ଆଦୁଧାବି/ଦୁବାଇ: ଶୁକ୍ରବାର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ରାଉଣ୍ଡ୍ ଶେଷ ହୋଇଥିବା ବେଳେ ଶନିବାରଠାରୁ ସୁପର୍‌-୧୨ ତଥା ମୁଖ୍ୟ ପର୍ଯ୍ୟାୟ ଆରମ୍ଭ ହୋଇଯିବ। ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଦୁଇଟି ପ୍ରମୁଖ ମୁକାବିଲା ଦେଖିବାକୁ ମିଳିବ। ଅପରାହ୍ଣ ୩.୩୦ରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଏବଂ ରାତି ୭.୩୦ରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌ ଧାର୍ଯ୍ୟ ରହିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦୁଇ ଅସଫଳ ଦଳ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଆବୁଧାବିରେ ମୁହାଁମୁହିଁ ହେବେ। ପୂର୍ବ ସଂସ୍କରଣକୁ ଭୁଲି ନୂଆ ଆଶା ନେଇ ନୂଆ ଆରମ୍ଭ କରିବେ ବୋଲି ଆଶା ରଖିଛନ୍ତି। ଆଇସିସି ମାନ୍ୟତା ଦୃଷ୍ଟିରୁ ଅଷ୍ଟ୍ରେଲିଆ ନୁହେଁ ଦକ୍ଷିଣ ଆଫ୍ରିକାକୁ ଦାବିଦାର ଦଳ କୁହାଯାଇପାରିବ। ବିଗତ ୧୦ ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ଦକ୍ଷିଣ ଆଫ୍ରିକା ୯ଟି ଜିତିଛି। ଅଷ୍ଟ୍ରେଲିଆ କିନ୍ତୁ ନିଜର ବିଗତ ୧୦ ମ୍ୟାଚ୍‌ରୁ ୮ ହାରିବା ସହ ଶେଷ ୪ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ହାରି ବିଶ୍ବକପ୍ ଆସିଛି। ୱା‌ର୍ମ ଅପ୍‌ ମ୍ୟାଚ୍‌‌ରେ ଦକ୍ଷିଣ ଆଫ୍ରିକା ଉଭୟ ଆଫଗାନିସ୍ତାନ ଓ ପାକିସ୍ତାନକୁ ପରାସ୍ତ କରିଥିଲା।

Advertisment

ଅଷ୍ଟ୍ରେଲିଆ କିନ୍ତୁ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଭାରତ ନିକଟରୁ ଏକତରଫା ଭାବେ ହାରିଯାଇଥିଲା। ମୁହାଁମୁହିଁ ମୁକାବିଲାରେ କିନ୍ତୁ ୨୦୨୦ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ ଶୃଙ୍ଖଳା ଜିତିଥିଲା। ତେବେ ସେତେବେ‌ଳେ ପ୍ରାରମ୍ଭିକ ଯୋଡ଼ି ଆରୋନ୍ ଫିଞ୍ଚ୍‌ ଓ ‌ଡେଭିଡ୍ ୱାର୍ଣ୍ଣରଙ୍କ ପ୍ରଧାନ୍ୟ କାରଣରୁ ଅଷ୍ଟ୍ରେଲିଆ ସଫଳ ହୋଇଥିଲା। ଏବେ ଏହି ଯୋଡ଼ି ରନ୍‌ ପାଇଁ ସଂଘର୍ଷ କରୁଛନ୍ତି। ଶନିବାରର ଏହି ମୁକାକିଲାରେ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଏକ ନମ୍ବର ବୋଲର ତାବ୍ରାଇଜ୍ ସାମସୀଙ୍କୁ ଖେଳିବା ଅଷ୍ଟ୍ରେଲୀୟଙ୍କ ପାଇଁ ପରୀକ୍ଷା ହେବ। ସେହ‌ିଭଳି ଅଷ୍ଟ୍ରେଲୀୟ ଦ୍ରୁତ ବୋଲରଙ୍କୁ ‌ଖେଳିବା ନିଶ୍ଚିତ ଦକ୍ଷିଣ ଆଫ୍ରିକୀୟଙ୍କ ପାଇଁ ଆହ୍ବାନ ଆଣିବ। ଡେଭିଡ୍‌ ୱାର୍ଣ୍ଣର ଖରାପ ଆଇପିଏଲ୍‌ ପ୍ରଦର୍ଶନ ସହ ଯଥାକ୍ରମେ ୦, ୨, ୦, ୧ ରନ୍‌ କରିଛନ୍ତି। ନିଜ ଟ୍ବେଣ୍ଟି-୨୦ ଜୀବନ ତୁଳନାରେ ସେ ବିଶ୍ବକପ୍‌ରେ ପ୍ରଦର୍ଶନ କରିପାରିନାହାନ୍ତି। ସେ ନିଶ୍ଚିତ ଚାପରେ ରହିବେ। ଅଧିନାୟକ ଅାରୋନ୍‌ ଫିଞ୍ଚ୍ କହିଛନ୍ତି ଅଷ୍ଟ୍ରେଲିଆ ୭ ଜଣ ବ୍ୟାଟର୍‌ ଓ ୪ ଜଣ ବୋଲରଙ୍କୁ ନେଇ ପ୍ରଥମ ମ୍ୟାଚ୍‌ ଖେଳିବ। ମ୍ୟାକ୍ସୱେଲ, ମାର୍ସ, ‌ଷ୍ଟୋଇନିସ୍‌ ଅବଶିଷ୍ଟ ଓଭର ବୋଲିଂ କରିବେ। ଏହାର ଅର୍ଥ ପ୍ୟାଟ୍ କମିନ୍ସ, ଜୋସ୍ ହାଜେଲଉଡ୍‌, କେନ୍‌ ରିଚାର୍ଡସନଙ୍କ ମଧ୍ୟରୁ ଦୁଇ ଜଣ ଖେଳିବେ।

