ମୁଖ୍ୟ ଏମ୍‌ ଏମ୍‌ ନର୍ଭାନେ ଏବଂ ଲ୍ୟୁଟେନାଣ୍ଟ୍‌ ଗଭର୍ଣ୍ଣର ଜେଏସ୍‌ ନୈନ୍‌ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ୧୬ ଜଣ ଅଲିମ୍ପିଆନ୍‌ଙ୍କୁ ମଧ୍ୟ ସମ୍ବର୍ଧିତ କରାଯିବ ଏବଂ ରାଜନାଥ୍ ସିଂହ ଯବାନମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ଯୁବ କ୍ରୀଡ଼ାବିତଙ୍କ ସହ ମଧ୍ୟ ଆଲୋଚନା କରିବେ। ସୂଚନାଯୋଗ୍ୟ, ନୀରଜଙ୍କ ଐତିହାସିକ ସ୍ବର୍ଣ୍ଣ ପଦକକୁ ବିଶ୍ବ ଆଥ୍‌ଲେଟିକ୍ସ ଏହାର ଟୋକିଓ ଅଲିମ୍ପିକ୍ସର ଶ୍ରେଷ୍ଠ ୧୦ ମୁହୂର୍ତ ମଧ୍ୟରେ ସ୍ଥାନ ଦେଇଛି। ଟୋକିଓରୁ ସ୍ବଦେଶ ‌ଫେରିବା ପରେ ନୀରଜଙ୍କୁ ଭାରତ ସରକାର, ଭାରତୀୟ ଦୌଡକୁଦ ସଂଘ, ହରିୟାଣା ସରକାରଙ୍କ ସହ ବହୁ ଅନୁଷ୍ଠିତ ପୁରସ୍କୃତ କରିସାରିଛନ୍ତି।

ସମ୍ବନ୍ଧିତ ଖବର