ଲଣ୍ଡନ୍: କୋଭିଡ୍-୧୯ ମହାମାରୀ କାରଣରୁ ମାର୍ଚ ମାସରୁ କ୍ରିକେଟ୍ ବନ୍ଦ ରହିଛି। ଖେଳ ଖୁବ୍ ଶୀଘ୍ର ଫେରିବ ବୋଲି ଖେଳାଳି, ପ୍ରଶାସକ, ପ୍ରାୟୋଜକ, ଅୟୋଜକ, ଅମ୍ପାୟାର, ରେଫରିଙ୍କ ସହିତ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ଏହା କିନ୍ତୁ ନିଶ୍ଚିତ ରହିଛି, କ୍ରିକେଟ୍ ଆଉ ଯେଭଳି ଥିଲା ସେଭଳି ରୂପରେ ଫେରିବ ନାହିଁ। ଆଇସିସି ପକ୍ଷରୁ ଜାରି କରାଯାଇଛି ‘କ’ଣ କରିବେ ଓ କ’ଣ କରିବେ ନାହିଁ’। ସେଥିରୁ ହିଁ ଏହାର ଝଲକ ମିଳୁଛି।
କ୍ରିକେଟ୍ ଯେବେ ଫେରିବ ସେତେବେଳେ ପଡିଆ ଭିତରେ ଓ ବାହାରେ ଖେଳାଳି ଓ ଅମ୍ପାୟାରଙ୍କ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ ଦେଖିବାକୁ ମିଳିବ। ଖେଳାଳିମାନେ ନିଜର କୌଣସି ବ୍ୟକ୍ତିଗତ ସାମଗ୍ରୀ ଯେଭଳି ଟୋପି, ଚଷମା, ସ୍ବେଟର୍ ଆଉ ଅମ୍ପାୟାରଙ୍କୁ ହସ୍ତାନ୍ତର କରିପାରିବେ ନାହିଁ। ଖେଳାଳି ପ୍ରତି ଥର ବଲ୍ ସଂସ୍ପର୍ଶରେ ଆସିଲେ ସାନିଟାଇଜର୍ ବ୍ୟହବାର କରିବେ। ଅମ୍ପାୟାରମାନେ ବି ଏଣିକି ବଲ୍କୁ ଗ୍ଲୋଭ୍ସ ଧରି ବ୍ୟବହାର କରିବେ। ଏଭଳି କିଛି କଟକଣା ଭିତରେ କ୍ରିକେଟ୍ ଫେରିବ ବୋଲି ଆଇସିସି ସୂଚନା ଦେଇଛି। କ୍ରିକେଟ୍ ପ୍ରତ୍ୟାବର୍ତନ ପାଇଁ ନିୟମାବଳୀ ଶୀର୍ଷକରେ ଆଇସିସି ଅନ୍ତର୍ଜାତୀୟ, ଘରୋଇ ଏବଂ ଗୋଷ୍ଠୀ କ୍ରିକେଟ୍ ଲାଗି ଏହାକୁ ବାଧ୍ୟତାମୂଳକ କରିଛି। ଏଥି ସହିତ ସରକାରୀ ନିୟମ ବି ପାଳନ କରିବାକୁ ପଡିବ ବୋଲି କୁହାଯାଇଛି।
ଖେଳାଳି-ଅମ୍ପାୟାର: ସର୍ବଦା ସାମାଜିକ ଦୂରତା
ଖେଳ ପଡିଆ ଭିତରେ ହେଉ କି ବାହାରେ ଖେଳାଳି ଏବଂ ଅମ୍ପାୟାରମାନେ ସଦାସର୍ବଦା ସାମାଜିକ ଦୂରତା ଅବଲମ୍ବନ କରିବେ। କାହାରିକୁ ଖେଳାଳି ଟୋପି, ଟାୱେଲ, ଚଷମା ଓ ଜମ୍ପର୍ ଭଳି କୌଣସି ସାମଗ୍ରୀ ବଢ଼ାଇପାରିବେ ନାହିଁ। ବୋଲରମାନେ ମଧ୍ୟ ନିଜ ନିଜ ସାମଗ୍ରୀକୁ ବ୍ୟବହାର କରିବେ। ବଲ୍କୁ ଛୁଇଁବା ପୂର୍ବରୁ ଅମ୍ପାୟାରଙ୍କୁ ବି ଗ୍ଲୋଭସ୍ ବ୍ୟବହାର କରିବାକୁ ପଡ଼ିବ। ତାଲିମ ସମୟରେ ପ୍ରତ୍ୟେକ ୧.୫ ମିଟର୍ ଦୂରତା କିମ୍ବା ନିଜ ନିଜ ସରକାରଙ୍କ ଧାର୍ଯ୍ୟ ଦୂରତା ରଖିବେ। ଶାରୀରିକ ସଂସ୍ପର୍ଶରେ ଆସି ସେଲିବ୍ରେସନ୍ କରିବା, ପରସ୍ପରକୁ ପାଣି କିମ୍ବା ପାଣି ବୋତଲ ଦେବା ଏବଂ ଭାଗ ହୋଇ ପିଇବାକୁ ନିରୁତ୍ସାହିତ କରାଯିବ।