ଉଭୟ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ୫୦ ଓଭରିଆ ବିଶ୍ବକପ୍‌ରେ ପରସ୍ପରକୁ ବହୁବାର ଭେଟିଛନ୍ତି। କିନ୍ତୁ ଟ୍ବେଣ୍ଟି-୨୦ ଫର୍ମାଟରେ ୨୦୧୨ରେ ଥରେ ମାତ୍ର ମୁହାଁମୁହିଁ ହୋଇଛନ୍ତି। ସେଥର ଅଷ୍ଟ୍ରେଲିଆ ସହଜରେ ଜିତିଥିଲା। ମ୍ୟାକ୍ସୱେଲଙ୍କୁ ରବାଦା ସମସ୍ତ ପ୍ରକାର ଟ୍ବେଣ୍ଟି-୨୦ରେ ୨୭ ବଲରେ ୩ ଥର ଆଉଟ୍‌ କରିଥିବାରୁ ଶନିବାର ଏହି ଦୁହିଁଙ୍କ ମୁକାବିଲା କିଭଳି ରହିବ ଦେଖିବାର ଅଛି।

ପିଚ୍‌ ଓ ପାଗ: ଆବୁଧାବିରେ ରାତି ମ୍ୟାଚ୍‌ ତୁଳନାରେ ଦିନ ମ୍ୟାଚ୍‌ ଭିନ୍ନ ଆହ୍ବାନ ସୃଷ୍ଟି କରିଥାଏ। ଶନିବାର ମ୍ୟାଚ୍‌ ବେଳେ ତାପମାତ୍ର ୩୩ ଡିଗ୍ରି ସେଲସିୟସ୍ ରହିବ। ଅଦ୍ୟାବଧି ଆବୁଧାବିରେ ପଛରେ ବ୍ୟାଟିଂ କରୁଥିବା ଦଳ ଅଧିକ (୩/୪) ଜିତିଛି। କିନ୍ତୁ ଏହି ପଡ଼ିଆରେ ୨୦୨୧ରେ ଖେଳାଯାଇଥିବା ସମସ୍ତ ଟ୍ବେଣ୍ଟି-୨୦ ଦେଖିଲେ ପ୍ରଥମେ ବ୍ୟାଟିଂ ଦଳ ଅଧିକ ଥର ସଫଳ ହୋଇଛି। ଆବୁଧାବି ଚଟାଣ ଚଳିତ ବର୍ଷ ସ୍ପିନରଙ୍କ ତୁଳନାରେ ପେସ୍‌ ବୋଲରଙ୍କୁ ଅଧିକ ସଫଳତା ଦେଉଛି।

ଅଷ୍ଟ୍ରେଲିଆ (ସମ୍ଭାବ୍ୟ ୧୧): ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ଡେଭିଡ୍‌ ୱାର୍ଣ୍ଣର, ମିଚେଲ୍ ମାର୍ସ, ଗ୍ଲେନ ମ୍ୟାକ୍ସୱେଲ୍‌, ଷ୍ଟିଭେନ୍ ସ୍ମିଥ୍, ମାର୍କସ ଷ୍ଟୋଇନିସ୍‌, ମାଥ୍ୟୁ ୱାଦେ, ଆଷ୍ଟନ୍ ଆଗର, ମ‌ିଚେଲ ଷ୍ଟାର୍କ, ଆଦାମ ଜାମ୍ପା, ଜୋସ୍ ହ‌ାଜେଲଉଡ୍‌।

