ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ଆଜିଠୁ, ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ପ୍ରମୁଖ ବୋଲରଙ୍କୁ ବିଶ୍ରାମ ଦେବ ନ୍ୟୁଜିଲାଣ୍ଡ

ୱିଲିୟମ୍‌ସନ୍‌ ବାଦ୍‌; ଲାଥାମ୍‌ ନେବେ ନେତୃତ୍ବ

ଲଣ୍ଡନ: ଭାରତ ବିପକ୍ଷ ଡବ୍ଲ୍ୟୁଟିସି ଫାଇନାଲକୁ ଆଖି ଆଗରେ ରଖି ଗୁରୁବାରଠାରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ ତାର ପ୍ରମୁଖ ବୋଲରମାନଙ୍କୁ ବିଶ୍ରାମ ଦେବ। ବୋଲରମାନଙ୍କୁ ସତେଜ ଓ ସୁସ୍ଥ ରଖିବା ହିଁ କିୱି ଦଳର ଏହି ପଦକ୍ଷେପର ମୁଖ୍ୟ କାରଣ। ତେବେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ପୂର୍ବରୁ ଖେଳାଳିଙ୍କ ଫିଟନେସ୍ ଏହି ଦଳ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଅଧିନାୟକ କେନ୍ ୱିଲିୟମସନ ଏବଂ ସ୍ପିନର ମିଚେଲ ସାଣ୍ଟନର ଆଗାମୀ ଇଂଲଣ୍ଡ ଟେଷ୍ଟ୍‌ରୁ ବାଦ ପଡ଼ିଛନ୍ତି। ୱିଲିୟମ୍‌ସନ୍‌ଙ୍କ ସ୍ଥାନରେ ଟମ୍‌ ଲାଥାମ୍‌ ଦଳର ନେତୃତ୍ବ ନେବେ। ପୁଣି ୱିଲି ୟଙ୍ଗ୍‌ ୩ ନମ୍ବରରେ ବ୍ୟାଟିଂ କରିବେ ବୋଲି ବୁଧବାର ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ୱିଲିୟମସନଙ୍କ କହୁଣୀରେ ଏବଂ ସାଣ୍ଟନରଙ୍କ ଅଙ୍ଗୁଳିରେ ଯନ୍ତ୍ରଣା ହେଉଥିବା ଜଣାପଡ଼ିଛି। ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଅଭିଜ୍ଞ ଟିମ୍ ସାଉଦି, ନିଲ ୱାଗନର ଓ କାଇଲ ଜାମିସନଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣ ଦ୍ବିତୀୟ ଟେଷ୍ଟ୍‌ରେ ଖେଳି ନପାରନ୍ତି ବୋଲି ମଧ୍ୟ ପ୍ରଶିକ୍ଷକ ଡଗ୍ ବ୍ରାସୱେଲ୍ କହିଛନ୍ତି। ଏହା ହେଲେ ନବାଗତ ଜାକବ ଡଫି ଏହି ମ୍ୟାଚ୍‌ରେ ଟେଷ୍ଟ୍ ପଦାର୍ପଣ କରି ପାରନ୍ତି। ଇଂଲଣ୍ଡ ଗସ୍ତରେ ନ୍ୟୁଜିଲାଣ୍ଡ ୨୦ ଜଣ ଖେଳାଳି ନେଇଥିବାରୁ ବରିଷ୍ଠ ଖେଳାଳିଙ୍କ ବିକଳ୍ପ ଖୋଜିବା ତା ପାଇଁ ଅବଶ୍ୟ କଷ୍ଟକର ହେବନି।

