ରାଣୀଙ୍କ ପ୍ରେରଣାଦାୟୀ କାହାଣୀ, ଟୋକିଓରେ ଟେକ ରଖିଲେ ଟ୍ରଲି ଟଣାଳିଙ୍କ ଝିଅ

ଜୀବନ ବୀତସ୍ପୃହ ମନେ ହେଉଥିଲା। ବିଦ୍ୟୁତ୍‌କାଟରୁ ଆରମ୍ଭ କରି କାନରେ ମଶାର ଗୁଣୁଗୁଣୁ ସ୍ବର ରାତିର ନିଦ ଚୋରାଇ ନେଉଥିଲା। ଖୁବ୍ କମ୍ ଦିନ ପେଟପୂରା ଦୁଇ ଓଳି ଖାଇବାକୁ ମିଳୁଥିଲା। ବର୍ଷାରେ ନର୍ଦ୍ଦମା ପାଣିରେ ଆମ ଘର ଭରି ଯାଉଥିଲା। ମୋର ପିତାମାତା ପ୍ରାଣପ୍ରଣେ ଚେଷ୍ଟା କରୁଥିଲେ। କିନ୍ତୁ ସେମାନଙ୍କ ଦ୍ବାରା ସେତିକି ହିଁ ସମ୍ଭବ ଥିଲା। ବାପା ଟ୍ରଲି ଟାଣି ପରିବାର ପୋଷୁଥିଲେ। ମାଆ ଅନ୍ୟ ଘରେ କାମ କରୁଥିଲେ। ମୋ ଘର ପାଖରେ ଗୋଟିଏ ହକି ଆକାଡେମି ଥିଲା। ତେଣୁ ମୁଁ ସେଠାରେ ଘଣ୍ଟାଘଣ୍ଟା ଛିଡ଼ା ହୋଇ ପିଲାଙ୍କ ଅଭ୍ୟାସ ଦେଖୁଥିଲି। ମୋର ଖେଳିବାକୁ ବହୁତ ଇଚ୍ଛା ହେଉଥିଲା। ବାପା ଦିନକୁ ୮୦ ଟଙ୍କା ରୋଜଗାର କରୁଥିଲେ ଓ ମୋ ପାଇଁ ହକି ବାଡ଼ି କିଣିବାର ସାମର୍ଥ୍ୟ ନଥିଲା। ମୁଁ ପ୍ରତିଦିନ କୋଚ୍‌ଙ୍କୁ ‌ଖେଳାଇବାକୁ ଅନୁରୋଧ କରୁଥିଲି। ମୋର ଦୁର୍ବଳ ଶରୀର ଦେଖି କୁପୋଷଣର ଶିକାର ବୋଲି କହି ସେ ମନା କରିଦେଉଥିଲେ।

ଅଭ୍ୟାସ ଅଧିବେଶନ ପୂରା କରିବା ଭଳି ଶକ୍ତି ତୋ ଦେହରେ ନାହିଁ ବୋଲି କହୁଥିଲେ। ଥରେ ମୋତେ ଗୋଟିଏ ଭଙ୍ଗା ଷ୍ଟିକ୍ ମିଳିଲା ଓ ମୁଁ ସେଥିରେ ଅଭ୍ୟାସ ଆରମ୍ଭ କରି ଦେଇଥିଲି। ମୋ ପାଖରେ ଅଭ୍ୟାସ ପୋଷାକ ନଥିଲା, ତେଣୁ ସାଲ୍‌ୱାର୍ କମିଜ୍ ପିନ୍ଧି ପଡ଼ିଆରେ ଦୌଡ଼ିଲି। ନିଜକୁ ପ୍ରମାଣିତ କରିବା ପାଇଁ ମୁଁ ବଦ୍ଧପରିକର ଥିଲି। ଗୋଟିଏ ସୁଯୋଗ ପାଇଁ ମୁଁ କୋଚ୍‌ଙ୍କୁ ନେହୁରା ହେଲି। ବହୁତ କଷ୍ଟରେ ସେ ରାଜି ହେଲେ। କିନ୍ତୁ ଯେତେବେଳେ ମୁଁ ନିଜ ପରିବାରକୁ ଖେଳିବା କଥା କହିଲି, ମୋତେ କହାଗଲା ଝିଅ ମାନେ ଘର କାମ କରନ୍ତି। ତତେ ସ୍କର୍ଟ ପିନ୍ଧି ଆମେ ଖେଳିବାକୁ ଦେବୁ ନାହିଁ। ମୁଁ ବହୁତ ଅର୍ଦ୍ଦଳି କଲି, ବୁଝାଇଲି। ମୁଁ ବିଫଳ ହେଲେ ଯାହା କହିବ ତାହା କରିବି ବୋଲି ପ୍ରତିଶ୍ରୁତି ଦେଲି। ବହୁ କଷ୍ଟରେ କୁଣ୍ଠାର ସହିତ ବାପାମାଆ ରାଜି ହେଲେ।

