‌‌ମେସିଙ୍କ ଶେଷ ବିଶ୍ବକପ୍‌, ଶେଷ ସୁଯୋଗ

Advertisment

ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ୍ ମେସିଙ୍କ ପାଇଁ ଚଳିତ କାତାର-୨୦୨୨ ସଂସ୍କରଣ ଶେଷ ଫିଫା ବିଶ୍ବକପ୍‌ ହେବ ବୋଲି ସେ ଘୋଷଣା କରିସାରିଛନ୍ତି। ଏବେ ତାଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ଲାଗି ସୁବର୍ଣ୍ଣ ସୁଯୋଗ ଆସିଛି। ଏହା ମଧ୍ୟ ତାଙ୍କ ଉପରେ ଚାପ ଓ ବୋଝ ଭଳି ହୋଇଛି। ଆର୍ଜେଣ୍ଟିନା ଦେଶବାସୀଙ୍କ ଆଶା ଓ ସ୍ବପ୍ନ ସହିତ ତାଙ୍କ କୋଟି କୋଟି ପ୍ରଶଂସକ ବି ବିଭୋର ଅଛନ୍ତି ମେସି ବିଶ୍ବ କପ୍‌ ଟ୍ରଫି ସହ ବିଦାୟ ନେବେ‌ ବୋଲି। ୧୯୭୮ ଓ ୧୯୮୬ରେ ବିଶ୍ବକପ୍‌ ଜିତିଥିବା ଆର୍ଜେଣ୍ଟିନା ପାଇଁ ୩ ଦଶନ୍ଧିର ଜୁଲେସ୍ ରିମେଟ୍ ଟ୍ରଫି ମରୁଡିର ଅନ୍ତ ଘଟାଇବାକୁ ମେସି ସକ୍ଷମ ହେବେ କି ନାଁ ମଧ୍ୟ ପ୍ରଶ୍ନ ଉଠିଛି। ସମ୍ଭବ ନ ହେଲେ ମେସିଙ୍କ ଅବସୋସ ରହିଯିବ ଚିରକାଳ। ଦ୍ବିତୀୟ ଥର ପାଇଁ ଫାଇନାଲ୍ ଖେଳି ଅଧୁରା ସ୍ବପ୍ନକୁ ସାକାର କରିବାକୁ ମେସି ମଧ୍ୟ ବଦ୍ଧ ପରିକର। ୩୫ ବର୍ଷୀୟ ମେସିଙ୍କୁ ଏଥିପାଇଁ ୨୩ ବର୍ଷୀୟ କିଲିଆନ୍‌ ଏମ୍‌ବାପେଙ୍କ ଆହ୍ବାନକୁ ପ୍ରତିହତ କରିବାକୁ ପଡ଼ିବ। ଉଭୟ ମଧ୍ୟ ସମାନ ୫ ଲେଖାଏଁ ଗୋଲ୍ ଦେଇ ଗୋଲ୍‌ଡେନ୍ ବୁଟ୍‌ ଦୌଡ଼ରେ ରହିଛନ୍ତି।

publive-image

ରବିବାରର ଆରବୀୟ ନାଇଟ୍ସ କହିବ ମେସି କି ଏମ୍‌ବାପେ ହେବେ ବିଜେତା। ମେସି ପ୍ରତି ଥର ପଡ଼ିଆକୁ ଓହ୍ଲାଇଲେ ପ୍ରଶଂସକ, ପ୍ରଶାସକ, ପ୍ରଶିକ୍ଷକ ପ୍ରମୁଖ ଆଶା କରିଥା’ନ୍ତି କିଛି କରିସ୍ମା ହୋଇଯିବ। ଏଥର ବି ଲୁସାଇଲ୍ ଷ୍ଟାଡିୟମ୍‌ରୁ ସେଭଳି ଆଶା ରହିବ। ସବୁ ପରିସ୍ଥିତି, ପରିବେଶ, ପିଚ୍‌କୁ ପ୍ରତିହତ କରି ମେସିଙ୍କୁ କିନ୍ତୁ ମହାନତମ ଖେଳାଳି ହେବାକୁ ଏଥର ବିଶ୍ବକପ୍‌ ଜିତିବାକୁ ହେବ। ମାରାଡୋନାଙ୍କୁ ମଧ୍ୟ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ନହେଲେ ଏମ୍‌ବାପେ ୨୩ ବର୍ଷ ଭିତରେ ଦୁଇ ଥର ବିଶ୍ବକପ୍‌ ଜିତିଯିବେ। ନିଜ ପ୍ରଥମ ଦୁଇ ବିଶ୍ବକପ୍‌ରେ ବିଜେତା ଟ୍ରଫି ଧରିବାରେ ପେଲେଙ୍କ ସମକକ୍ଷ ହୋଇଯିବେ। ରବିବାର ରାତିରେ କିନ୍ତୁ ଯିଏ ଜିତୁ ସେହି ଦେଶ ତୃତୀୟ ଥର ଟ୍ରଫି ତୋଳି ଧରିବାର ଗୌରବ ପାଇବ।‌

