ଖେଲୋ ଇଣ୍ଡିଆରେ ପୂର୍ବତନ ଖେଳାଳିଙ୍କ ନିଯୁକ୍ତି ସ୍ବାଗତଯୋଗ୍ୟ

ସାରା ଦେଶରେ ୧,୦୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋଲିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ନିକଟରେ ଘୋଷଣା କରିଛନ୍ତି। ତା’ଠାରୁ ଭଲ କଥା ହେଲା ଏଥିରେ ପୂର୍ବତନ ଖେଳାଳିଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି। କ୍ରୀଡ଼ାମନ୍ତ୍ରୀଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଭାରତ ବର୍ଷରେ ଏକ ପ୍ରେରଣାଦାୟୀ କ୍ରୀଡ଼ା ସଂସ୍କୃତି ସୃଷ୍ଟି କରିବା ଲାଗି ଭବିଷ୍ୟତରେ ଏହା ଏକ ବଳିଷ୍ଠ ପଦକ୍ଷେପ ହେବ ବୋଲି ଆଶା କରୁଛି। ଜଣେ ପୂର୍ବତନ ଖେଳାଳି ଭାବେ ତାଙ୍କର ଏହି ନିଷ୍ପତ୍ତିକୁ ମୁଁ ହୃଦୟର ଗଭୀରତମ କୋଣରୁ ସମର୍ଥନ କରୁଛି। ଏହା ଦ୍ବାରା ଗ୍ରାମାଞ୍ଚଳ ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ା ବିକାଶ ହେବା ସହ ଅବସରପ୍ରାପ୍ତ ଖେଳାଳିମାନେ ନିଜ ସଫଳତା ଏବଂ ବିଫଳତାର କାହାଣୀକୁ ଆଗାମୀ ପିଢ଼ି ସହ ବାଣ୍ଟି ପାରିବେ। ସେମାନେ ମଧ୍ୟ ଅଧିକରୁ ଅଧିକ ପିଲାଙ୍କୁ ଖେଳକୁ କ୍ୟାରିୟର କରିବା ଲାଗି ଅନୁପ୍ରେରିତ କରି ପାରିବେ। ସଠିକ୍ ମାର୍ଗଦର୍ଶନ ଏବଂ ପରାମର୍ଶ ଦ୍ବାରା ହିଁ ‌ଭାରତ ସହ ଓଡ଼ିଶାରୁ ମଧ୍ୟ ଆଗାମୀ ସମୟରେ ଅଧିକରୁ ଅଧିକ ଖେଳାଳି ସୃଷ୍ଟି ହୋଇ ପାରିବେ ବୋଲି ମୋର ଆଶା ଓ ବିଶ୍ବାସ।

