ଜାତୀୟ ଦୌଡ଼କୁଦ ଚୟନ ପ୍ରକ୍ରିୟାର ଦ୍ବିତୀୟ ଦିନ: ଗୁରୁମନ୍ତ୍ର ଦେଲେ ନୀରଜ, ଶିବପାଲ

ଭୁବନେଶ୍ବର: ଆସାମର ଗୁଆହାଟୀଠାରେ ଫେବ୍ରୁ୍ଆରି ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଭୁବନେଶ୍ବରର କଳିଙ୍ଗ ‌ଷ୍ଟାଡିୟମ୍‌ରେ ଚାଲିଥିବା ଚୟନ ପ୍ରକ୍ରିୟାର ଦ୍ବିତୀୟ ଦିବସରେ ଅନ୍ତର୍ଜାତୀୟ ଜାଭେଲିନ୍ ତାରକା ନୀରଜ ଚୋପ୍ରା ଓ ଶିବପାଲ ଯାଦବଙ୍କ ଉପସ୍ଥିତି ରାଜ୍ୟର ଉଦୀୟମାନ ଦୌଡ଼କୁଦ ତାରକାଙ୍କୁ ଉତ୍ସାହିତ କରିଥିଲା। ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଆଥଲେଟ୍‌ମାନଙ୍କୁ ଉଭୟ ଅନୁପ୍ରେରିତ କରିଥିଲେ। ସେମାନଙ୍କୁ ପାଖରେ ପାଇ ଆଥଲେଟ୍‌ମାନେ ମଧ୍ୟ ବେଶ୍ ଉଲ୍ଲସିତ ଓ ଖୁସୀ ଥିଲେ। ନୀରଜ ଓ ଶିବପାଲ ରାଜ୍ୟର ପ୍ରତିଭାବାନ ଜାଭେଲିନ୍ ତାରକାଙ୍କ ସହ ସ୍ବତନ୍ତ୍ର ଆଲୋଚନା କରି ସେମାନଙ୍କୁ ବହୁମୂଲ୍ୟ ପରାମର୍ଶ ବି ଦେଇଥିଲେ। ପ୍ରୟାସ ଉପରେ ପ୍ରୟାସ ଜାରି ରଖି ନିଜ ଜାଭେଲିନ୍ ଫିଙ୍ଗିବା ଦୂରତାକୁ କ୍ରମଶଃ ବୃଦ୍ଧି କରିବାକୁ ଯୁବ ତାରକାମାନଙ୍କୁ ଆହ୍ବାନ କରିଥିଲେ। ସେହିଭଳି ଚୟନ ପ୍ରକ୍ରିୟା ସହ ଜାତୀୟ କନିଷ୍ଠ ପ୍ରତିଯୋଗିତା ଲାଗି ଆଥଲେଟ୍‌ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ରବିବାର ମୋଟ ୬୨ ଇଭେଣ୍ଟର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ୧୮ରୁ ୨୦ ବୟସ ବର୍ଗର ୧୫୦ ବାଳକ, ବାଳିକା ଏଥିରେ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀ ନଥିବାରୁ ୪ଟି ଇଭେଣ୍ଟକୁ ବାତିଲ କରି ଦିଆଯାଇଥିଲା। ଶନିବାର ପ୍ରଥମ ଦିନରେ ହୋଇଥିବା ୧୪ ଓ ୧୬ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗର ପ୍ରତିଯୋଗିତାରେ ୮୮ ଜଣ ଭାଗ ନେଇଥିଲେ। ରବିବାରର ବିଭିନ୍ନ ଇଭେଣ୍ଟରେ ଯଶବୀର ବିଲିଂ, ସୁରେନ୍ଦ୍ର ଖରା, ପଙ୍କଜ ମଣ୍ଡଳ, ରୋହିତ କୁମାର, ରାଉତ ସିଂ, ରିଙ୍କୁ ବାକା, ଗୋବିନ୍ଦ ପାଣ୍ଡେ, ଲାଲୁ ପ୍ରସାଦ ଭୋଇ, ସିଦ୍ଧାନ୍ତ ଭୂୟାଁ, ନିଖିଳ କୁମାର ଦାସ, ରତ୍ନାକର ପାଲଟାସିଂହ, ରାଜେଶ କୁମାର ସ୍ବାଇଁ, ହେମନ୍ତ ସେଠ୍, ମନୋଜ ଓରାମ, ଜିତେନ୍ଦ୍ର ମଟାରୀ, ଦିଲୀପ ନାୟକ, ରୁପେନ୍ଦ୍ର ହେମ୍ବ୍ରମ୍, ରଶ୍ମି ରଞ୍ଜନ ନାୟକ, ଦେବୀ ପ୍ରସାଦ କର, ଜତୀନ୍ଦର ବାତ୍ରା, ରାଜା ସିଂହ, ଯୁଗାନ୍ତର ମହାନ୍ତି, ଆକାଶ ବିଦିକା, ଜ୍ୟୋତି ପ୍ରକାଶ ନାୟକ, ମାରିମୁକ୍ତା ସୋରେଙ୍ଗ୍, ବୈଷ୍ଣବୀ ହାତୀ, ସୁସ୍ମିତା ଟିଗା, ମିଲି ମାଝୀ, ଶ୍ରାବଣୀ ମହାରଣା, ଆତିଶ କୁଣ୍ଡୁ ପ୍ରମୁଖ ନିଜ ନିଜ ବର୍ଗର ପ୍ରଥମ ସ୍ଥାନରେ ରହି ଜାତୀୟ ପ୍ରତିଯୋଗିତା ଲାଗି ଏକପ୍ରକାର ସ୍ଥାନ ପକ୍କା କରି ନେଇଥିଲେ।

ସମ୍ବନ୍ଧିତ ଖବର