ଆଜିଠାରୁ ୱଣ୍ଡରର୍ସରେ ଦ୍ବିତୀୟ ଟେଷ୍ଟ୍‌

ଜୋହାନ୍ସବର୍ଗ: ସୋମବାରଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌ ଖେଳାଯିବ। ଜୋହାନ୍ସବର୍ଗର ୱଣ୍ଡରର୍ସ ପଡ଼ିଆ ଭାରତ ପାଇଁ ଅନୁକୁଳ ଥିବାରୁ ବିରାଟ କୋହଲିଙ୍କ ଦଳ ଏଠାରେ ବିଜୟୀ ହୋଇ ଐତିହାସିକ ଶୃଙ୍ଖଳା ବିଜୟର ସ୍ବପ୍ନ ସାକାର କରିବ‌ ବୋଲି ଆଶା ରଖିଛନ୍ତି। ପ୍ରଥମ ଟେଷ୍ଟ୍ ବିଜୟ ପରେ ଭ୍ରମଣକାରୀ ଦଳର ଆତ୍ମବିଶ୍ବାସ ମଧ୍ୟ ଉଚ୍ଚରେ ରହିଛି। ୨୦୨୧ରେ ଭାରତ ଦୁଇଟି ଅଭେଦ୍ୟ ଦୁର୍ଗ (ଗାବା ଓ ସେଞ୍ଚୁରିଅନ୍‌) ଦଖଲ କରିଥିବାରୁ ଏବେ ବହୁ ପ୍ରତୀକ୍ଷିତ ଦକ୍ଷିଣ ଆଫ୍ରିକା ମାଟିରେ ଶୃଙ୍ଖଳା ବିଜୟର ସୁବର୍ଣ୍ଣ ସୁଯୋଗ ପାଇଛି। ୨୦୨୨ ମସିହାର ପ୍ରଥମ‌ ଟେଷ୍ଟ୍‌ର ଭେନ୍ୟୁ ଜୋହାନ୍ସବର୍ଗର ୱଣ୍ଡରର୍ସରେ ଭାରତ କେବେ ବି ହାରିନାହିଁ। ୫ ଟେଷ୍ଟ୍‌ ଖେଳି ୨ ଜିତିବା ସହ ଅନ୍ୟ ୩ଟିକୁ ଅମୀଂମାଂସିତ ରଖିଛି। ଏହି ୩ଟି ଅମୀମାଂସିତରୁ ଗୋଟିକ (୧୯୯୭)ରେ ବର୍ଷା ଶେଷ ଦିନ ବାଧା ଆଣିନଥିଲେ ଭାରତ ବିଜୟୀ ହେବାର ସୁଯୋଗ ବି ଥିଲା। ୱଣ୍ଡରର୍ସରେ କେବଳ ଭାରତ ନୁହେଁ ଅନ୍ୟ ବିଦେଶୀ ଦଳ ମଧ୍ୟ ସଫଳ ହୋଇଛନ୍ତି। ୩୧ ଟେଷ୍ଟ୍ ‌‌ଖେଳି ଘରୋଇ ଦଳ ୧୧ ହାରିଛି। ଅନ୍ୟ କୌଣସି ଘରୋଇ ପଡ଼ିଆରେ ଦକ୍ଷିଣ ଆଫ୍ରିକା ଏତେ ମ୍ୟାଚ୍‌ ହାରିନାହିଁ।

ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍‌ ହାରିଥିଲେ ମଧ୍ୟ ଘରୋଇ ପରିବେଶରେ ଖେଳିବ। ଭାରତ ଅବଶ୍ୟ ୱଣ୍ଡରର୍ସରେ ଘରୋଇ ପଡ଼ିଆ ଭଳି ଅନୁଭବ ପାଇବ। ସେଞ୍ଚୁରିଅନ୍‌ରେ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଟସ୍ ଜିତିଥିଲେ ବିରାଟ କୋହଲି। ଏଥିପାଇଁ ଦଳ ପ୍ରଥ‌ମେ ବ୍ୟାଟିଂ କରିବାର ଫାଇଦା ମଧ୍ୟ ପାଇଥିଲା। ପ୍ରଥମ ଅଧିବେସନରେ ଦକ୍ଷିଣ ଆଫ୍ରିକା ବୋଲିଂ ମଧ୍ୟ ସାଧାରଣ ଥିଲା। ଟସ୍‌ ଭାଗ୍ୟ ଭାରତ ସପକ୍ଷରେ ନ ରହିଲେ ଦ୍ବିତୀୟ ଟେଷ୍ଟ୍‌ରେ ଭାରତ ଯେ ପ୍ରାଧାନ୍ୟ ବିସ୍ତାର କରିବ ଏଥିରେ କିଛି ଗ୍ୟାରେଣ୍ଟି ନାହିଁ। ଦୁଇ ଦଳ ମଧ୍ୟରେ ସବୁଠାରୁ ବଡ଼ ଫରକ ଥିଲା ଦକ୍ଷିଣ ଆଫ୍ରିକା ପରିବେଶ, ଯାହାକି ଗତ ସପ୍ତାହ ଭଳି ପ୍ରଭାବ ନପକାଇପାରେ। କିନ୍ତୁ ପାଗ କ୍ରିକେଟ୍ ପାଇଁ ଅନୁକୁଳ ନାହିଁ। ୫ ଦିନ ମଧ୍ୟରୁ ୪ ଦିନ ବର୍ଷା ହେବାର ସମ୍ଭାବନା ରହିଛି। କ୍ବିଣ୍ଟନ୍ ଡି’କକ୍‌ଙ୍କ ଅପ୍ରତ୍ୟାଶିତ ଅବସର ଦକ୍ଷିଣ ଆଫ୍ରିକାର ଅଭିଜ୍ଞତାକୁ କମ୍ କରିଥିଲେ ମଧ୍ୟ ଦ୍ରୁତ ବୋଲର ଡୁଆନ୍‌ ଓଲିଭର୍‌ଙ୍କୁ ସାମିଲ କରାଯିବା ଘରୋଇ ଦଳକୁ ଅଧିକ ଦୃଢ଼ କରିଛି। ଓଲିଭର୍‌ ୱଣ୍ଡରର୍ସରେ ବିଗତ ୩ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୧.୨୫ ହାରରେ ମୋଟ ୨୪ ୱିକେଟ୍ ନେଇ ପ୍ରଭାବ ଛାଡ଼ିଥିଲେ। ଓଲିଭରଙ୍କ ବଦଳରେ ୱିଆନ୍‌ ମଲ୍ଡର ଓ ମାର୍କୋ ଜା‌ନସେନ୍‌ଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ପଡ଼ିବ। କ୍ବିଣ୍ଟନ୍ ଡି’କକ୍‌ଙ୍କ ସ୍ଥାନରେ କାଇଲ୍‌ ଭେରିନ୍‌ ୱିକେଟରକ୍ଷଣ ଦାୟିତ୍ବରେ ରହିବେ।

ଭାରତ ପାଇଁ କିନ୍ତୁ ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେଙ୍କୁ ରନ୍‌ ସଂଗ୍ରହରେ ନିଜକୁ ସାମିଲ କରିବାକୁ ହେବ। ସେଞ୍ଚୁରିଅନ୍‌ରେ ପୂଜାରା ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। କୋହଲି ଓ ରାହାଣେ ଭଲ ଖେଳିଥିଲେ ମଧ୍ୟ ଲମ୍ବା ସମୟ ବ୍ୟାଟିଂ କରିପାରିନଥିଲେ। ଏପରିକି ଆତ୍ମବିଶ୍ବାସ ପାଇଁ ଆବଶ୍ୟକ ଅର୍ଦ୍ଧଶତକଟିଏ ହାସଲ କରିପାରିନଥିଲେ। ତିନି ଜଣଙ୍କ ମଧ୍ୟରେ ସର୍ବାଧିକ ୪୮ ରନ୍‌ ରାହାଣେ କରିଥିଲେ। ଭାରତୀୟ ଦଳ ବିଜୟୀ ସମନ୍ବୟ ଏକାଦଶକୁ ଭାଙ୍ଗିବା ସପକ୍ଷରେ ନଥିଲେ ମଧ୍ୟ ଶାର୍ଦୁଳ ଠାକୁରଙ୍କଠାରୁ ବୋଲିଂରେ ଆଶାଜନକ ସଫଳତା ମିଳିନଥିବାରୁ ତାଙ୍କ ବଦଳରେ ଉମେଶ ଯାଦବଙ୍କ ନାମ ବିଚାର କରାଯାଉଛି। କିନ୍ତୁ ଠାକୁରଙ୍କ ବ୍ୟାଟିଂ ଦକ୍ଷତା ଏବଂ ଭାଗୀଦାରି ଭାଙ୍ଗିବା କ୍ଷମତା ତାଙ୍କୁ ଦଳରେ ସୁରକ୍ଷିତ ରଖିପାରେ। ଅଶ୍ବିନ୍‌ ଏହି ଟେଷ୍ଟ୍‌ରେ ଆଉ ୬ ୱିକେଟ୍‌ ନେଇପାରିଲେ କପିଳ ଦେବ (୪୩୪)ଙ୍କୁ ଅତିକ୍ରମ କରି ଅନିଲ କୁମ୍ବଲେ (୬୧୯)ଙ୍କ ପଛକୁ ଦ୍ବିତୀୟ ଅଗ୍ରଣୀ ଭାରତୀୟ ବୋଲର୍ ହେବେ। ଭାରତୀୟ ବୋଲିଂ ବାହିନୀ ୨୦ ୱିକେଟ୍ ନେବାକୁ ସକ୍ଷମ ଥିଲେ ମଧ୍ୟ ଦଳର ମଧ୍ୟକ୍ରମ ବ୍ୟାଟିଂ ଏବେ ବି ଚିନ୍ତାର କାରଣ ରହିଛି। କୋହଲିଙ୍କ ଶତକ ମରୁଡ଼ି ନୂଆ ବର୍ଷରେ ‌ଶେଷ ହୋଇଯିବ ବୋଲି ପ୍ରଶଂସକମାନେ ମଧ୍ୟ ଆଶା ରଖିଛନ୍ତି।

ପିଚ୍‌ ଓ ପରିବେଶ: ୱଣ୍ଡରର୍ସ ପିଚ୍‌ରୁ ଆଶା ମୁତାବକ ପେସ୍‌ ଓ ବାଉଁସ୍ ମିଳିବ। ଗତଥର ଏଠାରେ ଦୁଇ ଦଳ ‌ଖେଳିବା ବେଳେ ଏହାର ପିଚ୍‌କୁ ଆଇସିସି ‘ଦୁର୍ବଳ’ ଦର୍ଶାଇବାରୁ ବାତିଲ ହୋଇଥିଲା। ବର୍ଷା କିନ୍ତୁ ମ୍ୟାଚ୍‌ ପାଇଁ ମୁଖ୍ୟ ଖଳନାୟକ ସାଜିବ ବୋଲି ପୂର୍ବାନୁମାନ କରାଯାଇଛି। ଜୋହାନ୍ସବର୍ଗରୁ ଭାରତ ୨୦୧୮ରେ ଜିତିବା ପରଠାରୁ ବିଦେଶରେ ବିଜୟ ପର୍ବ ଆରମ୍ଭ ହୋଇଥିବାରୁ ବିରାଟ କୋହଲିଙ୍କ ଦଳ ଏଠାରେ ଆଉ ଏକ ଟେଷ୍ଟ୍ ଜିତିଲେ ନୂଆ ବର୍ଷ ଭାରତୀୟ କ୍ରିକେଟରେ ନୂଆ ଫର୍ଦ ଯୋଡ଼ିଦେବ। ଇନ୍ଦ୍ରଧନୁ ଦେଶରେ ଭାରତର ବହୁ ପ୍ରତୀକ୍ଷିତ ଟେଷ୍ଟ୍ ଶୃଙ୍ଖଳା ବିଜୟ ସ୍ବପ୍ନ ସାକାର ‌ହୋଇପାରିବ।

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: ଡିନ୍ ଏଲଗାର (ଅଧିନାୟକ), ଏଦୈନ ମର୍କରାମ, କିଗାନ୍‌ ପିଟରସନ୍, ରାଶି ଭାନ୍‌ ଡେର୍‌ ଦସେନ୍‌, ତେମ୍ବା ବଭୂମା, କାଇଲ୍‌ ଭେରିନ୍‌ (ୱିକେଟରକ୍ଷକ), ୱିଆନ୍‌ ମଲ୍‌ଡର/ମାର୍କୋ ଜାନ୍‌‌େସନ୍‌, କାଗିସୋ ରବାଦା, କେଶବ ମହାରାଜ, ଡୁଆନ୍‌ ଓଲିଭର, ଲୁଙ୍ଗି ଏନ୍‌ଗିଡି।

ଭାରତ ସମ୍ଭାବ୍ୟ ଏକାଦଶ: କେଏଲ୍ ରାହୁଲ୍‌, ମୟଙ୍କ ଅଗ୍ରୱାଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ୍ (ୱିକେଟରକ୍ଷକ), ଆର୍‌ ଅଶ୍ବିନ୍‌, ଶାର୍ଦୁଳ ଠାକୁର/ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି।

ସମ୍ବନ୍ଧିତ ଖବର