ଦକ୍ଷିଣ ଆଫ୍ରିକା (ସମ୍ଭାବ୍ୟ ୧୧):କ୍ବିଣ୍ଟନ୍ ଡି’କକ୍‌, ତେମ୍ବା ବାଭୁମା (ଅଧିନାୟକ), ଐଦେନ ମର୍କରାମ, ରାଶି ଭାନ୍ ଡେର୍‌ ଦୁସେନ୍‌, ଡେଭିଡ୍ ମିଲର୍‌, ହେନରିକ୍‌ କ୍ଲାସେଁ, ୱିଆଁ ମୁଲଡର୍‌, କାଗିସୋ ରାବାଦା, କେଶବ ମହରାଜ, ଅନରିକ୍‌ ନର୍ଖିୟା/ଲୁଙ୍ଗି ଏନଗିଡି, ତାବ୍ରାଇଜ୍ ସାମସୀ।

୨୦୧୬ ଫାଇନାଲ୍ ଯନ୍ତ୍ରଣାକୁ ଭୁଲିବା ଲକ୍ଷ୍ୟରେ ଇଂଲଣ୍ଡ
ଦୁବାଇରେ ଶନିବାର ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍‌କୁ ଭେଟିବ ଇଂଲଣ୍ଡ। ଟ୍ବେଣ୍ଟି-୨୦ କ୍ରିକେଟରେ ବହୁ ବିଧ୍ବଂସୀ ଖେଳାଳି ଥିଲେ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ବିଶ୍ବକପ୍‌ ପୂର୍ବରୁ ଅନୁଷ୍ଠିତ ଦୁଇ ୱାର୍ମ ଅପ୍‌ ମ୍ୟାଚ୍‌ରେ ପାକିସ୍ତାନ ଓ ଆଫାଗାନିସ୍ତାନ ନିକଟରୁ ହାରିଥିବାରୁ ଚାପରେ ପଡ଼ିଛି। ଟ୍ରଫି ବଜାୟ ରଖିବାକୁ ହେଲେ କିରଣ ପୋଲାର୍ଡଙ୍କ ଦଳକୁ ତୁରନ୍ତ ନିରାଶା ଭୁଲି ଲୟକୁ ଫେରିବାକୁ ପଡ଼ିବ। ଏଭିନ୍ ଲୁଇସ୍‌, ଲେଣ୍ଡଲ୍ ସିମନ୍ସ, ସିମ୍ରନ୍ ହେଟମେୟର୍‌, ନିକୋଲାସ୍ ପୂରନଙ୍କୁ ବ୍ୟାଟିଂ ଭାର ସମ୍ଭାଳିବାକୁ ପଡ଼ିବ। ୪୨ ବର୍ଷୀୟ କ୍ରିସ୍ ଗେଲ୍‌ ଆଉ ପୂର୍ବ ଭଳି ବ‌ିସ୍ଫୋରକ ବ୍ୟାଟିଂ କରିପାରୁନଥିବାରୁ ଏମାନଙ୍କୁ ‌ତାଙ୍କ ପଦାଙ୍କ ଅନୁସରଣ କରିବାକୁ ହେବ। ସେମିଫାଇନାଲ୍ ଯୋଗ୍ୟତା ପାଇଁ ଦଳକୁ ଅନ୍ୟୁନ ୩ ମ୍ୟାଚ୍‌ ଜିତିବା ଆବଶ୍ୟକ। ୫ ବର୍ଷ ତଳେ ଇଂଲଣ୍ଡକୁ ଶେଷ ଓଭର ଧମାକାରେ ହରାଇ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦଳ ଭାବେ ଦ୍ବିତୀୟ ଥର ବିଜେତା ହୋଇଥିଲା। ବେନ୍ ‌ଷ୍ଟୋକ୍ସଙ୍କୁ ଶେଷ ଓଭରରେ ୪ ଲଗାତାର ଛକା ମାରି କାର୍ଲୋସ ବ୍ରାଥ୍‌ୱେଟ୍ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଏହି ପରାଜୟର ପ୍ରତିଶୋଧ ନେଇ ଇଂଲଣ୍ଡ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ୟୁଏଇର ମନ୍ଥର ପିଚ୍‌ କିନ୍ତୁ ଇଂଲଣ୍ଡ ଯୋଜନାରେ ପ୍ରତିବଂଧକ ସାଜିବ ବୋଲି ଅନେକ ବିଶ୍ବାସ କରୁଛନ୍ତି। ଦଳରେ ସନ୍ତୁଳନ ରକ୍ଷା କରିବା ବଡ଼ ଆହ୍ବାନ। ଫର୍ମରେ ନଥିବାରୁ ଅଧିନାୟକ ଇଅନ୍ ମୋର୍ଗାନ୍‌ ନିଜକୁ ବାଦ୍‌ ଦେବା ଯୋଜନା କରିଛନ୍ତି।

