ନୂଆ ଜର୍ସି ଉନ୍ମୋଚନ କଲା ଆର୍‌ସିବି, ଅଭ୍ୟାସ ଆରମ୍ଭ କଲେ ଏବିଡି

ଦୁବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୋମବାର ତା’ ନୂଆ ଜର୍ସି ଉନ୍ମୋଚନ କରିଛି। ନୂଆ ଡିଜାଇନ୍ ଓ ନୂଆ ରୂପର ଏହି ଜର୍ସିର ଝଲକ ଦଳ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଦେଇଛି। ନୂଆ ଜର୍ସିରେ ଅବଶ୍ୟ ପୁରୁଣା ଭର୍ସି ଭଳି କଳା ଓ ଲାଲ ରଙ୍ଗ ରହିଛି। ତା’ ସହ ସୁନେଲି ଛାପ ବି ଅଛି। ଚଳିତ ବର୍ଷ ଆର୍‌ସିବିର ନୂ୍ଆ ଟାଇଟଲ ପ୍ରାୟୋଜକ ଥିବାରୁ ନୂଆ ଡିଜାଇନ୍ ଲୋଗୋ ଜର୍ସିର ତଳ ଭାଗର ଅଧିକାଂଶ ଅଂଶ ନେଇଛି। ଦଳ ନୂଆ ଜର୍ସିରେ ପ୍ରକାଶ କରିଥିବା ଫଟୋରେ ଅଧିନାୟକ ବିରାଟ କୋହଲିଙ୍କ ସହ ଏବି ଡି’ଭିଲିୟର୍ସ, ପାର୍ଥିବ ପଟେଲ, ଉମେଶ ଯାଦବ ଓ ୟୁଜବେନ୍ଦ୍ର ଚହଲ ପ୍ରମୁଖଙ୍କୁ ଦେଖିବାକୁ ମିଳୁଛି। ଆର୍‌ସିବି ଏଥର ସୁନେଲି ରଙ୍ଗର ହେଲମେଟ୍‌ରେ ଅଭ୍ୟାସ କରୁଛି। ମ୍ୟାଚ୍ ବେଳେ କିନ୍ତୁ ଦଳ ଏହି ହେଲମେଟ୍ ବ୍ୟବହାର କରୁଛି କି ନାହିଁ, ତାହା‌ ଦେଖିବାକୁ ପ୍ରଶଂସକ ଚାହିଁ ବସିଛନ୍ତି। ଆର୍‌ସିବି ପୂର୍ବରୁ କେବେବି ଆଇପିଏଲ୍ ଟ୍ରଫି ଜିତି ନଥିଲା ବେଳେ ଏଥର ନୂଆ ଜର୍ସିରେ ନିଜ ଭାଗ୍ୟ ବଦଳାଇବା ଲକ୍ଷ୍ୟରେ ରହିଛି। ସେଥିପାଇଁ ଆଜି ପ୍ରକାଶ କରିଥିବା ଫଟୋ ତଳେ ଲେଖିଛି ଯେ ଲାଲ୍ ଓ ସୁନେଲି ରଙ୍ଗରେ ରଙ୍ଗାୟିତ ହୋଇ, ଆହ୍ବାନକୁ ସମ୍ମୁଖୀନ ହେବା ଏବଂ ସାହସିକ ଖେଳ ଖେଳିବାର ସମୟ ଆସି ଯାଇଛି। ସମସ୍ତ ଶକ୍ତି ଓ ସାମର୍ଥ୍ୟ ସହ ଯୁଦ୍ଧ କ୍ଷେତ୍ରକୁ ଯିବାକୁ ଆମେ ବ୍ୟଗ୍ର।

ଦୁବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳର ଦକ୍ଷିଣ ଆଫ୍ରିକୀୟ ତାରକା ଏବି ଡି’ଭିଲିୟର୍ସ ଦୁବାଇରେ ଆଇପିଏଲ୍-୧୩ ଲାଗି ଅଭ୍ୟାସ ଆରମ୍ଭ କରିଛନ୍ତି। ସୋମବାର ଆ‌ର୍‌ସିବି ଖେଳାଳିମାନେ ନିଜ ଦ୍ବିତୀୟ ଅଭ୍ୟାସ ଅଧିବେସନ ଲାଗି ପଡ଼ିଆକୁ ଓହ୍ଲାଇଥିଲା ବେଳେ ଡି’ଭିଲିୟର୍ସ ସେମାନଙ୍କ ସହ ଯୋଗ ଦେଇଥିଲେ। ତାଙ୍କ ସହ ଦକ୍ଷିଣ ଆଫ୍ରିକୀୟ ବୋଲର ଡେଲ୍ ଷ୍ଟେନ୍ ଓ କ୍ରିସ୍ ମୋରିସ୍ ମଧ୍ୟ ଥିଲେ। ଏହି ତିନି ଜଣ ଖେଳାଳି ଗତ ୨୨ ତାରିଖରେ ୟୁଏଇ ପହଞ୍ଚିବା ପରେ ୬ ଦିନ ପାଇଁ ସଙ୍ଗରୋଧରେ ରହିଥିଲେ। ଏହା ପରେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା। ତିନିଟି ଯାକ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ଯାଇ ସେମାନଙ୍କୁ ଦଳର ଅନ୍ୟ ଖେଳାଳିଙ୍କ ସହ ଅଭ୍ୟାସ କରିବାର ସୁଯୋଗ ମିଳିଥିଲା। ଖେଳାଳିମାନେ ଅଭ୍ୟାସ କରୁଥିବାର ଭିଡିଓ ଆର୍‌ସିବି ମଧ୍ୟ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲା। ‘‘ପ୍ରଥମ ଅଭ୍ୟାସ ଅଧିବେସନ ବେଶ୍ ମଜାଦାର ଥିଲା। ୱିକେଟ୍ ଟିକିଏ ମନ୍ଥର ଥିଲା, ଏଣୁ ବ୍ୟାଟିଂ କରିବା ଆହ୍ବାନଭରା ରହିଥିଲା। ଦୀର୍ଘ ଦିନ ପରେ ମୁଁ ଆଶାଜନକ ଭା‌ବେ ଅଭ୍ୟାସ ଆରମ୍ଭ କରିଛି। ମୌଳିକତାକୁ ଗୁରୁତ୍ବ ଦେଇ ବଲ୍‌କୁ ଯତ୍ନର ସହ ଦେଖୁଥିଲି, କିଛି ସୁନ୍ଦର ସଟ୍ ମଧ୍ୟ ଖେଳିଥିଲି’’ ବୋଲି ଡି’ଭିଲିୟର୍ସ ଏହି ଭିଡିଓରେ କହୁଥିବା ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର