ମ‌ା‌ଞ୍ଚେଷ୍ଟର୍‌ ଟେଷ୍ଟ ଦ୍ବିତୀୟ ଦିନ: ଇଂଲଣ୍ଡର ୩୬୯ ଜବାବରେ ଇଣ୍ଡିଜ୍‌ ୧୩୭/୬

ବ୍ରଡ୍ ମାଇଲଖୁଣ୍ଟର ନିକଟତର, ୨୦୦ ୱିକେଟ୍ କ୍ଲବ୍‌ରେ ରୋଚ୍

ମ‌ା‌ଞ୍ଚେଷ୍ଟର୍‌: ଚଳିତ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍‌ ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ବୋଲରଙ୍କ ପ୍ରାଧାନ୍ୟ ରହିବାରୁ ଶନିବାର ମୋଟ ୧୨ ୱିକେଟ୍‌ର ପତନ ଘଟିଛି। କିନ୍ତୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ବୋଲରମାନେ ‌ଦେଇଥିବା ସୁଯୋଗକୁ ଦଳର ଶୀର୍ଷକ୍ରମ ବ୍ୟାଟ୍‌ସମ୍ୟାନ୍‌ ହାତଛଡ଼ା କରିଛନ୍ତି। ଇଂଲଣ୍ଡର ପ୍ରଥମ ପାଳିକୁ ଅପ୍ରତ୍ୟାଶିତ ଭାବେ ୩୬୯ ରନ୍‌ରେ ରୋକିଥିଲେ ମଧ୍ୟ ଆଲୋକ ଅଭାବରୁ ଆଗୁଆ ଷ୍ଟମ୍ପ୍ସ ବେଳକୁ ଜାସନ୍‌ ହୋଲଡରଙ୍କ ଦଳ ୧୩୭ ରନ୍‌ରେ ୬ ୱିକେଟ୍‌ ହରାଇ ଦେଇଥିଲା। ଶନିବାର ସକାଳେ ଇଂଲଣ୍ଡ ୨୫୮/୪ରୁ ଖେଳିଥିଲା। କିନ୍ତୁ କେମାର ରୋଚ ଓ ସାନନ୍ ଗାବ୍ରିଏଲ୍‌ ୧୦ ରନ୍‌ ଭିତରେ ୩ ୱିକେଟ୍ ବାହାର କରିନେବାରୁ ଇଂଲଣ୍ଡର ବଡ଼ ସ୍କୋର୍‌ ଆଶା ମଉଳିଯାଇଥିଲା। ପୂର୍ବ ସଂଧ୍ୟାର ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ୍‌ ଓଲି ପୋପ୍ (୯୧, ୧୫୦ ବଲ୍‌) ଏବଂ ଜୋସ୍ ବଟ୍ଟଲର (୬୭, ୧୪୨ ବଲ୍‌)ଙ୍କୁ ଗାବ୍ରିଏଲ୍‌ ଆଉଟ୍ କରିଥିବାବ‌େଳେ କ୍ରିସ୍ ୱକ୍ସ(୧)ଙ୍କୁ ରୋଚ୍‌ ବୋଲ୍ଡ କରି‌ ଦେଇଥିଲେ। କିଛି ସମୟ ପରେ ଜୋଫ୍ରା ଆର୍ଚର (୩)ଙ୍କୁ ରୋଚ୍‌ ନିଜ ଚତୁର୍ଥ ଶିକାର କରିଥିଲେ। ଫଳରେ ଘରୋଇ ଦଳ ୨୫୪/୪ରୁ ହଠାତ୍ ୨୮୦/୮ରେ ସଂଘର୍ଷ କରିଥିଲା। ଏହି ସମୟରେ କିନ୍ତୁ ଡୋମିନିକ୍ ବେସ୍ (୧୮*, ୫୫ ବଲ୍‌) ଏବଂ ଷ୍ଟୁଆର୍ଟ ବ୍ରଡ୍ (୬୨, ୪୫ ବଲ୍‌, ୯ ଚୌକା, ୧ ଛକା) ନବମ ୱିକେଟ୍ ଭାଗୀଦାରିରେ ୭୬ ରନ୍ ଯୋଡ଼ିବାରୁ ଘରୋଇ ଦଳ ୩୫୦ ରନ୍ ଅତିକ୍ରମ କରିଯାଇଥିଲା। ବ୍ରଡ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ମଧ୍ୟ ଇଂଲଣ୍ଡର ସମ୍ମାନ ରଖିଥିଲା।