publive-image

ଫାଇନାଲ୍‌ ମ୍ୟାଚ୍‌ ପରିଚାଳନା କରିବେ ପୋଲାଣ୍ଡର ମାର୍ସିନିଆକ୍‌
ଆସନ୍ତାକାଲି ଚଳିତ ଫିଫା ବିଶ୍ବକପ୍‌ର ଫାଇନାଲ୍‌ ମୁକାବିଲା ଆର୍ଜେଣ୍ଟିନା‌ ଓ ଫ୍ରାନ୍‌ସ ମଧ୍ୟରେ ହେବ। ଏହି ମେଗା ଫାଇନାଲ୍‌କୁ ପୋଲାଣ୍ଡର ୪୧ ବର୍ଷ ବୟସ୍କ ଜିମୋନ ମାର୍ସିନିଆକ୍‌ ପରିଚାଳନା କରିବେ। ଏକ୍ଷେତ୍ରରେ ସେ ମଧ୍ୟ ପ୍ରଥମ ପୋଲାଣ୍ଡ ରେଫରି ହେବେ। ମାର୍ସିନିଆକ୍‌ ଏହା ପୂର୍ବରୁ ରୁଷିଆରେ ଆୟୋଜିତ ୨୦୧୮ ସଂସ୍କରଣରେ ପ୍ରଥମ ଥର ଲାଗି ମ୍ୟାଚ୍‌ ପରିଚାଳନା କରିଥିଲେ। ହେଲେ ପ୍ରଥମ ପୋଲାଣ୍ଡ୍‌ ରେଫରି ଭାବେ କୌଣସି ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ ପରିଚାଳନା କରିବେ। ରବିବାର ଫାଇନାଲ୍‌ ମ୍ୟାଚ୍‌ ପରିଚାଳନାରେ ତାଙ୍କୁ ସହାୟତା କରିବେ ପାୱେଲ ସୋକୋଲନିକି ଓ ତୋମାସ୍‌ ଲିସ୍‌କିୱିଜ୍‌। ଅନ୍ୟପକ୍ଷରେ ଶନିବାର ଖେଳାଯାଇଥିବା ତୃତୀୟ ସ୍ଥାନ ମ୍ୟାଚ୍‌ ପରିଚାଳନା କରିଛନ୍ତି କାତାରି ଅବ୍‌ଦୁଲରହମନ୍‌ ଅଲ୍‌ ଜାସିମ୍‌, ତାଲେବ୍‌ ଅଲ୍‌ ମାରି ଏବଂ ସୌଦ୍‌ ଅହମ୍ମଦ ଅଲ୍‌ମାକାଲେ।

