ଭୁବନେଶ୍ୱର, ୪ା୧ (ଇମିସ): ଏକାଧିକ ପ୍ରଭାବଶାଳୀ ପ୍ରଦର୍ଶନ ପରେ ନୟାଗଡ଼ର ୨୨ ବର୍ଷୀୟା ଭାରୋତ୍ତୋଳନକାରୀ ଝିଲ୍ଲୀ ଦଳବେହେରା ଚଳିତ ବର୍ଷ ଶେଷଭାଗରେ ଚୀନର ହାଙ୍ଗଝୁଠାରେ ହେବାକୁ ଯାଉଥିବା ଏସୀୟ କ୍ରୀଡ଼ାରେ ନିଜର ଛାପ ଛାଡ଼ିବାକୁ ପ୍ରତିବଦ୍ଧ ଅଛନ୍ତି। ଗତ ଡିସେମ୍ବରରେ ଝିଲ୍ଲୀ ତାସକେଣ୍ଟ୍ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ମୋଟ ୧୬୭ କିଲୋଗ୍ରାମ ଭାର ଉଠାଇ ରୌପ୍ୟ ପଦକ ଜିତିଥିଲେ। ପଦକ ହାସଲ ସତ୍ତ୍ବେ ଝିଲ୍ଲୀ ନିଜର ପ୍ରୟାସକୁ ନେଇ ସନ୍ତୁଷ୍ଟ ହୋଇନଥିଲେ, କାରଣ ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୭୬ କିଲୋଗ୍ରାମରୁ କମ୍ ରହିଥିଲା।
ନିଜ ପ୍ରଦର୍ଶନ ସମ୍ପର୍କରେ ପ୍ରକାଶ କରି ଝିଲ୍ଲୀ କହିଛନ୍ତି, “ପ୍ରତିଯୋଗିତାର ପ୍ରାରମ୍ଭରେ ମୋର ପ୍ରଦର୍ଶନ ଖରାପ ରହିଥିଲା, କାରଣ ପ୍ରଥମ ଦୁଇଟି ୭୩ କିଲୋଗ୍ରାମ ସ୍ନାଚ୍ ବର୍ଗରେ ମୁଁ ବିଫଳ ହୋଇଥିଲି। ତେବେ ଚୂଡ଼ାନ୍ତ ପ୍ରୟାସରେ ମୁଁ ଏକ ଭାର ଉତୋଳନ କରିବାରେ ସଫଳ ହୋଇଥିଲି। ତେବେ ଏହାଦ୍ୱାରା ସ୍ନାଚ୍ ରେ ସ୍କୋର କମିଗଲା, ଯେଉଁଠି ମୁଁ ୭୮ କିଲୋଗ୍ରାମ ଅଥବା ତାହାଠାରୁ ଅଧିକ ଭାର ଉତ୍ତୋଳନ କରିପାରିଥାନ୍ତି। ପ୍ରଥମ ଲିଫ୍ଟରେ ବିଫଳ ହେବା ଏକ ବଡ଼ ଧକ୍କା, କାରଣ ଏହା ଜଣକର ଆତ୍ମବିଶ୍ୱାସକୁ ଚୂରମାର କରିଦେଇଥାଏ ଏବଂ ପ୍ରତିଯୋଗିତାରେ ମାନସିକ ସ୍ତରରେ ଶୂନ୍ୟ କରିଦିଏ। ତେଣୁ ଭାରୋତ୍ତୋଳନକାରୀମାନେ ଏଭଳି ପ୍ରତିକୂଳ ପରିସ୍ଥିତି ସହିତ କିଭଳି ଖାପଖୁଆଇ ପୁଣି ମଜଭୁତ ଭାବରେ ପ୍ରତ୍ୟାବର୍ତନ କରିବେ, ତାହା ଶିକ୍ଷାଲାଭ କରିବା ଗୁରୁତ୍ୱପୂର୍ଣ୍ଣ।” ଏକ ସ୍ୱଳ୍ପ ଆୟ ରହିଥିବା ପରିବାରରୁ ଆସିଥିବା ଝିଲ୍ଲୀ ଆଦ୍ୟାବସ୍ଥାରୁ ଜଣେ ଆଥଲେଟ୍ ହେବାର ସମସ୍ତ ସମ୍ଭାବନା ବହନ କରୁଥିଲେ ଏବଂ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଛାତ୍ରାବାସରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ୨୦୧୯ରେ ରିଲାଏନ୍ସ ଫାଉଣ୍ଡେସନ ୟୁଥ ସ୍ପୋର୍ଟସ (ଆରଏଫୱାଇଏସ)ର ଏଲିଟ୍ ଆଥଲେଟ୍ ବୃତ୍ତି ଯୋଜନାରେ ସାମିଲ ହେବା ପରେ ତାଙ୍କ କ୍ୟାରିୟରକୁ ମଜଭୁତ ସମର୍ଥନ ମିଳିଥିଲା।
ପ୍ରତିଯୋଗିତା ସମ୍ପର୍କିତ ଗସ୍ତ ଓ ଗମନାଗମନ ପାଇଁ ଆର୍ଥିକ ସହାୟତା ସହିତ ଝିଲ୍ଲୀଙ୍କୁ ମୁମ୍ବଇସ୍ଥିତ ସାର୍ ଏଚ୍ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର୍ର ସର୍ବାଧୁନିକ କ୍ରୀଡ଼ା ବିଜ୍ଞାନ ଓ ଭେଷଜ ବିଶେଷଜ୍ଞ ଦଳ ନିକଟରୁ ସ୍ୱତନ୍ତ୍ର ଯତ୍ନ ମିଳିବା ସୁନିଶ୍ଚିତ ହୋଇଥିଲା। ଝିଲ୍ଲୀ ସଂପ୍ରତି ସ୍ୱତନ୍ତ୍ର ଭାବରେ ରହିଥିବା ଜଣେ ଫିଜିଓଥେରାପିଷ୍ଟ, ସାମର୍ଥ୍ୟ ଓ କଣ୍ଡିସନିଂ ପ୍ରଶିକ୍ଷକ ଏବଂ ପୁନର୍ବାସ, ପୁଷ୍ଟିସାଧନ, ମନସ୍ତତ୍ୱ ଏବଂ ଡାଟା ପରିଚାଳନା ଓ ବିଶ୍ଳେଷଣ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସ୍ୱତନ୍ତ୍ର ତଥ୍ୟ ଓ ଜ୍ଞାନର ସୁଯୋଗ ନେଇପାରୁଛନ୍ତି।
ସାର୍ଏନ୍ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଥିବା ପ୍ରମୁଖ କ୍ରୀଡ଼ା ଓ ବ୍ୟାୟାମ ମନସ୍ତତ୍ୱବିଦ୍ ମୈଥିଳୀ ଭୁପତାନି ଝିଲ୍ଲୀଙ୍କ ସହିତ ନିୟୋଜିତ ହୋଇଥିବା ପ୍ରଥମ ବିଶେଷଜ୍ଞମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଦୃଶ୍ୟମାନ କୌଶଳ ଏବଂ ନିଜ ଭାବପ୍ରବଣତାକୁ ନେଇ ଆତ୍ମ ସଚେତନତାରେ ବୃଦ୍ଧି ଜରିଆରେ ଭୂପତାନି ଝିଲ୍ଲୀଙ୍କ ପାଇଁ ଏକ ବିସ୍ତୃତ, ବ୍ୟକ୍ତିଗତ ଆଧାରିତ ଯୋଜନା ପ୍ରସ୍ତୁତ କରିବା ସହିତ ତାଙ୍କ ପାଇଁ ଯୋଜନାବଦ୍ଧ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଭୂପତାନିଙ୍କ ବ୍ୟତୀତ ଝିଲ୍ଲୀ ପୋଷଣ ବିଶେଷଜ୍ଞ ମିହିରା ଖୋପ୍କରଙ୍କ ନିକଟରୁ ମଧ୍ୟ ଅନେକ ଉପାଦେୟ ପରାମର୍ଶ ଲାଭ କରିଥିଲେ, ଯିଏ ଝିଲ୍ଲୀଙ୍କୁ ତାଙ୍କର ଭାରୋତ୍ତୋଳନକାରୀ ବର୍ଗ ୪୫ କିଲୋଗ୍ରାମରୁ ୪୯ କିଲୋଗ୍ରାମକୁ ପରିବର୍ତନ ସମୟରେ ନିଜର ସାମର୍ଥ୍ୟ ଓ ଶକ୍ତି ପୁନଃ ନିର୍ମାଣ ନିମନ୍ତେ ଶରୀରର ମାଂସପେଶୀକୁ ସୁସଂଗଠିତ ଓ ସୁଦୃଢ଼ କରି ଗଢ଼ିତୋଳିବା ଦିଗରେ ସହାୟତା କରିଥିଲେ। ଫିଜିଓଥେରାପିଷ୍ଟ ହରିୟାଲି ବାରୋଟ ଆଉଜଣେ ଦୃଢ ସମର୍ଥନକାରୀ ହୋଇଛନ୍ତି, ଯିଏ କାନ୍ଧ ଏବଂ ନିତମ୍ବର ଚଳନଶୀଳତା, ଶରୀରର ଉପରିଭାଗର ସାମର୍ଥ୍ୟ, ମୁଖ୍ୟ ମାଂସପେଶୀଗୁଡ଼ିକର ଦୃଢ଼ତା ଆଦି ସ୍ୱତନ୍ତ୍ର ଦୃଷ୍ଟି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକ ଚିହ୍ନଟ କରି ଉଚିତ ପରାମର୍ଶ ଯୋଗାଇଥିଲେ।
ଏହି ସମସ୍ତ ସହଯୋଗ ଓ ସହାୟତା ସହିତ ସମାନ ସମୟରେ ଝିଲ୍ଲୀଙ୍କର କ୍ୟାରିୟର ମଧ୍ୟ ଆଗକୁ ବଢ଼ିବାରେ ଲାଗିଛି। ୨୦୧୯ରେ ସେ ସମାଓଠାରେ ରାଜ୍ୟଗୋଷ୍ଠୀ ବରିଷ୍ଠ ପ୍ରତିଯୋଗିତା ଏବଂ ନେପାଳରେ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ଏସୀୟ ଚମ୍ପିଆନସିପ୍ରେ ଏକ ରୌପ୍ୟ ପଦକ ହାସଲ କରିଥିଲେ ୨୦୨୦ରେ ସେ କୋଲ୍କାତାରେ ଅନୁଷ୍ଠିତ ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜୟିନୀ ହେବା ସହିତ ୨୦୨୧ରେ ତାସକେଣ୍ଟ୍ଠାରେ ଏସୀୟ ଚମ୍ପିଆନସିପ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ୍ ଯୁବ କ୍ରୀଡ଼ା (ଆରଏଫ୍ୱାଇଏସ୍)ର ମଜଭୁତ ସମର୍ଥନ ବଳରେ ଝିଲ୍ଲୀ ସଂପ୍ରତି ତାଙ୍କ କ୍ୟାରିୟରର ପରବର୍ତୀ ସୋପାନ ଉପରେ ଦୃଷ୍ଟିନିବଦ୍ଧ କରୁଛନ୍ତି। ତାଙ୍କ ପାଇଁ ଅଲିମ୍ପିକ୍ସରେ ଏକ ପଦକ ହାସଲ ଦୀର୍ଘସୂତ୍ରୀ ଲକ୍ଷ୍ୟ ରହିଥିବା ଝିଲ୍ଲୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/SFH64F6H4FS6H5S4FH65SFHS5F6H.jpg)