ଚମକ ଦେଖାଉଛନ୍ତି ଚପଲ ଦୋକାନୀ ଓ ରାଜମିସ୍ତ୍ରୀଙ୍କ ପୁଅ

ଭୁବନେଶ୍ବର: କାହା ବାପା ଚାଷବାସ କରୁଛନ୍ତି ତ’ ଆଉ କାହା ପିତା ମାତା ଘର ଚଳାଇବା ଲାଗି ଛୋଟ ମୋଟ କାମ କରୁଛନ୍ତି। ସେହିଭଳି ଅନ୍ୟ କେତେକଙ୍କ ଘର ଲୋକ ଛୋଟ ତେଜରାତି ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ଗତ କିଛି ମାସ ଭିତରେ ସେମାନଙ୍କ ଜୀବନ ନୂଆ ମୋଡ଼ ନେଇଛି। ‘ଅଲ୍ଟିମେଟ୍ ଖୋ ଖୋ’ ସେମାନଙ୍କୁ ନୂଆ ଜୀବନ ଦେଇଛି। ଏହି ଲିଗ୍‌ରେ ଅଂଶଗ୍ରହଣ କରୁଥିବା ପାଖାପାଖି ଦେଢ଼ ଶହ ଖେଳାଳିଙ୍କ ଭିତରୁ ଅଧିକାଂଶ ଛୋଟ ସହର ଏବଂ ଗରିବ ପରିବାରରୁ ଆସିଛନ୍ତି। ଲିଗ୍‌ରେ ଥିବା ୧୦ ଓଡ଼ିଆ ମଧ୍ୟ ଅଲଗା ନୁହନ୍ତି। ସରଳ, ଶାନ୍ତ ସ୍ବଭାବର ଏହି ଲାଜକୁଳା ଓଡ଼ିଆ ଖୋ ଖୋ ତାରକାମାନେ ‘ଅଲ୍ଟିମେଟ୍ ଖୋ ଖୋ’ କୋର୍ଟରେ ନିଜ ସ୍ବତନ୍ତ୍ର ଛାପ ଛାଡ଼ିବାକୁ ସକ୍ଷମ ହୋଇଛନ୍ତି। ନିଜ ନିଜ ପ୍ରଦର୍ଶନରେ ସମସ୍ତଙ୍କ ମନ ଜିତିଥିବା ଏହି ୧୦ ଜଣ ଯାକ ଓଡ଼ିଶା ଖୋ ଖୋ ତାରକାଙ୍କ ଆଖିରେ ଏବେ ଆଖିଏ ସ୍ବପ୍ନ। ଓଡ଼ିଶାବାସୀ ସେମାନଙ୍କୁ ଧୀରେଧୀରେ ଚିହ୍ନୁ ଥିବାରୁ ବେଶ୍ ଖୁସି ଅଛନ୍ତି ସମସ୍ତେ। ‘ଅଲ୍ଟିମେଟ୍ ଖୋ ଖୋ’ର ଏହି ଓଡ଼ିଆ କ୍ରୀଡ଼ାବୀରମାନେ ହେଲେ ଜଗନ୍ନାଥ ମୁର୍ମୁ, ଟି ଜଗନ୍ନାଥ ପ୍ରଧାନ, ଲିପୁନ ମୁଖୀ, ସ୍ବୟମ୍ ସତ୍ୟପ୍ରକାଶ ପରିଜା, ସୁକାନ୍ତ ସିଂହ, ସିଦ୍ଧେଶ୍ବର ଟୁଡୁ, ଶୁଭାଶିଷ ସନ୍ତ୍ରା, ଦେବେନ୍ଦ୍ର ନାଥ, ଅଜୟ କୁମାର ମାଣ୍ଡ୍ରା ଏବଂ ଭରତ କୁମାର ପ୍ରଧାନ। ତେବେ ଦୁଇ ଜଗନ୍ନାଥଙ୍କ ସହ ଭରତ କୁମାର ପ୍ରଧାନ ସର୍ବାଧିକ ପ୍ରଭାବଶାଳୀ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଜଗନ୍ନାଥ ମୁର୍ମୁ ଆଦିବାସୀ ଅଞ୍ଚଳରୁ ଆସିଥିଲା ବେଳେ ଟି. ଜଗନ୍ନାଥ ପ୍ରଧାନ ଏବଂ ଭରତ କୁମାର ପ୍ରଧାନ ହେଉଛନ୍ତି ଉପକୂଳ ଓଡ଼ିଶାର ବାସିନ୍ଦା। ଉଭୟ ଅତ୍ୟନ୍ତ ଗରିବ ପରିବାରରୁ ଆସିଛନ୍ତି।