ନ୍ୟୁଜିଲାଣ୍ଡ ଏକ ଭଲ ଦଳ, ଭାରତ ସେମାନଙ୍କୁ ହାଲକା ଭାବେ ନେଇ ପାରିବନି: ବିଶ୍ବନାଥ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଐତିହାସିକ ଶୃଙ୍ଖଳା ବିଜୟ ସହ ଘରୋଇ ପରିବେଶରେ ଇଂଲଣ୍ଡକୁ ୩-୧ରେ ପରାସ୍ତ କରି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଖେଳିବାକୁ ଯାଉଛି ଭାରତୀୟ କ୍ରିକେଟ୍ ଦଳ। ବିଗତ ଏକବର୍ଷର ପ୍ରଦର୍ଶନ, ବିଶ୍ବ ମାନ୍ୟତା ତଥା ଖେଳାଳିଙ୍କ ଅଭିଜ୍ଞତାକୁ ତୁଳନା କଲେ ନ୍ୟୁଜିଲାଣ୍ଡଠାରୁ ଭାରତ ଢେର ଆଗରେ ରହିବ। ତଥାପି କିୱି ଦଳକୁ କୌଣସି ପରିସ୍ଥିତିରେ ହାଲକା ଭାବେ ନନେବାକୁ କଂବଦନ୍ତି କ୍ରିକେଟର ଗୁଣ୍ଡାପ୍ପା ବିଶ୍ବନାଥ ଭାରତୀୟ ଖେଳାଳିଙ୍କୁ ଆହ୍ବାନ କରିଛନ୍ତି। ବରଂ ନିରପେକ୍ଷ ସ୍ଥାନରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାରୁ ଅଧିକ ଏକାଗ୍ରତା ଓ ଶୃଙ୍ଖଳିତ ପ୍ରଦର୍ଶନ ଉପରେ ଅଧିକ ଧ୍ୟାନ ଦେବାକୁ କୋହଲି ବାହିନୀକୁ ପରାମର୍ଶ ଦେଇଛନ୍ତି ସେ। ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ଉଭୟ ଦଳ ନିରପେକ୍ଷ ସ୍ଥାନରେ ଖେଳିବେ। ଏହା ଏକ ଭଲ ମ୍ୟାଚ୍ ହେବ। ନ୍ୟୁଜିଲାଣ୍ଡ ଏକ ବହୁତ ଭଲ ଦଳ। ଭାରତ ସେମାନଙ୍କୁ ହାଲକା ଭାବେ ନେଇ ପାରିବ ନାହିଁ। ଖେଳ ପରିବେଶ ଓ ପରିସ୍ଥିତି ଅଲଗା ରହିବ।

ଅବଶ୍ୟ ଭାରତ ପଲା ସାମାନ୍ୟ ଭାରି ରହିବ। ଲଢ଼େଇ କିନ୍ତୁ ବେଶ୍ ରୋଚକ ଓ ରୋମାଞ୍ଚଭରା ‌ରହିବ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ବିଜୟ ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇବ। ୧୯୬୯ରୁ ୧୯୮୩ ମଧ୍ୟରେ ଭାରତ ପାଇଁ ୯୧ ଟେଷ୍ଟ୍ ଓ ୨୫ ଦିନିକିଆ ଖେଳିଥିବା ବିଶ୍ବନାଥ ପ୍ରଥମ ଥର ଖେଳାଯାଉଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌କୁ ନେଇ ସମଗ୍ର ବିଶ୍ବରେ ସୃଷ୍ଟି ହୋଇଥିବା ଉତ୍ସାହ ନେଇ ବେଶ୍ ଖୁସି ଅଛନ୍ତି। ଏହି ମ୍ୟାଚ୍ ମୁଖ୍ୟତଃ ଭାରତୀୟ ବୋଲର ଏବଂ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଲଢ଼େଇ ହେବ ବୋଲି ମଧ୍ୟ ସେ ଭବିଷ୍ୟବାଣୀ କରିଛନ୍ତି। ‘‘ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ରେ ଭାରତୀୟ ବୋଲର ଏବଂ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ। ଭାରତୀୟ ବୋଲିଂ ଏବେ ବେଶ୍ ଶକ୍ତିଶାଳୀ। ସାମି, ବୁମରା ଓ ଈଶାନ୍ତ , ସମସ୍ତେ ଚମତ୍କାର ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆରେ ସିରାଜ ଅବିଶ୍ବସନୀୟ ପ୍ରଦର୍ଶନ କରିଥିଲେ। ବିରାଟଙ୍କ ପାଇଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ବି ସେହି କାର୍ଯ୍ୟ କରିବେ ବୋଲି ମୁଁ ଦୃଢ଼ ଆଶା ରଖିଛି’’ ବୋଲି କହି ବିଶ୍ବନାଥ ନିଜ କଥା ଶେଷ କରିଥିଲେ।

ସମ୍ବନ୍ଧିତ ଖବର