ବଲ୍: ସମ୍ଭାବ୍ୟ ଭୂତାଣୁ ବାହାକ
ବଲ୍ରେ ଆଉ ଖେଳାଳିମାନେ ଲାଳ ଲଗାଇ ପାରିବେ ନାହିଁ ବୋଲି ଆଇସିସି କ୍ରିକେଟ୍ ସମିତି ସୁପାରିସ କରିବା ପରେ ଏଣିକି କେବଳ ଝାଳ ଲଗାଇ ଏହାକୁ ଚିକ୍କଣ କରାଯାଇପାରିବ ବୋଲି ଆଇସିସି କହିଛି। କ୍ରିକେଟ୍ ଏକ ଶାରୀରିକ ସଂଷ୍ପର୍ଶର ଖେଳ ହୋଇନଥିଲେ ମଧ୍ୟ ଏକାଧିକ ବିପଦ ରହିଛି ବୋଲି ଆଇସିସି ଅନୁଭବ କରିଛି। ବଲ୍ ହିଁ ସମ୍ଭାବ୍ୟ ଭୂତାଣୁ ବାହାକ ହୋଇପାରେ ବୋଲି ପରିଷଦର ହୃଦବୋଧ ହୋଇଛି। ତେଣୁ କରି କ୍ରିକେଟ୍ ନିୟମ ଏବଂ ଏହାର ନିର୍ମାତାକୁ ପରିଚାଳନା ଉପରେ ନଜର ରଖିବାକୁ କୁହାଯାଇଛି। ବଲ୍ ସଂଷ୍ପର୍ଶରେ ଆସୁଥିବା ଖେଳାଳି ପ୍ରତି ଥର ହାତକୁ ସାନିଟାଇଜ୍ କରିବା ସହିତ ଆଖି, ନାକ ଓ ପାଟିକୁ ଛୁଇଁବେ ନାହିଁ।
ଯଦି କେହି ପଜିଟିଭ୍ ଆସିବେ
ଯଦି କୌଣସି ମ୍ୟାଚ୍ ଅବସରରେ ଜଣାପଡିବ ଯେ ଜଣେ ଖେଳାଳି, ମ୍ୟାଚ୍ ପରିଚାଳକ, ସପୋର୍ଟ ଷ୍ଟାଫ୍ କୋଭିଡ୍-୧୯ ପଜିଟିଭ୍ ଆସନ୍ତି ତେବେ ଆଇସିସି କହିଛି ସମ୍ପୂର୍ଣ୍ଣ ପରିବେଶରେ ଥିବା ସମସ୍ତଙ୍କର ପରୀକ୍ଷା କରାଯିବ। କୌଣସି ଖେଳାଳିଙ୍କ ନିକଟରେ କରୋନା ଭୂତାଣୁର ସଙ୍କେତ କିମ୍ବା ଏହା ସଂକ୍ରମଣର ପ୍ରଭାବ ଅନୁଭବ ହେଲେ ଅଂଶଗ୍ରହଣକାରୀଙ୍କ ସଂଷ୍ପର୍ଶରେ ଆସିଥିବା ସମସ୍ତଙ୍କୁ ମଧ୍ୟ ଗୃହାବଦ୍ଧ ରହିବାକୁ କୁହାଯିବ।
ମ୍ୟାଚ୍ ଅଧିକାରୀ ‘ଅସୁରକ୍ଷିତ’
କ୍ରିକେଟ୍ ମ୍ୟାଚ୍ର ଅଧିକାରୀମାନେ କୋଭିଡ୍-୧୯ ମହାମାରୀ ଲାଗି ଅଧିକ ଅସୁରକ୍ଷିତ ବୋଲି ମଧ୍ୟ ଆଇସିସି ଆକଳନ କରିଛି। ମ୍ୟାଚ୍ ପରିଚାଳକ, ଅମ୍ପାୟାର୍ ଏବଂ ମ୍ୟାଚ୍ ରେଫରିମାନେ ସନ୍ଦିଗ୍ଧ ତଥା ଅସୁରକ୍ଷିତ ମନେ ହେଲେ ସେମାନଙ୍କୁ ଦୂରେଇ ରଖାଯିବ। ବିଶେଷ କରି ୬୦ ବର୍ଷରୁ ଊର୍ଧ୍ବ ବ୍ୟକ୍ତିଙ୍କ ସହିତ ହୃଦ୍ପିଣ୍ଡ ଓ ବୃକକ୍ ସମସ୍ୟା, ମଧୁମେହ, ମୋଟାପଣ, ଦୁର୍ବଳ ପ୍ରତିରୋଧ ଶକ୍ତି ଥିବାଙ୍କୁ ମଧ୍ୟ ବାରଣ କରାଯିବ। କ୍ରିକେଟ୍ ମ୍ୟାଚ୍ ଅମ୍ପାୟାର ଓ ଫିଲଡ୍ ଖେଳ ହୋଇଥିବାରୁ ସମସ୍ତଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ ବୋଲି ଆଇସିସି କହିଛି।