‌ପ୍ରତିଦିନ ବଡ଼ି ଭୋରରୁ ତାଲିମ ଆରମ୍ଭ ହୁଏ। ସକାଳୁ ଉଠିବା ସମୟ ଜାଣିବାକୁ ଆମ ଘରେ ଗୋଟିଏ ଘଡ଼ି ବି ନଥିଲା। ମାଆ ସକାଳୁ ଉଠି ଆକାଶକୁ ଦେଖି ଅନୁମାନରେ ମତେ ବିଛଣାରୁ ଉଠାଉଥିଲେ। ଆକାଡେମିରେ ସବୁ ପ୍ରଶିକ୍ଷାର୍ଥୀ ଅଧଲିଟର ଲେଖାଏଁ କ୍ଷୀର ନେଇ ଆସିବା ବାଧ୍ୟତାମୂଳକ ଥିଲା। ମୋ ପରିବାର ଅତି କଷ୍ଟରେ ୨୦୦ ଏମ୍‌ଏଲ୍‌ କ୍ଷୀର ଯୋଗାଡ଼ କରି ପାରୁଥିଲା। କାହାକୁ କିଛି ନକହି ମୁଁ ସେଥିରେ ପାଣି ମିଶାଇ ଅଧଲିଟର୍ କରି ଦେଉଥିଲି ଓ ଅଭ୍ୟାସ ମଝିରେ ପିଉଥିଲି। ‌ଯେକୌଣସି ପ୍ରକାରେ ମୋତେ ଖେଳିବାର ଥିଲା। କ୍ରମେ କୋଚ୍‌ଙ୍କଠାରୁ ମୋତେ ବହୁତ ସମର୍ଥନ ମିଳିଲା। ସେ ମୋତେ ହକି କିଟ୍‌ସ ଓ ଜୋତା କିଣିଦେଲେ। ମୋତେ ତାଙ୍କ ପରିବାର ସହ ରହିବାକୁ ଦେଲେ ଓ ମୋ ଖାଦ୍ୟପେୟ କଥା ବୁଝିଲେ। ମୁଁ କଠିନ ପରିଶ୍ରମ କଲି ଓ ଗୋଟିଏ ଦିନ ବି ତାଲିମ ବନ୍ଦ କରି ନଥିଲି।

ମୋର ମନେ ପଡ଼ୁଛି ଯେବେ ମୋତେ ପ୍ରଥମ ପାରିଶ୍ରମିକ ମିଳିଲା। ଗୋଟିଏ ଟୁର୍ନାମେଣ୍ଟ ଜିତିବା ପରେ ମୋତେ ୫୦୦ ଟଙ୍କା ମିଳିଥିଲା। ମୁଁ ସେହି ଟଙ୍କା ବାପାଙ୍କୁ ଦେଲି। ବାପା ଏକା ସାଂଗରେ ଏତେ ଟଙ୍କା ନିଜ ହାତରେ କେବେ ଦେଖିନଥିଲେ। ମୁଁ ସେଠି ମୋ ପରିବାରକୁ ପ୍ରତିଶ୍ରୁତି ଦେଲି ଯେ ଦିନେ ଆମର ନିଜର ଘର ହେବ। ମୁଁ ସେଥିପାଇଁ ମୋ କ୍ଷମତା ଅନୁଯାୟୀ ସବୁ କିଛି କଲି। ମୁଁ ରାଜ୍ୟର ପ୍ରତିନିଧିତ୍ବ କଲା ପରେ ଓ ବିଭିନ୍ନ ଚାମ୍ପିଅନ୍‌ସିପ୍ ଖେଳିବା ପରେ ଶେଷରେ ୧୫ ବର୍ଷ ବୟସରେ ମୋତେ ଜାତୀୟ ଦଳ ପାଇଁ ଡାକରା ମିଳିଲା। ସେତିକିବେଳେ ବି ଆମ ସଂପର୍କୀୟମାନେ ପଚାରୁଥିଲେ ଯେ ଝିଅର କେବେ ବାହାଘର କରିବ। କିନ୍ତୁ ମୋ ବାପା କହିଲେ, ତୋ ମନ ଭରିବା ଯାଏ ଖେଳ। ପରିବାରର ସମର୍ଥନ ମିଳିବା ପରେ ଦେଶ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବା ମୋର ଏକମାତ୍ର ଲକ୍ଷ୍ୟ ହେଲା। ଶେଷରେ ମୋତେ ଭାରତୀୟ ଦଳର ଅଧିନାୟିକା ହେବାର ସୁଯୋଗ ମିଳିଲା।

