‘ଭାରତ ସପକ୍ଷରେ ସ୍ଥିତି, ରୁଟ୍‌ଙ୍କ ୱିକେଟ୍ ସଅଳ ନେଇପାରିଲେ ହେଡିଂଲେ ଜିତିବ କୋହଲି ବାହିନୀ’

ଲିଡ୍ସ: ‘‘ବର୍ଷା ପ୍ରଭାବିତ ପ୍ରଥମ ଟେଷ୍ଟ୍‌ରେ ଆଧିପତ୍ୟ ବିସ୍ତାର କରିବା ଏବଂ ଦ୍ବିତୀୟ ଟେଷ୍ଟ୍‌କୁ ନାଟକୀୟ ଭାବେ ଜିତି ନେବା ପରେ ଶୃଙ୍ଖଳା ଭାରତ ଆଡ଼କୁ ଢ଼ଳି ରହିଛି। ହେଡିଂଲେରେ ମଧ୍ୟ କୋହଲି ବାହିନୀ ବିଜୟୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିଲାଗି କିନ୍ତୁ ଭାରତୀୟ ବୋଲରଙ୍କୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କୁ ସଅଳ ଆଉଟ୍ କରିବାକୁ ହେବ’’ ବହୁ ପୂର୍ବତନ ଭାରତୀୟ କ୍ରିକେଟର ବୁଧବାରଠାରୁ ହେଡିଂଲେରେ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍ ପୂର୍ବରୁ ଏଭଳି ମନ୍ତବ୍ୟ ଦେଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ଭେଙ୍ଗସରକାର କିନ୍ତୁ ଭାରତକୁ ସଜାଗ ରହିବାକୁ ଚେତାଇ ଦେଇଛନ୍ତି। ‘‘ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ଜିତିବା ଲାଗି ଭାରତ ପାଖରେ ଏବେ ସୁବର୍ଣ୍ଣ ସୁଯୋଗ ରହିଛି। ଟିମ୍ ଇଣ୍ଡିଆ ଏବେ ୧-୦ରେ ଆଗୁଆ ରହିଛି।

ଏବେ ଆମ ବ୍ୟାଟ୍ସମ୍ୟାନ୍ ଅଧିକରୁ ଅଧିକ ରନ୍ ସଂଗ୍ରହ କରିବା ଉଚିତ। ବିଶେଷ କରି ମଧ୍ୟକ୍ରମ ଅଧିକ ଦା‌ୟିତ୍ବବାନ ହେବା ଦରକାର। ଆମକୁ‌ ‌ବୋର୍ଡରେ ଏକ ବଡ଼ ସ୍କୋର କରିବାକୁ ହେବ’’ ବୋଲି ‌ସେ ଏକ ସାକ୍ଷାତକାରରେ କହିଛନ୍ତି। ପୂର୍ବତନ ଇଂଲଣ୍ଡ ସ୍ପିନର ମଣ୍ଟି ପାନେସରଙ୍କ ମତରେ ଭାରତ ୨-୦ରେ ଆଗୁଆ ହେବାକୁ ହେଲେ ତାକୁ ରୁଟ୍‌ଙ୍କୁ ରୋକିବାକୁ ପଡ଼ିବ। ‘‘ ହେଡିଂଲେ ହେଉଛି ରୁଟ୍ ଓ ଜନି ବେୟାରଷ୍ଟୋଙ୍କ ଘରୋଇ ପଡ଼ିଆ। ଏଣୁ ଭାରତୀୟ ବୋଲରଙ୍କୁ ସତର୍କତାର ସହ ବୋଲିଂ କରିବାକୁ ହେବ। ରୁଟ୍‌ଙ୍କ ୱିକେଟ୍ ସଅଳ ନେଇ ପାରିଲେ ଭାରତ ହେଡିଂଲେରେ ବିଜୟୀ ହେବାରେ ବିଶେଷ ଅସୁବିଧା ହେବ ନାହିଁ’’ ବୋଲି ସେ କହିଛନ୍ତି। ପୂର୍ବତନ ଭାରତୀୟ ସ୍ପିନର ମନିନ୍ଦର ସିଂହ ଭାରତ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଶୃଙ୍ଖଳାର ଗତି ଏବେ ଭାରତ ଆଡ଼କୁ ରହିଛି। କିନ୍ତୁ ବିପଜ୍ଜନକ ରୁଟ୍‌ଙ୍କୁ ରୋକିବା ଭାରତୀୟ ବୋଲରଙ୍କ ପ୍ରାଥମିକତା ହେବା ଉଚିତ।

ସମ୍ବନ୍ଧିତ ଖବର