ଜବାବରେ ୱେଷ୍ଟଇଣ୍ଡିଜ୍‌ କିନ୍ତୁ ଚା’ପାନ ପୂର୍ବରୁ ୫୮ ରନ୍‌ ଭିତରେ ୩ ୱିକେଟ୍ ହରାଇ ଦେଇଥିଲା। ବ୍ୟାଟିଂ କମାଲ ପରେ ବ୍ରଡ୍ ନିଜ ପ୍ରଥମ ଓଭରରେ ଫର୍ମରେ ଥିବା କ୍ରେଗ୍ ବ୍ରାଥୱେଟଙ୍କୁ ଆଉଟ୍ କରି ଦେଇଥିଲେ। ଜନ୍ କ୍ୟାମ୍ପବେଲ୍‌ (୩୨, ୫୦ ବଲ୍‌) ଏବଂ ସାଇ ହୋପ୍‌ (୧୭, ୬୪ ବଲ୍‌) ନୂଆ ବଲ୍ ବୋଲରଙ୍କୁ ହାତେଇ ନେଇଥିଲେ ମଧ୍ୟ ଅଧିକ ସମୟ ତିଷ୍ଠିନଥିଲେ। ଜୋର୍ଫା ଆର୍ଚର ଏବଂ ଜେମ୍ସ ଆଣ୍ଡରସନ୍‌ ଯଥାକ୍ରମେ ଏମାନଙ୍କୁ ଆଉଟ୍ କରିଥିଲେ। ବିରତି ପରେ ସାମରା ବ୍ରୁକ୍ସ (୪), ରସ୍ତନ୍ ଚେଜ୍‌ (୯) ଏବଂ ଜର୍ମାଇନ୍ ବ୍ଲାକଉଡ୍‌ (୨୬)ଙ୍କୁ ଯଥାକ୍ରମେ ଆଣ୍ଡରସନ୍‌, ବ୍ରଡ୍‌ ଓ ୱକ୍ସଙ୍କ ଶିକାର ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୧୧୧.୫ ଓଭରରେ ୨୬୯ (ଓଲି ପୋପ୍‌-୯୧, ଜୋସ୍ ବଟ୍ଟଲର୍‌-୬୭, ରୋରି ବର୍ନସ-୫୭, ଷ୍ଟୁଆର୍ଟ ବ୍ରଡ୍‌-୬୨, କେମାର ରୋଚ୍‌-୪/୭୨, ରସ୍ତନ୍ ଚେଜ୍‌-୨/୩୬, ସାନନ୍ ଗାବ୍ରିଏଲ୍‌-୨/୭୭, ଜାସନ୍ ହୋଲଡର-୧/୮୩)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୪୭.୧ ଓଭରରେ ୧୩୭/୬ (ଜନ୍ କ୍ୟାମ୍ପ୍‌ବେଲ୍‌-୩୨, ଜର୍ମାଇନ୍ ବ୍ଲାକଉଡ୍‌-୨୬, ଜାସନ୍ ହୋଲଡର-୨୪*, ସନ୍ ଡାଓରିଚ୍‌-୧୦*, ଜେମ୍ସ ଆଣ୍ଡରସନ୍‌-୨/୧୭, ଷ୍ଟୁଆର୍ଟ ବ୍ରଡ୍‌-୨/୧୭, ‌କ୍ରିସ୍‌ ୱକ୍ସ-୧/୩୯, ଜୋଫ୍ରା ଆର୍ଚର-୧/୫୫)।

