ନୂଆଦିଲ୍ଲୀ, ୨୯ା୫: ଅଧାରୁ ଅଟକି ରହିଥିବା ଆଇପିଏଲ୍-୨୦୨୧ର ଅବଶିଷ୍ଟାଂଶ ସଂଯୁକ୍ତ ରାଷ୍ଟ୍ର ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ପୂର୍ବରୁ ଏ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ବିସିସିଆଇ ଶନିବାର ଏହା ସ୍ପଷ୍ଟ କରିଛି। ବିସିସିଆଇର ସ୍ବତନ୍ତ୍ର ସାଧାରଣ ବୈଠକ (ଏସ୍ଜିଏମ୍) ଶନିବାର ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ ପୁଣି ଥରେ ଆଇପିଏଲ୍ ୟୁଏଇରେ ଖେଳାଯିବା ନିଶ୍ଚିତ ହୋଇଛି। ବିସିସିଆଇ କିନ୍ତୁ ଏଥିପାଇଁ କୌଣସି ତାରିଖ ଘୋଷଣା କରିନାହିଁ। ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଅକ୍ଟୋବର ୧୦ ତାରିଖ ମଧ୍ୟରେ ଏହାକୁ କରିବାକୁ ନିଷ୍ପତ୍ତି ହୋଇଛି। ଏହା ପରେ ପରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାରତରେ ଖେଳାଯିବାକୁ ଥିବାରୁ ବିସିସିଆଇକୁ ଅକ୍ଟୋବର ଦ୍ବିତୀୟ ସପ୍ତାହ ଭିତରେ ଆଇପିଏଲ୍କୁ ସାରିବାର ଅଛି। ଚଳିତ ମାସ ୪ ତାରିଖରୁ ସ୍ଥଗିତ ଥିବା ଆଇପିଏଲ୍କୁ ପୁନଃ ଆରମ୍ଭ କରିବାକୁ ଶନିବାର ସଦସ୍ୟମାନେ ସର୍ବସମ୍ମତିକ୍ରମେ ରାଜି ହୋଇଥିଲେ।
ସମ୍ଭାବ୍ୟ ତାରିଖ ଭାବେ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ରଖାଯାଇଛି। ଗତବର୍ଷ ୟୁଏଇରେ ସଫଳତାର ସହ ଆଇପିଏଲ୍ ଖେଳାଯାଇଥିବାରୁ ଏଥର ସେଠାରେ ଆୟୋଜିତ ହେବାରେ କେହି ଆଶ୍ଚର୍ଯ୍ୟ ହୋଇନାହାନ୍ତି। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ନେଇ ଆସିଛି ବିଶ୍ବକପ୍ ତାରିଖ। ଯୋଜନାବଦ୍ଧ ଭାବେ ଆଇପିଏଲ୍ ଶେଷ ହେବା ବେଳକୁ ବିଶ୍ବକପ୍ ଲାଗି ଯାଉଥିବାରୁ ଆଇସିସିକୁ ବିସିସିଆଇ ମଧ୍ୟ ଏହାକୁ ଘୁଞ୍ଚାଇବା ଲାଗି ପ୍ରସ୍ତାବ ଦେବାକୁ ସ୍ଥିର କରିଛି। ସେପଟେ ଶନିବାରର ବୈଠକରେ କେତେକ ରାଜ୍ୟ ସଂଘ ଘରୋଇ ଖେଳାଳିଙ୍କ କ୍ଷତି ପୂରଣ ଦାବି ଉଠାଇଥିବା ଜଣାପଡ଼ିଛି। କ୍ଷତି ପୂରଣ ଦେବାକୁ ବିସିସିଆଇ ପୂର୍ବରୁ ସମ୍ମତି ପ୍ରକାଶ କରି ସାରିଥିଲା ବେଳେ ଏଥିନେଇ ସମସ୍ତଙ୍କୁ ସୁହାଇଲା ଭଳି ପଦ୍ଧତି ପ୍ରସ୍ତୁତ କରିବା ଉପରେ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଜୋର ଦେଇଥିଲେ। ଅନ୍ୟପକ୍ଷରେ ଜୁନ୍ ପହିଲାରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ବୋର୍ଡ ବୈଠକରେ ଗାଙ୍ଗୁଲିଙ୍କ ସହ ବିସିସିଆଇ ସଂପାଦକ ଜୟ ସାହ ଏବଂ ବରିଷ୍ଠ ଉପସଭାପତି ରାଜୀବ ଶୁକ୍ଳା ଯୋଗଦେବେ ବୋଲି ନିଷ୍ପତ୍ତି ହୋଇଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍ର ଭାଗ୍ୟ ମଧ୍ୟ ଏହି ବୈଠକରେ ନିର୍ଣ୍ଣୟ କରାଯିବ। ବିଶ୍ବକପ୍କୁ ମାସେ ଘୁଞ୍ଚାଇବା ଲାଗି ଆଇସିସିକୁ ବିସିସିଆଇ କହିବ। ମହାରାଷ୍ଟ୍ରରେ ସଂପୂର୍ଣ୍ଣ ବିଶ୍ବକପ୍ ଆୟୋଜନ କରିବାର ପ୍ରସ୍ତାବ ବି ଦେବ। ମୁମ୍ବାଇ ଓ ପୁନେ ଦୁଇଟି ଆୟୋଜକ ସହର ହୋଇ ପାରନ୍ତି। ତେବେ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବା ଏହି କ୍ଷେତ୍ରରେ ଏକ ସମସ୍ୟା ହୋଇପାରେ।
ଗତବର୍ଷର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଷ୍ଟ୍ରେଲିଆରେ ଖେଳାଯିବାର ଥିଲେ ମଧ୍ୟ କୋଭିଡ୍ କାରଣରୁ ଏହାକୁ ୨୦୨୨କୁ ଘୁଞ୍ଚାଇବାକୁ ପଡ଼ିଥିଲା। ଭାରତ କିନ୍ତୁ ଚଳିତ ବର୍ଷର ସଂସ୍କରଣକୁ ସଫଳତାର ସହ କରିବାକୁ ଦୃଢ଼ ପରିକର ରହିଛି। ଆଇସିସି ପ୍ରସ୍ତାବ ଅନୁସାରେ ଏହାକୁ ଅକ୍ଟୋବର ମଧ୍ୟଭାଗରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାର ରହିଛି। ବିସିସିଆଇ ଏ ପର୍ଯ୍ୟନ୍ତ ୯ଟି ଭେନ୍ୟୁ ଚୂଡାନ୍ତ କରିଥିଲେ ମଧ୍ୟ କୋଭିଡ୍ ପରିସ୍ଥିତି ଓ ଅସମ୍ପୂର୍ଣ୍ଣ ଆଇପିଏଲ୍ ପାଇଁ କୌଣସି ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରିନାହିଁ। ଆଇପିଏଲ୍ର ଅବଶିଷ୍ଟାଂଶ ଭାରତରେ କରାଯିବାକୁ ପୁଣି ପ୍ରସ୍ତାବ ଆସିଥିଲେ ମଧ୍ୟ ଜୁନ୍ରୁ ଅକ୍ଟୋବର ପର୍ଯ୍ୟନ୍ତ ଦେଶରେ ବର୍ଷା ଋତୁ ଓ କୋଭିଡ୍ ପରିସ୍ଥିତି କାରଣରୁ ବିସିସିଆଇ ବିଶ୍ବକପ୍ ପୂର୍ବରୁ ଏହାକୁ ୟୁଏଇରେ ସାରିଦେବାକୁ ଯୋଜନା ପ୍ରସ୍ତୁତ କରିଛି। ଭାରତୀୟ ଦଳର ଖେଳାଳିମାନେ ଇଂଲଣ୍ଡ ଗସ୍ତରୁ ସିଧାସଳଖ ୟୁଏଇ ପହଞ୍ଚି ପାରିବେ। କାରଣ ଜୁନ୍ ପ୍ରଥମ ସପ୍ତାହରୁ ଇଂଲଣ୍ଡ ଗସ୍ତରେ ଯାଉଥିବା ଭାରତୀୟ ଦଳ ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅସିପ୍ ଫାଇନାଲ୍ (ଜୁନ୍ ୧୮-୨୨, ସାଉଥାମ୍ପଟନ୍) ଖେଳିବା ପରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଯାହାକି ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଲମ୍ବିଛି। ବିସିସିଆଇ ଆଇପିଏଲ୍ ଘୋଷଣା କରି ଦେଇଥିଲେ ମଧ୍ୟ ଅନେକ ପ୍ରସଙ୍ଗ ଏବେ ଅସାମାହିତ ହୋଇ ରହିଛି। ସବୁ ବିଦେଶୀ ଖେଳାଳି ଉପଲବ୍ଧ ହେବା ନେଇ ଆଶଙ୍କା ରହିଛି।
ଇଂଲଣ୍ଡ ଦଳର ଅନ୍ତର୍ଜାତୀୟ ସୂଚୀକ୍ରମ ରହିଥିବାରୁ ପ୍ରମୁଖ ଖେଳାଳିମାନେ ଜାତୀୟ ଦଳ କିମ୍ବା ଆଇପିଏଲ୍ରୁ ବଞ୍ଚିତ ହେବେ। ସେହିଭଳି ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୨୯ ଯାଏ କାରବୀୟ ପ୍ରିମିୟର୍ ଲିଗ୍ ଖେଳାଯିବାକୁ ଥିବାରୁ କିଛି ବଡ଼ କାରବୀୟ ଖେଳାଳି ଏବଂ ପ୍ରଶିକ୍ଷକ ମଣ୍ଡଳି ପ୍ରମୁଖ ଅସୁବିଧାରେ ପଡ଼ିପାରନ୍ତି। ସେହିଭଳି ବିଶ୍ବକପ୍ ତାରିଖ ବଦଳାଇବା ସ୍ଥିତିରେ ଆଇସିସି ନ ଥିବାରୁ ଏହା ଅନ୍ୟ ଏକ ଆହ୍ବାନ ହୋଇ ଠିଆ ହୋଇଛି। ଅକ୍ଟୋବର ୧୬ରୁ ୨୦ ମଧ୍ୟରେ ଏହାକୁ ଆରମ୍ଭ କରି ନଭେମ୍ବର ୧୪ ଫାଇନାଲ୍ ସହ ଶେଷ କରିବାକୁ ପୂର୍ବରୁ କୁହାଯାଇଛି। ୧୬ ଦଳୀୟ ଏହି ବିଶ୍ବକପ୍ ଗତବର୍ଷ ସ୍ଥଗିତ ରଖାଯାଇଥିବାରୁ ଆଇସିସି ମଧ୍ୟ ପୁଣି ଥରେ ଏହାକୁ ରୋକିବା ସପକ୍ଷରେ ନାହିଁ। କିନ୍ତୁ ବିସିସିଆଇର ପ୍ରଭାବ ଥିବାରୁ ଏହା ଆଗରେ ମଧ୍ୟ ଆଇସିସି ମୁଣ୍ଡ ନୁଆଁଇପାରେ। ଏପରିକି ଭାରତରେ କୋଭିଡ୍ ପରିସ୍ଥିତିରେ ଉନ୍ନତି ନଘଟିଲେ ବିସିସିଆଇ ମଧ୍ୟ ବିଶ୍ବକପ୍କୁ ୟୁଏଇ ନେବାର ସମ୍ଭାବନା ରହିଛି। ଜୁନ୍ ପହିଲାରେ କିନ୍ତୁ ଏ ସମ୍ପର୍କିତ ସ୍ପଷ୍ଟ ଚିତ୍ର ମିଳିଯିବ। କାରଣ ଆଇସିସିର ବୋର୍ଡ ବୈଠକ ସେଦିନ ବସୁଛି ଏବଂ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ ମୁଖ୍ୟ ପ୍ରସଙ୍ଗ ରହିବ। ଏହା ପରେ ଆଇପିଏଲ୍ର ଅବିଶିଷ୍ଟାଂଶର ତାରିଖ ଏବଂ ବିଶ୍ବକପ୍ ଘୁଞ୍ଚାଇବାର ପ୍ରସ୍ତାବର ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ଆଶା କରାଯାଉଛି।
ବଲିଉଡ୍ ଭିଡିଓରେ ରାଜସ୍ଥାନ ରୟାଲ୍ସର ସ୍ବାଗତ
ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ସେପ୍ଟେମ୍ବର-ଅକ୍ଟୋବରରେ ହେବ ବୋଲି ବିସିସିଆଇ ଘୋଷଣା କରିବା ପରେ ୮ଟି ଯାକ ଫ୍ରାଞ୍ଚାଇଜ ବେଶ୍ ଉତ୍ସାହିତ ଅଛନ୍ତି। ନିଆରା ଢଙ୍ଗରେ ସେମାନେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସର୍ବାଗ୍ରେ ରହିଛି ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ। ବଲିଉଡ୍ ଚଳଚ୍ଚିତ୍ର ‘ ହେ ବେବି’ର ଏକ ଗୀତରେ ଅଭିନେତା ଅକ୍ଷୟ କୁମାର, ଶାହରୁଖ ଖାନ୍ ଓ ଅନୁପମ ଖେରଙ୍କ ମୁହଁରେ ଅଧିନାୟକ ସଞ୍ଜୁ ସାମସନ, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର ଓ ଆଇପିଏଲ୍ ଲୋଗୋକୁ ଲଗାଇ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ିଛି ରାଜସ୍ଥାନ ରୟାଲ୍ସ। ଗୀତଟି ସରିବା ପରେ ଆଇପିଏଲ୍ ଫେରିଲା ବୋଲି ଲେଖା ଯାଇଛି। ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ ଟ୍ରଫି ସହ ଦଳୀୟ ଖେଳାଳିଙ୍କ ଫଟୋ ପ୍ରକାଶ କରି ୟୁଏଇ ଆମେ ଫେରୁଛୁ ବୋଲି ଲେଖିଛି। ଅନ୍ୟ ଦଳଗୁଡ଼ିକ ମଧ୍ୟ ନିଜ ନିଜ ଷ୍ଟାଇଲ୍ରେ ଆଇପିଏଲ୍ ଫେରିବାକୁ ସ୍ବାଗତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/54f5s6hf456h456fs4h56sfhhhhhhhhhhhhhhhhhhhhhhhhhhhhhhhhh.jpg)