ଏହି କ୍ଷେତ୍ରରେ ଆମେ ଦେଶର ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟ୍‌କୁ ଉଦାହରଣ ନେଇ ପାରିବା। ଏକ ବ୍ୟବସ୍ଥିତ ପ୍ରକ୍ରିୟା, ବଳିଷ୍ଠ ପରିଚାଳନା ତଥା ଖେଳାଳିଙ୍କୁ ନିରନ୍ତର ସମର୍ଥନ ପାଇଁ ଭାରତୀୟ କ୍ରିକେଟ୍ ଏବେ ବିଶ୍ବସ୍ତରରେ ଏକପ୍ରକାର ଆଧିପତ୍ୟ ବିସ୍ତାର କରୁଛି। ଭାରତକୁ ଛାଡ଼ି ବିଶ୍ବ କ୍ରିକେଟ୍‌ର ପରିକଳ୍ପନା ମଧ୍ୟ ଅସମ୍ଭବ କହିଲେ ଅତ୍ୟୁକ୍ତି ହେବ ନାହିଁ। ସୁପ୍ରିମକୋର୍ଟ ନିଯୁକ୍ତ ଲୋଧା ସମିତିର ସୁପାରିସ ମୁତାବକ ବିସିସିଆଇରେ ଏବେ ପୂର୍ବତନ ଖେଳାଳିଙ୍କୁ ଅଗ୍ରାଧିକାରୀ ଦିଆଯିବା ନିଶ୍ଚିତ ଭାବେ ଏବ ଯୁଗାନ୍ତକାରୀ ପଦକ୍ଷେପ। ଯଦି ଏହାକୁ ଆମେ ଏକ ଉଦାହରଣ ଭାବେ ନେବା, ତେବେ ପୂର୍ବତନ ଖେଳାଳିଙ୍କ ସଂପୃକ୍ତି କ୍ରିକେଟ୍ ଭଳି ଅନ୍ୟଖେଳଗୁଡ଼ିକ ପାଇଁ ମଧ୍ୟ ଶୁଭଙ୍କର ସାବ୍ୟସ୍ତ ହେବ। ଅନ୍ୟଖେଳର ରାଜ୍ୟ ସଂଗଠନ ଗୁଡ଼ିକରେ ମଧ୍ୟ ଲୋଧା ସମିତି ସୁପାରିସ ଆଧାରରେ ସଂସ୍କାର ପ୍ରକ୍ରିୟା ଲାଗୁ କରାଯାଇପାରେ। ରାଜ୍ୟସଂଘରେ ପୂର୍ବତନ ଖେଳାଳିଙ୍କୁ ପରାମର୍ଶଦାତା ଭାବେ ନେବା ଏକ ଭଲ ପଦକ୍ଷେପ ହେବ। ଆମ ରାଜ୍ୟରେ ସୃଷ୍ଟି ହେଉଥିବା ନୂଆ ନୂଆ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା, ତଦାରଖ ଏବଂ ପ୍ରଶିକ୍ଷଣରେ ବି ପୂର୍ବତନ ଖେଳାଳିଙ୍କୁ ସାମିଲ କରାଯାଇପାରେ। କାରଣ ସେମାନଙ୍କ ଅଭିଜ୍ଞତାରୁ ଆମ ଖେଳାଳି ଯଥେଷ୍ଟ ଫାଇଦା ଉଠାଇ ପାରିବେ।

ମୁଁ ଏଠାରେ ଆତ୍ମବିଶ୍ବାସର ସହ କହି ପାରିବି ଯେ ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ବହୁ ସଫଳ, ଅଭିଜ୍ଞ ତଥା ପ୍ରତିଭାସଂପନ୍ନ ପୂର୍ବତନ କ୍ରୀଡ଼ା ତାରକା ଅଛନ୍ତି। ସେମାନେ ସମୟ ବି ଦେଇ ପାରିବେ। ଏଣୁ ଖେଲୋ ଇଣ୍ଡିଆ କେନ୍ଦ୍ର ଭଳି ରାଜ୍ୟ ସରକାର ନିଜ ତରଫରୁ କିଛି କ୍ରୀଡ଼ା‌ କ୍ଲବ୍ ଗଠନ କରି ଏହି ପୂର୍ବତନ ଖେଳାଳିଙ୍କୁ ଏଥିରେ ସାମିଲ କରିପାରିବେ। ଏହା ଦ୍ବାରା ତୃଣମୂଳ ସ୍ତରରୁ କ୍ରୀଡ଼ାର ବିକାଶ ହୋଇ ପାରିବ ବୋଲି ମୁଁ ହୃଦୟଙ୍ଗମ କରିଛି। ଆଇସିଏସ୍‌ଇ ଏବଂ ସିବିଏସ୍‌ଇ ଭଳି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ବି କ୍ରୀଡ଼ାକୁ ବାଧ୍ୟତାମୂଳକ ବିଷୟ କରୁ। ଏହା ହେଲେ କିଛି ପୂର୍ବତନ ଖେଳାଳିଙ୍କୁ ସ୍ବେଚ୍ଛାକୃତ ଭାବେ କ୍ରୀଡ଼ା ଶିକ୍ଷକ ଭାବେ ବି ନିଆଯାଇ ପାରିବ। ଗୁଣ ଚିହ୍ନେ ଗୁଣିଆ ଭଳି ପୂର୍ବତନ ଖେଳାଳିମାନେ ପ୍ରତିଭା ଚିହ୍ନଟ କ୍ଷେତ୍ରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବେ ବୋଲି ଫୁଟ୍‌ବଲ୍ ପଡ଼ିଆରେ କରିଥିବା ଦୀର୍ଘ ଅଭିଜ୍ଞତାରୁ ମୁଁ ଦୃଢ଼ତାର ସହ କହି ପାରିବି।
-ପ୍ରଫୁଲ୍ଲ କୁମାର ମିଶ୍ର
ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି

ସମ୍ବନ୍ଧିତ ଖବର