publive-image

ଫ୍ରାନ୍ସ ଶିବିରରେ ଭୂତାଣୁ ଆତଙ୍କ

ରବିବାର ଆର୍ଜେଣ୍ଟିନା ବିପକ୍ଷରେ ଚଳିତ ଫିଫା ବିଶ୍ବକପ୍‌ ଫାଇନାଲ୍‌ ଖେଳିବାକୁ ଯାଉଥିବା ଗତଥର ବିଜେତା ଫ୍ରାନ୍ସ ଶିବିରରେ ଭୂତାଣୁ ଆତଙ୍କ ବୃଦ୍ଧି ପାଇଛି। ଦଳର ଅଧିକାଂଶ ଖେଳାଳି ଅଜଣା ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି। ଖେଳାଳିମାନେ ପ୍ରବଳ ଥଣ୍ଡା ଓ ଜ୍ବରରେ ପୀଡ଼ିତ ଥିବା ଫ୍ରେଞ୍ଚ୍‌ ଫୁଟ୍‌ବଲ ଫେଡେରେସନ୍‌ କହିଛି। ବୁଧବାର ଦୁଇ ଜଣ ଖେଳାଳି ସଂକ୍ରମିତ ହୋଇ ମରକ୍କୋ ବିପକ୍ଷ ମ୍ୟାଚ୍‌ ଖେଳିପାରିନଥିଲା ବେଳେ ଶୁକ୍ରବାର ଆଉ ଦୁଇ ଜଣ ଅସୁସ୍ଥ ଅନୁଭବ କରିଛନ୍ତି। ଦୁଇ ଦିନ ପୂର୍ବରୁ ଡାୟଟ୍‌ ଉପାମେକାନୋ ଓ ଆଦ୍ରିଏନ୍‌ ରାବିଅଟ୍‌ ଭୂତାଣୁ ସଂକ୍ରମଣରେ ଅସୁସ୍ଥ ହୋଇପଡ଼ିଥିଲା ବେଳେ ଶୁକ୍ରବାର ଏଥିରେ ଯୋଡ଼ି ହୋଇଛନ୍ତି ରାଫେଲ ଭାରାନେ ଓ ଇବ୍ରାହିମ୍‌ କୋନାଟେ। ଅନ୍ୟମାନଙ୍କ ମଧ୍ୟରେ ମିଡ୍‌ଫିଲ୍‌ଡର ଅରେଲିନ୍‌ ଚୌଆମେନି ଏବଂ ଥିଓ ହର୍ନଣ୍ଡେଜ୍‌ ଅସୁସ୍ଥତା ଯୋଗୁ ଶୁକ୍ରବାର ‌ଟ୍ରେନିଂ ସେସନ୍‌ରୁ ବଞ୍ଚିତ ରହିଥିଲେ। ଉଭେୟ ଇନ୍‌ଡୋରରେ ଅଭ୍ୟାସ କରିଥିଲେ ବୋଲି ଫ୍ରେଞ୍ଚ୍‌ ଫୁଟ୍‌ବଲ ଫେଡେରେସନ୍‌ କହିଛି।

publive-image

କୋଲକାତା ମାହୋଲରେ ଏବେ ବି ଆର୍ଜେଣ୍ଟିନା-ବ୍ରାଜିଲ୍‌ ଫାଇନାଲ୍‌

ରବିବାର ଫିଫା ବିଶ୍ବକପ୍‌ର ଫାଇନାଲ୍‌ରେ ଆର୍ଜେଣ୍ଟିନା-ଫ୍ରାନ୍ସ ମୁକାବିଲା ହେବ। ଅର୍ଥାତ୍‌ ଦକ୍ଷିଣ ଆମେରିକୀୟ ଶକ୍ତି-ୟୁରୋପୀୟ ପରାକାଷ୍ଠା, ପୁରୁଣା ବିଜେତା-ନୂଆ ବିଜେତାଙ୍କ ମଧ୍ୟରେ ଏହି ଟକ୍କର। ପୂର୍ବ ଭାରତର ଫୁଟ୍‌ବଲ୍ ପ୍ରାଣକେନ୍ଦ୍ର କୋଲ୍‌କାତାରେ କିନ୍ତୁ ପ୍ରଶଂସକଙ୍କ ନଜରରେ ଏହା ଆର୍ଜେଣ୍ଟିନା-ବ୍ରାଜିଲ୍‌ ମୁକାବିଲା ଭଳି। ବିଶ୍ବ ଫୁଟ୍‌ବଲ୍‌ର ଦୁଇ ମହାଶକ୍ତି ଭାବେ ପରିଚିତ ଏହି ଦୁଇ ଦେଶର ପ୍ରଶଂସକମାନେ ଢେର ସଂଖ୍ୟାରେ ରହିଛନ୍ତି ପଶ୍ଚିମବଙ୍ଗରେ। ଆର୍ଜେଣ୍ଟିନା ପ୍ରଶଂସକଙ୍କ ବିଶ୍ବାସ ଦଳ କପ୍ ଜିତିସାରିଛି।