ବ୍ରଡ୍ ମାଇଲଖୁଣ୍ଟର ନିକଟତର
ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ଏକ ବିରାଟ ମାଇଲଖୁଣ୍ଟର ନିକଟତର ହୋଇଛନ୍ତି। ୧୩୯ ଟେଷ୍ଟ୍ ଖେଳି (ଚଳିତ ମାଞ୍ଚେଷ୍ଟର ଟେଷ୍ଟ୍‌କୁ ଛାଡ଼ି) ୨୮.୩୮ ହାରରେ ୪୯୧ ୱିକେଟ୍ ନେଇଥିବା ଏହି ଅଭିଜ୍ଞ ବୋଲର ଆଉ ୯ ୱିକେଟ୍ ନେଲେ ୫୦୦ ଟେଷ୍ଟ୍ ୱିକେଟ୍ ପୂରଣ କରିବେ। ଏହା କରି ପାରିଲେ ସେ ନିଜ ଦେଶର ଜେମ୍ସ ଆଣ୍ଡରସନଙ୍କ କ୍ଲବ୍‌ରେ ଯୋଗ ଦେଇ ପାରିବେ। ବ୍ରଡ୍ ମଧ୍ୟ ୫୦୦ ଟେଷ୍ଟ୍ ୱିକେଟ୍ ନେବାରେ ଆଣ୍ଡରସନଙ୍କ ପରେ ଇଂଲଣ୍ଡର ଦ୍ବିତୀୟ ଏବଂ ବିଶ୍ବର ଚତୁର୍ଥ ଦ୍ରୁତ ବୋଲର ଓ ମୋଟ ଉପରେ ସପ୍ତମ ବୋଲର ହେବେ। ତାଙ୍କ ପୂର୍ବରୁ ମୁଥୟା ମୁରଲୀଧରନ, ଅନିଲ କୁମ୍ବଲେ, ସେନ୍ ୱର୍ନ, ଗ୍ଲେନ୍ ମ୍ୟାଗ୍ରା, କର୍ଟନି ୱାଲ୍ସ ଓ ଆଣ୍ଡରସନ୍ ୫୦୦ କିମ୍ବା ତା’ଠାରୁ ଅଧିକ ୱିକେଟ୍ କରାୟତ୍ତ କରିଛନ୍ତି। ମାଞ୍ଚେଷ୍ଟର ଟେଷ୍ଟର ଶନିବାର ଖେଳରେ ୨ ଉଇକେଟ୍‌ ନେବା ପରେ ବ୍ରଡ ଏବେ ଏହି ମାଇଲଖୁଣ୍ଟଠାରୁ ୭ ୱିକେଟ୍‌ ପଛରେ ଅଛନ୍ତି।

୨୦୦ ୱିକେଟ୍ କ୍ଲବ୍‌ରେ ରୋଚ୍
ୱେଷ୍ଟଇଣ୍ଡିଜ୍-ଇଂଲଣ୍ଡରେ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର କେମାର ରୋଚ୍ ନିଆରା କ୍ଲବ୍‌ରେ ଯୋଗ ଦେଇଛନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ ୨୦୦ ୱିକେଟ୍ ନେବାରେ ସେ ୱେଷ୍ଟଇଣ୍ଡିଜ୍‌ର ନବମ ବୋଲର ହୋଇଛନ୍ତି। ଏହି ଟେଷ୍ଟ୍‌ର ଦ୍ବିତୀୟ ଦିନରେ ଇଂଲଣ୍ଡର କ୍ରିସ୍ ଓକ୍ସଙ୍କୁ ୯୧ତମ ଓଭରରେ ଆଉଟ୍ କରି ରୋଚ୍ ଏହି ମିନି ମାଇଲଖୁଣ୍ଟ ଛୁଇଁଥିଲେ। ତା’ ସହ ଗତ ୨୬ ବର୍ଷ ଭିତରେ ୨୦୦ ଟେଷ୍ଟ୍ ୱିକେଟ୍ ପୂରଣ କରିବା‌ରେ ସେ ପ୍ରଥମ ୱେଷ୍ଟଇଣ୍ଡିଆନ୍ ବୋଲର ହୋଇଥିଲେ।‌ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୨୦୦ କିମ୍ବା ତା’ଠାରୁ ଅଧିକ ‌ଟେଷ୍ଟ୍ ୱିକେଟ୍ ନେଇଥିବା ଅନ୍ୟ ବୋଲରମାନେ ହେଲେ କର୍ଟନି ୱାଲ୍ସ, କର୍ଟର୍ଲି ଆମ୍ବ୍ରୋଜ୍, ମାଲକମ୍ ମାର୍ସାଲ, ଲାନ୍ସ ଗିବ୍ସ, ଜୋଏଲ ଗାର୍ନର, ମାଇକେଲ ହୋଲ୍ଡିଂ, ଗ୍ୟାରି ସୋବର୍ସ ଓ ଆଣ୍ଡି ରବର୍ଟସ। ରୋଚ୍ (୫୯) ସୋବର୍ସ (୮୦)ଙ୍କୁ କାଟି ୨୦୦ ୱିକେଟ୍ ନେବାରେ ଦ୍ରୁତତମ ହୋଇଛନ୍ତି। ଶେଷ ଥର ପାଇଁ ଆମ୍ବ୍ରୋଜ୍ ୧୯୯୪ରେ ଇଣ୍ଡିଜ୍ ପାଇଁ ୨୦୦ ଟେଷ୍ଟ୍ ୱିକେଟ୍ ପୂରଣ କରିଥିଲେ।

ସମ୍ବନ୍ଧିତ ଖବର