ନୂଆଦିଲ୍ଲୀ: କୋଭିଡ୍ ମହାମାରୀ କାରଣରୁ ଅଧାରୁ ଅଟକିଥିବା ଆଇପିଏଲ୍-୨୦୨୧ର ଅବଶିଷ୍ଟ ୩୧ ମ୍ୟାଚ୍ କେଉଁଠି ଖେଳାଯିବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି କିନ୍ତୁ ସ୍ପଷ୍ଟ କରିଛନ୍ତି ଭାରତରେ ଏହା ଖେଳାଯିବ ନାହିଁ। ‘ଭାରତରେ ଅବଶିଷ୍ଟ ମ୍ୟାଚ୍ଗୁଡ଼ିକ ଖେଳାଯିବା ଅସମ୍ଭବ’ ବୋଲି ଗାଙ୍ଗୁଲି ସ୍ପୋର୍ଟସଷ୍ଟାର୍କୁ ଦେଇଥିବା ଏକ ସାକ୍ଷାତକାର ବେଳେ ପ୍ରକାଶ କରିଛନ୍ତି। ଏକାଧିକ ଆୟୋଜନ କଟକଣା କାରଣରୁ ଏହା ଭାରତ ଭିତରେ ହେବା ସମ୍ଭାବନା ନାହିଁ। ଇଂଲଣ୍ଡର ୱାରୱିକ୍ସାୟାର, ସରେ ଓ ମେରିଲବୋନ୍ କ୍ରିକେଟ୍ କ୍ଲବ୍ (ଏମ୍ସିସି) ଆଇପିଏଲ୍ର ଅବଶିଷ୍ଟ ଭାଗ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ବିସିସିଆଇ ଏ ସମ୍ପର୍କରେ ଆଲୋଚନା କରିନାହିଁ। ସଙ୍ଗରୋଧ ନିୟମ ସବୁଠାରୁ କଷ୍ଟକର ବୋଲି ସେ କହିଥିଲେ।
ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଖେଳାଯିବାକୁ ଥିବା ସୀମିତ ଓଭର ଶୃଙ୍ଖଳା (୩ ଦିନିକିଆ ଓ ୫ ଟ୍ବେଣ୍ଟି-୨୦) ଲାଗି ଭାରତ ଦ୍ବିତୀୟ ଶ୍ରେଣୀୟ ଦଳ ପଠାଇବ ବୋଲି ଗାଙ୍ଗୁଲି ଆଭାସ ଦେଇଥିଲେ। କାରଣ ଭାରତ ଜୁନ୍ ଜୁଲାଇରେ ଇଂଲଣ୍ଡ ଗସ୍ତ କରି ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଓ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳା ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଲାଗି ଭାରତ କିନ୍ତୁ ଏକ ୨୦ ଜଣିଆ ଦଳ ଘୋଷଣା କରି ସାରିଛି।
ନୂଆଦିଲ୍ଲୀ: କୋଭିଡ୍ ମହାମାରୀ କାରଣରୁ ଆଧାରୁ ଅଟକିଥିବା ଆଇପିଏଲ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିନଥା’ନ୍ତା ଯଦି ବିସିସିଆଇ କେତେକ ପ୍ରସ୍ତାବକୁ ମାନି ନେଇଥା’ନ୍ତା। ଆରମ୍ଭ ପୂର୍ବରୁ କେତେକ ଫ୍ରାଞ୍ଚାଇଜ୍ ଓ ଆଇପିଏଲ୍ ପରିଚାଳନା ପରିଷଦ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଆଇପିଏଲ୍କୁ ୟୁଏଇ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ବିସିସିଆଇ ଏଡ଼ାଇ ଯାଇଥିଲା। ସେହିଭଳି କୋଭିଡ୍ ପରିସ୍ଥିତି ଭିତରେ ସଫଳତାର ସହ ଆଇଏସ୍ଏଲ୍କୁ ଆୟୋଜନ କରିଥିବା ସଂସ୍ଥା ମଧ୍ୟ ଏହାର କେନ୍ଦ୍ରୀୟ ଜୈବ ସୁରକ୍ଷିତ ବଳୟ ବ୍ୟବସ୍ଥାକୁ ଆଇପିଏଲ୍ରେ ପ୍ରଚଳନ ଲାଗି ପ୍ରସ୍ତାବ ଦେଇଥିଲା। ବିସିସିଆଇ ଏହାକୁ ମଧ୍ୟ ବିନମ୍ରତାର ସହ ଏଡ଼ାଇ ଯାଇଥିଲା।
ସୂଚନାଯୋଗ୍ୟ, ୧୧ ଫ୍ରାଞ୍ଚାଇଜ୍ ବିଶିଷ୍ଟ ଆଇଏସ୍ଏଲ୍ର ଗତ ସଂସ୍କରଣ ୨୦୨୦ ନଭେମ୍ବର ୨୦ ତାରିଖରୁ ୨୦୨୧ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧୪ ଦିନ ଧରି ଖେଳାଯାଇଥିଲା। ତେବେ ପ୍ରତିଯୋଗିତା ଆରମ୍ଭର ଯଥେଷ୍ଟ ପୂର୍ବରୁ ଜୈବ ସୁରକ୍ଷିତ ବଳୟ ପ୍ରସ୍ତୁତ କରିବାକୁ ପଡ଼ୁଥିବାରୁ ମୋଟ ୧୯୫ ଦିନ ଧରି ଜୈବ ସୁରକ୍ଷିତ କେନ୍ଦ୍ରୀୟ ବଳୟ ଭିତରେ ଆଇଏସ୍ଏଲ୍ ଖେଳାଯାଇଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ ସଂସ୍ଥା ଫୁଟ୍ବଲ୍ ସ୍ପୋର୍ଟସ ଡେଭଲପ୍ମେଣ୍ଟ୍ ଲିମିଟେଡ୍ ଏବଂ ସର୍ବଭାରତୀୟ ଫୁଟ୍ବଲ୍ ସଂଘ (ଏଆଇଏଫଏଫ)ର ମିଳିତ ଅନୁମୋଦିତ ଏହି କେନ୍ଦ୍ରୀୟ ଜୈବ ସୁରକ୍ଷିତ ବଳୟକୁ ଆଇପିଏଲ୍ରେ ଲାଗୁ କରିବା ଲାଗି ପ୍ରସ୍ତାବ ଆସିଥିଲେ ମଧ୍ୟ ବିସିସିଆଇ ଏଡ଼ାଇ ଯାଇଥିବାରୁ ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି। ଉପରୋକ୍ତ ଦୁଇଟି ପ୍ରସ୍ତାବ ମଧ୍ୟରୁ ଗୋଟିଏକୁ ବିସିସିଆଇ ମାନିଥିଲେ କୋଟି କୋଟି ଟଙ୍କା ଖର୍ଚ୍ଚରେ ହେଉଥିବା ଆଇପିଏଲ୍କୁ ରୋକିବାକୁ ପଡ଼ିନଥାନ୍ତା। ଏବେ ପ୍ରତିଯୋଗିତା ସମ୍ପୂର୍ଣ୍ଣ ନ ହେଲେ ବିସିସିଆଇ ପ୍ରାୟ ୨୫୦୦ କୋଟି ଟଙ୍କା କ୍ଷତି ସହିବ ବୋଲି ମଧ୍ୟ ଆକଳନ କରାଯାଉଛି। ନିଜ ଜିଦ୍ରେ ଅଟଳ ରହି ବିସିସିଆଇ ୫୨ ଦିନିଆ ୬୦ ମ୍ୟାଚ୍ ବିଶିଷ୍ଟ ଏହି ପ୍ରତିଯୋଗିତାକୁ ଦେଶର ୬ଟି ସହରରେ ଖେଳାଇବାକୁ ଯୋଜନା କରିଥିଲେ ମଧ୍ୟ ୨୯ ମ୍ୟାଚ୍ ପରେ ଅଟକିଯାଇଛି। ମୋଟ ୮ଟି ଫ୍ରାଞ୍ଚାଇଜ୍ ମଧ୍ୟରୁ ୪ଟି ଦଳର ୬ ଜଣ ସଦସ୍ୟ କରୋନା ପଜିଟିଭ୍ ରିପୋର୍ଟ ହେବା ପରେ ଏହାକୁ ସ୍ଥଗିତ ରଖାଯାଇଛି। ୟୁରୋପୀୟ ଫୁଟ୍ବଲ୍ ପ୍ରତିଯୋଗିତାଗୁଡ଼ିକୁ ସୁରୁଖୁରୁରେ ଚାଲୁଥିବାରୁ ସେହି ଢାଞ୍ଚାରେ ଆଇଏସ୍ଏଲ୍ କରିଥିଲା ବିସିସିଆଇ କିନ୍ତୁ ଏଡ଼ାଇଯିବାରୁ ଏବେ ଆଶଙ୍କା ଭିତରେ ରହିଛି।
ପର୍ଯ୍ୟାପ୍ତ ମାନବ ସମ୍ବଳ ବିନିଯୋଗ କରି ଏଫ୍ଏସ୍ଡିଏଲ୍ର ଜୈବ ବଳୟରେ କୌଣସି ତ୍ରୁଟି ପରିଲଖିତ ହୋଇନଥିଲା। ଏଥି ପାଇଁ ଏଫ୍ଏସ୍ଡିଏଲ୍କୁ ୧୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଅବଶ୍ୟ ଏହା ଗୋଟିଏ ସହର ଗୋଆରେ ଖେଳାଯାଇଥିଲା। ନିର୍ବାଚନ କାରଣରୁ ପ୍ରସ୍ତାବିକ କେରଳ ଓ କୋଲକାତାକୁ ଶେଷ ମୁହୂର୍ତରେ ବାଦ୍ ଦେବାକୁ ପଡ଼ିଥିଲା। ଆଇଏସ୍ଏଲ୍ ପାଇଁ କିନ୍ତୁ ଦୁର୍ଭାଗ୍ୟର ଏକମାତ୍ର କାରଣ ହେଉଛି କରୋନାର ଦ୍ବିତୀୟ ଲହର ବେଳକୁ ଏହା ଆରମ୍ଭ କରିଥିଲା। ଯାହାକି ଆଇଏସ୍ଏଲ୍ ବେଳକୁ ନଥିଲା। ଏଫ୍ଏସ୍ଡିଏଲ୍ର ଅଧ୍ୟକ୍ଷ ନୀତା ଅମ୍ବାନି ମଧ୍ୟ କହିଥିଲେ ‘‘ମହାମାରୀ ସମୟରେ ଅନିଶ୍ଚିତତା ଓ ବହୁ ପ୍ରତିବଂଧକ ସତ୍ତ୍ବେ ଏଥରର ଆଇଏସ୍ଏଲ୍ ସମାପିତ ହେବା ଆମ ଜୀବନରେ ଅନେକ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଥିଲା’’। ତେବେ ଉଭୟ ପ୍ରତିଯୋଗିତାରେ ସମ୍ପୃକ୍ତ ଥିବାରୁ ସୌରଭ ଗାଙ୍ଗୁଲିଙ୍କ ଉପସ୍ଥିତ ବୁଦ୍ଧି ଥିଲେ ଏହାକୁ ଏଡ଼ାଇ ଦିଆଯାଇପାରିଥାନ୍ତା ବୋଲି ବିଶ୍ବାସ କରାଯାଉଛି। କାରଣ ଗାଙ୍ଗୁଲି ମଧ୍ୟ ଆଇଏସ୍ଏଲ୍ ପରେ ଏଭଳି ଆହ୍ବାନଭରା ପରିସ୍ଥିତିରେ ଏଫ୍ଏସ୍ଡିଏଲ୍ର ସଫଳ ଆୟୋଜନକୁ ପ୍ରଶଂସା କରିଥିଲେ।