କରୋନାର କ୍ରୂର ପ୍ରଭାବ, ସ୍କେଟିଂ ପ୍ରଶିକ୍ଷକ ଏବେ ପରିବା ଦୋକାନୀ

ବ୍ରହ୍ମପୁର: କରୋନା ମହାମାରୀକୁ ନିୟନ୍ତ୍ରଣ ପାଇଁ ଜାରି କଟକଣା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି। କିଏ ଚାକିରି ହରାଇଛି ତ ପୁଣି କିଏ ବୃତ୍ତି ହରାଇ ଆର୍ଥିକ ଦୁଃସ୍ଥିତିରେ କାଳାତିପାତ କରୁଛି। ଏଥିରୁ ମୁକୁଳିବା ପାଇଁ ରୋଜଗାରର ଭିନ୍ନ ପନ୍ଥା ଆପଣାଇବାକୁ ବାଧ୍ୟ ହେଉଛନ୍ତି। କ୍ରୀଡ଼ାକ୍ଷେତ୍ର ମଧ୍ୟ ଏଥିର ବାଦ୍ ଯାଇନି। ଯାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ରୋଲର୍‌ ସ୍କେଟିଂ ପ୍ରଶିକ୍ଷକ ବି. ରମେଶ। ‌କରୋନା ପାଇଁ ଏବେ ବଦଳି ଯାଇଛି ତାଙ୍କ ପରିଚୟ। ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଉପାୟ ନପାଇ ସେ ପାଲଟି ଯାଇଛନ୍ତି ପରିବା ବିକାଳି।

ରମେଶଙ୍କ ନିଜ ଘର ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍‌ ଜିଲ୍ଲା ଅନ୍ତର୍ଗତ ନରସାପୁରମ୍‌ ଗ୍ରାମରେ। କେତେ ଆଶା ନେଇ ପ୍ରାୟ ତିନି ବର୍ଷ ତଳେ ଭିଟାମାଟି ଛାଡ଼ି ଚାଲି ଆସିଥିଲେ ରେଶମ ସହର ବ୍ରହ୍ମପୁରକୁ। ଏଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କ୍ରୀଡ଼ା ଶିକ୍ଷକ ଭାବେ ନିଯୁକ୍ତ ପାଇବା ସହ କିଛି ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗରେ ସିଟି ରୋଲର୍‌ ସ୍କେଟିଂ ନାମରେ ଏକାଡେମି ପ୍ରତିଷ୍ଠା କରି ଆରମ୍ଭ କରିଥିଲେ ପ୍ରଶିକ୍ଷଣ। ଧୀରେଧୀରେ ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏକାଡେମିର କଳେବର ବୃଦ୍ଧି ପାଇବାରେ ଲାଗିଲା। ପ୍ରଶିକ୍ଷାର୍ଥୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏକାଧିକ ପଦକ ହାସଲ କଲେ।

କେତେକ ପ୍ରଶିକ୍ଷାର୍ଥୀ ଜାତୀୟସ୍ତରର ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ ପଦକ ହାସଲ କରିବା ଲକ୍ଷ୍ୟ ରଖି ସେ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ କରିବାରେ ଲାଗିପଡ଼ିଥିଲେ। ମାତ୍ର କେଇଟା ବର୍ଷ ମଧ୍ୟରେ ନିଜ ଅନୁଷ୍ଠାନର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। ବେଶ୍ ଭଲ ଦୁଇ ପଇସା ରୋଜଗାର ମଧ୍ୟ ହେଉଥିଲା। କିନ୍ତୁ କରୋନା ସବୁ କିଛି ଉଜାଡ଼ି ଦେଲା। ଗତ ମାର୍ଚ୍ଚ ମାସ ଅଧାରୁ କୋଭିଡ୍‌-୧୯ କଟକଣା ଲାଗୁ ହୋଇଯିବାରୁ ତାଙ୍କ ଏକାଡେମି ସହ ସେ ନିଯୁକ୍ତ ଥିବା ଶିକ୍ଷା ଅନୁଷ୍ଠାନଟି ମଧ୍ୟ ବନ୍ଦ ହୋଇଗଲା। ରୋଜଗାରର ପନ୍ଥା ହରାଇଥିଲେ ମଧ୍ୟ ଲକ୍‌ଡାଉନ୍ ହଟିବା ଆଶା ନେଇ ପ୍ରାୟ ଦେଢ଼ ମାସ ଅପେକ୍ଷା କଲେ। ଏହାମଧ୍ୟରେ ନିଜ ପାଖରେ ଥିବା ସଞ୍ଚିତ ଅର୍ଥ ସରିବାକୁ ବସିଲା। ସ୍ଥିତି ଏପରି ହେଲାଯେ ମାସିକ ଘରଭଡ଼ା ଦେବା ତାଙ୍କ ପାଇଁ ବୋଝ ପାଲଟିଗଲା। ଶେଷରେ ବାଧ୍ୟ ହୋଇ ଫେରିଗଲେ ନିଜ ଗାଁକୁ। ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେଠାରେ ପରିବା ଦୋକାନ ଖୋଲିବାକୁ ବାଧ୍ୟ ହେଲେ। ତେବେ ସ୍ଥିତି ସ୍ବାଭାବିକ ହେ‌ଲାପରେ ପୁଣିଥରେ ସେ ବ୍ରହ୍ମପୁର ଫେରିବାକୁ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର