ବିପ୍ଳବଙ୍କ ଦ୍ରୁତତମ ଦ୍ବିଶତକ କୀର୍ତ୍ତିମାନ

ବିପ୍ଳବ ସାମନ୍ତରାୟ

କଟକ: ଦିନିକିଆ କ୍ରିକେଟ୍‌ରେ ବିପ୍ଳବ ସାମନ୍ତରାୟଙ୍କ ଦ୍ରୁତତମ ଦ୍ବିଶତକ ରାଜ୍ୟ କ୍ରିକେଟ୍‌ରେ ଏପରିକି ବିଶ୍ବ କ୍ରିକେଟ୍‌ରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛି। କଟକ ଜିଲ୍ଲା କ୍ରୀଡ଼ା ସ˚ସଦ ଆନୁକୂଲ୍ୟରେ ଚାଲିଥିବା ଅନ୍ତଃକ୍ଲବ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ସୋମବାର ରାଇଜି˚ ଷ୍ଟୁଡେଣ୍ଟ ପକ୍ଷରୁ ଖେଳୁଥିବା ବିପ୍ଳବ ରୋଭର୍ସ ଦୌଡ଼କୁଦ ସ˚ଘ ବିପକ୍ଷରେ ୮୬ ବଲ୍‌ରୁ ଏହି ଦ୍ବିଶତକ ଅର୍ଜନ କରିଛନ୍ତି। ଏହି ପାଳିରେ ସେ ମୋଟ ୮୭ ବଲ୍‌ରୁ ୨୦୩* ରନ୍‌ କରି ଅପରାଜିତ ରହିଥିଲା ବେଳେ ରାଇଜି˚ ଷ୍ଟୁଡେଣ୍ଟ ୪ ଵିକେଟ୍‌ ବିନିମୟରେ ୪୭୧ ରନ୍‌ ସ˚ଗ୍ରହ କରିଥିଲା। ତେବେ ରୋଭର୍ସ ମାତ୍ର ୭୨ ରନ୍‌ରେ ସମସ୍ତ ଵିକେଟ୍‌ ହରାଇବାରୁ ରାଇଜି˚ ଷ୍ଟୁଡେଣ୍ଟ ୩୯୯ ରନ୍‌ରେ ବିଜୟୀ ହୋଇଥିଲା।

ପୂର୍ବତନ ରଣଜୀ ଅଧିନାୟକ ବିପ୍ଳବଙ୍କ ଏହି ଦ୍ରୁତତମ ସ୍କୋର ବିଶ୍ବ କ୍ରିକେଟ୍‌ରେ ମଧ୍ୟ କୀର୍ତ୍ତିମାନ ସ୍ଥାପନ କରିଛି। ଆନ୍ତର୍ଜାତିକ ଦିନିକିଆରେ ଦ୍ରୁତତମ ଶତକ ୱେଷ୍ଟ୍‌ଇଣ୍ଡିଜର କ୍ରିସ୍‌ ଗେଲ୍‌ଙ୍କ ନାମରେ ରହିଛି। ସେ ୨୦୧୪ରେ ଜିମ୍ବାୱେ ବିପକ୍ଷରେ ୧୩୮ ବଲ୍‌ରୁ ଦ୍ବିଶତକ ଅର୍ଜନ କରିଥିଲେ। ତାଙ୍କ ପଛକୁ ବୀରେନ୍ଦ୍ର ସେହଵାଗ ୨୦୧୧ରେ ୧୪୦ ବଲ୍‌ରୁ ଦ୍ବିଶତକ କରିଥିଲେ। ତେବେ ବିପ୍ଳବ ଏହି ମ୍ୟାଚ୍‌ରେ ପ୍ରଥମେ ୩୨ ବଲ୍‌ରୁ ଅର୍ଧଶତକ ପାର‌୍‌ କରିଥିଲାବେଳେ ୫୩ ବଲ୍‌ରେ ଶତକ ଛୁଇଁଥିଲେ। କେବଳ ଦ୍ରୁତତମ ଶତକ ନୁହେଁ ଗୋଟିଏ ପାଳିରେ ସର୍ବାଧିକ ଛକା ମାରିବାରେ ମଧ୍ୟ ସେ କୀର୍ତ୍ତିମାନ କରିଛନ୍ତି। ଏହି ପାଳିରେ ବିପ୍ଲବ ୨୦ ଛକା ଓ ୯ ଚୌକା ମାରିଥିଲେ। ଆନ୍ତର୍ଜାତିକ ଦିନିକିଆରେ ଇ˚ଲଣ୍ଡର ଇଅନ ମୋର୍ଗାନ ୨୦୧୯ରେ ଆଫଗାନିସ୍ଥାନ ବିପକ୍ଷରେ ୧୪୮ ରନ୍‌ର ପାଳି ଖେଳିଥିଲା ବେଳେ ଏଥିରେ ସର୍ବାଧିକ ୧୭ଟି ଛକା ଅନ୍ତର୍ଭୁକ୍ତ ଥିଲା। ଭାରତର ରୋହିତ ଶର୍ମା ୧୬ ଛକା ମାରି ଦ୍ବିତୀୟ ସ୍ଥାନରେ ରହିଆସିଥିଲା ବେଳେ ତାଙ୍କର ୨୬୪ ରନ୍‌ର ସର୍ବାଧିକ ପାଳିରେ ୯ ଛକା ମାରିଥିଲେ।

କେବଳ ଏତିକି ନୁହେଁ, ଚତୁର୍ଥ ଵିକେଟ୍‌ ଭାଗୀଦାରିରେ ମଧ୍ୟ ଏହି ମ୍ୟାଚ୍‌ରେ ଆଉ ଏକ କୀର୍ତ୍ତିମାନ ହୋଇଛି। ବିପ୍ଳବ ଓ ଅଭିଷେକ ରାଉତଙ୍କ ମଧ୍ୟରେ ଚତୁର୍ଥ ଵିକେଟରେ ୧୪୭ ବଲ୍‌ରୁ ୨୮୦ ରନ୍‌ ସ˚ଗ୍ରହ ହୋଇଥିଲା। ଏହି ଭାଗୀଦାରିରେ ବିପ୍ଳବ ୧୯୧ ଓ ଅଭିଷେକ ୮୫ ରନ୍‌ର ଅବଦାନ ଦେଇଥିଲେ। ସ˚ଯୋଗବଶତଃ ଆନ୍ତର୍ଜାତିକ କ୍ରିକେଟ୍‌ରେ ଚତୁର୍ଥ ଵିକେଟ ଭାଗୀଦାରିର କୀର୍ତ୍ତିମାନ କଟକରେ ହୋଇଥିଲା। ୧୯୯୮ରେ ଜିମ୍ବାୱେ ବିପକ୍ଷରେ ବାରବାଟୀ ଷ୍ଟାଡିୟମରେ ହୋଇଥିବା ମ୍ୟାଚ୍‌ରେ ମହମ୍ମଦ ଆଝାରୁଦ୍ଦିନ୍‌ ଓ ଅଜୟ ଜାଦେଜାଙ୍କ ମଧ୍ୟରେ ଚତୁର୍ଥ ଵିକେଟରେ ୨୭୫* ରନ୍‌ର ଭାଗୀଦାରି ହୋଇଥିଲା। ଏସବୁ ବାଦ୍‌ ବିଜୟ ବ୍ୟବଧାନରେ ମଧ୍ୟ ଆଉ ଏକ ବିଶ୍ବ କୀର୍ତ୍ତିମାନ ସ୍ଥାପନ ହୋଇଛି। ରାଇଜି˚ ଷ୍ଟୁଡେଣ୍ଟ ଏହି ମ୍ୟାଚରେ ୩୯୯ ରନ୍‌ରେ ବିଜୟୀ ହୋଇଥିଲା। ପୂର୍ବରୁ ୨୦୦୮ ମସିହାରେ ନ୍ୟୁଜିଲାଣ୍ଡ ୨୯୦ ରନ୍‌ରେ ଆୟର୍ଲାଣ୍ଡକୁ ହରାଇ ବଡ଼ ବ୍ୟବଧାନରେ ବିଜୟୀ ହେବା କୀର୍ତ୍ତିମାନ ବହନ କରିଆସୁଛି। ଏହି ମ୍ୟାଚ୍‌ରେ ଆୟର୍ଲାଣ୍ଡ ସମ୍ମୁଖରେ ନ୍ୟୁଜିଲାଣ୍ତ ୪୦୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।

ସମ୍ବନ୍ଧିତ ଖବର