ଏଥିପାଇଁ ଦକ୍ଷିଣ କୋଲକାତାର ବାଘାଜତିନ୍‌ ଅଞ୍ଚଳରେ ଏକ ବଡ଼ ଧରଣର ବିଜୟ ଉତ୍ସବର ଯୋଜନା କରାଯାଇଛି। ୩୦୦ ବାଇକ ଏବଂ ୩୦ ଘୋଡ଼ାକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ଆର୍ଜେଣ୍ଟିନା ଫ୍ୟାନ୍ କ୍ଲବ୍‌ର ଯୁଗ୍ମ ସମ୍ପାଦକ ହାପି ସାହା ପ୍ରକାଶ କରିଛନ୍ତି। ହାପିଙ୍କ ଅଙ୍କଲ୍‌ ଉତ୍ତମ ସାହା କିନ୍ତୁ କାତାର ଗସ୍ତରେ ଅଛନ୍ତି ବିଶ୍ବକପ୍‌ ଆରମ୍ଭରୁ। ଆର୍ଜେଣ୍ଟିନା ୧୦୦ ପ୍ରତିଶତ ଜିତିବ ବୋଲି ଦୃଢ଼ତାର ସହ କହିଛନ୍ତି ୫୮ ବର୍ଷୀୟ ଉତ୍ତମ। କ୍ବାର୍ଟରଫାଇନାଲ୍‌ରୁ ବ୍ରାଜିଲର ବିଦାୟ କିନ୍ତୁ ଏହାର ବେଙ୍ଗଲ୍ ପ୍ରଶଂସକ ଗୋଷ୍ଠୀକୁ ନିରାଶ କରିଛି। ତଥାପି ଏମାନେ ବିଭିନ୍ନ ବଜାର ଘାଟ, କ୍ଲବ୍, ଘର କାନ୍ଥମାନଙ୍କରେ ବ୍ରାଜିଲ୍‌ ଜର୍ସି ଓ ନେମାରଙ୍କୁ ସଜାଇଛନ୍ତି। ମୁଁ ଜଣେ ବ୍ରାଜିଲ ପ୍ରଶଂସକ ବୋଲି କହିଛନ୍ତି ଉତ୍ତର କୋଲକାତା ଦିଶାରି କ୍ଲବ୍‌ର ସଦସ୍ୟ ସୌମେନ ବୋରା। ଏପରିକି କ୍ଲବ୍ ପକ୍ଷରୁ ହୋଇଥିବା ବଡ଼ ସ୍କ୍ରିନ୍‌ ଫ୍ଲେକ୍ସରେ ଏବେ ବି ବ୍ରାଜିଲ୍‌ ବନାମ ଆର୍ଜେଣ୍ଟିନା ଜର୍ସି ଓ ପତାକା ସ୍ଥାନ ପାଇଛି।

publive-image

ସୂଚନାଯୋଗ୍ୟ, ପ୍ରତି ଥର ବେଙ୍ଗଲ୍ ପ୍ରଶଂସକମାନେ ଏହି ଦୁଇ ଲାଟିନ୍ ଆମେରିକୀୟ ଦେଶର ଖେଳାଳିଙ୍କୁ ବିଭାଜିତ ଭାବେ ସମର୍ଥନ କରିଆସିଛନ୍ତି। ଠିକ ଯେଭଳି କୋଲକାତାରେ ମୋହନ ବାଗାନ-ଇଷ୍ଟ‌ ବେଙ୍ଗଲ୍ ପ୍ରଶଂସକମାନେ କଠୋରପନ୍ଥୀ ଭାବେ ସମର୍ଥନ କରିଥା’ନ୍ତି। ରବିବାର ଫାଇନାଲ୍‌ରେ ଫ୍ରାନ୍ସ ପାଇଁ ଯେ କୋଲକାତାରେ ପ୍ରଶଂସକ ନାହାନ୍ତି ତା ନୁହେଁ। ୪ ବର୍ଷ ତଳେ ଫ୍ରାନ୍ସ ବିଶ୍ବକପ୍ ଜିତିବା ବେଳେ କୋଲକାତାରେ ମଧ୍ୟ ବଡ଼ ବିଜୟ ଉତ୍ସବ ହୋଇଥିଲା।