ସାର୍ଜା: ଚଳିତ ୟୁଏଇ ଚରଣ ଆଇପିଏଲ୍ରେ ଶୁକ୍ରବାର ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ମୁହାଁମୁହିଁ ହେବେ। ଏହି ଚରଣରେ ଉଭୟ ଦଳ ନିଜ ନିଜର ଦ୍ବିତୀୟ ମ୍ୟାଚ୍ ଖେଳିବେ। ପଏଣ୍ଟ୍ ତାଲିକାରେ ଆର୍ସିବି ତୃତୀୟ ସ୍ଥାନରେ ରହିଥିଲା ବେଳେ ସିଏସ୍କେ ଦ୍ବିତୀୟ ସ୍ଥାନରେ ଅଛି। ଆର୍ସିବି ୮ ମ୍ୟାଚ୍ ଖେଳି ୫ ବିଜୟ ପାଇଥିଲା ବେଳେ ସିଏସ୍କେ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୬ ବିଜୟ ହାସଲ କରିଛି। ୟୁଏଇ ଚରଣରେ ନିଜର ପ୍ରଥମ ମ୍ୟାଚ୍ରେ ଆର୍ସିବି ଶୋଚନୀୟ ଭାବେ କୋଲ୍କାତା ନାଇଟ୍ ରାଇଡର୍ସ ନିକଟରୁ ହାରିଯାଇଥିଲା ବେଳେ ସିଏସ୍କେ ସହଜରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ତେଣୁ ଆସନ୍ତାକାଲିର ମୁକାବିଲା ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ଗୋଟିଏ ପଟେ ଏହି ମ୍ୟାଚ୍ ଜିତି ନକ୍ଆଉଟ୍ ପର୍ଯ୍ୟାୟରେ ନିଜର ସ୍ଥିତି ଦୃଢ଼ କରିବାରେ ଆଉ ଗୋଟିଏ ପାଦ ବଢ଼ାଇବାକୁ ସିଏସ୍କେ ଲକ୍ଷ୍ୟ ରଖିଥିଲା ବେଳେ ପରାଜୟ ଗ୍ଲାନିରୁ ବାହାରି ବିଜୟ ଧାରାକୁ ଫେରିବାକୁ ଆର୍ସିବି ବ୍ୟାକୁଳିତ ଅଛି। ନକ୍ଆଉଟ୍ ପର୍ଯ୍ୟାୟ ତଥା ଶ୍ରେଷ୍ଠ ୪ ଦଳ ମଧ୍ୟରେ ରହିବାକୁ ହେଲେ ସିଏସ୍କେକୁ ଆଉ ଅତିକମ୍ରେ ୨ ବିଜୟ ଆବଶ୍ୟକ ରହିଥିଲା ବେଳେ ଆର୍ସିବିକୁ ୪ ମ୍ୟାଚ୍ ଜିତିବା ଜରୁରି ରହିଛି। ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ଆଉ ୬ ଲେଖାଏଁ ମ୍ୟାଚ୍ ଖେଳିବାକୁ ବାକି ରହିଛି। ତେବେ ବିଜେତା ମୁମ୍ବାଇକୁ ୨୦ ରନ୍ରେ ପରାସ୍ତ କରି ଆତ୍ମବିଶ୍ବାସରେ ଭରପୁର ଥିବା ସିଏସ୍କେ ବିପକ୍ଷରେ ଆର୍ସିବିକୁ ଜିତିବାକୁ ହେଲେ ଦଳଗତ ପ୍ରଦର୍ଶନ ଦେବାକୁ ପଡ଼ିବ। ବିଶେଷକରି ଆର୍ସିବିକୁ ତା’ର ବ୍ୟାଟିଂ ବିଭାଗରେ ଅଧିକ ଶକ୍ତିଶାଳୀ ହେବାକୁ ପଡ଼ିବ। କାଗଜକଲମରେ ଏହି ଦଳ ତାରକା ଖଚିତ ବୋଲି ଜଣାପଡୁଥିଲେ ମଧ୍ୟ ଚେନ୍ନାଇର ଗଭୀରତା ଆର୍ସିବି ପାଇଁ ବିପଦ ସୃଷ୍ଟି କରିପାରେ। ଉଭୟ ଦଳ ପରସ୍ପର ୨୬ ଥର ମୁହାଁମୁହିଁ ହୋଇଥିଲା ବେଳେ ସିଏସ୍କେ ୧୭ ବିଜୟ ସହ ଆର୍ସିବି (୯)ଠୁ ବହୁ ଉପରେ ରହିଛି। ଏପରିକି ଶେଷ ୧୧ ମୁକାବିଲାରୁ ସିଏସ୍କେ ୯ ବିଜୟ ପାଇଛି।