ଦିନେ ମୁଁ ନିଜ ଘରେ ଥିଲି, ମୋ ବାପାଙ୍କ ଜଣେ ବନ୍ଧୁ ନିଜ ନାତୁଣୀକୁ ନେଇ ଆମ ଘରକୁ ଆସିଲେ। କହିଲେ ଇଏ ତୋ’ଠାରୁ ପ୍ରେରିତ ହୋଇ ଜଣେ ହକି ଖେଳାଳି ହେବାକୁ ଚାହୁଁଛି। ମୁଁ ଅତ୍ୟନ୍ତ ଆନନ୍ଦିତ ହୋଇ କାନ୍ଦିବା ଆରମ୍ଭ କଲି। ୨୦୧୭ରେ ମୁଁ ନିଜ ପ୍ରତିଶ୍ରୁତି ପୂରଣ କଲି ଓ ମୋ ପରିବାରକୁ ଏକ ଘର ଦେଲି। ଆମେ ସମସ୍ତେ ପରସ୍ପରକୁ ଶକ୍ତଭାବେ ଜାବୁଡ଼ି ଧରି ବହୁ ସମୟ କାନ୍ଦିବାକୁ ଲାଗିଲୁ। ଏତିକିରେ ମୋର ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଏ ବର୍ଷ ମୁଁ ନିଜ କୋଚ୍‌ଙ୍କୁ ଓ ମୋ ପରିବାରକୁ ଟୋକିଓରୁ ସ୍ବର୍ଣ୍ଣ ପଦକ ଉପହାର ଦେଇ ଋଣ ଶୁଝିବି ଯେଉଁଥିପାଇଁ ସେମାନେ ବର୍ଷବର୍ଷ ଧରି ସ୍ବପ୍ନ ଦେଖି ଆସୁଛନ୍ତି।

ସଂକ୍ଷେପରେ ରାଣୀ ରାମ୍‌ପାଲ୍
୧୯୯୪ ଡିସେମ୍ବର ୪ ତାରିଖରେ ହରିଆନା କୁରୁକ୍ଷେତ୍ର ଜିଲ୍ଲାର ଶାହାବାଦ ମରକନ୍ଦରେ ଏକ ଗରିବ ପରିବାରରେ ରାଣୀଙ୍କ ଜନ୍ମ। ତାଙ୍କ ପିତା ଜଣେ ଟ୍ରଲି ଟଣାଳି ଥିଲେ। ସେ ମାତ୍ର ୬ ବର୍ଷ ବୟସରୁ ହକି ପ୍ରତି ଆକର୍ଷିତ ହୋଇଥିଲେ। ୨୦୦୩ରେ ତାଙ୍କୁ ୯ ବର୍ଷ ବୟସରେ ବିଧିବଦ୍ଧ ହକି ଖେଳିବା ସୁଯୋଗ ମିଳିଲା। ଶାହାବାଦ ହକି ‌ଆକାଡେମିରେ ଦ୍ରୋଣାଚାର୍ଯ୍ୟ ବିଜେତା କୋଚ୍ ବଲଦେବ ସିଂହ ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଗ୍ବାଲିୟର୍ କନିଷ୍ଠ ଜାତୀୟ ଓ ଚଣ୍ଡିଗଡ଼ ସ୍କୁଲ୍ ଜାତୀୟ ପ୍ରତିଯୋଗିତାରେ ରାଣୀଙ୍କ ଚମକ ଦେଖିବାକୁ ମିଳିଥିଲା। ସେ ୧୫ ବର୍ଷ ପୂରଣ କରିନଥିଲେ ଓ ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଲେ। ରାଣୀ ରାମ୍‌ପାଲ୍ ଓ ଭାରତୀୟ ହକି ଦଳକୁ ‘ସମ୍ବାଦ’ର ଶୁଭକାମନା।

ସମ୍ବନ୍ଧିତ ଖବର