ଜଗନ୍ନାଥଙ୍କ ପିତା ଚପଲ ଦୋକାନ କରିଥିଲା ବେଳେ ଭରତଙ୍କ ପିତା ହେଉଛନ୍ତି ଜଣେ ରାଜମିସ୍ତ୍ରୀ। ୩ ଲକ୍ଷ ଟଙ୍କାରେ ଗୁଜରାଟ ଜାଏଣ୍ଟସ୍‌ରେ ଯୋଗ‌ ଦେଇଥିବା ଟି. ଜଗନ୍ନାଥ ପ୍ରଧାନ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ପିଲା। ଅଲ୍‌ରାଉଣ୍ଡର ଭାବେ ଖେଳୁଥିବା ଜଗନ୍ନାଥ ନିଜ ଦଳ ଗୁଜରାଟ ଜାଏଣ୍ଟସ୍‌ ପକ୍ଷରୁ ୮ ମ୍ୟାଚ୍ ଖେଳି ୩୨ ପଏଣ୍ଟ୍‌ ଅର୍ଜନ କରିଛନ୍ତି। ଅଷ୍ଟମ ଶ୍ରେଶୀରୁ ଖୋ ଖୋ ଖେଳିବା ଆରମ୍ଭ କରିଥିବା ୧୯ ବର୍ଷୀୟ ଜଗନ୍ନାଥ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ଖୋ ଖୋ ଦଳର ସଦସ୍ୟ ଥିଲେ। କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନି ଏବଂ ଫୁଟ୍‌ବଲର୍‌ କ୍ରିଷ୍ଟିଆନୋ ରୋନାଲ୍‌ଡୋ ହେଉଛନ୍ତି ତାଙ୍କ ପସନ୍ଦର କ୍ରୀଡ଼ାବିତ୍। ଅନ୍ୟପକ୍ଷରେ ରାଜସ୍ଥାନ ୱାରିୟର୍ସର ପ୍ରତିନିଧିତ୍ବ କରିଥିବା ଭରତ କୁମାର ପ୍ରଧାନ ୯ ମ୍ୟାଚ୍ ଖେଳି ୩୧ ପଏଣ୍ଟ୍‌ ହାସଲ କରିଛନ୍ତି। ରାଜସ୍ଥାନ ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିଥିଲେ ମଧ୍ୟ ଭରତଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ନବମ ଶ୍ରେଣୀରୁ ଖୋ ଖୋ ଖେଳି ଆସୁଥିବା ଭରତ ଏବେ ମହାରାଷ୍ଟ୍ରର ଅମରାବତୀ ବିଶ୍ବବିଦ୍ୟାଳୟରେ ବିପିଏଡ୍ ଶିକ୍ଷା ଲାଭ କରୁଛନ୍ତି। ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍‌ରେ ତାଙ୍କ ଘର। ସୂର୍ଯ୍ୟ ନାରାୟଣ ଜେନାଙ୍କ ପ୍ରୋତ୍ସାହନରେ ସେ ଖୋ ଖୋ ଖେଳିବା ଆରମ୍ଭ କରିଥିଲେ। ସେ ମଧ୍ୟ ଭାରତୀୟ ଜାତୀୟ ଦଳର ପ୍ରତିନିଧିତ୍ବ କରିସାରିଛନ୍ତି। ଆଗାମୀ ସମୟରେ ଭାରତୀୟ ଦଳରୁ ନିୟମିତ ଖେଳି ଓଡ଼ିଶାର ନାଁ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ତାଙ୍କୁ ରାଜସ୍ଥାନ ୱାରିୟର୍ସ ଦେଢ଼ ଲକ୍ଷ ଟଙ୍କାରେ କିଣିଥିଲା। ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମ୍‌ରେ ଆୟୋଜିତ ଚୟନ ଶିବିରରୁ ରାଜସ୍ଥାନ ଦଳ ତାଙ୍କୁ ବାଛିଥିଲା।

ସମ୍ବନ୍ଧିତ ଖବର