ଟ୍ବେଣ୍ଟି-୨୦ କ୍ରିକେଟ୍ ଇତିହାସରେ କିନ୍ତୁ ଇଂଲଣ୍ଡ କେବେ ବି ୱେଷ୍ଟଇଣ୍ଡିଜ୍‌କୁ ହରାଇ ପାରିନାହିଁ। ସମସ୍ତ ୫ ଥର ‌ୱେଷ୍ଟଇଣ୍ଡିଜ୍ ଜିତିଛି। ୨୦୦୯, ୨୦୧୦, ୨୦୧୨ରେ ହରାଇବା ପରେ ୨୦୧୬ରେ ଫାଇନାଲ୍ ସହ ଦୁଇ ଥର ପରାସ୍ତ କରିଥିଲା। କ୍ରିସ୍ ଗେଲ୍ ଏବଂ ଡ୍ବାନ୍ ବ୍ରାଭୋ ହେଉଛନ୍ତି ଦଳର ଦୁଇ ଖେଳାଳି ଯିଏ ସମସ୍ତ ୬ ବିଶ୍ବକପ୍‌ରେ ଭାଗ ନେଇଥିବା ୬ ଜଣଙ୍କ ମଧ୍ୟରୁ ଅନ୍ୟତମ। ଅନ୍ୟ ୪ ଜଣ ହେଲେ ଭାରତର ରୋହିତ ଶର୍ମା ଓ ବାଂଲାଦେଶର ଖେଳାଳି ସକିବ୍ ଅଲ୍ ହାସନ୍‌, ମୁସଫିକର ରହିମ୍‌ ଏବଂ ମାହମ୍ମଦୁଲ୍ଲା। ଦୁବାଇରେ ୱେଷ୍ଟଇଣ୍ଡିଜ୍ କିନ୍ତୁ ୨ଟି ମ୍ୟାଚ୍‌ ଖେଳି ଉଭୟକୁ ହାରିଛି। ଇଂଲଣ୍ଡ କିନ୍ତୁ ଏହି ଷ୍ଟାଡିୟମ୍‌ରେ ୬ ମ୍ୟାଚ୍‌ ଖେଳି ୪ ବିଜୟ, ୨ ପରାଜୟ ପାଇଛି। ଉଭୟ ଦଳ ପାକିସ୍ତାନ ବିପକ୍ଷରେ ଏହି ସବୁ ମ୍ୟାଚ୍‌ ଖେଳିଥିଲେ।

ୱେଷ୍ଟଇଣ୍ଡିଜ୍ ସମ୍ଭାବ୍ୟ ୧୧: ଏଭିନ୍ ଲୁଇସ୍, ଲେଣ୍ଡଲ ସିମନ୍ସ, କ୍ରିସ୍ ଗେଲ୍‌,‌ ନିକୋଲାସ୍ ପୂରନ୍‌ (ୱିକେଟରକ୍ଷକ), ସିମ୍ରନ ହେଟମାୟର୍‌, କିରଣ ପୋଲାର୍ଡ (ଅଧିନାୟକ), ଆନ୍ଦ୍ରେ ରସେଲ୍‌, ଡ୍ବାନ୍ ବ୍ରାଭୋ, ଅକିଲ ହୋସେନ/‌ହେଡେନ୍‌ ୱାଲ୍ସ ଜୁନିୟର୍‌, ଓବେଦ୍‌ ମ୍ୟାକୟ, ଓସାନ୍‌ ଥମାସ/ରବି ରାମପଲ୍।
ଇଂଲଣ୍ଡ ସମ୍ଭାବ୍ୟ ୧୧:ଜାସନ୍ ରୟ, ଜୋସ୍ ବଟ୍ଟଲର୍ (‌ୱିକେଟରକ୍ଷକ), ଜନି ବେୟାରଷ୍ଟୋ, ମୋଇନ୍ ଅଲୀ, ଲିଆମ ଲିଭିଙ୍ଗଷ୍ଟୋନ୍‌, ଇଅନ୍ ମୋର୍ଗାନ୍ (ଅଧିନାୟକ), ‌ଡେଭିଡ୍‌ ୱିଲି/କ୍ରିସ୍‌ ୱକ୍ସ, କ୍ରିସ୍ ଜୋର୍ଡାନ, ଆଦିଲ ରସିଦ୍, ମାର୍କ ଉଡ୍‌, ଟାଇମଲ୍ ମିଲ୍‌ସ।