ଆସନ୍ତାକାଲିର ମ୍ୟାଚ୍ରେ ଦେବଦତ୍ତ ପଡିକଲ (୨୧୭ ରନ୍) ଏବଂ ଅଧିନାୟକ ବିରାଟ କୋହଲି (୨୦୩ ରନ୍)ଙ୍କୁ ଦୃଢ଼ ମୂଳଦୁଆ ପକାଇବାକୁ ପଡ଼ିବ। ଏହାସତ୍ତ୍ବେ ଏହି ପ୍ରାରମ୍ଭିକ ଯୋଡ଼ିକୁ ମଧ୍ୟକ୍ରମରେ ଯଥେଷ୍ଟ ସହାୟତା ମିଳିବା ଦରକାର। ନହେଲେ କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ବିପର୍ଯ୍ୟୟକୁ ପୁଣି ଥରେ ଡାକିଆଣିବା ଆଶଙ୍କାକୁ ଏଡାଇ ପାରିବନାହିଁ। ଆର୍ସିବି ବିଶେଷକରି ଏହାର ଅଷ୍ଟ୍ରେଲୀୟ ତାରକା ଗ୍ଲେନ୍ ମ୍ୟାକ୍ସୱେଲ (୨୩୩ ରନ୍) ଏବଂ ଦକ୍ଷିଣ ଆଫ୍ରିକୀୟ ତାରକା ଏବି ଡିଭିଲିୟର୍ସ (୨୦୭ ରନ୍)ଙ୍କ ଉପରେ ଅତ୍ୟଧିକ ନିର୍ଭର କରିବ। ବୋଲିଂରେ ମହମ୍ମଦ ସିରାଜ୍, ହର୍ଷଲ ପଟେଲ କୋଲ୍କାତା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଅଲ୍ରାଉଣ୍ଡର କାଇଲ ଜାମିସ୍, ଲେଗ୍ ସ୍ପିନର ୟୁଝ୍ବେନ୍ଦ୍ର ଚହଲ ଏବଂ ନୂଆ କରି ଆମଦାନି ହୋଇଥିବା ସିଂହଳୀ ଅଲ୍ରାଉଣ୍ଡର ୱାନିନ୍ଦୁ ହସରଙ୍ଗା ଦଳକୁ ପରାଜୟପଟେ ରଖିଥିଲେ। ଏହି ତିନି ବୋଲର କୋଲ୍କାତା ବିପକ୍ଷ ମ୍ୟାଚ୍ରେ ଓଭର ପିଛା ୧୦ରୁ ଅଧିକ ରନ୍ ବ୍ୟୟ କରିଥିଲେ। ଯାହାକି ଆର୍ସିବିର ଚିନ୍ତା ବଢ଼ାଇଛି। ଏବେ ସିଏସ୍କେ ବିପକ୍ଷରେ ସେମାନଙ୍କୁ ଶାଣୀତ ବୋଲିଂ କରିବାକୁ ପଡ଼ିବ। ତେଣୁ ମଧ୍ୟକ୍ରମ ଉପରୁ ଚାପ ହଟାଇବା ପାଇଁ ଟିଭ୍ ଡେଭିଡ୍ଙ୍କୁ କୋହଲି ଖେଳାଇବାକୁ ଯୋଜନା କରିଥିଲା ବେଳେ ଡେଥ୍ ଓଭର ବୋଲିଂ ପାଇଁ ନଭ୍ଦୀପ ସୈନିଙ୍କୁ ଖେଳାଇପାରନ୍ତି।
ଅନ୍ୟପକ୍ଷରେ ସିଏସ୍କେକୁ ମୁମ୍ବାଇ ବିପକ୍ଷରେ ବିଜୟ ଦେବାରେ ଓପ୍ନର ଋତୁରାଜ ଗାଏକ୍ବାଡ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ୫୮ ବଲ୍ରୁ ୮୮ ରନ୍ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରି ସମ୍ମାନଜନକ ସ୍କୋର୍ ଦେଇଥିଲେ। କିନ୍ତୁ ଦଳର ଅଗ୍ରଣୀ ସ୍କୋରର୍ ଫାଫ୍ ଡୁପ୍ଲେସିସ୍ (୩୨୦ ରନ୍) ଏବଂ ଅଲ୍ରାଉଣ୍ଡର ମୋଇନ୍ ଅଲ୍ଲୀ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଭେଟେରାନ୍ ସୁରେଶ ରାଇନା ଏବଂ ନିଜେ ଅଧିନାୟକ ଧୋନି ମଧ୍ୟ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ କରିବାରୁ ବିଫଳ ହୋଇଥିଲେ। ଯାହାଫଳରେ ଏକ ସମୟରେ ଦଳ ୨୪/୪ରେ ସଂଘର୍ଷ କରିଥିଲା। ପୁଣି ଅମ୍ବାତି ରାୟୁଡୁ ଆହତ ହୋଇ ପଡ଼ିଆ ଛାଡ଼ିବା ସଂକଟ ସୃଷ୍ଟି କରିଥିଲା। ହେଲେ ଗାଏକ୍ବାଡଙ୍କ ବ୍ୟତୀତ ନିମ୍ନକ୍ରମରେ ଦୁଇ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ଡ୍ବେନ୍ ବ୍ରାଭୋ (୮ ବଲ୍ରୁ ୨୩) ବିସ୍ଫୋରକ ବ୍ୟାଟିଂ କରିବାରୁ ଦଳ ଶେଷରେ ୧୫୬/୬ରେ ପହଞ୍ଚିପାରିଥିଲା। ପରେ ବୋଲିଂରେ ମୁଖ୍ୟତଃ ଦୀପକ ଚହର ଏବଂ ବ୍ରାଭୋ ହିଁ ସିଏସ୍କେକୁ ବିଜୟ ଭେଟି ଦେଇଥିଲେ। ଆସନ୍ତାକାଲିର ମ୍ୟାଚ୍ରେ ସିଏସ୍କେ ଇଂଲଣ୍ଡ ଅଲ୍ରାଉଣ୍ଡର ସାମ୍ କରନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବାର ବିକଳ୍ପ ରଖିଛି। ଆହତ ବ୍ରାଭୋଙ୍କ ସ୍ଥାନରେ ସେ ଖେଳିବା ସମ୍ଭାବନା ରହିଛି। ପିଚ୍ ବ୍ୟାଟ୍ସମ୍ୟାନ୍ଙ୍କୁ ଅଧିକ ସୁହାଇବ: ଛୋଟ ବାଉଣ୍ଡାରି ପାଇଁ ସାର୍ଜା ପିଚ୍ ମୁଖ୍ୟତଃ ବୋଲରଙ୍କ ପାଇଁ ଅଡୁଆ ସୃଷ୍ଟି କରିଥାଏ। ୨୦୨୦ ଋତୁ ଆରମ୍ଭରୁ ଏହି ପିଚ୍ ବିଶେଷକରି ବ୍ୟାଟ୍ସମ୍ୟାନ୍ଙ୍କୁ ସୁହାଇଆସୁଛି। ଯାହା ଫଳରେ ୮ ମ୍ୟାଚ୍ରୁ ୭ ପ୍ରଥମ ପାଳିରେ ୨୦୦ରୁ ଅଧିକ ସ୍କୋର୍ ଦେଖିବାକୁ ମିଳିଛି। ପୁଣି ପ୍ରଥମ ୬ ମ୍ୟାଚ୍ରୁ ୫ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ବିଜୟୀ ହୋଇଛି। କାରଣ ଦ୍ବିତୀୟାର୍ଧରେ ପିଚ୍ ଧିମା ପଡ଼ିଯାଇଥାଏ।
ଅଜଣା କଥା: ଆଇପିଏଲ୍ରେ ହର୍ଷଲ ପଟେଲ ୧୩ ବଲ୍ ମଧ୍ୟରେ ଡୁପ୍ଲେସିସ୍ଙ୍କୁ ଦୁଇ ଥର ଆଉଟ୍ କରିଥିଲା ବେଳେ ୩୬ ବଲ୍ ମଧ୍ୟରେ ରାୟୁଡୁଙ୍କୁ ୪ ଥର ଶିକାର କରିଛନ୍ତି। ସେହିପରି ଡ୍ବେନ୍ ବ୍ରାଭୋଙ୍କ ୯୮ ବଲ୍କୁ ସାମ୍ନା କରି ବିରାଟ କୋହଲି ୧୫୨ ରନ୍ କରିବା ଏବଂ ଆଦୌ ଆଉଟ୍ ନହେବା ଆଇପିଏଲ୍ରେ କୌଣସି ବୋଲରଙ୍କ ବିପକ୍ଷରେ ସର୍ବାଧିକ। ଅନ୍ୟପକ୍ଷରେ ଧୋନି ଆର୍ସିବି ବିପକ୍ଷରେ ୧୪୧.୫୦ ହାରରେ ୮୨୪ ରନ୍ କରିଛନ୍ତି ଯାହାକି କୌଣସି ଗୋଟିଏ ଫ୍ରାଞ୍ଚାଇଜ୍ ବିପକ୍ଷରେ ତାଙ୍କର ସର୍ବାଧିକ।
ସମ୍ଭାବ୍ୟ ଆର୍ସିବି ଏକାଦଶ: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ, କେଏସ୍ ଭରତ (ୱିକେଟ୍ରକ୍ଷକ), ଗ୍ଲେନ୍ ମ୍ୟାକ୍ସୱେଲ, ଏବି ଡିଭିଲିୟର୍ସ, ଟିମ୍ ଡେଭିଡ୍/ୱାନିନ୍ଦୁ ହସରଙ୍ଗା, କାଇଲ ଜାମିସନ୍, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଝ୍ବେନ୍ଦ୍ର ଚହଲ, ନଭ୍ଦୀନ ସୈନି।
ସମ୍ଭାବ୍ୟ ସିଏସ୍କେ ଏକାଦଶ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ/ୱିକେଟ୍ରକ୍ଷକ), ଫାଫ୍ ଡୁପ୍ଲେସିସ୍, ଋତୁରାଜ ଗାଏକ୍ବାଡ଼, ମୋଇନ୍ ଅଲ୍ଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା, ଡ୍ବେନ୍ ବ୍ରାଭୋ/ସାମ୍ କରନ, ଶାର୍ଦୁଳ ଠାକୁର, ଦୀପକ ଚହର, ଜୋସ୍ ହାଜ୍ଲେଉଡ୍।